Tuesday , June 15 2021
Breaking News
Home / ବିଶେଷ / ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନ୍କୁ କ୍ୟାବିନେଟ୍ ମଞ୍ଜୁରୀ ପରେ ହଜାର ହଜାର ଦୀପ ଦାନ କରି ଖୁସିରେ ଉତ୍ସବ ମନାଇଲେ

ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନ୍କୁ କ୍ୟାବିନେଟ୍ ମଞ୍ଜୁରୀ ପରେ ହଜାର ହଜାର ଦୀପ ଦାନ କରି ଖୁସିରେ ଉତ୍ସବ ମନାଇଲେ

ଭୁବନେଶ୍ୱର, ୧୪/୧୨/୨୦୨୦ (ଓଡ଼ିଶା ସମାଚାର)-ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନ୍କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏଥିସହ ପୁରୀ ଓ ଯାଜପୁରରେ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ଵ ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହା ଦ୍ଵାରା ମନ୍ଦିରର କାର୍ୟ୍ୟଗୁଡିକର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ। ଏହା ମନ୍ଦିରର ସଂପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ।

ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ଵ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା, ମନ୍ଦିରର ସ୍ଥାବର ଓ ଅସ୍ଥାବର ସଂପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକ ମାନଙ୍କ ଭୂମିକା ଓ ଦାୟିତ୍ଵ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ରହିଛି।ଶ୍ରଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟପାରଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏହି  ଅଧ୍ୟାଦେଶ ରେ ରହିଛି। ଗତ ୨ ତାରିଖରେ ଲିଙ୍ଗରାଜ ମନ୍ଦିର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଆଇନ ପ୍ରଣୟନ ସମ୍ପର୍କରେ ଘୋଷଣା କରିଥିଲେ ।  ଏହି ଆଇନ ଲାଗୁ ହେଲେ ଲିଙ୍ଗରାଜ ମନ୍ଦିରର ସମସ୍ତ ନୀତିକାନ୍ତି ଠାରୁ ଆରମ୍ଭ କରି ଆୟ ଓ ବ୍ୟୟ ଦାୟିତ୍ବ ମନ୍ଦିର ପ୍ରଶାସନ ନେବ। ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଜଣେ ମୁଖ୍ୟ ପ୍ରଶାସକ ରହିବେ। ମନ୍ଦିରକୁ ସରକାରୀ ଅନୁଦାନ ନିୟମିତ ମିଳିବ। ମନ୍ଦିର ଉନ୍ନତିମୂଳକ କାମ ପାଇଁ ବିଭିନ୍ନ ସମୟରେ ତ୍ବରିତ ପଦକ୍ଷେପ ନିଆଯାଇପାରିବ। କ୍ୟାବିନେଟ ବୈଠକ ପରେ ଏ ସମ୍ପର୍କରେ ଜଣାପଡ଼ିବା ପରେ ସେବାୟତ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଖୁସିରେ ହଜାର ହଜାର ଦୀପ ଦାନ କରି ଉତ୍ସବ ପାଳନ କରିଛନ୍ତି ।

ଏଥିସହ ପୁରୀ, ଯାଜପୁରରେ ମେଡିକାଲ କଲେଜ ନେଇ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସେହି ପରି ଯାଜପୁରରେ ୧୦୦ ସିଟ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ କରାଯିବ। ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୪୨୬ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ୍ର ନିର୍ମାଣ ତିନି ବର୍ଷ ଭିତରେ ସାରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି। ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *