Thursday , June 17 2021
Breaking News
Home / ବିଶେଷ / ସାଲେପୁରରେ କ୍ଷୟକ୍ଷତି ଆକଳନରେ ଅନିୟମିତତା ନେଇ ପୂର୍ବତନ ବିଧାୟକ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ

ସାଲେପୁରରେ କ୍ଷୟକ୍ଷତି ଆକଳନରେ ଅନିୟମିତତା ନେଇ ପୂର୍ବତନ ବିଧାୟକ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ

ସାଲେପୁର,୧୨/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)-ସାଲେପୁର ଅଂଚଳରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀ ଚୟନ ଏବଂ ଖାଉଟୀ ସାମଗ୍ରୀ ବଂଟନରେ ବ୍ୟାପକ ଅନିୟମିତତା ନେଇ ସାଲେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଗତ ଫନି ବାତ୍ୟାରେ ସାଲେପୁର ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ଓ ସାଲେପୁର ବ୍ଲକ୍ର ବହୁ ଚାଷୀ  ବିପୁଳ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ବହୁ ଲୋକ ସେମାନଙ୍କ ବାସଗୃହ ମଧ୍ୟ ହରାଇଛନ୍ତି । ଏହି ବାତ୍ୟା ପରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଚୟନ କରିବା ଏବଂ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାର ଯେଉଁ ତାଲିକା ପ୍ରସ୍ତୁତ ହୋଇଛି, ସେଥିରେ ବ୍ୟାପକ ଅନିୟମିତତା କରାଯାଇଥିବା ଶ୍ରୀ ବେହେରା ଅଭିଯୋଗ କରିବା ସହ ଏହି ତାଲିକା ପ୍ରସ୍ତୁତି ଦାୟିତ୍ୱରେ ଥିବା ରାଜସ୍ୱ ନିରୀକ୍ଷକ ଓ ପଂଚାୟତ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ସରକାରୀ  ଅଧିକାରୀଙ୍କୁ କିଛି ରାଜନୈତିକ ବ୍ୟକ୍ତି ଚାପ ପ୍ରୟୋଗ କରି ତାଲିକା ପ୍ରସ୍ତୁତ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବାବେଳେ ଯେଉଁମାନେ କ୍ଷତିଗ୍ରସ୍ତ ହୋଇନାହାଁନ୍ତି, ସେମାନଙ୍କୁ ତାଲିକାଭୁକ୍ତ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେହିପରି ସାଲେପୁର ବ୍ଲକ୍ ଅଂଚଳରେ ଖାଉଟୀ ସାମଗ୍ରୀ ବଂଟନରେ ବ୍ୟାପକ ଅନିୟମିତତା ହେଉଛି । ପ୍ରକୃତ ହିତାଧିକାରୀମାନଙ୍କ ନାମ ତାଲିକାଭୁକ୍ତ କରାଯାଇନଥିବାବେଳେ ଚାଉଳ ବଂଟନ ସମୟରେ ୫ଶହ ଗ୍ରାମ କମାଇ ବଂଟନ କରାଯାଉଛି ବୋଲି ସେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ତାଲିକାରୁ ବାଦ୍ ପଡିଥିବା ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ତାଲିକାଭୁକ୍ତ କରି ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାପାଇଁ ପୂର୍ବତନ ବିଧାୟକ ଶ୍ରୀ ବେହେରା ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *