Sunday , June 13 2021
Breaking News
Home / ବିଶେଷ / ଓଡିଶା ଡେଭେଲପମେଂଟ ରିପୋର୍ଟ-୨୦୨୦ ଲୋକାର୍ପିତ

ଓଡିଶା ଡେଭେଲପମେଂଟ ରିପୋର୍ଟ-୨୦୨୦ ଲୋକାର୍ପିତ

ସରକାର ଓ ସାମାଜିକ ଅନୁଷ୍ଠାନମାନଙ୍କ ସହଭାଗୀତାରେ ବାସ୍ତବ ବିକାଶ ସମ୍ଭବ
ଭୁବନେଶ୍ୱର, ୨୩/୧୨/୨୦୨୦ (ଓଡ଼ିଶା ସମାଚାର)- ଓଡିଶା ବିକାଶ କନକ୍ଲେଭ ତୃତୀୟ ସଂସ୍କରଣର ଉଦଘାଟନ ଅଧିବେଶନରେ ଓଡିଶା ଡେଭେଲପମେଂଟ ରିପୋର୍ଟ ୨୦୨୦ ଉନ୍ମୋଚିତ ହୋଇଯାଇଛି ।ଏହି ରିପୋର୍ଟରେ ରାଜ୍ୟର ବିକାଶ ଛବି ସହ ତୃଣମୂଳ ସ୍ତରର ସମସ୍ୟା ସମାଧାନ ପାଇଁ ଅନେକ ପରାମର୍ଶ ଓ ସୁପାରିଶ ମଧ୍ୟ ସ୍ଥାନ ପାଇଛି । ମିଲେଟ୍ ମିଶନ୍, କ୍ଲଷ୍ଟର ଫାର୍ମିଂ, ଓଟିଇଏଲପି ଭଳି କେତେକ କାର୍ଯ୍ୟକ୍ରମରେ ସରକାର ଓ ସାମାଜିକ ଅନୁଷ୍ଠାନମାନଙ୍କ ସହଭାଗିତା ଓ ସଫଳତା ଏହି ରିପୋର୍ଟରେ ସ୍ଥାନ ପାଇଛି ।ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡିଶାର ପ୍ରଦର୍ଶନ କ୍ଷେତ୍ରରେ ୨୮ଟି ରାଜ୍ୟ ଭିତରୁ ଓଡିଶା ୧୬ତମ ସ୍ଥାନରେ ରହିଛି ।
ଅପପୁଷ୍ଟି କ୍ଷେତ୍ରରେ ଯଦିଓ ଓଡିଶା ଜାତୀୟ ହାର ଠାରୁ ସାମାନ୍ୟ ତଳେ ରହିଛି ତଥାପି ରାଜ୍ୟର ଆଦିବାସୀ ଅଞ୍ଚଳର ସ୍ଥିତି ଅତି ଚିନ୍ତାଜନକ । ଆଦିବାସୀ ପ୍ରବଣ ମାଲକାନଗିରି ଜିଲ୍ଲାରେ ୫୧.୮ ପ୍ରତିଶତ ପିଲା କମ ଓଜନର ହୋଇଥିବା ବେଳେ ୪୫.୯ ପ୍ରତିଶତ ମହିଳାମାନଙ୍କ ଶାରୀରିକ ସମୁହ ସୂଚକ ରାଜ୍ୟ ହାର ଠାରୁ ଖୁବ୍ କମ ରହିଛି । ସେହିପରି ସୁନ୍ଦରଗଡ, ସୁବର୍ଣ୍ଣପୁର, ମାଲାକନଗିରି, ନବରଙ୍ଗପୁରୁ, କୋରାପୁଟ, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା ଆଦି ଜିଲ୍ଲାଗୁଡିକରେ ପାଂଚ ବର୍ଷରୁ କମ ବୟସର ଶିଶୁ ଓ ମହିଳାମାନଙ୍କ କ୍ଷେତ୍ରରେ ରକ୍ତହୀନତା ରାଜ୍ୟ ହାର ଠାରୁ ଖୁବ୍ ଅଧିକ ରହିଛି ।ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ କୁଶଳୀ ସ୍ୱାସ୍ଥ୍ୟକର୍ମୀ ଓ ଆବଶ୍ୟକୀୟ ଭିତିଭୂମୀ, ଜିଲ୍ଲା ବା ଉପଖଣ୍ଡ ସ୍ତରୀୟ ବିଶେଷଜ୍ଞ ଅଭାବ ଆଦି ଏହାର ମୁଖ୍ୟ କାରଣ । ଆମ ଦେଶର ୨୧ଟି ରାଜ୍ୟଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ମାନଦଣ୍ଡରେ ଓଡିଶା ୧୯ତମ ସ୍ଥାନରେ ରହିଛି ।ସେହିପରି ସ୍ୱଚ୍ଛ ଭାରତ ମିଶନ୍ କ୍ଷେତ୍ରରେ ଆମ ରାଜ୍ୟର ୩୨ ପ୍ରତିଶତ ପରିବାରର ବ୍ୟବହାର ଯୋଗ୍ୟ ବ୍ୟକ୍ତିଗତ ପାଇଖାନ ନାହିଁ ଏବଂ ଜାତୀୟ ଗ୍ରାମାଂଚଳ ପରିମଳ ସର୍ଭେ ୨୦୧୮-୧୯ ଅନୁଯାୟୀ ଆମ ରାଜ୍ୟର ମାତ୍ର ୪୫.୪ ପ୍ରତିଶତ ଗ୍ରାମ ବାହ୍ୟ ମଳ ମୁକ୍ତ ଗ୍ରାମ ଭାବେ ପରିଚୟ ପାଇଛି ।
ନିରନ୍ତର ବିକାଶ ଲକ୍ଷ୍ୟର ଗୁଣାତ୍ମକ ଶିକ୍ଷା ଲକ୍ଷ୍ୟ ହାସଲ କରିବାକୁ ହେଲେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଲୋଡା । ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କ ସାମଗ୍ରିକ ଶିକ୍ଷା ବିକାଶ ପାଇଁ ଅଧିକ ଯତ୍ନବାନ ହେବାକୁ ହେବ । ୨୦୧୧ ଜନଗଣନା ଅନୁଯାୟୀ, ଓଡିଶାରେ କାର୍ଯ୍ୟ ଦକ୍ଷ ଲୋକସଂଖ୍ୟା (୧୫ ରୁ ୫୯ ବର୍ଷ ବୟସର) ୬୧.୫ ପ୍ରତିଶତ ଯାହାକି ୨୦୨୧ ମସିହା ବେଳକୁ ପ୍ରାୟ ୩ କୋଟିରୁ ଅଧିକରେ ପହଂଚିିଥିବ ବୋଲି ଅନୁମାନ କରାଯାଉଛି । ଏପରି କ୍ଷେତ୍ରରେ ବେରୋଜଗାରୀ ଅନ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ସ୍ଥାନୀୟ ଅର୍ଥନୀତି ସୁଦୃଢିକରଣ ପାଇଁ ଗ୍ରାମୀଣ ଜୀବିକା ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି ।
ଆଜି ଆୟୋଜିତ ଉଦଘାଟନୀ ଅଧିବେଶନରେ ଓଡିଶା ଡେଭେଲପମେଂଟ ରିପୋର୍ଟ- ୨୦୨୦ର ଉନ୍ମୋଚନ ଅବସରରେ ଏହାର ମୁଖ୍ୟ ସମ୍ପାଦକ ତଥା ରିସର୍ଚ୍ଚ ଆଣ୍ଡ ଇନଫରମେସନ ସିଷ୍ଟମ ଫର ଡେଭେଲପିଂ କନଟ୍ରିଜ ର ଫେଲୋ ପ୍ରଫେସର ଅମିତାଭ କୁଣ୍ଡୁ କହିଲେ ଯେ ଆମ ଦେଶ ତଥା ଓଡିଶା ଭଳି ରାଜ୍ୟରେ ଅସମାନତା ଦୂର କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଖସଡା ପ୍ରସ୍ତୁତ ହେବା ଆବଶ୍ୟକ; ଯାହାକି ଏହି ରିପୋର୍ଟ ସୁପାରିଶ କରୁଛି । ସେହିପରି ଆର୍ଥôକ ଆବଂଟନ ନିମନ୍ତେ ଗଠିତ ବିତୀୟ କମିଶନ, ଯୋଜନା କମିଶନ ଆଦିଙ୍କ ସୁପାରିଶ କ୍ରମେ ଓଡିଶା ଭଳି ରାଜ୍ୟମାନେ ବିଶେଷ ଲାଭବାନ ହୋଇପାରି ନାହାଁନ୍ତି । ରାଜ୍ୟରେ କର୍ପୋରେଟ ପୁଞ୍ଜି ନିବେଶ ମଧ୍ୟ ଆଶାଜନକ ନୁହେଁ, ଯଦିଓ ବିଗତ ଏକ ଦଶନ୍ଧି ମଧ୍ୟରେ ଏଥିରେ କିଛିଟା ଉନ୍ନତି ପରିଲଖିତ ହୋଇଛି; ମାତ୍ର ଓଡିଶା ଭଳି ଏକ ପଛୁଆ ରାଜ୍ୟ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରଫେସର କୁଣ୍ଡୁ ମତ ବ୍ୟକ୍ତ କରିଛନ୍ତି । ରାଜ୍ୟର ମୋଟ ୩୦ଟି ଜିଲ୍ଲା ମଧ୍ୟରୁ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ ଓ ଝାରସୁଗୁଡା ଭଳି ମାତ୍ର ପାେଞ୍ଚାଟି ଜିଲ୍ଲାର ସ୍ଥିତି ଭଲ ଥିବା ବେଳେ ୧୨ଟି ଜିଲ୍ଲାର ବିକାଶ ମାନଦଣ୍ଡରେ ପ୍ରଦର୍ଶନ ଅଧା ବାଟରେ ରହିଛି ସେହିପରି ଆଦିବାସୀ ପ୍ରବଣ ଓ ଅପହଞ୍ଚ ଇଲାକା ଥିବା ଅନ୍ୟ ୧୩ଟି ଜିଲ୍ଲାର ସ୍ଥିତି ଖୁବ୍ ଚିନ୍ତାଶୀଳ ବୋଲି ପ୍ରଫେସର କୁଣ୍ଡୁ ଉଦବେଗ ପ୍ରକାଶ କରିଛନ୍ତି ।
ଏହି ଉଦଘାଟନୀ ସମାରୋହରେ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଯୋଗଦେଇ ଏହି ରିପୋର୍ଟକୁ ପ୍ରଶଂସା କରିବା ସହ ଏହା ରାଜନୈତିକ ନେତୃତ୍ୱଙ୍କ ପାଖରେ ପହଞ୍ଚାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଧିରେ ଧିରେ ହ୍ରାସ ପାଉଛି ଏବଂ ଏହାର ଅର୍ଥ, କୃଷି ଉପରେ ନିର୍ଭରଶୀଳ ପରିବାରମାନେ ଧିରେ ଧିରେ ଗରିବରୁ ଅତି ଗରିବ ଦିଗକୁ ଗତି କରୁଛନ୍ତି; ଯାହାକି ଆଦୌ ଭଲ ସୂଚକ ନୁହେଁ, ତେଣୁ କୃଷି ଭଳି ପ୍ରାଥମିକ ଜୀବିକାର ଉପôାଦନ ବୃଦ୍ଧି ସହ କୃଷି, ଉଦ୍ୟାନ କୃଷି ଭଳି ଉପôାଦଗୁଡିକର ବଜାରୀକରଣର ଆବଶ୍ୟକତା ରହିଛି ବୋଲି ଏହି ରିପୋର୍ଟ ଆଧାରରେ ପ୍ରଫେସର ରାଧାମୋହନ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଯୋଗଦେଇ ଆଦିବାସୀ ପରିବାରମାନଙ୍କ ଜୀବିକା ବିକାଶ ଦିଗରେ ସରକାରଙ୍କ ବିଶେଷ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଗତ ବର୍ଷ ମଧ୍ୟରେ ସରକାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିଭିନ୍ନ ଜୀବିକା ସମ୍ଭାବନା ଚିହ୍ନଟ କରି କୃଷି, ଉଦ୍ୟାନ କୃଷି ଓ କୁକୁଡା ଚାଷ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ଫଳରେ ରାଜ୍ୟର ପ୍ରାୟ ୨୦ ପ୍ରତିଶତ ଆଦିବାସୀ ପରିବାର ପାଇଁ ମୌଳିକ ଜୀବିକା ସୁନିଶ୍ଚିତ କରାଯାଇପାରିଛି । ସେହିପରି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି କ୍ଷେତ୍ରରେ ବିଗତ ବର୍ଷ ତୁଳନାରେ ଆମ ରାଜ୍ୟ ଅଗ୍ରଗତି କରୁଛି ବୋଲି ଶ୍ରୀମତୀ ଚୋପ୍ରା ଆଲୋକପାତ କରିଥିଲେ । ଆଦିବାସୀମାନଙ୍କ ଜୀବିକା ବିକାଶ ଓ ରୋଜଗାର ବୃଦ୍ଧି ଭଳି କାର୍ଯ୍ୟକ୍ରମରେ ସାମାଜିକ ଅନୁଷ୍ଠାନମାନଙ୍କ ଉପଲବ୍ଧି ଓ ଅଭିଜ୍ଞତାକୁ ପାଥେୟ କରି ସରକାର ସେମାନଙ୍କ ସହଯୋଗ ଓ ସହଭାଗୀତା ପାଇଁ ପ୍ରସ୍ତୁତ ବୋଲି ଶ୍ରୀମତୀ ଚୋପ୍ରା ମତ ବ୍ୟକ୍ତ କରିଥିଲେ ।
ଓଡିଶା ବିକାଶ କନକ୍ଲେଭ ଭଳି ସୁଯୋଗଗୁଡିକରେ ତୃଣମୂଳ ସ୍ତରର ସମସ୍ୟା, ବିଭିନ୍ନ ବିକାଶ ନୀତି, ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସାମାଜିକ ସଙ୍ଗଠନ, ଅକାଡେମିଆ, ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧି, ସାମାଜିକ ଗବେଷକ ଆଦିମାନଙ୍କ ବିଭିନ୍ନ ପ୍ରସ୍ତାବମାନ ସରକାର ତଥା ପ୍ରଶାସନ ନିକଟରେ ପହଞ୍ଚାଇବା ଅନ୍ୟ ଏକ ଲକ୍ଷ୍ୟ ବୋଲି ଓଡିଶା ଡେଭେଲପମେଂଟ ଇନିସିଏଟିଭସ ର ଆବାହକ ତଥା ସିୱାଇଏସଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ ଦିଗରେ ସାମାଜିକ ଅନୁଷ୍ଠାନମାନଙ୍କ ସହଯୋଗ ଓ ସହଭାଗୀତାର ଆବଶ୍ୟକତା ଥିବା ମତକୁ ଜଗଦାନନ୍ଦ ସ୍ୱାଗତ କରିବା ସହ ସାମାଜିକ ଅନୁଷ୍ଠାନମାନଙ୍କ ଦ୍ୱାରା କରାଯାଇଥିବା ବିକାଶ ମଡେଲ ଗୁଡିକୁ ଅନ୍ୟ ଅଂଚଳରେ ବ୍ୟାପକ ଭାବେ ଲାଗୁ କରିବାକୁ ପ୍ରସ୍ତାବ ରଖିଥିଲେ ।

ଏହି ରିପୋର୍ଟ ନିରନ୍ତର ବିକାଶ ଲକ୍ଷ୍ୟ ସହ ଭାରତର ସାମାଜିକ ସ୍ଥିତି ସମେତ ଆମ ରାଜ୍ୟର ତଥ୍ୟ ଏବଂ ତୃଣମୂଳ ସ୍ତରର ବାସ୍ତବ ବିକାଶ ଚିତ୍ରକୁ ରେଖାଙ୍କିତ କରିଛି । ଓଡିଶାର ବର୍ତମାନ ସ୍ଥିତି, ସମବେତ ବିକାଶ ହାସଲ ଦିଗରେ ରହିଥିବା ଚିନ୍ତାଶୀଳ ପ୍ରସଙ୍ଗ ଓ ବାଧାଗୁଡିକୁ ଚିହ୍ନଟ ପୂର୍ବକ ରାଜ୍ୟର ନିରନ୍ତର ବିକାଶ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ, ବିକାଶ ନୀତିର ସଫଳ ରୂପାୟନ ପାଇଁ ସୁପାରିଶ ଭଳି ଅନେକ ଉଚ୍ଚକୋଟୀର ତଥ୍ୟ ଏହି ରିପୋର୍ଟରେ ସ୍ଥାନ ପାଇଛି । ଏହି ରିପୋର୍ଟଟି ଆର୍ଥôକ ପ୍ରଗତି, କୃଷି ଓ ନିରନ୍ତର ଜୀବିକା, ପୁଷ୍ଟିସାଧନ ଓ ସ୍ୱାସ୍ଥ୍ୟ ନିରାପତା, ଶିକ୍ଷା ଓ ମୌଳିକ ଆବଶ୍ୟକତାର ସହଜଲଭ୍ୟତା, ସାମାଜିକ ଓ ସ୍ଥାନୀୟ ବିକାଶର ଦିଗ, ସ୍ୱାୟତଶାସନ ଓ ଉତରଦାୟିତ୍ୱ, ଆକାଂକ୍ଷିତ ସାମାଜିକ ବିକାଶ ଭଳି ସାତଗୋଟି ଭାଗରେ ରାଜ୍ୟର ଚିତ୍ର ଦର୍ଶାଯାଇଛି ।
ସାମଗ୍ରିକ ବିକାଶ ପାଇଁ ଆମ ଦେଶ ତଥା ରାଜ୍ୟରେ ଅନେକ ନୀତି, ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନ କରାଯାଉଛି, ମାତ୍ର ଏହାର ସଫଳତା ଅନେକ କ୍ଷେତ୍ରରେ ବାସ୍ତବତାରେ ରୂପାନ୍ତରିତ ହୋଇପାରି ନାହିଁ । ଆମ ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ଅନୁସୂଚିତ ଜନଜାତି ବର୍ଗର ଏବଂ ୯୦ ପ୍ରତିଶତରୁ ଅଧିକ ଲୋକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ।ଓଡିଶା ଭଳି ଏକ ରାଜ୍ୟରେ ଅଂଚଳ, ଲିଙ୍ଗ, ଜାତି, ବୟସ ଆଦି ଭିତିରେ ଅନେକ ଅସମାନତା ଦେଖିବାକୁ ମିଳୁଛି । ଏହି ଅସମାନତା ଆର୍ଥିକ, ସାମାଜିକ ସ୍ଥିତି, ଅପପୁଷ୍ଟି, ଶିକ୍ଷା ତଥା ସମ୍ବଳର ଉପଲବ୍ଧତା ଭିତିିରେ ମଧ୍ୟ ରହିଛି । ବର୍ତମାନ ଦ୍ରୁତ ସହରୀକରଣ ସହ ଗ୍ରାମାଂଚଳରୁ ବହୁ ସଂଖ୍ୟାରେ ଯୁବକଯୁବତୀ କର୍ମସଂସ୍ଥାନ ନିମନ୍ତେ ନିଜ ଭିଟାମାଟି ଛାଡୁଛନ୍ତି । ସହରାଂଚଳର ଦ୍ରୁତ ଲୋକସଂଖ୍ୟା ବୃଦ୍ଧି ଯୋଗୁଁ ବାସଗୃହ, ପାନୀୟ ଜଳ, ରୋଜଗାର ଓ କର୍ମସଂସ୍ଥାନ ସୃଷ୍ଟି କ୍ଷେତ୍ରରେ ମଧ୍ୟ ଅସମାନତା ଧିରେ ଧିରେ ବଢି ଚାଲିଛି । ଏହି ପରିପ୍ରେକ୍ଷୀରେ ଅସମାନତା ଦୂର କରିବା ପାଇଁ ବିଭିନ୍ନ ସାମାଜିକ ସମସ୍ୟା ଭିତିିକ ଡେଭେଲପମେଂଟ ହଟସ୍ପଟ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବାର ସମୟ ଆସିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟଟିକୁ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମୀ, ପୂର୍ବତନ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ, ଏକାଡେମିଆ, ବିଭିନ୍ନ ସାମାଜିକ ବିଷୟ ବିଶେଷଜ୍ଞ, ଗବେଷକ, କର୍ପୋରେଟ ଜଗତରେ କାର୍ଯ୍ୟରତ ଅଧିକାରୀ ଆଦିମାନେ ମିଳିତଭାବେ ପ୍ରସ୍ତୁତ କରିଛନ୍ତି । ରାଜ୍ୟର ଅପହଂଚ ଇଲାକାରେ ସାମାଜିକ ସଙ୍ଗଠନମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅନେକ ଉଦାହରଣ ଯୋଗ୍ୟ କାର୍ଯ୍ୟ ଓ ବିକାଶ ମଡେଲ ଗୁଡିକୁ ସଫଳ ଭାବେ କାର୍ଯ୍ୟକାରୀ କରିଛନ୍ତି; ଯାହାକି ବ୍ୟାପକ ଭାବେ କାର୍ଯ୍ୟକାରି କରିବା ଉପରେ ଏହି ରିପୋର୍ଟ ଗୁରୁତ୍ୱାରୋପ କରିଛି ।ଓଡିଶା ଡେଭେଲପମେଂଟ ଇନିସିଏଟିଭ ତରଫରୁ ଓଡିଶା ବିକାଶ କନକ୍ଲେଭ (ଓଭିସି)ର ତୃତୀୟ ସଂସ୍କରଣ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହି ସମାବେଶରେ ପ୍ରାକୃତିକ ଉପାୟରେ କୃଷି, କୋଭିଡ ପରବର୍ତୀ ଶିକ୍ଷା ବ୍ୟବସ୍ଥା, ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ଓ ନିରାପଦ ଦେଶାନ୍ତର, ମହିଳା ଓ କିଶୋରୀମାନଙ୍କ ଉପରେ କୋଭିଡ୍ ପ୍ରଭାବ ଭଳି ବିଭିନ୍ନ ସମାନ୍ତରାଳ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *