Sunday , June 20 2021
Home / ବିଶେଷ / ଲୋୟର ପିଏମଜି ରେ ନବନିର୍ମାଣ ଯୁବଛାତ୍ର ସମାବେଶ

ଲୋୟର ପିଏମଜି ରେ ନବନିର୍ମାଣ ଯୁବଛାତ୍ର ସମାବେଶ

ଭୁବନେଶ୍ୱର , ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ରାଜନୀତିରେ ଯୁବଛାତ୍ର ରାଜନୀତି ସୃଷ୍ଟି ହୋଇଥିବା ଶୂନ୍ୟତାକୁ ପୂରଣ କରିବାକୁ ନବନିର୍ମାଣ ଯୁବଛାତ୍ର ସଂଗଠନ ଉଦ୍ୟମ କରିଛି । ଆଜି ଅଗଷ୍ଟ ୯ରେ କ୍ରାନ୍ତି ଦିବସ ଅବସରରେ ସମାବେଶ ଆୟୋଜନ କରି ବେକାରୀ ସମସ୍ୟାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଆନ୍ଦୋଳନ ଗଢିତୋଳିବ ବୋଲି ନବ ନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଓ ନେତାମାନେ ଘୋଷଣା କରିଛନ୍ତି । ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ସଭାପତିତ୍ୱରେ ଆହୂତ ସମାବେଶରେ ଉଦ୍ବୋଧନ ଦେଇ ସଂଗଠନର ପ୍ରତିଷ୍ଠାତା ତଥା କୃଷକ ସଂଗଠନର ଜାତୀୟ ନେତା ଅକ୍ଷୟ କୁମାର କହିଲେ ଯେ, ଭଗତ ସିଂଙ୍କ ଠାରୁ ଆରମ୍ଭ କରି ଉଦ୍ଧାମ ସିଂ, ସୁବାଷ ବୋଷଙ୍କ ଭଳି ନେତାମାନେ ଦେଶ ପାଇଁ ଯେଉଁ ବଳିଦାନ ଦେଇ ସ୍ୱାଧୀନତା ଆଣିଥିଲେ ସେ ବଳିଦାନ ଆଜି ବ୍ୟର୍ଥ ହୋଇଛି । ଭ୍ରଷ୍ଟାଚାରୀ ଅମଲାତନ୍ତ୍ର ଓ ଦୁର୍ନୀତିଗ୍ରସ୍ତ ନେତା ନିଜ ଦେଶ ସହ ସଚ୍ଚା ବେଇମାନୀ କରି ନିଜ ସ୍ୱାର୍ଥ ପାଇଁ ଇମାନଦାରିରେ କାମ କରୁଛନ୍ତି । କ୍ରାନ୍ତି ଦିବସରେ ଏଇଥିପାଇଁ ସମାବେଶ ଆୟୋଜନ ହୋଇଛି ଯେ, ଯୁବକମାନେ କିଭଳି ଭାବରେ ଦେଶପ୍ରେମ ଚେତନାରେ ଉଦ୍ବୁଦ୍ଧ ହୋଇ ନିଜ ଜାତି ପାଇଁ କାମ କରିବେ । ଯୁବଛାତ୍ର ସମାଜ ଜାଗ୍ରତ ହେଲେ ଦେଶର ନେତାମାନେ ଦେଶବାସୀଙ୍କୁ ମନଇଚ୍ଛା ଲୁଟ୍ କରିବାକୁ ସାହସ କରିବେ ନାହିଁ । ଓଡ଼ିଶା ଭଳି ରାଜ୍ୟରେ ଯୁବଛାତ୍ରମାନେ ଏକାଠି ହେଲେ ଆମ ନେତାମାନେ ଆମ ରାଜ୍ୟର ପ୍ରାକୃତିକ ସମ୍ପଦକୁ ଶାଗମୁଗ ଦରରେ ବିକ୍ରି କରି ଓଡ଼ିଆଙ୍କୁ କାଙ୍ଗାଳ କରିବାକୁ ସାହସ କରିବେ ନାହିଁ ।
ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ତଥା ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାରା ଦୁନିଆରେ ଯେତେ ଆନ୍ଦୋଳନ ଓ ପରିବର୍ତନ ହୋଇଛି, ସେଥିରେ ଯୁବସମାଜ ଆଗୁସାର ହୋଇଛି । ଏବର ପୃଷ୍ଠଭୂମିରେ ଯୁବଛାତ୍ରମାନେ ଯଦି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବେସାଲିସ ସଂଗ୍ରାମ ନ କରନ୍ତି, ତେବେ ସମାଜ ଉଜୁଡ଼ିଯିବ । ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ କହିଲେ ଯେ, କୃଷକମାନଙ୍କୁ ସଂଗଠିତ କରିବାରେ ନବ ନିର୍ମାଣ ଯେମିତି ସଫଳ ହୋଇଛି ଯୁବଛାତ୍ରଙ୍କୁ ସଂଗଠିତ କରିବାରେ ମଧ୍ୟ ସଫଳ ହେବ । ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ନବନିର୍ମାଣ ଯୁବଛାତ୍ର ସଂଗଠନର ମୂଳ ଆନ୍ଦୋଳନ ହେଉଛି ସମସ୍ତଙ୍କୁ ନିଯୁକ୍ତି ନଚେତ୍ ବେକାରୀ ଭତା । ରାଜ୍ୟର ୨୦ବର୍ଷ ଶାସନରେ ନବୀନ ବାବୁ ୪୯ ଲକ୍ଷ ୨୧ହଜାର ଯୁବକଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛନ୍ତି । ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ହମିଦ୍, ସହସଂଯୋଜକ ସାଇପ୍ରସାଦ ପଲାଇ, ଇଜୁ ଅହମ୍ମଦ, ଅମିତ ଜେନା, ସୋନାଲି ମିଶ୍ର, ବାବୁନି ନାୟକ, ଶୁଭାଙ୍ଗୀ ମଧୁସ୍ମିତା ବସ୍ତିଆ, ପୂଜା ସ୍ୱାଇଁ ପ୍ରମୁଖ ଛାତ୍ର ନେତାନେତ୍ରୀମାନେ ବକ୍ତବ୍ୟ ରଖିଥିଲେ ।
ପ୍ରାରମ୍ଭରେ ସଂଗଠନ ନେତା ରଶ୍ମୀରଞ୍ଜନ ସ୍ୱାଇଁ, ଦୁର୍ଗାପ୍ରସାଦ ଦାସ, ଦେବୀ ପ୍ରସାଦ ମହାରଣା ପ୍ରମୁଖ ବୈପ୍ଲବିକ ସଙ୍ଗୀତ ଗାନ କରିଥିଲେ । ପ୍ରଥମରୁ ଏକ ସୁସଜ୍ଜିତ ପଟୁଆରରେ ରେଳ ଷ୍ଟେସନରୁ ବାହାରି ସମାବେଶସ୍ଥଳରେ ପହଂଚିଥିଲା । ‘ଚାଉଳ ନୁହଁ, ଚାକିରୀ ଦିଅ’, ନିଶା ବଦଳରେ ନିଯୁକ୍ତି ଆମର ଦାବି, ଋଣମୁକ୍ତ ସମୃଦ୍ଧ ଓଡ଼ିଶା ପାଇଁ ଯୁବଛାତ୍ର ସମାଜ ଏକ ହୁଅ ନାରାରେ ଛାତ୍ରଛାତ୍ରୀମାନେ ଗଗନ ପବନ ପ୍ରକମ୍ପିତ କରିଥିଲେ । ସଭା ସମାପ୍ତ ପରେ ଯେଉଁମାନେ ସଂଗଠନ କରିବେ, ନିଜ ତରଫରୁ ସମାବେଶରେ ସଂକଳ୍ପ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *