Monday , June 21 2021
Breaking News
Home / ବିଶେଷ / ଟିଟୋର କ୍ରାଇମ ସାମ୍ରାଜ୍ୟ ର ଚେର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି

ଟିଟୋର କ୍ରାଇମ ସାମ୍ରାଜ୍ୟ ର ଚେର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର କ୍ରାଇମ ନେଟୱାର୍କର ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଂଚର ଏସଟିଏଫ ଟିମ ଟିଟୋ ଅପରାଧ ସାମ୍ରାଜ୍ୟର ଖୋଳତାଡ଼ କରୁଥିବା ବେଳେ ଏହା ବଂଲାଦେଶ ଯାଏ ଲମ୍ବିଥିବା ଜାଣିବାକୁ ପାଇଛି । ଏଥିସହିତ ଟିଟୋ ଆଣ୍ଡ କୋ ମିଆଁମାର ଭାୟା ବାଂଲାଦେଶ ଦେଇ ଓଡ଼ିଶାକୁ ଚୋରା ସୁନା ଚାଲାଣ କରୁଥିବା ନେଇ ଏସ୍ଟିଏଫ ସ୍ପଷ୍ଟ ହୋଇଛି । ଟିଟୋର ଦୁଇ ଭାଇ ଓ ସଢୁଙ୍କୁ ଜେରା ବେଳେ ଏସ୍ଟିଏଫ ଏହା ଜାଣିବାକୁ ପାଇଛି । ସୂଚନା ଅନୁସାରେ, ଟିଟୋ ଅପରାଧ ଘଟାଇବା ପରେ ଜଳପଥରେ ବାଂଲାଦେଶ ଖସି ପଳାଇଥାଏ । ସେଠାରୁ ସେ ଅପରାଧ ସାମ୍ରାଜ୍ୟକୁ କଂଟ୍ରୋଲ କରିଥାଏ । କେନ୍ଦ୍ରାପଡ଼ାରେ ରହି ଭାଇ ତଥା ଗ୍ୟାଙ୍ଗର ସାର୍ପସୁଟର ସପୋ ଓରଫ ସୟଦ ଇମ୍ରାନ ଅଲ୍ଲୀ ଗ୍ୟାଙ୍ଗକୁ ପରିଚାଳନା କରିଥାଏ । ବିଶେଷ କରି ସପୋ ଟିଟୋର ବ୍ୟବସାୟିକ କାରବାର କଥା ବୁଝୁଥିଲା । ବାଲିଘାଟ, ଟେଣ୍ଡର କାରବାର, ସୁନା ବେପାର, ପେଟ୍ରୋଲ ପମ୍ପ ସହ ବିଭିନ୍ନ ଆର୍ଥିକ କାରବାର କଥା ସପୋ ବୁଝାସୁଝା କରୁଥିଲା । ସେହିପରି ସହଯୋଗୀ ମାମୁର ଟିଟୋ ଗ୍ୟାଙ୍ଗର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ କାରବାର କଥା ବୁଝାସୁଝା କରୁଥିଲା । ଅପହରଣ, ଦାଦାବଟି, ହତ୍ୟାକାଣ୍ଡ ଓ ହତ୍ୟା ଉଦ୍ୟମ ଭଳି ଘଟଣାରେ ବ୍ୟବହୃତ ବନ୍ଧୁକ ଓ ମାରଣାସ୍ତ୍ର ମାମୁର ଯୋଗାଇଥାଏ । ଅପରାଧ ଘଟିବା ପରେ ସେମାନେ ମାମୁରକୁ ମାରଣାସ୍ତ୍ର ଫେରାଇ ଫେରାର ହୋଇଯାଆନ୍ତି । ମାମୁର ପାଖରେ ପାଖାପାଖି ୫୦ରୁ ଅଧିକ ବନ୍ଧୁକ ଥିବା ଏସ୍ଟିଏଫ ଜାଣିବାକୁ ପାଇଛି । ଏଥିସହିତ ଟିଟୋର ଏକାଧିକ ସହଯୋଗୀଙ୍କ ସମ୍ପର୍କରେ ଏସ୍ଟିଏଫକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ତଥ୍ୟ ମିଳିବା ପରେ ଏସ୍ଟିଏଫ୍ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଆରମ୍ଭ କରିଛି । ସପୋ ଓ ମାମୁର ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବାରୁ ଏକ ସ୍ୱତନ୍ତ୍ର ଟିମ ହାଇଦ୍ରାବାଦ ଓ ବେଙ୍ଗାଲୁର ଯିବ । ସେହିପରି ଟିଟୋର ସୁନା ଚାଲାଣ ଓ ବାଂଲାଦେଶ ଲିଙ୍କ ନେଇ ଏସ୍ଟିଏଫ ଖୋଳତାଡ଼ ଆରମ୍ଭ କରିଛି । ଆବଶ୍ୟକ ହେଲେ ଟିଟୋକୁ ରିମାଣ୍ଡରେ ନେଇ ଜେରା କରିବ ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ଗୁରୁବାର ଏସ୍ଟିଏଫ୍ ଥିବା ଟିଟୋର ଦୁଇ ଭାଇ ଓ ସଢୁକୁ କୋର୍ଟ ଚାଲାଣ କରିଛି । ଠିକାଦାର ଶିବପ୍ରସାଦ ପରିଡା ଓରଫ ରନ୍ଥା ଅପହରଣ ଓ ଶ୍ୟାମପୁର ଜମି ହଡ଼ପ ମାମଲାରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ କେନ୍ଦ୍ରାପଡା଼ ବାରିମୂଳସ୍ଥିତ ଜେଲକୁ ପଠାଇ ଦିଆଯାଇଛି । ଅଧିକ ତଥ୍ୟ ପାଇଁ ଏସ୍ଟିଏଫ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି । ଏମାନଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି । ଆବଶ୍ୟକସ୍ଥଳେ ଟିଟୋକୁ ମଧ୍ୟ ରିମାଣ୍ଡରେ ନିଆଯିବ ବୋଲି ଏସ୍ଟିଏଫ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏସ୍ଟିଏଫ୍ ଏସ୍ପିଙ୍କ ସୂଚନା ଅନୁସାରେ, ୨୦୧୮ ଜୁନ ୩୦ରେ ଟିଟୋକୁ ଏନକାଉଂଟର ପରେ ତା’ର ୬ ଭାଇ ଓ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟମାନେ ଫେରାର ହୋଇଯାଇଥିଲେ । ସପୋ, ମାମୁର ଓ ଗିରଫ ଦୁଇ ଭାଇ ଜୀ’ ବାବୁ ଏବଂ ଚିତୋ ବେଙ୍ଗାଲୁରରେ ଆତ୍ମଗୋପନ କରିଥିଲେ । ସେଠାରେ ଟିଟୋର ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟିକ କାରବାର ରହିଥିବାରୁ ସେମାନେ ସେଠାରେ ସହଜରେ ଲୁଚି ରହିଥିଲେ । ବାରମ୍ବାର ମୋବାଇଲ ବଦଳାଇବା ସହ ନିଜର ପରିଚୟ ମଧ୍ୟ ବଦଳାଉଥିଲେ । ଯାହା ଫଳରେ ପୁଲିସ ସେମାନଙ୍କୁ ଠାବ କରିବା ସହଜ ହୋଇନଥିଲା ।

ମାମଲା ଥଣ୍ଡା ପଡ଼ିବା ପରେ ଅର୍ଥାତ ଇଦ୍ ପାଳିବାକୁ ସେମାନେ କେନ୍ଦ୍ରାପଡ଼ା ଆସିଥିଲେ । ପୁଲିସ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢଉ କରିଥିଲା । ଚଢାଉ ବେଳେ ୩ଜଣ ଧରାପଡିଥିବା ବେଳେ ସପୋ ଓ ମାମୁର ଫେରାର ହୋଇଥିଲେ । ସେମାନେ ହାଇଦ୍ରାବାଦ କିମ୍ବା କୋଲକାତା ପଳାଇଥିବା ସନ୍ଦେହ କରାଯାଉଛି । ସେଠାରେ ଟିଟୋର ବ୍ୟବସାୟିକ କାରବାର ଥିବାରୁ ଏମାନେ ସେଠାକୁ ପଳାଇଥିବା ପୁଲିସ ସନ୍ଦେହ କରୁଛି । ସେମାନଙ୍କୁ ଧରିବା ଲାଗି ଏକ ସ୍ୱତନ୍ତ୍ର ଟିମ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ ବୋଲି ଜଣାପଡିଛି । ଉଲ୍ଲେଖ ଥାଉକି, ୨୦୧୮ରୁ ଅଦ୍ୟାବଧି ଟିଟୋ ଗ୍ୟାଙ୍ଗର ୨୪ଜଣଙ୍କୁ ଏସ୍ଟିଏଫ୍ ଗିରଫ କରିସାରିଲାଣି । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଥାନା ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଆଦର୍ଶ ଥାନାର ପ୍ରଥମ ଥାନା ଅଧିକାରୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରଜନୀକାନ୍ତ ସାମଲ ଙ୍କ …

Leave a Reply

Your email address will not be published. Required fields are marked *