Saturday , June 19 2021
Breaking News
Home / ବିଶେଷ / ବାଲ୍ୟବିବାହ ନିରାକରଣ ବୈଠକ : ବିବାହ ବେଦୀରେ ହେବ ‘ଆଧାର’ ଯାଂଚ

ବାଲ୍ୟବିବାହ ନିରାକରଣ ବୈଠକ : ବିବାହ ବେଦୀରେ ହେବ ‘ଆଧାର’ ଯାଂଚ

ଗଠନ ହେବ ଗ୍ରାମ୍ୟସ୍ତରୀୟ ଯାଂଚ କମିଟି – କମିଟିରେ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ଓ ଏଏନ୍ଏମ୍
ଛତ୍ରପୁର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଗଞ୍ଜାମ ଜିଲ୍ଲାରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ଭାବରେ ରୋକିବା ପାଇଁ ପ୍ରତ୍ୟେକ ବିବାହ ବେଳେ ପୁଅ ଝିଅଙ୍କ ଆଧାର କାର୍ଡ ଯାଂଚ ବାଧ୍ୟତାମୂଳକ କରାଯିବ । ଏଥିପାଇଁ ଗ୍ରାମ୍ୟସ୍ତରରେ ଏଏନ୍ଏମ୍, ଅଙ୍ଗନବାଡ଼ି କର୍ମୀ ଏବଂ ପ୍ରାଥମିକ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କୁ ନେଇ କମିଟି ଗଠନ କରାଯିବ । ଏମାନେ ବରକନ୍ୟାଙ୍କ ଆଧାର କାର୍ଡ ଯାଂଚ କରି ସେମାନଙ୍କ ବିବାହ ବୟସ କନ୍ୟା କ୍ଷେତ୍ରରେ ୧୮ ବର୍ଷ ଏବଂ ବର କ୍ଷେତ୍ରରେ ସର୍ବନିମ୍ନ ୨୧ ବର୍ଷ ହୋଇଛି କି ନାହିଁ ତାହା ତଦାରଖ କରିବେ । ବୟସ କମ୍ ହୋଇଥିଲେ ସମ୍ପୃକ୍ତ ପଂଚାୟତିରାଜ ପ୍ରତିନିଧି କିମ୍ବା କୌଳିକ ସଂଗଠନର କର୍ମକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିବେ । ଆପୋସ ବୁଝାମଣାରେ ଏହାର ସମାଧାନ ନ ହେଲେ ଆଇନଗତ ପନ୍ଥା ଗ୍ରହଣ କରାଯିବ ବୋଲି
ଛତ୍ରପୁରଠାରେ ଅନୁଷ୍ଠିତ ବାଲ୍ୟ ବିବାହ ନିରାକରଣ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ବୈଠକରେ ସେ କହିଛନ୍ତି ଯେ, ଆଇନଗତ ପନ୍ଥା ଅପେକ୍ଷା ବାଲ୍ୟ ବିବାହକୁ ରୋକିବାରେ ସଚେତନତା ଓ ବିଭିନ୍ନ କୌଳିକ ସଂଗଠନର ମୁଖିଆମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ । ବିବାହ ପୂର୍ବରୁ ବରକନ୍ୟାଙ୍କ ଏଚଆଇଭି ପରୀକ୍ଷା ବାଧ୍ୟତାମୂଳକ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ମମତା ଯୋଜନାରେ ବାଲ୍ୟ ବିବାହର କୁପ୍ରଭାବ ଉପରେ ଜନସଚେତନତା କରାଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପୁରୁଣା କୋଠାସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ, ୟୁନିସେଫ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ ଏଡ୍ ସହାୟତାରେ ଏହି ବୈଠକ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଯେଉଁ କୌଳିକ ସଂଗଠନର ମୁଖିଆମାନେ ସ୍ଥାନୀୟ ଅଂଚଳରେ ବାଲ୍ୟବିବାହକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାରେ ବାଲ୍ୟବିବାହ ହାର ୨୧ ପ୍ରତିଶତ ରହିଥିବା ବେଳେ ଗଞ୍ଜାମରେ ଏହା ୨୯ ପ୍ରତିଶତ ରହିଛି । ଦାରିଦ୍ର‌୍ୟ ଏହାର ମୁଖ୍ୟ କାରଣ ଥିବାବେଳେ ଅନ୍ୟ କେତେକ ସଦ୍ୟ କାରଣ ମଧ୍ୟ ବାଲ୍ୟବିବାହକୁ ପ୍ରୋତ୍ସାହିତ କରୁଛି । ଆଇନଗତ ପନ୍ଥା ଅପେକ୍ଷା ଜନସାଧାରଣଙ୍କୁ ବାଲ୍ୟବିବାହର କୁପ୍ରଭାବ ଉପରେ ବୁଝାଇବା ପାଇଁ ଗ୍ରାମ ସ୍ତରରେ, ପଞ୍ଚାୟତ ସ୍ତରରେ ଏବଂ ବ୍ଲକସ୍ତରରେ ବିଭିନ୍ନ କମିଟି କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ ଏଠାରେ କହିଛନ୍ତି । ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧକୁମାର ଷଡ଼ଙ୍ଗୀ, ୟୁନିସେଫ୍ର ନେହା ନାଇଡୁ ଏବଂ ଅଳକା ଗୁପ୍ତା, ଚାଇଲଡ ଲାଇନ୍ର ସୁଧୀର ସାବତ ଓ ଅରୁଣାର ଲୋକନାଥ ମିଶ୍ର, ଆକ୍ସନ୍ ଏଡ୍ର ଦେବବ୍ରତ ପାତ୍ରଙ୍କ ସମେତ ସାଧବ ସମାଜ, କାଳିଞ୍ଜି ସମାଜ, ଶୌଣ୍ଢିକ ସମାଜ, ବୈଶ୍ୟ ସମାଜ, ବିଶ୍ୱକର୍ମା ସମାଜ, ପ୍ରଧାନ ସମାଜର କର୍ମକର୍ତାମାନେ ଯୋଗ ଦେଇଥିବା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *