Thursday , June 17 2021
Breaking News
Home / ବିଶେଷ / କୃପାସିନ୍ଧୁ ମିଶ୍ର ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ

କୃପାସିନ୍ଧୁ ମିଶ୍ର ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ

ଭୁବନେଶ୍ୱର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)-କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇ ବିଭାଗର ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ପରାମର୍ଶ ଦେଇଛନ୍ତି ।
ମଙ୍ଗଳବାର ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ ସମୟରେ ଶ୍ରୀ ମିଶ୍ରଙ୍କୁ ବିଭାଗୀୟ ବରିଷ୍ଠ ପଦାଧିକାରୀ ତଥା କର୍ମଚାରୀମାନେ ଲୋକସଂପର୍କ ଭବନଠାରେ ସ୍ୱାଗତ ଜଣାଇଥିଲେ । ଅପରାହ୍ଣରେ ଅଧିକାରୀ ତଥା କର୍ମଚାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି ନୂତନ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଓ ଲୋକସଂପର୍କ ବିଭାଗର କାର୍ଯ୍ୟକ୍ରମ ସୁଦୂରପ୍ରସାରୀ ବୋଲି କହିବା ସହିତ ଅଧିକାରୀମାନେ ସ୍ୱଚ୍ଛତା, ଦକ୍ଷତା ଓ ସାଧୁତା ବଜାୟ ରଖି ଉତମ ପ୍ରଶାସନର ସୁଫଳକୁ ଜନସାଧାରଣଙ୍କ ପାଖରେ ପହଂଚାଇବେ ବୋଲି ଆଶାପ୍ରକଟ କରିଥିଲେ । ଅନ୍ୟପକ୍ଷରେ, ଅଧିକାରୀମାନେ ବୈଷୟିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ,ସମନ୍ୱିତ ଆଦାନପ୍ରଦାନ ଓ ଅଭିଜ୍ଞତାର ଉପଲବ୍ଧି ଆଧାରରେ ଅଧିକ କ୍ରିୟାଶୀଳ ଓ ତତ୍ପର ହେବା ନିମନ୍ତେ ନିର୍ଦ୍ଦେଶକ ଶ୍ରୀ, ମିଶ୍ର ପରାମର୍ଶ ଦେଇଛନ୍ତି ।
ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ନୂତନ ନିର୍ଦ୍ଦେଶକଙ୍କୁ ସ୍ୱାଗତ ଜଣାଇବା ସହିତ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ ଓ ବରିଷ୍ଠ ସୂଚନା ଅଧିକାରୀ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ । ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି ଧନ୍ୟବାଦ ଅର୍ପଣ କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ମଧ୍ୟ ମଂଚାସୀନ ଥିଲେ । ଏହି ବୈଠକରେ ଉପଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଉପଶାସନ ସଚିବ ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ସୂଚନା ଅଧିକାରୀ ତଥା ବିଭିନ୍ନ ପ୍ରଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *