Thursday , June 17 2021
Breaking News
Home / ବିଶେଷ / ଭାଗବତବାବୁଙ୍କ ୯୦ତମ ଜନ୍ମୋତ୍ସବ ପାଳିତ

ଭାଗବତବାବୁଙ୍କ ୯୦ତମ ଜନ୍ମୋତ୍ସବ ପାଳିତ

ସମାଜର ତଳସ୍ତରରେ ଥିବା ଲୋକଟି ମୁହଁରେ ହସ ଫୁଟାଇବାକୁ ରାଜନିତି କରୁଥିଲେ ଭାଗବତବାବୁ  -ମନ୍ତ୍ରୀ ରଣେନ୍ଦ୍ରପ୍ରତାପ

ରାଜନୈତିକ ଚିନ୍ତା ଓ ବିଚାରାଧାରରୁ ଉଦ୍ଧ୍ୱର୍ରେ ରହି କାମକରୁଥିଲେ ଭାଗବତବାବୁ -ଶଶୀଭୂଷଣ

କେନ୍ଦ୍ରାପଡା ୦୭/୦୭/୨୦୧୯ (ଓଡ଼ିଶା ସମାଚାର)- ବରିଷ୍ଠ ରାଜନେତା,କେନ୍ଦ୍ରାପଡାର ବିକାଶ ପୁରୁଷ,ଆଦର୍ଶ ବ୍ୟକ୍ତିତ୍ୱ ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୦ତମ ଜନ୍ମୋତ୍ସବ  ଅବସରରେ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ  ଆନୁକୁଲ୍ୟରେ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଟ୍ରଷ୍ଟର ସଭାପତି ବଟକୃଷ୍ଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ସହ ସେ ନିଜେ ମଧ୍ୟ ସମାଜବାଦ ସଂଗଠନ ସହିତ ଜଡିତ ଥିଲେ ବୋଲି ପ୍ରକାଶ କରି କହିଥିଲେ ଯେ ଶ୍ରୀ ମହାନ୍ତିଙ୍କ ଆଚରଣ ଓ  ଉଚ୍ଚାରଣରେ କିଛି ଫରକ ରହୁନଥିଲା  । ଯାହା ଆଜିର ରାଜନେତାଙ୍କ ପାଖରେ ଦେଖିବା ବିରଳ ବୋଲି  ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ସମାଜର ତଳ ସ୍ତରରେ ଥିବା ଲୋକଟି ମୁହଁରେ ହସ ଫୁଟାଇବାକୁ ରାଜନୀତିକୁ ଆସିଥିଲେ ଶ୍ରୀ ମହାନ୍ତି ଭୋଗବିଳାସ ପାଇଁ ନୁହେଁ । ଏକ ସ୍ରୋତ ବିରୋଧରେ ପହଁରି ଲଢେଇ କରିବା ଭଳି ମଣିଷ ଥିଲେ ଭାଗବତ ବାବୁ । ଶ୍ରୀ ମହାନ୍ତିଙ୍କ  ଦୀର୍ଘାୟୁ କାମନା କରିବା ସହ ତାଙ୍କ ଆଦର୍ଶରେ ଆଜିର ଯୁବ ବର୍ଗ ଅନୁପ୍ରାଣିତ ହେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା  ଭାବେ  ଅବସରପ୍ରାପ୍ତ ଭାରତୀୟ  ପ୍ରଶାସନିକ  ଅଧିକାରୀ  ଅଲେଖ  ଚନ୍ଦ୍ର  ପଢିହାରୀ  ଯୋଗଦେଇ କହିଥିଲେ  ଯେ  ଆଜି  ରାଜନୀତିରେ  ମୁଲ୍ୟବୋଧର  ଦ୍ରୁତ  ଅବକ୍ଷୟ ଘଟିଚାଲିଛି । କିନ୍ତୁ ମୁଲ୍ୟବୋଧ ଭିତିକ ରାଜନୀତି କରିବାରେ ଭାଗବତବାବୁ ଥିଲେ ଅନ୍ୟତମ ବା ବିରଳ ବ୍ୟକ୍ତିତ୍ୱ । ରାଜନେତା ନିର୍ବାଚନ କଥା ଚିନ୍ତା କରୁଥିବା ବେଳେ ରାଜ୍ୟକଥା ଜଣେ ରାଷ୍ଟ୍ରନେତା ଚିନ୍ତା କରିଥାଏ  । ପ୍ରକୃତପକ୍ଷେ  ସେହିଭଳି ଜଣେ ରାଷ୍ଟ୍ରନାୟକ ଥିଲେ ଭାଗବତବାବୁ ବୋଲି ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ ମୁଖ୍ୟବକ୍ତା ଶ୍ରୀ ପଢିହାରୀ । ତାଙ୍କ ପାଖରେ ଦଳୀୟ ମନୋଭାବ ନଥିଲା ଥିଲା  ମଣିଷ ପଣିଆଥିଲା । କିନ୍ତୁ ଶ୍ରୀ ମହାନ୍ତିଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ତାହା ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ପଢିହାରୀ ଅତ୍ୟନ୍ତ କ୍ଷୋଭର ସହିତ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାଗବତବାବୁଙ୍କ ୯୦ତମ ଜୟନ୍ତୀ ଅବସରରେ ସେ ଯୋଗଦେଇଥିବାରୁ କେନ୍ଦ୍ରାପଡା ମାଟି ପାଇଁ ସମର୍ପିତ ଜଣେ ବ୍ୟକ୍ତିତ୍ୱଙ୍କ ଜୀବନି ବିଷୟରେ ବହୁତ କିଛି ଜାଣିବାକୁ ପାଇଲେ । ଭାଗବତବାବୁ ସମାଜବାଦୀ ସଂଗଠନର ସଂସ୍ପର୍ଶରେ ଆସି ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଶ୍ରୀ ମହାନ୍ତି ଆଜି ଏଠାରେ ଉପସ୍ଥିତ ନଥିଲେବି ତାଙ୍କ ମନ,ପ୍ରାଣ ଓ ଶରୀରେ ଏଠାରେ ରହିଛି । କାଳନ୍ଦି ପାଣିଗ୍ରାହୀଙ୍କ ଲିଖିତ ପୁସ୍ତକ ‘ମାଟିର ମଣିଷ’ ବିଧାୟକ ଶ୍ରୀ ବେହେରା ପଢିଛନ୍ତି ବୋଲି କହିବା ସହ  ଆଜି ସେ ପ୍ରକୃତରେ ଜାଣିଲେ  ଯେ  କେନ୍ଦ୍ରାପଡା  ମାଟିର  ମଣିଷ  ହେଉଛନ୍ତି ଭାଗବତବାବୁ । ଶ୍ରୀ ମହାନ୍ତି ଅତ୍ୟନ୍ତ ସଫଳତାର ସହିତ ଉଚ୍ଚଶିକ୍ଷା,ରାଜସ୍ୱ ଓ ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ  ନିର୍ବାହ କରିଛନ୍ତି । ଲୁଣା କରାଣ୍ଡିଆ ଭଳି ଦ୍ୱିପାଚଂଳର ଜଣେ ଅଧିବାସୀ ଏଭଳି ବିଦ୍ୱାନ,ପଣ୍ଡିତ ତଥା ମଣିଷ ଭଳି ମଣିଷ ହୋଇପାରେ ତାହା ତାଙ୍କର ବିଶ୍ୱାସ ହୁଏନା ।  ଏଭଳି ଐତିହ୍ୟ,ସଂସ୍କୃତି ଓ ପରମ୍ପରା ସମ୍ପନ୍ନ ତଥା ଭାଗବତବାବୁଙ୍କ ଭଳି କେନ୍ଦ୍ରାପଡାର ବିକାଶ ପାଇଁ ସମର୍ପିତ ବ୍ୟକ୍ତିତ୍ୱଙ୍କ ମାଟିରେ ତାଙ୍କୁ ପ୍ରତିନିଧି ହେବାର ସୁଯୋଗ ମିଳିଥିବାରୁ ସେ ଗୈାରବାନ୍ୱିତ ବୋଲି ପ୍ରକାଶ କରି ଏ ଅଚଂଳର ବିକାଶକୁ ସେ ପ୍ରାଧାନ୍ୟ ଦେବେ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ମହାନ୍ତିଙ୍କ ଦୀର୍ଘାୟୁ କାମନା କରି ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । 

ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଓଡିଶା ଏକ୍ସପ୍ରେସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅମ୍ବୀକା ପ୍ରସାଦ ଦାସ  ଯୋଗଦେଇ  ବରେଣ୍ୟ ଜନନେତା ତଥା ବରିଷ୍ଟ ରାଜନୀତିଜ୍ଞ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୦ତମ ଜନ୍ମୋତ୍ସବ ପାଳନ ଅବସରରେ କହିଥିଲେ ଯେ ଅବର୍ତମାନରେ ସମସ୍ତଙ୍କ ଗୁଣଗାନ କରାଯାଉଥିବା ବେଳେ ଭାଗବତବାବୁଙ୍କ ବର୍ତ୍ତମାନରେ ତାଙ୍କ ଗୁଣଗାନ କରାଯାଉଛି କାରଣ ସେ ହେଉଛନ୍ତି ଜଣେ ଯୋଗଜନ୍ମା ପୁରୁଷ । ତାଙ୍କର ପ୍ରତିବଦ୍ଧତା ଓ ସହଯୋଗିତା ଯୋଗୁଁ ତାଙ୍କ ପ୍ରତିନିଧିତ୍ୱ ସମୟରେ କେନ୍ଦ୍ରାପଡାର ବିକାଶ ସମ୍ଭବ ହୋଇଥିଲା ଅନ୍ୟମାନଙ୍କ ସମୟରେ ନୁହେଁ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ  ହୋଇ କେନ୍ଦ୍ରାପଡାର ବିକାଶରେ ଭାଗିଦାର ହେବାକୁ ଯୁବବର୍ଗଙ୍କୁ ସେ ପରାମର୍ଶ ଦେଇଥିଲେ । ପୂର୍ବତନ ରାଜନଗର ବିଧାୟକ ଅଲେଖ କୁମାର ଜେନା ଅନ୍ୟତମ ସମ୍ମାନୀତ ଅତିଥି ବାବେ ଯୋଗଦେଇ “ମଣିଷ ଜନମହୁଏ ,ମଣିଷବି ମରେ ,ଜନମ ସାର୍ଥକ ତା’ର ଯାହା ପାଇଁ  ଗାଁ ମାଟି ଝୁରେ” କବିତାରୁ ନିଜର ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ ପ୍ରକୃତରେ ଭାଗବତବାବୁହିଁ ଜଣେ ସେହିଭଳି ମଣିଷ ଯାହାଙ୍କ ପାଇଁ କେନ୍ଦ୍ରାପଡାର ମାଟି ଝୁରେ । ଗଣ୍ଡାଖିଆରେ ସେତୁ ନିର୍ମାଣ କରି ସଦରମହକୁମା ସହିତ ଯୋଡିଥିବା ଭାଗବତବାବୁ ଜଣେ ମଣିଷ ନୁହେଁ ସେ ଏକ ଅନୁଷ୍ଠାନ । ଯୋଗାଯୋଗ ଓ ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ସେ । ପୂର୍ବତନ ଜିଲ୍ଲା ଓକିଲ ସଙ୍ଘ ସଭାପତି ଦେବଦାସ ମହାନ୍ତି  ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡାର ସାମାଜିକ ଇତିହାସରେ ଭାଗବତବାବୁଙ୍କ ଭଳି ବିରଳ ବ୍ୟକ୍ତିତ୍ୱ ଆଉ ମିଳିବେ ନାହିଁ । ଏହି ଅବସରରେ ଲେଖକ ଡଃ. ବାସୁଦେବ ଦାସ,ପୂର୍ବତନ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡା. ବୈଷ୍ଣବ ଚରଣ ପରିଡା ଓ ବରିଷ୍ଠ ଆଇନଜୀବି ସୁରେଶ ସେନାପତି(ଗାନ୍ଧିବାବୁ)ଙ୍କୁ ପୁଷ୍ପଗୁଛ,ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଭାଗବତମହାନ୍ତି ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ ସାମଲ, ପୁର୍ବତନ ପୋରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ଶରତ ବେହୁରା, ମୁକ୍ତାର ଖାଁ,ଅର୍ବାନ ବ୍ୟାଙ୍କର ସାଧାରଣ ପରିଚାଳକ (ପ୍ରଶାସନିକ) ମନ୍ମଥନାଥ ରାଉତ, ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ଶ୍ରୀକାନ୍ତ ନାୟକ, ବିଧୁଭୂଷଣ ମହାପାତ୍ର, ଦୟାନିଧି ଜେନା, ଉତମ କୁମାର ଦାସ, ଶୁଭାଂଶୁ ଦାସ, ଅଶୋକ କୁମାର ସାହୁ, ଗୋଲଖ ପଢିହାରୀ ପ୍ରମୁଖ ଶ୍ରୀ ମହାନ୍ତିଙ୍କ ଦୀର୍ଘାୟୁ ଜୀବନ କାମନା କରିଥିଲେ ।  ଗୋପାଳକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *