Sunday , June 13 2021
Breaking News
Home / ବିଶେଷ / ଗ୍ରାମାଂଚଳ ସର୍ବପ୍ରଥମ ନିରାକାରପୁର ବିଜ୍ଞାନ ମହାବିଦ୍ୟାଳୟରେ ବିଶୁଦ୍ଧ ପାଣି ଟିକେ ମିଳୁନି

ଗ୍ରାମାଂଚଳ ସର୍ବପ୍ରଥମ ନିରାକାରପୁର ବିଜ୍ଞାନ ମହାବିଦ୍ୟାଳୟରେ ବିଶୁଦ୍ଧ ପାଣି ଟିକେ ମିଳୁନି

 ପରିତ୍ୟକ୍ତ କୂଅ ଓ ପାଣି ଟାଙ୍କି ଖୋଲାମେଲା ପଡ଼ିଛି – ଜୀବଜନ୍ତୁ ମରି ଭାସୁଛନ୍ତି

ନିରାକାରପୁର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)- ଦିନେ ଏସିଆ ମହାଦେଶର ପ୍ରଥମ ବିଜ୍ଞାନ ମହାବଦ୍ୟାଳୟ ରୂପେ ଖ୍ୟାତି ଅର୍ଜନ କରିଥିବା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟରେ ବର୍ତମାନ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ବିଶୁଦ୍ଧ ପାନୀୟ ଜଳ ଟିକେ ପାଉନାହାଁନ୍ତି । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପୂର୍ଣ୍ଣ ଦୟନୀୟ ହୋଇପଡ଼ିଛି । କଲେଜ ପରିସରରେ ଏକ ବିରାଟ କୂଅରୁ ପାନୀୟ ଜଳ କଲେଜକୁ ଯୋଗାଣ କରାଯାଉଥିବାବେଳେ ଏହା କେତେ ବିଶୁଦ୍ଧ ତାହାକୁ ଅନୁଧ୍ୟାନ କରିବା ପାଇଁ କାହା ପାଖରେ ଯେମିତି ସମୟର ଅଭାବ । କୂଅଟି ସଂପୂର୍ଣ୍ଣ ମେଲା ହୋଇଥିବାବେଳେ କେବଳ ଉପରେ ଲୁହା ଜାଲିଟିଏ ପଡ଼ିଛି । ସେହିପରି ପାଣି ଟାଙ୍କି ଅବସ୍ଥା ନ କହିବା ଭଲ । ଜରାଜୀର୍ଣ୍ଣ ଅବସ୍ଥାରେ ଠିଆ ହୋଇଥିବା ପୁରୁଣା ପାଣି ଟାଙ୍କିର ଉପର ସଂପୂର୍ଣ୍ଣ ଖୋଲା । ଖରା,ବର୍ଷା ଓ ଜୀବଜନ୍ତୁଙ୍କର ମଳମୂତ୍ର ସତେ ଯେମିତି ଉକ୍ତ ଖୋଲା ଟାଙ୍କିର ସାଥୀ । ବେଳେ ବେଳେ ଜନ୍ତୁଜୁନ୍ତା ଓ ପକ୍ଷୀ  ପାଣି ପିଇବାକୁ ଉକ୍ତ ଟାଙ୍କିରେ ପଶି ମୃତ୍ୟୁବରଣ କରୁଛନ୍ତି । କିଛି ଦିନ ପୂର୍ବେ ଟାଙ୍କିରେ ଏକ ମାଙ୍କଡ଼ ମରି ପଚି ଦୁର୍ଗନ୍ଧ ହେଉଥିଲେ ବି କେହି ନ ଜାଣି ପାରି ଉକ୍ତ ପାଣିକୁ ପିଇବାର ଦେଖାଯାଇଥିଲା । ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ମଲା ମାଙ୍କଡ଼ର ମୃତ ଦେହ ଉକ୍ତ ଟାଙ୍କିରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଫନି ଯୋଗୁ ଉପରେ ପଡ଼ିଥିବା ଖଣ୍ଡେ ଆଜବେଷ୍ଟସ ଉଡ଼ିଯାଇଛି । କଲେଜ ଖୋଲିଲାଣି । କିନ୍ତୁ ଏହାର ମରାମତି ହୋଇ ପାରୁନାହିଁ । ଫଳରେ ପିଲାମାନେ ସେହି ପାଣି ପିଉଛନ୍ତି । ସେହିପରି କଲେଜର ଖେଳପଡ଼ିଆ ନଷ୍ଟ ହୋଇ ପଡ଼ିରହିଛି । ୟୁଜିସି ବ୍ୟୟ ବରାଦରେ ଏକ ପାଶ୍ୱର୍ରେ ଗ୍ୟାଲେରୀ ନିର୍ମାଣ କରାଯାଇଥିବାବେଳେ ଖେଳ ପଡ଼ିଆର ଅଧା ପର୍ଯ୍ୟନ୍ତ ବିଲମାଟି ପଡ଼ିଥିଲା । କିନ୍ତୁ ଏହାର କାର୍ଯ୍ୟ ସଂପୂର୍ଣ୍ଣ ନ ହେବାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଉକ୍ତ ପଡ଼ିଆ ଅନୁପଯୁକ୍ତ ହୋଇପଡ଼ିଛି । ବର୍ଷା ଅସରାଏ ହେଲେ ପଡ଼ିଆ କାଦୁଅ ପଚପଚ ହେଉଛି । ପିଲାମାନେ ଖେଳଥିବା ସମୟରେ ପଡ଼ୁଥିବାର ଲକ୍ଷ୍ୟ କରାଯାଉଛି । ଏହି ମାଟି ସଂପୂର୍ଣ୍ଣ ପଡ଼ିଆରେ ପଡ଼ିବାର ଥିବାବେଳେ କାହିଁକି ଅଧାରେ ଅଟକି ରହିଛି ତାହା ତଦନ୍ତ ସାପେକ୍ଷ । କଲେଜର ପାଚେରୀ ନ ଥିବାରୁ କଲେଜ ପରିସରକୁ ବାହାର ଲୋକମାନେ ପ୍ରବେଶ କରି କଲେଜ ଖେଳ ପଡ଼ିଆରେ ବସି ନିଶାଦ୍ରବ୍ୟ ସେବନ କରୁଥିବାବେଳେ ଏହି ଖୋଲା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ଖେଳ ପଡ଼ିଆ ପ୍ରତି ବିପଦକୁ ଏଡ଼ାଇ ଦିଆଯାଇ ନପାରେ । ଏହି ପଡ଼ିଆର ଉନ୍ନତିକରଣ ଓ ନୂତନ ବୋରୱଲେ କରି ନୂତନ ପାଣି ଟଙ୍କି ନିର୍ମାଣ ପାଇଁ କଲେଜ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏ ସମ୍ବନ୍ଧରେ କଲେଜ ଅଧ୍ୟକ୍ଷ ଅଶୋକ ବଳବନ୍ତରାୟଙ୍କୁ ପଚାରିବାରୁ ସେ ଆରଡ଼ି ନିର୍ବାହୀ ଯନ୍ତ୍ରୀ ଏ ବାବଦରେ ଚିଠି ଲେଖି ଜଣାଇଥିବାର ସେ କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *