Monday , June 14 2021
Breaking News
Home / ବିଶେଷ / ବ୍ରହ୍ମକ୍ଷେତ୍ରରେ ଦେବସ୍ନାନ ଯାତ୍ରା

ବ୍ରହ୍ମକ୍ଷେତ୍ରରେ ଦେବସ୍ନାନ ଯାତ୍ରା

ନିଶ୍ଚିନ୍ତକୋଇଲି, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଜିଗ୍ନିପୁର ବ୍ରହ୍ମକ୍ଷେତ୍ରପୀଠରେ ଅଧିଷ୍ଠିତ ଶ୍ରୀ ଶ୍ରୀବଳଦେବଜୀଉ ପବିତ୍ର ଜ୍ୟେଷ୍ଠପୂର୍ଣ୍ଣିମା ଅବସରରେ ସ୍ନାନଯାତ୍ରା ଉତ୍ସବ ସମାରୋହରେ ପାଳିତ ହୋଇଛି । ରବିବାର ବିଳମ୍ବିତ ରାତିରେ ରତ୍ନସିଂହାସନରୁ ଚତୁର୍ଦ୍ଧା ମୂରତୀଙ୍କର ସେନାପଟା କାର୍ଯ୍ୟ କରାଯିବା ପରେ ପହଣ୍ଡିଆମାନେ ପ୍ରଥମେ ସୁଦର୍ଶନ କ୍ରମାନୁସାରେ ଶ୍ରୀବଳଦେବଜୀଉ, ଭଗ୍ନୀ ସୁଭଦ୍ରା, ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୋଟିପହଣ୍ଡି କରି ସ୍ନାନବେଦୀରେ ଅଧିଷ୍ଠିତ କରାଇଥିଲେ । ସୋମବାର ପ୍ରତ୍ୟୁଷରୁ ଶ୍ରୀଜୀଉଙ୍କର ନିତ୍ୟକ୍ରମ ପରେ ମଙ୍ଗଳ ଆଳତୀ ଏବଂ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ପ୍ରତ୍ୟୁଷ ୪.୩୫ ମିନିଟ୍ରୁ ବଡପଣ୍ଡାଙ୍କ ନେତୃତ୍ୱରେ ପୂଜକମାନେ ୧୦୮ କଳସୀ ସୁବାସିତ ଜଳଦ୍ୱାରା ଦେବଧ୍ୱନୀ ଅଭିମନ୍ତ୍ରିତ କରି ଚାରି ଦିଅଁଙ୍କୁ ସ୍ନାନ କରାଇଥିଲେ । ଏହି ଜଳରେ ୧୩ ପ୍ରକାର ସୁବାସିତ ବିଭିନ୍ନ ପ୍ରକାର ଚେରମୂଳିକା ପକାଯାଇ ଚର୍ତୁଶମ କରାଯାଇଥିଲା । ଶ୍ରୀଜୀଉଙ୍କ ସ୍ନାନ ପରେ ନୂତନ ବସ୍ତ୍ରପରିଧାନ କରାଯାଇ ତିନିଦିଅଁଙ୍କୁ ଗଜାନନ ବେଶରେ ଅଧିଷ୍ଠିତ କରାଯାଇଥିଲା । ପରେ ବାଲ୍ୟଭୋଗ, ଆଳତି ଓ ନିତ୍ୟାନ୍ନି ପୂଜାର୍ଚ୍ଚନା ପରେ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ପୂର୍ବାହ୍ନରେ ହଜାର ହଜାରସଂଖ୍ୟାରେ ଭକ୍ତ ସ୍ନାନମଣ୍ଡପରେ ଉପସ୍ଥିତ ହୋଇ ଶ୍ରୀଜୀଉଙ୍କ ଗଜାନନ ବେଶ ଦେଖିବାର ସୌଭାଗ୍ୟ ଅର୍ଜନ କରିଥିଲେ । ରାତିରେ ଶ୍ରୀଜୀଉଙ୍କଠାରେ ଦୋହଡା ଭୋଗ ଲାଗି ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ଶେଷ କରାଯାଇଥିଲା । ସାରାଦିବସବ୍ୟାପୀ ଭକ୍ତମାନେ ସ୍ନାନମଣ୍ଡପରେ ପ୍ରଭୁ ଚତୁର୍ଦ୍ଧା ମୂରତୀଙ୍କୁ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରି ଆଶିଷ ଲାଭ କରିଥିଲେ । ସଂଧ୍ୟାରେ ସଂଧ୍ୟା ଆଳତୀ ଓ ବାଟୁଳା ଭୋଗ ଲାଗି ହେବା ପରେ ପୂଜକମାନେ ଶ୍ରୀଜୀଉଙ୍କଠାରେ ଜ୍ୟେଷ୍ଠପୂର୍ଣ୍ଣିମାର ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ । ଏଥିରେ ହେମନ୍ତକୁମାର ପଣ୍ଡା, ପ୍ରଫୁଲ୍ଲକୁମାର ପଣ୍ଡା, ନିରଞ୍ଜନ ପଣ୍ଡା, ଜଗତ୍ଜୀବନ ପଣ୍ଡା, ପ୍ରଣୟକୁମାର ପଣ୍ଡା, ପ୍ରୀତିରଞ୍ଜନ ପଣ୍ଡା, ଧୃବଚରଣ ପଣ୍ଡା, ନିତ୍ୟାନନ୍ଦ ପଣ୍ଡା ଓ କ୍ଷୀରୋଦକୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ଶୃଙ୍ଖଳିତ ଭାବେ ପୂଜାକାର୍ଯ୍ୟ ପରିଚାଳାନା କରିଥିଲେ । ଏହି ଦିନ ବିଳମ୍ବିତ ରାତ୍ରିରେ ସ୍ନାନମଣ୍ଡପରୁ ଶ୍ରୀଜୀଉଙ୍କୁ ଅଣସର ଘରେ ଅଧିଷ୍ଠିତ କରାଯାଇଥିଲା । ମ୍ୟାନେଜିଂଟ୍ରଷ୍ଟୀ ଧୀରେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ସଭ୍ୟ ଅଜୟକୁମାର ନନ୍ଦ, ରାଜେନ୍ଦ୍ରମୋହନ କର, ଜ୍ୟୋତିରଞ୍ଜନ ସ୍ୱାଇଁ, ତହସିଲଦାର ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିଲେ । ସଂଧ୍ୟ୍ୟାରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହକୁ ମନମୋହନ ମହାନ୍ତି, ପ୍ରଦୀପ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ ଆଧ୍ୟାତ୍ମକ ପରିବେଶରେ ବହୁ ଭକ୍ତ ଯୋଗଦେଇ ଶ୍ରୀଜୀଉଙ୍କ କୃପାଲାଭ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *