Sunday , June 13 2021
Breaking News
Home / ବିଶେଷ / ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା ନୀତି – ଶ୍ରୀଅଙ୍ଗ ପୀଡ଼ାରୁ ଉପଶମ ଦେବ ଫୁଲୁରି ତେଲ

ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା ନୀତି – ଶ୍ରୀଅଙ୍ଗ ପୀଡ଼ାରୁ ଉପଶମ ଦେବ ଫୁଲୁରି ତେଲ

ପୁରୀ, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀକ୍ଷେତ୍ରରେ ମହାପ୍ରଭୁ କରୁଛନ୍ତି ମାନବୀୟ ଲୀଳା । ମଣିଷ ଭଳି ମହାପ୍ରଭୁ ଦୈନିକ ସ୍ନାନ କରିବା ସହିତ ଆହାର ସେବନ କରୁଛନ୍ତି । ବର୍ଷତମାମ ମନ୍ତ୍ରସ୍ନାନ କରୁଥିବା ମହାପ୍ରଭୁ ଗତ ୧୭ତାରିଖ ସ୍ନାନଯାତ୍ରା ଅବସରରେ ୧୦୮ଗଡୁ ମନ୍ତ୍ରପୂତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରାକ୍ରାନ୍ତ । ଅନବସର ପିଣ୍ଡିରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ଅଛନ୍ତି ତାଙ୍କର ଆତ୍ମୀୟସ୍ୱଜନ ଦଇତାପତି ସେବକମାନେ । ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା ନୀତି । ପସଙ୍ଖମ ଦିନରେ ନୂତନ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଫୁଲୁରି ତେଲ ଲାଗି କରାଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ଓ ଦକ୍ଷିଣିଘର ଭୋଗ ସରିବା ପରେ ଅଣସର ଦ୍ୱାର ଫିଟି ଅଣସରନୀତି ଆରମ୍ଭ ହୋଇଥିଲା । ପତି ମହାପାତ୍ର ବଡଓଡ଼ିଆ ମଠରୁ ଆସିଥିବା ଫୁଲୁରି ତେଲକୁ ସକ୍ରାର କରିବା ପରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ତେଲ ଲାଗି କରିଥିଲେ । ଦେବସ୍ନାନ ପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ଥାଇ ଅସୁସ୍ଥ ଅନୁଭବ କରୁଥିବା ଶ୍ରୀଜିଉଙ୍କ ଉପଶମ ପାଇଁ ଏହି ଫୁଲୁରି ତେଲ ଲାଗି ହୋଇଛି । ଏଥିପାଇଁ ଅପରାହ୍ନରେ ବଡଓଡ଼ିଆ ମଠରୁ ଶୁଦ୍ଧପୂତ ଓ ପବିତ୍ରତାର ସହ ୨ଟି କୁଡୁଆରେ ସୁବାସିତ ଫୁଲୁରି ତେଲ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା । ନୟାଗଡ଼ ଜିଲ୍ଲା ବୋଲଗଡ଼ର ୨ଜଣ ଭକ୍ତ ଘଣାପେଡ଼ା ରାଶିତେଲ ବଡଓଡ଼ିଆ ମଠକୁ ଯୋଗାଇଥିଲେ । ଗତବର୍ଷ ହେରାପଂଚମୀ ସନ୍ଧ୍ୟାରେ ଘଣାପେଡ଼ା ରାଶିତେଲ ସହ ୧୮ ପ୍ରକାର ଋତୁକାଳୀନ ସୁବାସିତ ଫୁଲ ଓ ୪-୫ପ୍ରକାର ଔଷଧୀୟ ଚେରମୂଳ ମିଶାଯାଇ ମାଟିତଳେ ପୋତାଯାଇଥିଲା । ଗତ ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ମାଟିତଳେ ପୋତାଯାଇଥିବା ତେଲକୁ ବାହାର କରାଯାଇ ସ୍ୱତନ୍ତ୍ରଭାବେ ତେଲଘରେ ରଖାଯାଇଥିଲା । ଅଣସରର ପଂଚମ ଦିନରେ ବଡଓଡ଼ିଆ ମଠ ମହନ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୁବାସିତ ଫୁଲୁରି ତେଲହାଣ୍ଡିକୁ ଘୋଡ଼ାଯାଇ ଶ୍ରୀମନ୍ଦିରକୁ ନିଆଯାଇଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ଅଣସର ପାଇଁ ବଡଓଡ଼ିଆ ମଠ ପକ୍ଷରୁ ୬ସେର ଫୁଲୁରି ତେଲ ଯୋଗାଯାଇଛି । ପ୍ରଭୁଙ୍କ ଉପଶମ ପାଇଁ ଅଣସରର ପଂଚମୀ ତିଥିରେ ଫୁଲୁରି ତେଲ ଲାଗି କରାଯାଇଥାଏ । ଏହାପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲେପ ଦିଆଯିବ ଓଷୁଅ । ଝୁଣା ଓ ରାଶିତେଲରେ ଶୁଦ୍ଧ ସୁଆରମାନେ କୀର୍ତନ ଚକଡ଼ାଠାରେ ଥିବା ଝୁଣାକୁଟାଘରେ ଓଷୁଅ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲେପ ଦେବେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *