Thursday , June 24 2021
Breaking News
Home / ବିଶେଷ / ରାଜ୍ୟ ସଡ଼କ ନିରାପତା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ରାଜ୍ୟ ସଡ଼କ ନିରାପତା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଏଣିକି ଅଜଣା ଗାଡ଼ି ଧକ୍କାରେ ଆହତ ଓ ମୃତକଙ୍କୁ ସରକାରୀ ସହାୟତା ମିଳିବ । ଗାଡ଼ି ଧକ୍କାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଓ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦିଆଯିବ । ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ସଡ଼କ ନିରାପତା ପରିଷଦର ପ୍ରଥମ ବୈଠକ ପରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି । ସଚିବାଳୟ ତୃତୀୟ ମହଲା ସମ୍ମିଳନୀ କକ୍ଷଠାରେ ରାଜ୍ୟ ସଡ଼କ ନିରାପତା ପରିଷଦର ପ୍ରଥମ ବୈଠକ ରାଜ୍ୟ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପ୍ରତି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ବେପରୁଆ ଗାଡ଼ିଚାଳନା କ୍ଷେତ୍ରରେ ନିୟମିତ ଚଢ଼ଉ, ଇଞ୍ଜିନିୟରିଂ ଜ୍ଞାନକୌଶଳର ପ୍ରୟୋଗ, ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ କମିଟି ଦ୍ୱାରା ପ୍ରଣୀତ ନିର୍ଦ୍ଦେଶାବଳୀର ଅନୁପାଳନ, ଜିଲ୍ଲାସ୍ତରରେ ପ୍ରତିମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଓ ଦୁର୍ଘଟଣା ଘଟିଲେ ଏକ ଘଂଟା ମଧ୍ୟରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ଉପରେ ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଛନ୍ତି ।

ପ୍ରକାଶଥାଉ କି, ୨୦୧୮ରେ ଦେଶରେ ୧ ଲକ୍ଷ ୪୯ ହଜାର ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିବାବେଳେ ଓଡ଼ିଶାରେ ୫୩୧୫ ଲୋକ ମୃତ୍ୟୁବରଣ କରିଛନ୍ତି ଓ ୫ ହଜାରରୁ ଊଦ୍ଧ୍ୱର୍ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣାର ଭୟାବହତାକୁ ଲକ୍ଷ୍ୟକରି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ କମିଟି ଆଗାମୀ ୨୦୨୦ ସୁଦ୍ଧା ମୃତ୍ୟୁହାର ୫୦ ପ୍ରତିଶତ କମାଇବା ଓ ପ୍ରତିବର୍ଷ ପୂର୍ବବର୍ଷ ତୁଳନାରେ ୧୦ ପ୍ରତିଶତ ମୃତ୍ୟୁହାର କମାଇବା ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ହୋଇଥିବାବେଳେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ମନ୍ତ୍ରୀ ଆହୁରି କହିଲେ ଯେ, ଦ୍ରୁତ ଗାଡ଼ିଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା, ଟ୍ରାଫିକ୍ ନିୟମ ନମାନି ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା, ଟ୍ରାଫିକ୍ ପଏଣ୍ଟରେ ନାଲିବତି ଜଳୁଥିବା ବେଳେ ରାସ୍ତା ପାର ହୋଇ ଗାଡ଼ି ଚଳାଇବା ହେତୁ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି । ଏଣୁ ଏସବୁର ମୁକାବିଲା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ପରିଷଦର ସଦସ୍ୟ ଓ ସମ୍ପୃକ୍ତ ଏନ୍ଜିଓ ଗୁଡ଼ିକର ସହଯୋଗ କାମନା କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଦୁର୍ଘଟଣାଗ୍ରସ୍ତ ଛାତ୍ର ଆଶୀର୍ବାଦ ବସ୍ତିଆଙ୍କୁ ସୋଲାଟିୟମ୍ ଫଣ୍ଡ୍ ସ୍କିମ୍ ଅନୁଯାୟୀ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । କଟକ-ଭୁବନେଶ୍ୱର ରାଜ୍ୟ ରାଜପଥରେ ପୀତାପଲ୍ଲୀଠାରୁ ଜଗତପୁର ମଧ୍ୟରେ ୨୧ଟି ବ୍ଲାକ୍ସ୍ପଟ୍ ଚିହ୍ନଟ ହୋଇଥିବା ପୁଲିସ କମିଶନର ବୈଠକରେ ସୂଚନା ଦେଇଥିଲେ । ଏହିସବୁ ବ୍ଲାକ୍ସ୍ପଟ୍ରେ ସାଇନବୋର୍ଡ୍ ବ୍ୟବସ୍ଥା କରିବା, ମୁମ୍ବାଇ-ପୁନେ ଜାତୀୟ ରାଜପଥ ଢାଂଚାରେ ଖୋର୍ଦ୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଦୁର୍ଘଟଣା ରୋକିବା ପାଇଁ ସମାନ ବ୍ୟବସ୍ଥା ଗ୍ରହଣ କରିବା, ଭାରୀଯାନଗୁଡ଼ିକ ଆବଶ୍ୟକତାଠାରୁ ଅଧିକ ପରିମାଣରେ ସାମଗ୍ରୀ ପରିବହନ ନ କରିବା, ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମାରେ ଷ୍ଟୁଡେଂଟ ଟ୍ରାଫିକ୍ ଭଲ୍ୟୁଂଟିୟର୍ ବ୍ୟବସ୍ଥା ଲାଗୁ କରିବା ଉପରେ ଉପସ୍ଥିତ ଅଧିକାରୀ ଓ ପରିଷଦର ସଦସ୍ୟମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବୈଠକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, କୃଷି ଉତ୍ପାଦନ କମିଶନର ଗଗନ ଧଳ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସନ୍, ସ୍ୱତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର, ପରିବହନ କମିଶନର ଅନୀଲ କୁମାର ସାମଲ, ପୁଲିସ କମିଶନର ସତ୍ୟଜିତ ମହାନ୍ତି, ସମ୍ପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ, ଟ୍ରକ୍ ଓ ବସ୍ ମାଲିକ ସଂଘର କର୍ମକର୍ତା, ବିଭିନ୍ନ ଏନ୍ଜିଓ ଓ ରାଜ୍ୟ ସଡ଼କ ନିରାପତା ପରିଷଦର ସଦସ୍ୟମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ରଞ୍ଜନ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ବସନ୍ତବଗିଚା ଠାରେ ସମାଜସେବୀ, ଯୁବନେତା ଓ ଦରଦୀ ମଣିଷ ସ୍ୱର୍ଗତ …

Leave a Reply

Your email address will not be published. Required fields are marked *