Tuesday , June 15 2021
Breaking News
Home / କୃଷି / ସରକାରୀ ପ୍ରୋତ୍ସାହନ ଅଭାବ- କମି ଚାଲିଛି ନଳିତା ଚାଷ

ସରକାରୀ ପ୍ରୋତ୍ସାହନ ଅଭାବ- କମି ଚାଲିଛି ନଳିତା ଚାଷ

ସାଲେପୁର, ୨୨/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା): ଏକଦା ସାଲେପୁର ଅଂଚଳରେ ନଳିତା ଚାଷକୁ ଚାଷୀମାନେ ବେଶ୍ ପ୍ରାଧାନ୍ୟ ଦେଇ ଆସୁଥିଲେ । ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଏହି ଚାଷକରି ଚାଷୀ ଲାଭ ମଧ୍ୟ ପାଉଥିଲେ । ତେଣୁ ଧାନଚାଷ ଭଳି ନଳିତା ଚାଷ ପ୍ରତି ମଧ୍ୟ ଲୋକଙ୍କର ବେଶ୍ ଆଗ୍ରହ ରହିଥିଲା । ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା , ମିର୍ଜାପୁର, ସିଢ଼ୋ, ଭୀମଦାସପୁର, ପିକୋଳ, ଛାଣିପୁର, ଓଡ଼ାସିଂହ, କଟରପା, ମାଳଶାସନ, ନରଦା, ରାମକୃଷ୍ଣପୁର, ସଉରୀ ଆଦି ପଂଚାୟତରେ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ ଏହି ଚାଷ ହ୍ରାସପାଇବାରେ ଲାଗିଛି । ରାଜ୍ୟସରକାର ଚାଷୀଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଥିବା ବେଳେ ଚାଷୀଙ୍କୁ ତାଲିମ୍ ଦେବା ନାଆଁରେ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବାସ୍ତବରେ ନା ଚାଷ କ୍ଷେତ୍ରରେ ଅଗ୍ରଗତି ହେଉଛି ନା କୃଷକର ଉନ୍ନତି ହେଉଛି । କେତେକ ମୁନାଫାଖୋର ସରକାରୀ କର୍ମଚାରୀଙ୍କ କର୍ତବ୍ୟରେ ଅବହେଳା ଓ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ ଏହି ଅର୍ଥକାରୀ ଫସଲ ପ୍ରତି ଚାଷୀମାନେ ମୁହଁ ମୋଡ଼ିବା ଆରମ୍ଭ କରିଛନ୍ତି । କିଛିବର୍ଷ ହେବ ଦୈଦିକ ମଜୁରୀ ଅହେତୁକ ବଢ଼ିବା ଯୋଗୁ ଚାଷୀ ନଳିତା ଚାଷ ପ୍ରତି ବିମୁଖ ହେବା ଅନ୍ୟଏକ ପ୍ରମୁଖ କାରଣ । ଏହା ସହିତ ନଳିତା ମଞ୍ଜି ନ ପାଇ ମଧ୍ୟ ଚାଷୀମାନେ ହଟହଟା ହେବା ଫଳରେ ଦିନକୁ ଦିନ ଏହି ଅଂଚଳରେ ଏହି ଚାଷ ବୁଡ଼ିବାକୁ ବସିଲାଣି । ପୂର୍ବରୁ ଚାଷୀମାନଙ୍କ ଠାରୁ ଝୋଟ କିଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେନ୍ଦୁପାଟଣା ଠାରେ ଜୁଟ୍ କରର୍ପୋରେସନ୍ ଅଫ୍ ଇଣ୍ଡିଆ ନାମକ ଏକ କାର୍ଯ୍ୟାଳୟ ଓ ମାହାଙ୍ଗାର ଛତ୍ର ତୋଟା ଠାରେ ଭାରତର ଝୋଟ ନିଗମ ପକ୍ଷରୁ ଝୋଟ କିଣିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଠିକ୍ ରୂପେ କାର୍ଯ୍ୟକାରୀ ହେଉନାହିଁ । ତେଣୁ ସରକାରଙ୍କ ପକ୍ଷରୁ ଊପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହିତ ଚାଷୀମାନଙ୍କୁ ମାଗଣା ମଞ୍ଜି ଓ ସାର ଯୋଗାଇ ଦିଆଗଲେ ଏହି ଚାଷ ପର୍ଯ୍ୟାପ୍ତ ପରିମାଣରେ ହୋଇପାରନ୍ତା ବୋଲି ବହୁଚାଷୀ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି

ତାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ବେନିୟମ ଭାବେ ତାରପୁର ସେବା ସମବାୟ ସମିତିରେ ୩ଶହରୁ ଉଦ୍ଧ୍ୱର୍ ଚାଷୀଙ୍କର ଟୋକନ୍ କୁ ବାତିଲ କରାଯାଇଥିଲା  …

Leave a Reply

Your email address will not be published. Required fields are marked *