Saturday , June 19 2021
Breaking News
Home / ସ୍ୱାସ୍ଥ୍ୟ / ପାଟକୁରା ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ – ସ୍ୱାସ୍ଥ୍ୟ ସେବାରୁ ଜନସାଧାରଣ ବଂଚିତ

ପାଟକୁରା ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ – ସ୍ୱାସ୍ଥ୍ୟ ସେବାରୁ ଜନସାଧାରଣ ବଂଚିତ

ଗରଦପୁର, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ହାଲି ହାଲି ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ସରିଲା ।  ପାଟକୁରା ରେ ପୁଣି ଶାସକ ବିଜେଡ଼ି ବିଜୟ ଲାଭ କଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ନିର୍ବାଚନ ପ୍ରଚାରରେ ଆସି ପାଟକୁରା ଜନସାଧାରଣଙ୍କୁ କହିଥିଲେ ମୁଁ ନିଯେ ପାଟକୁରା ର ବିକାଶ କଥା ଦେଖିବି , ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାନ୍ତୁ ।  ପାଟକୁରା ଲୋକେ ମୁଖ୍ୟମନ୍ତ୍ରୀ ଙ୍କ କଥା ରଖିଲେ । ନିର୍ବାଚନ ସରିଲା । ବିଜୁ ଜନତା ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ବିଜୟୀ ହେଲେ । ଲୋକେ ଖୁସି ମନାଇଲେ । ହେଲେ ଭୋଟ ଯିବାର ଦିନ କେଇଟାପରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ସର୍ବ ପୁରାତନ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମଧୁ ଶାସନ ଡ଼ାକ୍ତରଖାନାରେ କାର୍ଯ୍ୟରତ ଡ଼ାକ୍ତରଙ୍କୁ ନେଇ ଜଗତସିଂହପୁର ଜିଲାରେ ନିଯୁକ୍ତି ଦିଆଗଲା । ଖବର ନେବାରେ ଜଣାପଡ଼ିଛି ଯେ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡ଼ାକ୍ତର ଉଚଶିକ୍ଷା ପାଇଁ ଯିବାରୁ ଗତ ମଇଁ ମାସରେ ମଧୁ ଶାସନ ଡ଼ାକ୍ତରଖାନାରେ କାର୍ଯ୍ୟରତ ଚୁକ୍ତି ଭିତିକ ଡ଼ାକ୍ତର ପ୍ରିୟ ରଂଜନ ଜେନାଙ୍କୁ ସପ୍ତାହର ସୋମବାର, ମଙ୍ଗଳବାର ଓ ବୁଧବାର ଏହିପରି ୩ ଦିନ ଡ଼େପୁଟେସନରେ ନିଯୁକ୍ତି ଦିଆଯାଇଥିଲା । ସମ୍ପୃକ୍ତ ଡ଼ାକ୍ତର ସପ୍ତାହକୁ ମାତ୍ର ୩ ଦିନ ତେଣ୍ଡାକୁଡ଼ାରେ ରୋଗୀ ଦେଖୁଥିଲେ । ହେଲେ ମାତ୍ର ୩ ମାସ ଯାଇଛି , ଡ଼ାକ୍ତର ଜେନାଙ୍କୁ ଏଠାରୁ ଜଗତସିଂହପୁର ଜିଲାକୁ ନେଇନିଆଗଲା । ବର୍ତମାନ ଗରଦପୁର ବ୍ଲକ୍ ର ସର୍ବ ପୁରାତନ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ମଧୁ ଶାସନ ଡ଼ାକ୍ତରଖାନାରେ ଡ଼ାକ୍ତର ନାହାନ୍ତି । ଫଳରେ ତେଣ୍ଡାକୁଡ଼ା ଡ଼ାକ୍ତରଖାନା ଉପରେ ନିର୍ଭର କରୁଥିବା ତେଣ୍ଡାକୁଡ଼ା, ଜୟତଳଙ୍ଗ, ବରଢ଼ି, ଆଳିଜଙ୍ଗା, ଶଙ୍କରଭୋ,ବିନ୍ଧା, ଅରାବଳ, ବଡ଼ ନୟନପୁର, ସାନ ନୟନପୁର, ବସନ୍ତପୁର, ନରଡ଼ା, କଦମଛନ୍ଦା, ରାଆଁଳ, ଦାଆଁଲ , କୋଳିପଦା, ମିଶର ,ପଳସୁଧା, ରାହାସର, ଖରିସାଣ ଆଦି ଗ୍ରାମର ହଜାର ହଜାର ଜନସାଧାରଣ ସ୍ୱାସ୍ଥ୍ୟ ସେବା ରୁ ବଂଚିତ ହୋଇ ବାର ଦ୍ୱାର ଶୁଣ୍ଢି ପିଣ୍ଡା ଭଳି ଖର୍ଚ୍ଚାନ୍ତ ହୋଇ ପଡ଼ୋସି ଜଗତସିଂହପୁର ଜିଲାର ରଘୁନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସିତ ହେଉଛନ୍ତି । ଡ଼ାକ୍ତର ନଥିବାରୁ ଦିନ ମଜୁରୀରେ କାମ କରୁଥିବା ସୁଇପର ଆସୁନଥିବାରୁ ଡ଼ାକ୍ତରଖାନା ଝାଡ଼ୁ ମରାଯାଇ ପାରୁନାହିଁ । ରୋଗୀମାନେ ଝାଡ଼ୁମାରୁଥିବା ଦେଖାଯାଉଛି ।  ପାଟକୁରା ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ ହେଲେ ଯେମିତି ନିର୍ବାଚନ ସରିଗଲା , ସେମିତି ଡ଼ାକ୍ତର ଖାନା ରୁ ଡ଼ାକ୍ତରଙ୍କୁ ଏଠାରୁ ନେଇଗଲେ ବୋଲି ସାଧାରଣରେ ଆଲୋଚନା ହେଲାଣି । ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସଚେତନ ନାଗରିକ ମଂଚ ର ଆବାହକ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, କେନ୍ଦ୍ରାପଡ଼ା ଜିଲାପାଳ, ସ୍ୱାସ୍ଥ୍ୟ ବିଭାଗ ସଚିବ , ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି  ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି କରିବାକୁ ନିବେଦନ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *