Friday , June 18 2021
Breaking News
Home / ବିଶେଷ / କାଉଡିଆମାନଙ୍କ ପାଇଁ ମାଛ ବଜାର ଖାଁ ଖାଁ  

କାଉଡିଆମାନଙ୍କ ପାଇଁ ମାଛ ବଜାର ଖାଁ ଖାଁ  

ପାଟକୁରା.୨୭/୦୭/୨୦୧୯(ଓଡ଼ିଶା ସମାଚାର)-ଶ୍ରାବଣ ମାସରେ ଶିବଙ୍କ ମୁଣ୍ଡରେ ପାଣି ଢାଳିବା ପାଇଁ ଏବେ ପ୍ରାୟ ପ୍ରତ୍ୟେକ ଗାଁ,ଗହଳିମାନଙ୍କରୁ  ବହୁ ସଂଖ୍ୟକ କାଉଡିଆମାନେ ଦଳଗତ ହୋଇ ବୋଲବମ୍ ସଂଘ ଗଠନ କରି ବିଭିନ୍ନ ଶୈବ ପୀଠମାନ଼ଙ୍କୁ ପାଣିଭାର ନେଇ ଯାଉଛନ୍ତି । ଏଥି ପାଇଁ ପାଣିଭାର ନେଇ ଯାଉଥିବା କାଉଡିଆମାନେ ଶ୍ରାବଣ ମାସରେ ଆମିଷ ଭକ୍ଷଣ ନିଷେଧ କରିଥିବାରୁ ଗ୍ରାମାଂଚଳରେ କେତେକ ସ୍ଥାନରେ ଥିବା  ଆମିଷ ବଜାର ଖାଁ ଖାଁ ହୋଇପଡିଛି । ସପ୍ତାହରେ ରବି,ବୁଧ ଓ ଶୁକ୍ରବାର ମାନଙ୍କରେ ସାଧାରଣତଃ ଆମିଷ ବାର ଭାବରେ ପରିଗଣିତ ହୋଇଥାଏ । ଏହି ଦିନମାନଙ୍କରେ ମାଛ ବଜାରରେ ବେଶ୍ ଭିଡ ଜମି ଥାଏ । ବର୍ଷର କାର୍ତିକ ମାସକୁ ଛାଡି ଦେଲେ ପ୍ରାୟ ବର୍ଷକର ଅନ୍ୟ ସମସ୍ତ ମାସ ମାନଙ୍କରେ ଥିବା ଆମିଷ ବାରମାନଙ୍କରେ ମାଛ ବଜାରରେ ଗହଳି ପରିଲକ୍ଷିତ ହୋଇଥାଏ । କିନ୍ତୁ ଗତ କିଛି ବର୍ଷ ହେଲା ଶ୍ରାବଣ ମାସରେ ମଧ୍ୟ କାର୍ତିକ ମାସ ଭଳି ନିରାମିଶ ମାସରେ ପରିଣତ ହେବାକୁ ବସିଲାଣି । ଦିନକୁ ଦିନ ଯେଉଁ ଭଳି ଭାବରେ କାଉଡିଆମାନଙ୍କ ସଂଖ୍ୟା ବଢିବାରେ ଲାଗିଛି,ସେହି ଅନୁସାରେ ସେମାନଙ୍କ ସହିତ ପରିବାରର ଲୋକେ ମଧ୍ୟ ଆମିଷ ଖାଇବା  ଏକ ପ୍ରକାର ବନ୍ଦ କରି ଦେଲେଣି । ଏପରି ଭାବରେ ଆମିଷ ଖାଇବା ବନ୍ଦ କରି ଦେବା ଫଳରେ ଏହାର ପ୍ରଭାବ ମାଛ ଓ ମାଂସ ବଜାରରେ ଥିବା ବ୍ୟବସାୟୀମାନଙ୍କ ଉପରେ ପଡୁଥିବାର ଦେଖାଯାଉଛି । ପାଟକୁରା ବଜାରେ ଥିବା ମାଂସ ଦୋକାନ ଓ ନୂଆପଡା ଠାରେ ଥିବା ମାଛ ଦୋକାନମାନଙ୍କରେ ଏହାର ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପଡୁଥିବାର ଲକ୍ଷ୍ୟ କରାଯାଉଛି । ଗତ ଆଷାଢ ମାସରେ ଯେଉଁ ପରିବାରର ଲୋକମାନେ ମାଛ ବା ମାଂସ ନେଉଥିଲେ ସେହି ପରିବାରରେ ଶ୍ରାବଣ ମାସରେ ଆଦୌ ନେଉ ନ ଥିବା କିମ୍ବା ଆବଶ୍ୟକ ସ୍ଥଳେ କୌଣସି ଦିନ ଖୁବ୍ କମ୍ ପରିମାଣର ଆମିଷ ଘରକୁ ନେଉଥିବା ମାଛ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଜଣେ ମାଛ ବ୍ୟବସାୟୀ ସଞ୍ଜୟ କୁମାର ବେହେରା ପ୍ରକାଶ କରିଛନ୍ତି ଯେ,୧୯୯୦ ଦଶକରେ କାଁ ଭାଁ ଲୋକେ ପାଣି ଭାର ନେଇ ଶୈବ ପୀଠ ଗୁଡିକୁ ଯାଉଥିଲେ,ମାତ୍ର କ୍ରମଶଃ ଭାବରେ ଏହି ଧାରା ଦିନକୁ ଦିନ ଦୃତ ଭାବରେ ବଢିବାରେ ଲାଗିଛି । ଏହାର ପ୍ରଭାବ ମାଛ ବ୍ୟବସାୟୀ ମାନଙ୍କ ପଉରେ ପଡିଛି । ଏବେ ଇଲିସ୍ ମାଛ ବଜାରରେ ମିଳୁଥିବାବେଳେ ସତ୍ୱେ ଶ୍ରାବଣ ମାସ ଯୋଗୁଁ ଏହି ମାଛର ଚାହିଦା ରହୁ ନାହିଁ । ଗୋଟିଏ ପକ୍ଷରେ ମାଛର ଚାହିଦା ନ ଥିବାବେଳେ, ଅନ୍ୟ ପକ୍ଷରେ ବର୍ଷାର ଅନିୟମିତତା ଯୋଗୁଁ ବାଡି ବଗିଚାରେ ପନିପରିବା ପୂର୍ବ ଭଳି ଉତ୍ପାଦିତ ହେଉ ନାହିଁ ଫଳରେ ପନିପରିବା ବଜାର ଉପରେ ଏହାର ପ୍ରଭାବ ପଡୁଥିବାରୁ ପନିପରିବାର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି । ଫଳରେ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *