Thursday , June 17 2021
Home / କୃଷି / କେନ୍ଦ୍ରାପଡ଼ା ଜିଲ୍ଲାରେ ମରୁଡ଼ି ଆଶଙ୍କା, ମନ୍ତ୍ରୀଙ୍କ ସମୀକ୍ଷା

କେନ୍ଦ୍ରାପଡ଼ା ଜିଲ୍ଲାରେ ମରୁଡ଼ି ଆଶଙ୍କା, ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର,୦୨/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- କେନ୍ଦ୍ରାପଡା ଜିଲାରେ ସମ୍ଭାବ୍ୟ ମରୁଡ଼ି ଭଳି ପରିସ୍ଥିତି ଆଶଙ୍କା କରି ଏ ଦିଗରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ଉପଲବ୍ଧି କରି ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ପୂର୍ବାହ୍ଣରେ ଏକ ସମୀକ୍ଷା ବୈଠକରେ ଏ ଦିଗରେ ପଦକ୍ଷେପ ନେବାକୁ ଜଳ ସେଚନ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଲାର ରାଜନୈତିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ସମ୍ପ୍ରତି ଆବଶ୍ୟକତାଠାରୁ କମ୍ ପରିମାଣର ବର୍ଷା ହେବା, ଅନିୟମିତ ବର୍ଷା, ଭୂତଳ ଜଳସ୍ତର ହ୍ରାସ, ସମୁଦ୍ରକୂଳ ନିକଟରେ ଥିବା ଯୋଗୁଁ ଜିଲ୍ଲାର କେତେକ ବ୍ଲକରେ ଭୂତଳ ଜଳ ଲବଣାକ୍ତ ରହୁଥିବା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଗକୁ ଜଳ ସଂକଟ ଦେଖାଦେବାର ଆଶଙ୍କା କରାଯାଉଛି । ଏଣୁ ପାନୀୟ ଜଳ, କୃଷିକ୍ଷେତ୍ର ପାଇଁ ଆବଶ୍ୟକ ହେଉଥିବା ଜଳ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଜୀବନରେ ଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବେଠାରୁ ଜଳ ସଂଚୟ, ଜଳର ସୁବ୍ୟବହାର ଓ କୃଷି ପାଇଁ ଜଳର ଆବଶ୍ୟକତା ଦୃଷ୍ଟିରୁ ଆଗୁଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏଣୁ ଆଗକୁ ବର୍ଷାର ପରିମାଣ କମ୍ ହେଲେ ମରୁଡି ପରିସ୍ଥିତିକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ବୋଲି ଅନୁଷ୍ଠିତ ବୈଠକରେ ଆଲୋଚନା ପ୍ରକାଶ ପାଇଥିଲା । ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପ୍ରମୁଖ ବୈଠକରେ ଯୋଗଦେଇ ଜିଲ୍ଲାରେ ଜଳ ଓ ଜଳସେଚନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷ ପାଇଁ ଜଳସେଚନ ଉପରେ ଗୁରୁତ୍ୱଦେଇ ଅଚଳ ହୋଇପଡ଼ିଥିବା ସମସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ ସଚଳ କରିବା, କେନାଲ ସଫେଇ କାର୍ଯ୍ୟ, କେନାଲର ଶେଷ ଭାଗରେ ରହୁଥିବା ସବୁ ଚାଷ ଜମିଗୁଡ଼ିକୁ ଆବଶ୍ୟକ ପରିମାଣରେ ପାଣି ପହଞ୍ଚିବା ଉପରେ ମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ । ବୈଠକରେ ଯୋଗଦେଇ ଜଳସେଚନ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଧୀରେନ୍ କୁମାର ସାମଲ ଜଳ ସଂଚୟ ଓ ଏହାର ସୁବିନିଯୋଗ ନେଇ ଜିଲ୍ଲାରେ ଅଗଷ୍ଟ- ସେପ୍ଟେମ୍ବର ମାସରେ କାର୍ଯ୍ୟକାରୀ ହେବାକୁ ଥିବା ଜଳଶକ୍ତି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ସମେତ ଲୋୟର ମହାନଦୀ ବେସିନର ମୁଖ୍ୟଯନ୍ତ୍ରୀ, କେନ୍ଦ୍ରାପଡ଼ା ଜିଲ୍ଲା ଜଳସେଚନ, ଉଠାଜଳସେଚନ, ଡ୍ରେନେଜ୍ ଡିଭିଜନ, କ୍ଷୁଦ୍ରଜଳ ସେଚନ ଓ ବିଦ୍ୟୁତ୍ ବିଭାଗ (ସେସୁ)ର ନିର୍ବାହୀଯନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *