Monday , June 21 2021
Breaking News
Home / ବିଶେଷ / ଜଗନ୍ନାଥ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ – ସମ୍ପାଦକଙ୍କ ଇସ୍ତଫାକୁ ନେଇ ଜୋରଦାର ଚର୍ଚ୍ଚା

ଜଗନ୍ନାଥ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ – ସମ୍ପାଦକଙ୍କ ଇସ୍ତଫାକୁ ନେଇ ଜୋରଦାର ଚର୍ଚ୍ଚା

ପାରାଦୀପ ୧୨/୧୨/୨୦୨୦ (ଓଡିଶା ସମାଚାର/ଦୀପକ କୁମାର ଦାସ)- ଜଗନ୍ନାଥ ଟ୍ରକ ମାଲିକ ସଂଘର ସମ୍ପାଦକ ପଦବୀରୁ ମନୋଜ କୁମାର ସ୍ୱାଇଁ ଇସ୍ତଫା ଦେବା ଘଟଣାକୁ ନେଇ ଦିନକୁ ଦିନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ୨ବର୍ଷ ପାଇଁ ମନୋଜ ନିର୍ବାଚିତ ହୋଇଥିବାବେଳେ ମାତ୍ର କେତେଟା ମାସରେ ନିଜ ପଦବୀରୁ ଇସ୍ତଫା ଦେବା ସଂଘ ଭିତରେ ଚାଲିଥିବା ଅରାଜକତାକୁ ପଦାରେ ପକାଇଛି । ସଂଘ କାର୍ଯ୍ୟକର୍ତା ରହି ଅନ୍ୟ ଟ୍ରକ ମାଲିକଙ୍କ ଜୀବିକା ଜୀବନ ସହିତ ଖେଳିବା ଘଟଣାକୁ ନେଇ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କିଛି ଟ୍ରକ ମାଲିକଙ୍କ ସୂତ୍ରରୁ ପ୍ରକାଶ । ସେହିପରି ମନୋଜଙ୍କ ଇସ୍ତଫା ଗ୍ରହଣ କରାଯିବ କି ନାହିଁ ଏବଂ ଆଗାମୀ ଦିନରେ ଏହି ଘଟଣାକୁ ନେଇ ସଂଘ କିଭଳି ପଦକ୍ଷେପ ଗ୍ରହଣ କରିବ ସେଥିପାଇଁ ଆସନ୍ତାକାଲି ସଂଘର କାର୍ଯ୍ୟକାରୀ କମିଟି ବୈଠକ ଡ଼କାଯାଇଥିବା ସଂଘର ସଭାପତି ଛଇଳ ଚନ୍ଦ୍ର ଜେନା କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଏଠାରେ ହେଉଥିବା ସମସ୍ତ ପରିବହନ କାର୍ଯ୍ୟ ପାରାଦୀପରେ ଥିବା ୩ଗୋଟି ଟ୍ରକ ମାଲିକ ସଂଘ(ଜେସିସି) ଜରୀଆରେ ହିଁ ହେଉଥିଲା । କିଛି ମାସ ପୂର୍ବରୁ ଇଫକୋରୁ ସାର ପରିବହନ ନିମନ୍ତେ ଏଠାରେ ଥିବା ପାରାଦୀପ ପରିବହନ ନାମକ ଏକ ପରିବହନ ସଂସ୍ଥା ଏଠାରେ ଥିବା ଏହି ୩ଗୋଟି ଆସୋସନଏସନକୁ ବାଦ୍ ଦେଇ ନିଜେ କାର୍ଯ୍ୟ ଆରମ୍ଭ କଲା । ସେ ସମୟରେ ଏହାକୁ ଉପରୋକ୍ତ ୩ଗୋଟି ସଂସ୍ଥା(ଜେସିସି) ସଠିକ ଭାବେ ବିରୋଧ କରିବାରେ ସଫଳ ହେଲେ ନାହିଁ । କୋଭିଡ଼୍ ଆଳ ଦେଖାଇ ସଂଘର କାର୍ଯ୍ୟକର୍ତାମାନେ ଏକ ପ୍ରକାର ନିରବ ରହିଲେ । ଫଳରେ ଉକ୍ତ ସଂସ୍ଥା ଅନ୍ୟାୟାସରେ ତାର କାର୍ଯ୍ୟ ଅଦ୍ୟାବଧି କରିଚାଲିଛି । ଏହାପରେ ଅନ୍ୟ ଏକ ସଂସ୍ଥା ନିରାକାର ଟ୍ରାନ୍ସପୋର୍ଟ ଜେସିସିକୁ ବାଦ୍ ଦେଇ ଇଫକୋରୁ ଜିପସମ୍ ପରିବହନ କାର୍ଯ୍ୟ ଆରମ୍ଭ କଲା । ଏହାକୁ ଜେସିସି ପକ୍ଷରୁ ଜୋରଦାର ବିରୋଧ କରାଗଲା । କିନ୍ତୁ ଶେଷରେ ନିରାକାର ସଂସ୍ଥା ହାଇକୋର୍ଟଙ୍କ ନିର୍ଦ୍ଧେଶ ବଳରେ ଇଫକୋରୁ ଜିପସମ୍ ପରିବହନ କାର୍ଯ୍ୟ ଆରମ୍ଭ କଲେ ତାହା ଏବେ ବି ଚାଲୁଛି । ସେହିପରି ନିରାକାର ସଂସ୍ଥା ନିକଟରେ ପୋର୍ଟରୁ କୋଇଲା ଉଠାଇବାକୁ ଯାଉଥିବା ଏକ ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି । ଏହିଭଳି ଭାବେ ପାରାଦୀପ ପରିବହନ କ୍ଷେତ୍ରରେ ଏଠାରେ ଥିବା ୩ଗୋଟି ଆସୋସିଏସନକୁ ବାଦ୍ ଦେଇ ବିଭିନ୍ନ ପରିବହନ ସଂସ୍ଥା ବାହାର ଅଂଚଳର ଗାଡ଼ି ଜରିଆରେ ପରିବହନ କରିବାକୁ ନେଇ ସ୍ଥାନୀୟ ଟ୍ରକ ମାଲିକମାନଙ୍କ ଭିତରେ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ନିକଟରେ ପୁଣି ଏକ ପରିବହନ ସଂସ୍ଥା ପାରାଦୀପ ଫସଫେଟ୍ସ ଲିମିଟେଡ ୍(ପିପିଏଲ)ରୁ ସାର ପରିବହନ କାର୍ଯ୍ୟ ଆରମ୍ଭ କରିଛି । ତେବେ ଏହି କାର୍ଯ୍ୟରେ ଜଗନ୍ନାଥ ଆସୋସିଏସନର କିଛି କର୍ମକର୍ତା ସଂପୃକ୍ତ ରହିବା ସହିତ ଟ୍ରଲର ଲଗାଇ ଥିବାରୁ ଏହାକୁ ନେଇ ଟ୍ରକ ମାଲିକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଜେସିସିକୁ ବାଦ ଦେଇ କାର୍ଯ୍ୟ କରୁଥିବା ଏହି ପରିବହନ ସଂସ୍ଥାକୁ ଏହି ୩ଗୋଟି ମାଲିକ ସଂଘ (ଜେସିସି) ବିରୋଧ କରୁଥିବା ସମୟରେ ଜଗନ୍ନାଥ ଆସୋସିଏସନର କର୍ମକର୍ତା ଏଭଳି ସଂଘ ବିରୋଧୀ କର୍ଯ୍ୟରେ ସଂପୃକ୍ତ ରହିବା ଅଭିଯୋଗ ଆଧାରରେ ବିବାଦ ଉପୁଜିଛି ଓ ଏଥିପାଇଁ ବୈଠକ ଅବସୁଥିବା ସଭାପତି ଶ୍ରୀ ଜେନା କହିଛନ୍ତି । ସେହିପରି ଏଠାକୁ ପରିବହନ କାର୍ଯ୍ୟ ପାଇଁ ଆସୁଥିବା ବିଭିନ୍ନ ଟ୍ରାନସପୋର୍ଟ ମାଲିକମାନଙ୍କୁ ସଂଘର କିଛି କର୍ମକର୍ତା ଦୁର୍ବବ୍ୟହାର କରିବା ଭାଷା ଅଭାଷାରେ ଗାଳିଗୁଲଜ କରିବା ତଥା ଏକ ପ୍ରକାରର ନିର୍ଯ୍ୟତନା ଦେଉଥିବା କିଛି କର୍ମକର୍ତାଙ୍କ ଯୋଗୁଁ ଟ୍ରାନ୍ସପୋର୍ଟ ବ୍ୟବସାୟରେ ଟ୍ରକ ମାଲିକମାନେ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହେଉଥିବା ଅନେକ ଦିନରୁ ଅଭିଯୋଗ ହେଉଆସୁଛି । ପ୍ରକାଶଯୋଗ୍ୟ ଏଠାରେ ଥିବା ୩ଗୋଟି ସଂଘ ଭିତରୁ ସର୍ବାଧିକ ପ୍ରାୟ ଅଢ଼େଇ ହଜାର ସଦସ୍ୟ ପାରାଦୀପ ଆସୋସିଏସନ୍ ଅଧିନରେ ରହିଛନ୍ତି । ସେହିପରି ଜଗନ୍ନାଥ ଆସୋସିଏସନରେ ୫୩୨ ସଦସ୍ୟ ଥିବାବେଳେ ଜିଲା ଆସୋସିଏସନରେ ପ୍ରାୟ ୩ଶହ ସଦସ୍ୟ ରହିଛନ୍ତି । ଏହି ସଦସ୍ୟମାନଙ୍କର ପ୍ରାୟ ୧୫ ହଜାର ଟ୍ରକ ରହିଛି । ଏହିସବୁ ଗାଡ଼ି ପାରାଦୀପର ପରିବହନ କାର୍ଯ୍ୟ ଉପରେ ନିର୍ଭର କରୁଛି । ଏପରିକି ଏଠାରେ ପରିବହନ କାର୍ଯ୍ୟରେ ବିଘ୍ନ ଘଟିଲେ ହଜାର ହଜାର ଗାଡ଼ି ମାଲିକ ଗାଡ଼ିର କିସ୍ତି ସୁଜିବା ମୁସ୍କିଲ ହୋଇପଡ଼ୁଛି । ଏଥି ପାଇଁ ଏଠାକାର ପରିବହନ କାର୍ଯ୍ୟ ଅନ୍ୟ ବାହାର ସଂସ୍ଥାକୁ ଦିଆଗଲେ ସଂଘ ପକ୍ଷରୁ ବିରୋଧ କରାଯାଉଛି । ତେବେ ଜେସିସିର ଦୁର୍ବଳ ନେତୃତ୍ୱ ହେଉ କି କୋ÷ଣସି କାରଣରୁ ହେଉ ଗୋଟିଏ ପରେ ପରିବହନ କାର୍ଯ୍ୟ ଜେସିସି ହାତରୁ ଖସିବାରେ ଲାଗିଛି । ଏହି ଘଡ଼ିସନ୍ଧି ମୁହୁର୍ତରେ ହଜାର ହଜାର ଗାଡ଼ି ମାଲିକ ଆବଶ୍ୟକ ଭଡ଼ା ନ ପାଇ ଏକ ପ୍ରକାର ଦିବାଳିଆ ଅବସ୍ଥାରେ କାଳ କାଟୁଥିବାବେଳେ ସଂଘର କର୍ମକର୍ତା ଭାବେ ନିର୍ବାଚିତ ହେଉଥିବା ପ୍ରତିନିଧିମାନେ ନିଜର ବ୍ୟବସାୟିକ ଫାଇଦା ପାଇଁ ସଂଘ ବିରୁଦ୍ଧରେ ଯାଇ ବାହାର ପରିବହନ ସଂସ୍ଥାଙ୍କ ସହିତ ହାତ ମିଳାଇବା ଘଟଣାକୁ ନେଇ ଏବେ ଜେସିସିରେ ବିବାଦ ଜୋର ଧରିବାରେ ଲାଗିଛି । ଏହି ପରୀପ୍ରେକ୍ଷାରେ ଆସନ୍ତାକାଲି ଜଗନ୍ନାଥ ଆସୋସିଏସନର ଏହି ଜରୁରୀ ବୈଠକକୁ ନେଇ ହଜାର ହଜାର ଟ୍ରକ ମାଲିକଙ୍କ ଭିତରେ ଉକ୍ରଣ୍ଠା ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *