Saturday , July 31 2021
Breaking News
Home / ବିଶେଷ / ମାଇକ୍ରୋ ଲେବୁଲ ପ୍ଲାନିଂ ଦ୍ୱାରା ହିଁ ଗ୍ରାମାଂଚଳର ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ହୋଇପାରିବ: ଗଣେଶ ଚନ୍ଦ୍ର ସାମଲ

ମାଇକ୍ରୋ ଲେବୁଲ ପ୍ଲାନିଂ ଦ୍ୱାରା ହିଁ ଗ୍ରାମାଂଚଳର ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ହୋଇପାରିବ: ଗଣେଶ ଚନ୍ଦ୍ର ସାମଲ

କେନ୍ଦ୍ରାପଡ଼ା ଜିଲ୍ଲାରେ ଗଣେଶ ଚନ୍ଦ୍ର ସାମଲ ଏକ ପରିଚିତ ନାଁ । ସେ ଏକାଧାରାରେ ଜଣେ ସାମାଜିକ ସଂଗଠକ , ସାମ୍ବାଦିକ ଓ ରାଜନେତା । ପ୍ରତ୍ୟେକ କ୍ଷେତ୍ରରେ ସେ ଜିଲ୍ଲାର ସ୍ୱାର୍ଥ ଓ ଜିଲ୍ଲାବାସୀଙ୍କ ଅଧିକାର ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ପ୍ରଭାବୀ ଢଙ୍ଗରେ ଉତ୍ଥାପନ କରି ଏହାର ସମାଧାନ ପାଇଁ ମାର୍ଗ ତିଆରି କରିବା ଏବଂ ଅନିୟମିତତା ବିରୋଧରେ ସ୍ୱରକୁ ଶାଣିତ କରିବାରେ ସିଦ୍ଧହସ୍ତ । ମାତୃଶକ୍ତି ଯୁବ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଭାବେ ପ୍ରଥମେ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ଶ୍ରୀସାମଲ ପରବର୍ତୀ ସମୟରେ ଚିତ୍ରୋତ୍ପଳା ର ପ୍ରତିଷ୍ଠାତା ସଭାପତି ଭାବେ ସମାଜସେବା ଓ ସାଂସ୍କୃତିକ ଜାଗରଣ ପାଇଁ କାର୍ଯ୍ୟ କରିଥିଲେ । ସଂପ୍ରତି ଜନଚେତନା ପରିଷଦର ସଂପାଦକ ଭାବେ ସେ ଏହି ଉତର ଦାୟିତ୍ୱ ନିଭାଇ ଚାଲିଛନ୍ତି । ଏଥି ସହିତ ଦୀର୍ଘ ୨୫ବର୍ଷ ଧରି ଜଣେ ସାମ୍ବାଦିକ ଭାବେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ବାଲିଘାଈ ବଜ୍ରସୋନା ହାଇ ସ୍କୁଲ ପରିଚାଳନା କମିଟି ର ସଦସ୍ୟ , ଅବିଭକ୍ତ କଟକ ଜିଲ୍ଲା ଟେଲିକମ୍ ଆଡ଼ଭାଇଜରୀ କମିଟିର ସଦସ୍ୟ , ଡ଼େରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ସଦସ୍ୟ , ଜିଲ୍ଲା ଭାଷା ପ୍ରତିଷ୍ଠାନର ସଦସ୍ୟ ଓ ଜିଲ୍ଲା ପ୍ଲାନିଂ କମିଟିର ସଦସ୍ୟ ଭାବେ ସେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଜିଲ୍ଲା ଜନ ସୁରକ୍ଷା ମଂଚର ସଭାପତି ଭାବେ ଜିଲ୍ଲାବାସୀଙ୍କ ଅଧିକାର ପାଇଁ ଲଢେଇ କରିଚାଲିଛନ୍ତି । ଜିଲ୍ଲାର ଜଣେ ସାଲିସ ବିହୀନ ଜାଗ୍ରତ ପ୍ରହରୀ ଭାବେ ପରିଚିତ ଶ୍ରୀସାମଲ ଗତ ୨୦୧୭ରେ ଜିଲ୍ଲା ପରିଷଦ କୁ ନିର୍ବାଚିତ ହେବା ସହ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ସହିତ ସାକ୍ଷାତାଲୋଚନା ର କିୟଦାଂଶ ।

-ଆପଣ ଏକ ମଧ୍ୟବି ପରିବାରରେ ଜନ୍ମ ଗ୍ରହଣ କରିଥିବାବେଳେ ଉଚ୍ଚର ଶିକ୍ଷା ଲାଭ କଲାପରେ ଆପଣ ଚାହିଁଥିଲେ କୌଣସି ଏକ ଘରୋଇ ସଂସ୍ଥାରେ ବି ଉଚ୍ଚ ଦରମାରେ ଚାକିରୀ କରିପାରିଥାନ୍ତେ । କିନ୍ତୁ ସମାଜସେବା , ସାମ୍ବାଦିକତା ଓ ରାଜନୀତି ଭଳି କକିତ ପଥକୁ ବାଛି ନେଲେ କାହିଁକି ?
= ପିଲାଟି ଦିନରୁ ଇଚ୍ଛା ଥିଲା ନିଜ ମାଟି ଓ ମାଟିର ମଣିଷ ଙ୍କ ପାଇଁ କିଛି କରିବାକୁ । ଅଭାବ ଅସୁବିଧା ଭିତରେ ବି ମୋର ସ୍ୱର୍ଗତ ବାପା ମୋ ମାନସିକତାକୁ ଲକ୍ଷ୍ୟ କରି ଚାହୁଁଥିଲେ ମୁଁ ଗୋଟିଏ କିଛି ଭିନ୍ନ କରେ । ଯାହା ସମାଜରେ ଆଦୃତ ହେବ । ସେଥିପାଇଁ ଏକ ଘରୋଇ କଲେଜରେ ଅଧ୍ୟାପନା ଚାକିରୀ ଓ ପରେ ଫାଲକୋନ୍ ମେରାଇନ ଭଳି ଏକ କର୍ପୋରେଟ୍ ହାଉସ୍ ରେ ଚାକିରୀ ପାଇଥିଲେ ବି ମୋର ମନ ବୁଝିନଥିଲା । ମୋର ୪/୫ଜଣ ସାଙ୍ଗ ସେଠାରେ ଚାକିରୀ କରୁଥିଲେ ମଧ୍ୟ ମୁଁ ଛାଡ଼ି ଚାଲିଆସିଥିଲି । ଅବଶ୍ୟ ସେମାନେ ସମସ୍ତେ ଏବେ ଆର୍ଥୀକ ସ୍ୱଚ୍ଛଳ ।
-ସମାଜ ସେବା ପାଇଁ ରାଜନୀତି ଏକ ଉକ୍ରୃଷ୍ଟ ସ୍ତର ବୋଲି କୁହାଯାଏ । ଯଦିଓ ଆପଣ ଏକ୍ଷେତ୍ରରେ ଉପରକୁ ଯାଇ ପାରିନାହାଁନ୍ତି , ତଥାପି ତ୍ରିସ୍ତରୀୟ ପାୟତିରାଜ ବ୍ୟବସ୍ଥାର ସର୍ବୋଚ୍ଚ ଜିଲ୍ଲା ପରିଷଦକୁ ନିର୍ବାଚିତ ହୋଇ ୫ବର୍ଷ ପୁରଣ କରିବାକୁ ଯାଉଛନ୍ତି । ତେବେ ଆପଣ ରାଜନୀତିକୁ କିଭଳି ଦେଖୁଛନ୍ତି ?
=ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା କ୍ଷେତ୍ରରେ ରାଜନୀତିର ଗୁରୂତ୍ୱପୂର୍ଣ ଭୂମିକା ରହିଛି । କିନ୍ତୁ ରାଜନୀତିରେ ପ୍ରତିବଦ୍ଧତା ଓ ତ୍ୟାଗ ର ଅଭାବ ଯୋଗୁ ତାହା ସମ୍ଭବ ହୋଇପାରୁ ନାହିଁ ।
-ଆପଣଙ୍କ ପ୍ରତିନିଧିତ୍ୱ ର ଉପଲବ୍ଧି କ’ଣ ?
= ଜନ ପ୍ରତିନିଧିମାନଙ୍କ ପିସି ଆଦାୟକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ ଓ ଅଭିଯୋଗ ମଧ୍ୟ ହୁଏ । ତେଣୁ ପିସି ବିହୀନ ରାଜନୈତିକ ପରମ୍ପରା ସୃଷ୍ଟି ପାଇଁ ଉଦ୍ୟମ କରିଛି । ଆମ ଅଂଚଳର ବହୁବିଧ ସମସ୍ୟାକୁ ଠିକଣା ଭାବେ ପ୍ରଶାସନ ନିକଟରେ ଉପସ୍ଥାପିତ କରି ଆବଶ୍ୟକ ସମାଧାନ କରାଇଛି । ଆହୁରି କିଛି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହେବାକୁ ଯାଉଛି । ସେହିପରି ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଓ ପ୍ରମୁଖ ଅନିୟମିତତା ସଂପର୍କରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦ୍ୱାରା କେତେକାଂଶରେ ଏହାର ସୁଫଳ ମିଳିଛି ଏବଂ ଆଉ କିଛି ସମାଧାନ ପାଇଁ ବାଟ ଫିଟିଛି । ସବୁଠାରୁ ବଡ଼ କଥା ହେଲା ଆମ ଅଂଚଳବାସୀଙ୍କ ମର୍ଯ୍ୟାଦା ବୃଦ୍ଧି ପ୍ରତି ସବୁବେଳେ ମୁଁ ଚେଷ୍ଟା କରିଛି । ସେମାନଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସାମିଲ ହେବାର ସୁଯୋଗ ପାଇଛି ।
-ଆପଣ ବିଜେପି ନେତା ବିଜୟ ମହାପାତ୍ରଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା । ହେଲେ ତାଙ୍କର ଦୃଢ ବିରୋଧି କୁହାଯାଉଥିବା ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ ଆପଣଙ୍କ ଅଂଚଳର ବିଧାୟକ । ଏଭଳି ପରିସ୍ଥିତିରେ ଆପଣଙ୍କୁ କାମ କରିବାରେ ଅସୁବିଧା ହେଉନି ?
=ଉଭୟ ନେତା ପରସ୍ପର ର ରାଜନୈତିକ ବିରୋଧି ହୋଇପାରନ୍ତି । କିନ୍ତୁ ମୁଁ ଯେତିକି ବୁଝିଛି ଅଂଚଳର ବିକାଶ ଓ ଲୋକଙ୍କ କାମ କରିବା ଦୁଇଜଣଙ୍କର ମୂଳ ଲକ୍ଷ୍ୟ । ତେଣୁ କୌଣସି ସମସ୍ୟାକୁ ଚିହ୍ନଟ କରି ତା’ର ସମାଧାନ ପାଇଁ ଉଦ୍ୟମ କଲାବେଳେ ବିରୋଧର ସମ୍ମୁଖିନ ହୋଇନି , ବରଂ ବିଧାୟକଙ୍କର ପୂର୍ଣ ସହଯୋଗ ପାଇଛି ।
-ସାଧାରଣ ଜୀବନରେ ଏକା ସାଙ୍ଗରେ ସାମ୍ବାଦିକତା ଓ ରାଜନୀତି କରିବା ଆପଣଙ୍କ ପକ୍ଷେ କିପରି ସମ୍ଭବ ହୋଇଛି ?
=ମୁଁ ଗୋଟିଏ ରାଜନୈତିକ ଦଳରେ ରହି କାମ କରୁଛି , ଏହା ସତ୍ୟ । ହେଲେ ସାମ୍ବାଦିକତା କ୍ଷେତ୍ରରେ ମୁଁ ନିଜକୁ କେବଳ ଜଣେ ସାମ୍ବାଦିକ ବୋଲି ଭାବି ଆସିଛି । ତେଣୁ ସମ୍ବାଦ ପରିବେଷଣରେ ନିରପେକ୍ଷତା ରକ୍ଷା କରିବାରେ କୌଣିସି ଅସୁବିଧା ହୋଇନି । ଜିଲ୍ଲାବାସୀ ସଚେତନ ଲୋକେ ଏହା ମଧ୍ୟ ଲକ୍ଷ୍ୟ କରୁଛନ୍ତି । ବରଂ ସାଧାରଣ ଲୋକଙ୍କ ଅଧିକାର ପାଇଁ ଉଭୟ କ୍ଷେତ୍ରରେ ଲଢେଇ କରିବାକୁ ମୋତେ ଏକ ସୁଯୋଗ ମିଳିଛି ।
-ସ୍ୱାଧୀନତାର ଦୀର୍ଘ ୭୪ବର୍ଷ ପରେ ବି ଗ୍ରାମାଳରେ ଦାରିଦ୍ର୍ୟ ରହିଛି , ଗ୍ରାମାଳର ବିକାଶ ଯାହା ହେବା କଥା ତାହା ହୋଇପାରିନାହିଁ । ଏହାର କାରଣ କ’ଣ ?
=ସ୍ୱାଧୀନତାର ଦୀର୍ଘ ବର୍ଷ ମଧ୍ୟରେ ଗ୍ରାମାଳର ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ଯୋଜନା ପ୍ରସ୍ତୁତ ହୋଇଛି ଏବଂ କାର୍ଯ୍ୟକାରୀ ମଧ୍ୟ ହୋଇଛି । ହେଲେ ଏକ୍ଷେତ୍ରରେ ସୁଧାର ଆସିନି , ଏହା ସତ୍ୟ । କେବଳ ମାଇକ୍ରୋ ଲେଭୁଲ ପ୍ଲାନିଂ ଦ୍ୱାରା ହିଁ ଗ୍ରାମାଂଚଳ ର ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ହୋଇପାରିବ । ଗାଁ ରୁ ପ୍ଲାନିଂ ହେବା ଦରକାର । ଗୋଟିଏ ଗାଁ ରେ କ’ଣ ସମସ୍ୟା ରହିଛି ଓ ସମ୍ଭାବନ୍ା କ’ଣ ଅଛି ତାହା ପ୍ରଥମେ ଚିହ୍ନଟ ହେବା କଥା । ତାକୁ ନେଇ ସମାଧାନ ପାଇଁ ପ୍ଲାନିଂ କରାନଗଲେ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ହେବ ନାହିଁ ।
– ରାଜ୍ୟରେ ସାମ୍ବାଦିକତା ର ଭବିଷ୍ୟତ କ’ଣ ?
= ରାଜ୍ୟରେ ଉଭୟ ପ୍ରିନ୍ଟି ଓ ଇଲୋକ୍ଟ୍ରୋନିକ ଗଣମାଧ୍ୟମ ର ପ୍ରସାର ବୃଦ୍ଧି ପାଉଥିବାରୁ ସାମ୍ବାଦିକତା ର ଭବିଷ୍ୟତ ପ୍ରଶସ୍ତ ହେଉଛି । ତେବେ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବଦ୍ଧତା ରହିବା ନିହାତି ଆବଶ୍ୟକ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *