Sunday , June 13 2021
Breaking News
Home / ରାଜନୀତି / ‘ସମ୍ବିଧାନର ସୁରକ୍ଷା ପାଇଁ ଐକ୍ୟବଦ୍ଧ ପ୍ରତିରୋଧ ଜରୁରୀ’

‘ସମ୍ବିଧାନର ସୁରକ୍ଷା ପାଇଁ ଐକ୍ୟବଦ୍ଧ ପ୍ରତିରୋଧ ଜରୁରୀ’

ଭୁବନେଶ୍ୱର, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ଲୋକସଭାରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତମାନ ରାଜ୍ୟସଭାରେ ବି ବିଜେପି ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଉଦ୍ୟମ ଚଳାଇଛି । ବିଜେପି ଏଥିରେ ସଫଳ ହେଲେ ଗଣତନ୍ତ୍ର ପାଇଁ ମହାବିପଦ ଆସିବ । ସମ୍ବିଧାନକୁ ସମ୍ମାନ ଜଣାଇ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ମୂଲ୍ୟବୋଧ ପ୍ରତି ସମ୍ପୃକ୍ତ ଶାସକଦଳର ପ୍ରତିବଦ୍ଧତା ରହିବା ଆବଶ୍ୟକ । ଶାସକଦଳ ବିଜେପି ବର୍ତମାନ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ ଚଳାଇଛି । ତେଣୁ ସମ୍ବିଧାନର ସୁରକ୍ଷା ଲାଗି ଐକ୍ୟବଦ୍ଧ ଓ ସମ୍ମିଳିତ ପ୍ରତିରୋଧ ଜରୁରୀ ବୋଲି ଭଗବତୀ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିପିିଆଇ ଜାତୀୟ ସମ୍ପାଦକ ତଥା ସାଂସଦ ଡି. ରାଜା କହିଛନ୍ତି । ଶ୍ରୀ ରାଜା କହିଲେ ଯେ ଗତ ସାଧାରଣ ନିର୍ବାଚନରେ ତାମିଲନାଡ଼ୁକୁ ବାଦ୍ ଦେଲେ ଅନ୍ୟ ସବୁଆଡ଼େ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଜନୈତିକ ଦଳଙ୍କ ମଧ୍ୟରେ ଐକ୍ୟର ଅଭାବରୁ ବିଜେପି ପୁଣିଥରେ କେନ୍ଦ୍ରରେ କ୍ଷମତାକୁ ଫେରିଆସିଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ସବ୍କା ବିଶ୍ୱାସ’ କଥା କହୁଛନ୍ତି । କିନ୍ତୁ ସଂଖ୍ୟାଲଘୁ ଲୋକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ଜମ୍ମୁ-କଶ୍ମୀରରେ ଏକାଥରେ ନିର୍ବାଚନ କରାଗଲାନାହିଁ, କିନ୍ତୁ ବିଜେପି ‘ଏକ ଦେଶ ଏକ ନିର୍ବାଚନ’ର କଥା କହୁଛି । ଦେଶର ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ରାଜ୍ୟରେ ସରକାର ଗଠନ ପାଇଁ ଅଲଗା ଅଲଗା ସମୟରେ ନିର୍ବାଚନ ହେବାର ବ୍ୟବସ୍ଥା କରାଯାଇଛି । ଏକାଥରେ ସବୁ ବିଧାନସଭା ପାଇଁ ଲୋକସଭା ସହିତ ନିର୍ବାଚନ କରାଯିବାର କଳ୍ପନା ଅତ୍ୟନ୍ତ ମାରାତ୍ମକ । ଏହା ସାମ୍ବିଧାନିକ ବ୍ୟବସ୍ଥାର ବିରୋଧୀ । ବିଜେପି ମହିଳାଙ୍କୁ ଅଧିକାର ଏବଂ ସମ୍ମାନ ଦେବା ପାଇଁ ପ୍ରଚାର କରୁଛି । ମହିଳାଙ୍କୁ ବିଧାନସଭା ଓ ସଂସଦରେ ଆସନ ସଂରକ୍ଷଣ ବିଷୟରେ ରାଷ୍ଟ୍ରପତିଙ୍କ ଭାଷଣରେ କିଛି କୁହାଯାଇନାହିଁ । ରାଜ୍ୟ ସରକାରମାନଙ୍କୁ ସିବିଆଇ, ଇଡି ଏବଂ ଆୟକର ବିଭାଗ ଦ୍ୱାରା ଚଢ଼ଉର ଭୟ ଦେଖାଯାଇ ଚାପ ପ୍ରୟୋଗ କରି ସମର୍ଥନ ହାସଲ କରାଯାଇଛି । ଓଡ଼ିଶାରେ ବିଜେଡି ସଂଖ୍ୟାଗରିଷ୍ଠତା ପାଇଥିଲେ ମଧ୍ୟ ଚିଟ୍ଫଣ୍ଡ୍ ମହାଠକେଇ ଘଟଣାରେ ସିବିଆଇ ଦ୍ୱାରା ଗିରଫ ଭୟରେ ବିଜେଡି ତା’ର ନିଜ ରାଜ୍ୟସଭା ଆସନ ବିଜେପିକୁ ସମର୍ପଣ କରିଛି । ଏହା ରାଜ୍ୟ ଜନସାଧାରଣଙ୍କ ପ୍ରତି ଏବଂ ବିଧାନସଭା ପ୍ରତି ଅସମ୍ମାନକୁ ସୂଚାଉଛି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଆଶୀଷ କାନୁନଗୋ, ଦୁଇ ସହସମ୍ପାଦକ ଡା ପ୍ରଶାନ୍ତ ମିଶ୍ର ଏବଂ କ୍ଷୀରୋଦ ପ୍ରସାଦ ସିଂହ ଉପସ୍ଥିତ ଥିଲେ । ସିପିଆଇର ଦୁଇଦିନିଆ ରାଜ୍ୟ ପରିଷଦ ସମାବେଶରେ ଯୋଗଦେବା ପାଇଁ ପାର୍ଟିର ଜାତୀୟ ସମ୍ପାଦକ ଡି ରାଜା ଭୁବନେଶ୍ୱର ଆସିଥିଲେ । ଓଡ଼ିଶା ସମାଚାର

About admin

Check Also

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ …

Leave a Reply

Your email address will not be published. Required fields are marked *