Wednesday , June 23 2021
Breaking News
Home / ରାଜନୀତି / ନବନିର୍ବାଚିତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

ନବନିର୍ବାଚିତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)-ନିଜର ଯଥେଷ୍ଟ ରାଜନୈତିକ ଅଭିଜ୍ଞତା ଓ ଅନୁଭବକୁ ନବ ନିର୍ବାଚିତ ବିଧାୟକମାନଙ୍କୁ ବାଣ୍ଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସରଳ ଜୀବନଯାପନ, ଦୁର୍ନୀତିକୁ ବିରୋଧ ସହ ସାଧାରଣ ଲୋକଙ୍କ ପାଇଁ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବା ହେଉଛି ଜଣେ ରାଜନେତାଙ୍କ ପ୍ରକୃତ ଧର୍ମ । ତେଣୁ ଆପଣମାନେ ଯଦି ଅହଙ୍କାର, ବିଳାସବ୍ୟସନ ଛାଡ଼ି ଜନସେବାରେ ମନୋନିବେଶ କରିବେ ତାହେଲେ ଲୋକମାନେ ଆପଣମାନଙ୍କୁ ବାରମ୍ବାର ନିର୍ବାଚିତ କରିବେ ।

 ବୁଧବାର ନବୀନ ନିବାସରେ    ପ୍ରାୟ ୪୦ ଜଣ ନୂଆ ବିଧାୟକଙ୍କୁ ସକାଳ ଜଳଖିଆକୁ ଡାକି ସେମାନଙ୍କୁ ଏପରି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ସମୟରେ ଲୋକମାନଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାକୁ ପୂରଣ କରିବାକୁ ଯତ୍ନବାନ ହେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନ ପାଇଁ ଦଳୀୟ ସ୍ତରରେ ପ୍ରସ୍ତୁତ ରହିବାକୁ ଦଳର ପୁରୁଣା ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ଡାକି ଆଲୋଚନା କରିଥିଲେ । ନବନିର୍ବାଚିତ ବିଧାୟକମାନଙ୍କୁ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିବାକୁ ପରାମର୍ଶ ଦେବା ସହ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ନବୀନ ନିଜର ପ୍ରଥମ ଥର ବିଧାୟକ ହେବାର ଅନୁଭୂତି ବଖାଣିଥିଲେ । ସେ କହିଥିଲେ ଯେ ୨୦୦୦ ମସିହାରେ ମୁଁ ପ୍ରଥମକରି ବିଧାୟକ ଭାବେ ନିର୍ବାଚିତ ହେବା ପରେ ମୋ ନିର୍ବାଚନ ମଣ୍ଡଳୀର ବିଡିଓମାନଙ୍କୁ ଡାକି କହିଲି, ଏବେ ନିର୍ବାଚନ ସରିଯାଇଛି । ମୁଁ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କର ବିଧାୟକ ଅଟେ । ଆପଣମାନେ କାର୍ଯ୍ୟକ୍ଷେତ୍ରରେ କୌଣସି ଭୟ ଓ ଅନୁଗ୍ରହ ପ୍ରଦର୍ଶନ ନ କରି ସବୁ ଲୋକଙ୍କ ପାଇଁ କାମ କରନ୍ତୁ । ଦଳୀୟଭିତିିରେ କୌଣସି ବାଛ-ବିଚାର କରନ୍ତୁ ନାହିଁ । ବିଧାୟକ ଭାବେ ହେଉ ବା ମୁଖ୍ୟମନ୍ତ୍ରୀ ଭାବେ ହେଉ, ମୁଁ ସବୁବେଳେ ନିଷ୍ଠାର ସହିତ ଏହି ନୀତିକୁ ପାଳନ କରି ଆସୁଛି । ମୁଁ ଚାହୁଁଛି ଆପଣମାନେ ସବୁବେଳେ ଏହି ନୀତିକୁ ଅନୁସରଣ କରନ୍ତୁ । ଆପଣମାନେ ଯଦି ବିଜୁବାବୁଙ୍କୁ ଦେଖିବେ, ତାଙ୍କର ପରିଚୟ ଥିଲା ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ସବୁ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ଓ ଲୋକଙ୍କ ପାଇଁ କାମ କରିବା । ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ଅନୁଭୂତିକୁ ଆଧାର କରି କହିଥିଲେ, ଯଦି ବିଧାୟକମାନେ ଦୁର୍ନୀତି ଠାରୁ ଦୂରରେ ରହି ଲୋକଙ୍କ ପାଇଁ କାମ କରନ୍ତି ନିର୍ବାଚନ ସହଜ ହେବ ଏବଂ ବାରମ୍ବାର ନିର୍ବାଚିତ ହେବେ । ଆଉ ଯଦି କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଆପଣମାନେ କାମ କରନ୍ତି, ତାହା ହେଲେ କାମ ବିପରୀତ ହେବ । ସାଧାରଣ ଜୀବନରେ ଆଉ ଏକ ମୁଖ୍ୟ କଥା ହେଲା ସରଳତା । ଲୋକମାନେ ସରଳତାକୁ ପସନ୍ଦ କରିଥାନ୍ତି । ଯଦି ଜଣେ ଅହଂକାରୀ ଓ ବିଳାସପୂର୍ଣ୍ଣ ଜୀବନଯାପନ କରିବ ତେବେ ଏହା ସାଧାରଣ ଲୋକ ଏବଂ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏକ ଦୂରତା ସୃଷ୍ଟି ହେବ । ବିଶେଷ କରି ବିଧାୟକମାନେ ଗାଡ଼ି, ସୁନା ଓ ଅର୍ଥଲୋଭକୁ ପରିତ୍ୟାଗ କରି ସାଧାରଣ ଲୋକଙ୍କ ନିକଟବର୍ତୀ ହେବାକୁ ସୁପ୍ରିମୋ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ବିଧାୟକ ବା ଲୋକପ୍ରତିନିଧି ଏହି ପରାମର୍ଶକୁ ଗୁରୁମନ୍ତ୍ର ଭାବେ ଗ୍ରହଣ କରି ଲୋକମାନଙ୍କର ଦଳ ଉପରେ ଥିବା ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ପାଇଁ ପରିଶ୍ରମ କରନ୍ତୁ ବୋଲି ନବୀନ ବିଧାୟକମାନଙ୍କୁ କହିଥିଲେ । ସେହିପରି ଚଳିତ ନିର୍ବାଚନରେ ବିଜୟ ଲାଭ କରିଥିବା ଦଳର ଅଭିଜ୍ଞ ବିଧାୟକମାନଙ୍କ ସହ ଦଳର ସଂଗଠନ କିପରି ଅଧିକ ମଜଭୁତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ କରି ସରକାରଙ୍କ ଯୋଜନା ଓ ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସହ ଜଡ଼ିତ ରହି ଲୋକଙ୍କ ଅଭାବ ଓ ଅସୁବିଧାକୁ ପ୍ରାଧାନ୍ୟ ଦେବାକୁ ଉପଦେଶ ଦେଇଛନ୍ତି । ସେହିଭଳି ଦଳର ଛାମୁଆ ନେତାମାନଙ୍କ ସହ ବିଜେଡି ସୁପ୍ରିମୋ ଆଲୋଚନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାହୁଳ ଗାନ୍ଧୀ ଙ୍କ ଜନ୍ମଦିନରେ କଂଗ୍ରେସ ତରଫରୁ ମାସ୍କ,ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତ କଂଗ୍ରେସ କମିଟିର  ଯୁବନେତା ନେତା ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଭୁବନ କଂଗ୍ରେସ ତରଫରୁ …

Leave a Reply

Your email address will not be published. Required fields are marked *