Wednesday , June 16 2021
Breaking News
Home / ବିଶେଷ / ନିଶା ନିବାରଣ ପାଇଁ ସଚେତନତା ଶୋଭାଯାତ୍ରାରେ ସାମିଲ୍ ହେଲେ ୫୦୦ ଏନ୍. ସି .ସି ବାଳିକା କାଡେଟ୍

ନିଶା ନିବାରଣ ପାଇଁ ସଚେତନତା ଶୋଭାଯାତ୍ରାରେ ସାମିଲ୍ ହେଲେ ୫୦୦ ଏନ୍. ସି .ସି ବାଳିକା କାଡେଟ୍

ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)- ବୁଧବାର ପୂର୍ବାହ୍ନ ୭ଘଟିକା ସମୟରେ ଆଭା ଦ୍ୱାରା ପରିଚାଳିତ ଆଂଚଚଳିକ ସାଧନ ଓ ପ୍ରଶିକ୍ଷଣ କେନ୍ଦ୍ର ,ପୁର୍ବାଂଚଳ – ୩ , ଓଡିଶା ଓ କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଉଭୟ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ, ଭାରତ ସରକାର ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ମିଳିତ ସହାୟତାରେ “ ନିଶାର ଅପବ୍ୟବହାର ଏବଂ ଅବୈଧ ଚାଳାଣ ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ” ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ଅନ୍ୟୁନ ୫୦୦ରୁ ଉଦ୍ଧ୍ୱର୍ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ବାଳିକା ବିଭାଗ) ଓ ନିଶାରୁ ମୁକ୍ତ ହୋଇଥିବା ବ୍ୟକ୍ତି, ଯୁବଗୋଷ୍ଠୀ ଏବଂ ସମାଜସେବୀମାନଙ୍କୁ ନେଇଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଉକ୍ତ ସଚେତନତା ଶୋଭାଯାତ୍ରାକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନିର୍ଦ୍ଦେଶାଳୟ(ବାଳିକା ବିଭାଗ) ଓଡିଶାର କମାଡିଙ୍ଗ୍ ଅଫିସର୍ କର୍ଣ୍ଣେଲ୍ ସି.ଡି ସାହୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିବା ସହିତ ଏପରି କାର୍ଯ୍ୟକ୍ରମର ଆୟୋଜନ କରିଥିବା ସଂସ୍ଥା ଆଭା କୁ ପ୍ରଶଂସା କରିଥିଲେ । ଏହି ଶୋଭାଯାତ୍ରା ମାଷ୍ଟର କ୍ୟାଂଟିନ୍ଛକସ୍ଥ କଂଗ୍ରେସ ଭବନ ନିକଟରୁ ବାହାରି ମହାତ୍ମାଗାନ୍ଧୀ ମାର୍ଗ ଦେଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ଜଣାଇ ଇଡ୍କଲ୍ ଅଡିଟୋରିୟମ୍ରେ ପହଁଂଚିବାପରେ ସେଠାରେ ଏକ ସାଧାରଣ ସଭା ଆଭାର ସଭାପତି ଶ୍ରୀଯୁକ୍ତ ସୁଧିର ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାଧାରଣ ସଭାରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମୂଖ୍ୟ ସଚିବ ଶ୍ରୀଯୁକ୍ତ ନିତେନ୍ ଚନ୍ଦ୍ରା, ଆଇ . ଏ. ଏସ୍ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରେରଣାଦାତା ତଥା ଯୁବ ନେତା ଶ୍ରୀ ଭରଦ୍ୱାଜ ମିଶ୍ର, କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକାଶ ରାଉତ , ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନିର୍ଦ୍ଦେଶାଳୟ(ବାଳିକା ବିଭାଗ), ଓଡିଶାର ଏନ୍. ସି.ସି ପ୍ରଶିକ୍ଷକ (ଏ.ଡି.ଜି) କର୍ଣ୍ଣେଲ୍ କେ.ଜି. ମହାନ୍ତି, ଆଭାର ସଭାପତି ଶ୍ରୀଯୁକ୍ତ ସୁଧିର ଚନ୍ଦ୍ର ଦାଶ ଓ ସମ୍ପାଦକ ଶ୍ରୀଯୁକ୍ତ ଦୂର୍ଯ୍ୟୋଧନ ପରିଡା ଏବଂ ଡକ୍ଟର ଶୁଭେନ୍ଦୁ ମିଶ୍ର, ସାଧାରଣ ସମ୍ପାଦକ, ଇଣ୍ଡିଆନ୍ ସାଇକ୍ଆଟ୍ରିକ୍ ସୋସାଇଟି ତଥା ପ୍ରଫେସର୍ ମାନସିକ ରୋଗ ବିଶେଷଜ୍ଞ, ସମ୍ ହସ୍ପିଟାଲ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏତଦ୍ ବ୍ୟତୀତ ଏହି ସଭାରେ କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ପରିଚାଳକ ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ରୀହର୍ଷ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବର୍ତମାନ ନିଶା କିପରି ସମଗ୍ର ମାନବ ସମାଜକୁ ଧ୍ୱଂସ ଆଡକୁ ଟାଣି ନେବା ସହ ମଣିଷର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ଏବଂ ଏହା କିପରି ମୁଖ୍ୟତଃ ଯୁବଗୋଷ୍ଠୀକୁ କବଳିତ କରି ରଖିଛି ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରାଇଥିଲେ ।

ମୁଖ୍ୟ ଅତିଥି ମହୋଦୟ ତାଙ୍କ ଅବିଭାଷଣରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଭାରତ ସରକାରଙ୍କ ସହାୟତାରେ କାର୍ଯ୍ୟକ୍ଷମ ଥିବା ୪୧ଟି ନିଶାମୁକ୍ତ କେନ୍ଦ୍ରରେ ରହି କିପରି ଜଣେ ନିଶାସକ୍ତ ବ୍ୟକ୍ତି ଚିକିତ୍ସା ଓ ପରାମର୍ଶ ମାଧ୍ୟମରେ ନିଶାମୁକ୍ତ ହୋଇ ପାରୁଛି । ମାନସିକ ରୋଗର ଠିକ୍ ଚିକିତ୍ସା ଫଳରେ ଜଣେ ନିଶାସକ୍ତ ବ୍ୟକ୍ତି କିପରି ଲାଭବାନ୍ ହୋଇ ପାରୁଛି ସେ ସମ୍ପର୍କରେ ଡକ୍ଟର ମିଶ୍ର ଉପସ୍ଥିତ ଥିବା ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ । ଶ୍ରୀଯୁକ୍ତ କେ.ଜି ମହାନ୍ତି ନିଶାସକ୍ତ ବ୍ୟକ୍ତିଙ୍କ ପାଇଁ କି କି ପ୍ରକାରର ସରକାରଙ୍କ ସୁବିଧା ସୁଯୋଗଗୁଡିକ ଉପଲବ୍ଧ ରହିଛି ସେ ବିଷୟରେ ସମ୍ୟକ ସୂଚନା ଦେଇଥିବା ବେଳେ ଶ୍ରୀଯୁକ୍ତ ଭରଦ୍ୱାଜ ମିଶ୍ର ନିଶାର ଅପକାରିତା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ । ଆଭାର ସଭାପତି ଶ୍ରୀଯୁକ୍ତ ଦାଶ ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଏବଂ ଓଡିଶାରେ ଆର୍. ଆର୍.ଟି.ସିର କାର୍ଯ୍ୟକଳାପ ବିଷଦ୍ ଭାବରେ ଆଲୋଚନା କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପରିଡା ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହାୟତାରେ ଓଡିଶାର କେତେକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ଦ୍ୱାରା ଚାଲୁଥିବା ସମନ୍ୱିତ ନିଶା ପୁନର୍ବାସ କେନ୍ଦ୍ରର ମୁଖ୍ୟ , ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ନିଶାରୁ ମୁକ୍ତ ହୋଇଥିବା ବ୍ୟକ୍ତି ,ସମାଜସେବୀ , ସରକାରୀ କର୍ମଚାରୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କର୍ମୀ, ବୁଦ୍ଧିଜିବୀ , ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ( ବାଳିକା ବିଭାଗ), ଭଲ୍ୟୁନ୍ଟରସ୍ , ନାର୍କୋଟିକ୍ କନ୍ଟ୍ରୋଲ୍ ବ୍ୟୁରୋର ସଦସ୍ୟ ଓ ସାମ୍ବାଦିକ ବନ୍ଧୁମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆୟୋଜକଙ୍କ ପକ୍ଷରୁ ନିଶା ନିବାରଣ ପାଇଁ କାର୍ଯ୍ୟରତଥିବା ସଂସ୍ଥାମାନଙ୍କୁ ଉତ୍ସାହିତ କରିବାପାଇଁ ମୋମେନ୍ଟୋ ମୁଖ୍ୟ ଅତିଥି ମହୋଦୟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ନିଶା ନିବାରଣ କ୍ଷେତ୍ରରେ କାମ କରିଥିବା ଆଭାର ସମ୍ପାଦକ ଶ୍ରୀଯୁକ୍ତ ଦୂର୍ଯ୍ୟୋଧନ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ହୋପ୍ ଫାଉଣ୍ଡେସନ୍ ,ଅରୁଣା, ଲୁପ୍ ଫିନାନ୍ସିଆଲ୍ ସର୍ଭିସ୍ ,ପାରାମିଟର ସଫ୍ଟଓୟାର, ଇନ୍ନୋ ମେଥଡ୍, ସୃିଷ୍ଟି ସର୍ଭିସ୍ ଆଉଟ୍ ଡୋର୍ କ୍ୟାଟିରିଙ୍ଗ, ଏସ୍.ବି.ଟି ଇନ୍ଫ୍ରାଷ୍ଟ୍ରକ୍ଚର୍, , ବି.ଆଇ ପ୍ରଫେସନାଲ୍ ,ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡ୍, ଇଣ୍ଡିଆନ୍ ସାଇକ୍ଆଟ୍ରିକ୍ ସୋସାଇଟି ,ଏନ୍.ସି.ବି ଓ ଏନ୍. ସି . ସି ତରଫରୁ ସହଯୋଗର ହାତ ବଢିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆର୍: ଆର୍: ଟି : ସି ଡକ୍ୟୁମେନ୍ଟେସନ୍ ଅଫିସର ବାସନ୍ତୀ ବେହେରା, ହିସାବ ରକ୍ଷକ ସତ୍ୟଜିତ୍ ମହାନ୍ତି ଓ ଫିଲ୍ଡ୍ ଷ୍ଟାଫ୍ ବିନୋଦିନୀ ରଥ , ସୁମିତ୍ରା ସାହୁ, ମାନସ ପ୍ରଧାନ , ଜୟକୃଷ୍ଣ ସାହୁ, ସନ୍ତୋଷ କୁମାର ରଣା, ରାଜେନ୍ଦ୍ର ପ୍ରସାଦ ରଥ,ବାଲୁଙ୍କେଶ୍ୱର ପରିଡା ଓ ଆଭାର କର୍ମୀମାନେ ସୁଚାରୁରୂପେ ପରିଚାଳନା କରିବା ସହିତ କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକାଶ ରାଉତ ଧନ୍ୟବାଦ ଜ୍ଞାପନ କରି ସଭା କାର୍ଯ୍ୟ ଶେଷ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *