Friday , June 25 2021
Breaking News
Home / ବିଶେଷ / ବାଦାମବାଡ଼ି ସ୍ଥିତି ସ୍ୱଚକ୍ଷୁରେ ଦେଖିଲେ ଜିଲ୍ଲାପାଳ ଓ କମିଶନର

ବାଦାମବାଡ଼ି ସ୍ଥିତି ସ୍ୱଚକ୍ଷୁରେ ଦେଖିଲେ ଜିଲ୍ଲାପାଳ ଓ କମିଶନର

କଟକ, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-କଟକ ସହରକୁ ଏକ ମଡ଼େଲ ସହରରେ ପରିଣତ କରାଯିବ । ସହରର ସମସ୍ତ ସମସ୍ୟାର ସମାଧାନ କରାଯିବା ନିମନ୍ତେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଓ ସିଏମସି କର୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କଟକ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଭବାନୀଶଙ୍କର ଚଇନି ମଙ୍ଗଳବାର ବାଦାମବାଡ଼ି ଅଂଚଳ ଅଚାନକ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ତାଙ୍କୁ ମଧ୍ୟ ଏହି କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି ନୂତନ ଭାବେ ଦାୟିତ୍ୱ ନେଇଥିବା କମିଶନର ଅନନ୍ୟା ଦାସ । ଉଭୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବାଦାମବାଡ଼ି ଅଂଚଳ ପରିଦର୍ଶନ କରିଛନ୍ତି । କଟକ ସହରର ମୁଖ୍ୟ ପ୍ରବେଶ ପଥ ତଥା ଗମନାଗମନର ଅନ୍ୟତମ କେନ୍ଦ୍ରବିନ୍ଦୁ ବାଦାମବାଡ଼ି ଅଂଚଳକୁ ଏକ ମଡେଲ ଅଂଚଳ ଭାବେ ଏହାର ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
ଜିଲ୍ଲାପାଳ ଶ୍ରୀ ଚଇନି ଓ କମିଶନର ଶ୍ରୀମତୀ ଦାସ ବାଦାମବାଡ଼ିଠାରୁ ମଧୁପାଟଣା ଛକ ଓ ମଧୁପାଟଣା ଛକଠାରୁ ବାଦାମବାଡ଼ି ଉଭୟ ରାସ୍ତାକୁ ପରିଦର୍ଶନ କରିଥିଲେ । ବାଦାମବାଡ଼ି ଠାରୁ ମଧୁପାଟଣାଛକ ପର୍ଯ୍ୟନ୍ତ ରାସ୍ତାରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିବା, ଉଠାଦୋକାନୀମାନେ ରାସ୍ତା ଅବରୋଧ କରିବା, ନାଳ ନର୍ଦ୍ଦମାର ସ୍ଥିତି ନୈରାଶ୍ୟଜନକ ଦେଖିବା ପରେ ଜିଲ୍ଲାପାଳ କ୍ଷୁବ୍ଧ ହୋଇଥିଲେ । ଏଥିସହିତ ମଧୁପାଟଣାରୁ ବାଦାମବାଡ଼ି ପର୍ଯ୍ୟନ୍ତ ଆସିଥିବା ରାସ୍ତାରେ ଦୀର୍ଘଦିନ ଧରି ଜାଇକା କାମ କରୁଥିବା ବେଳେ ରାସ୍ତା ଅବରୋଧ ହେଉଛି । ତେଣୁ ତୁରନ୍ତ କାର୍ଯ୍ୟଶେଷ କରି ରାସ୍ତାକୁ ସ୍ୱାଭାବିକ କରିବା ପାଇଁ ଜାଇକା ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ତାଗିଦ କରିଥିଲେ । ପୁନଶ୍ଚ ରାସ୍ତାକଡ଼ରେ ଆବର୍ଜନା ସହିତ ବଡ଼ବଡ଼ ଖାଲ ଓ ପାଣି ଜମିରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହାର ତୁରନ୍ତ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ଚଇନି ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବାଦାମବାଡ଼ି ଅରୁଣୋଦୟ ନଗରର ବିପର୍ଯ୍ୟସ୍ତ ପରିମଳ ଓ ଡ୍ରେନେଜ୍ ବ୍ୟବସ୍ଥା, ଏଲଆଇସି କଲୋନୀ ଡ୍ରେନେଜ୍ ଓ ସ୍ଲାବ ବ୍ୟବସ୍ଥା ଏବଂ ରକ୍ସିଲେନ ଅଂଚଳର ସମସ୍ତ ଡ୍ରେନ ଅବସ୍ଥା ଦେଖି କମିଶନର ଶ୍ରୀମତୀ ଦାସ ବିରକ୍ତି ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତିରେ ନାଳ ନର୍ଦ୍ଦମା ସଫେଇ ଓ ପଙ୍କୋଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାର ଉଭୟପାଶ୍ୱର୍ରେ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା ଯୋଗୁଁ ସେଠାରେ ଦୁଇଟି ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ପାଲାମଣ୍ଡପ ଅପରପାଶ୍ୱର୍ରେ ବେଆଇନ ଭାବେ ରଖାଯାଉଥିବା ଗାଡ଼ିମୋଟର ସେଠାରୁ ସ୍ଥାୟୀ ଭାବେ ହଟାଇବାକୁ ଜିଲ୍ଲାପାଳ ଟ୍ରାଫିକ ବିଭାଗକୁ ଚେତାବନୀ ଦେଇଛନ୍ତି । ଏଥିସହିତ ବାଦାମବାଡ଼ି ଥାନା ପକ୍ଷରୁ ଜବତ ଯାନବାହନ ରାସ୍ତା ଉପରେ ରଖାଯାଇଛି । ଏହା ରାସ୍ତା ଅବରୋଧ କରୁଥିବାରୁ ଏହାକୁ ତୁରନ୍ତ ସ୍ଥାନାନ୍ତର ପାଇଁ ମଧ୍ୟ ଜିଲ୍ଲାପାଳ ଶ୍ରୀ ଚଇନି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲପାଳ ଓ ସିଏମସି କମିଶନରଙ୍କ ପରିଦର୍ଶନ ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ତରେଇ, ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ଉମେଶ ପାଣିଗ୍ରାହୀ, ସିଏମସି ବସ୍ତି ଉନ୍ନୟନ ଅଧିକାରୀ ଦେବାଶିଷ ମହାନ୍ତି, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଏମ.ଆର. ଖାନ୍, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ସୁଶାନ୍ତ ଘଡ଼େଇ, ସେସୁ ନିର୍ବାହୀ ଯନ୍ତ୍ରୀ ଇଂ. ଦୀପକ ରାଉତ, ଜାଇକା ବିଭାଗ ଆସିଷ୍ଟାଂଟ ଇଞ୍ଜିନିୟର, ସିଏମସି ଏନଫୋର୍ସମେଂଟ ବିଭାଗ, ସିଏମସି ସମସ୍ତ ଯାନ୍ତ୍ରିକ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । କଟକ ସହରକୁ ଏକ ସୁସ୍ଥ ପରିବେଶ ଯୁକ୍ତ, ଜଳବନ୍ଦୀ ମୁକ୍ତ ସହରରେ ପରିଣତ କରିବା ପାଇଁ ଯାହା ଆବଶ୍ୟକ ସେ ଦିଗରେ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସଂକଳ୍ପବଦ୍ଧ । ଏଥିପାଇଁ ସହରର ଜନସାଧାରଣଙ୍କ ସହଯୋଗ ଓ ସହଭାଗିତା ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ଚଇନି କହିଥିଲେ । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *