Thursday , August 5 2021
Breaking News
Home / ବିଶେଷ / ଯୁବକଙ୍କୁ ହତ୍ୟାକରି ଫିଙ୍ଗିଲେ ଦଳଗାଡିଆରେ

ଯୁବକଙ୍କୁ ହତ୍ୟାକରି ଫିଙ୍ଗିଲେ ଦଳଗାଡିଆରେ

କେନ୍ଦ୍ରାପଡ଼ା, ୧୭/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ୫ନମ୍ବର(କ) ଜାତୀୟ ରାଜପଥର ମରଡପୁର ଗ୍ରାମ ନିକଟସ୍ଥ ରାସ୍ତାକଡର ଏକ ଦଳଗାଡିଆରେ ଜଣେ ଯୁବକଙ୍କୁ ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାମ ପପୁ ମଳିକ(୩୨) । ପପୁଙ୍କ ଘର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର ଗ୍ରାମରେ ହୋଇଥିବା ବେଳେ ସେ ୧୨ବର୍ଷ ହେବ ମରଡପୁର ଶଶୁର ଘରେ ରହୁଥିଲେ । ଟ୍ରକ ଚାଳକ ଭାବରେ କାମକରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ପପୁ । ତାଙ୍କର ୧୩ବର୍ଷର ଏକ ଝିଅ ଓ ପତ୍ନୀ ଅଛନ୍ତି । ଶୁକ୍ରବାର ଅପରାହ୍ନ ଗୋଟାଏ ୧୫ମିନିଟ ସମୟରେ ପପୁ ଶଶୁର ଘରେ ଖାଉଥିବା ବେଳେ ସେହି ଗ୍ରାମର ବଟିଆ ମଳିକ ନାମକ ଯୁବକ ସେଠାରେ ପହଂଚି ପପୁଙ୍କୁ ଗାଡି ଧୋଇବାକୁ ଡାକିନେଇଥିଲେ । ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ବଟିଆର ବାପା ପହଲି ମଳିକ ପପୁର ଶଶୁର ଘରେ ପହଂଚି ଖବର ଦେଲେ ଯେ ତୁମ ଜ୍ୱାଇଁ ପୋଖରୀରେ ବୁଡି ମରିଯାଇଛି । ଖବର ପାଇ ପପୁଙ୍କ ଶଶୁର ଘର ଲୋକ ଓ ଗ୍ରାମବାସୀମାନେ ଘଟଣା ସ୍ଥଳକୁ ଆସିଥିଲେ । ପପୁଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ହତ୍ୟାକାରୀଙ୍କୁ ଗିରଫ କରାଯିବା ଦାବିରେ ପପୁର ଶଶୁର ଘର ଲୋକ ଓ ଗ୍ରାମବାସୀମାନେ ମରଡପୁର ନିକଟସି୍ଥତ ୫ନମ୍ବର(କ) ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବରପାଇ ସଦର ଥାନା ଇନସପେକ୍ଟର ପବିତ୍ର ମହାରଣା, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,ବରିଷ୍ଠ ପୋଲିସ ଅଧିକାରୀ,  ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଂଚି ସେମାନଙ୍କ ସହିତ ଆଲୋଚନା କରିଥିଲେ । ରାସ୍ତାରୋକ ଜାରି ରହିଛି । ଆନ୍ଦୋଳନକାରୀମାନେ ହତ୍ୟାକାରୀ ଗିରଫ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଦାବି କରିଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ବଟିଆ ମଳିକ ବ୍ରାଉନସୁଗାର, ଗେଞ୍ଜଇ ଓ ମଦ ପ୍ରଭୃତି ଚୋରାରେ ବିକ୍ରୀ କରେ । ଏ ସମ୍ପର୍କରେ ପୂର୍ବରୁ ପପୁ ପୋଲିସକୁ ଖବର ଦେଇଥିଲା । ପୋଲିସ ମଧ୍ୟ ଚଢାଉକରିଥିଲା । ସେହି ରାଗରେ ପପୁକୁ ହତ୍ୟା କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଥିବା ସଦର ଥାନା ପୋଲିସ କହିଛି ରାତି ହୋଇଯାଇଥିବାରୁ ପପୁର ଶବକୁ ଉଦ୍ଧାର କରାଯାଇପାରିବ ନାହିଁ । ଆସନ୍ତା କାଲି ଶବ ଉଦ୍ଧାର କରାଯାଇ ବ୍ୟବଛେଦ କରାଯିବ । ବ୍ୟବଛେଦପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *