Monday , June 21 2021
Breaking News
Home / ବିଶେଷ / ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ

ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ

ଗ୍ରାମ୍ୟ ଅର୍ଥନୀତିର ପୁନରୁଦ୍ଧାର ପାଇଁ ତଥ୍ୟ ଅଭାବ!

ଭୁବନେଶ୍ୱର, ୨୪/୧୨/୨୦୨୦(ଓଡ଼ିଶା ସମାଚାର)-ବୁଧବାର ଅନୁଷ୍ଠିତ ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ର ଦିନିକିଆ ୱେବିନାରରେ ଓଡ଼ିଶାର ସାଂପ୍ରତିକ ସମସ୍ୟା ଓ ସୁଯୋଗ ଉପରେ ଆଲୋଚନା ହୋଇଛି। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଦାଦନ ଶ୍ରମିକଙ୍କ ସ୍ଥାନାନ୍ତରର ମୁକାବିଲା ପାଇଁ ତଥ୍ୟ ଅଭାବ ରହିଥିବା ମତ ପ୍ରକାଶ ପାଇଛି। କାମଧନ୍ଦା ଅଭାବରୁ ଲକ୍ଷାଧିକ ପରିବାର ରାଜ୍ୟ ବାହାରକୁ ଯାଉଥିବା ବେଳେ ସେହି ପରିସ୍ଥିତିର ପରିଚାଳନା ପାଇଁ ବିଧିବଦ୍ଧ ଭାବେ ପ୍ରବାସୀ ଶ୍ରମିକ ସଂଚାଳନ କେନ୍ଦ୍ର,ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସ୍ତରରେ କାର୍ଯ୍ୟ କରିବା ଜରୁରୀ ହେଉଛି। ନିରାପଦ ଭାବେ କିପରି ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ଗମନ କରିପାରିବେ, ସାଥିରେ ଥିବା ଶିଶୁ ଓ ମହିଳାମାନେ ଯେପରି ଅସହାୟ ହୋଇ ନପଡ଼ିବେ, ମହିଳା ଓ ଶିଶୁମାନଙ୍କର ଅଧିକାର ବାଧାପ୍ରାପ୍ତ ନହେବ ଏବଂ ନାଗରିକମାନେ ପାଉଥିବା ସରକାରୀ ସୁବିଧାସୁଯୋଗ ଗୁଡ଼ିକ ଯେପରି ଭୌଗୋଳିକ ସୀମା ନିର୍ବିଶେଷରେ ଦେଶର ସବୁ ପ୍ରାନ୍ତରେ ଉପଲବ୍ଧ ହୋଇପାରିବ – ତାହା ଉପରେ ଜୋର ଦିଆଯାଇଛି। ଏଣେ ଶହଶହ ବିଦ୍ୟାଳୟକୁ ବନ୍ଦ କରିଦେଇ ସେସବୁକୁ ନିକଟସ୍ଥ ଅନ୍ୟ ବିଦ୍ୟାଳୟରେ ମିଶାଇ ଦିଆଯାଉଥିବା କାରଣରୁ ବିଦ୍ୟାଳୟ ପାଠତ୍ୟାଗୀମାନଙ୍କ ସଂଖ୍ୟା ବଢ଼ିଯିବାର ଆଶଙ୍କା ରହିଛି।ତେବେ ବିଦ୍ୟାଳୟ ବନ୍ଦ କରାଯିବା ଏବଂ ବିଦ୍ୟାଳୟ ମିଶ୍ରଣ କରାଯିବା ପ୍ରକ୍ରିୟା ଦ୍ୱାରା କେତେ ଶିଶୁ ପ୍ରଭାବିତ ହେବେ ତାହାର ସଂଖ୍ୟା ନିରୂପଣ ସହିତ ବିହିତ ନିରାକରଣ କରାଯିବା ଦରକାର। କୋଭିଡ୍‌-୧୯ ଯୋଗୁ ଲମ୍ବା ସମୟ ପାଇଁ ବିଦ୍ୟାଳୟ ବନ୍ଦ ରହିବାରୁ ଅଭିଭାବକ ଓ ଶିଶୁମାନେ ଶଙ୍କାରେ ଅଛନ୍ତି। ବିଦ୍ୟାଳୟ ଖୋଲିଲେ, କେଉଁ କଟକଣା ଅବଲମ୍ବନ କରାଯିବ; ଏଥିପାଇଁ ଶିଶୁ ତଥା ଅଭିଭାବକ ମାନଙ୍କର, ଏବଂ ବିଦ୍ୟାଳୟ ପରିଚାଳନା କମିଟିର କ’ଣ ଦାୟିତ୍ୱ ରହିବ, ତାହା ଉପରେ ପ୍ରଶିକ୍ଷିତ କରିବାର ଆବଶ୍ୟକତା ରହିଛି। ଅନ୍ୟ ପକ୍ଷରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ୨୦୨୧-୨୨ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରିବାକୁ ହେଲେ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତିର ଆବଶ୍ୟକତା ସହିତ ଆଗାମୀ ବଜେଟ୍‌ରେ ଉପଯୁକ୍ତ ବ୍ୟୟବରାଦ ରଖାଯିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ଗଢ଼ିଥିବା ଉପଦେଷ୍ଟା ମଣ୍ଡଳୀରେ ନାଗରିକ ସଂଗଠନ ସମୂହକୁ ସାମିଲ କରାଗଲେ ଅନେକ ମୌଳିକ ଓ ତୃଣମୂଳ ସ୍ତରର ସମସ୍ୟା ଗୁଡ଼ିକର ସମାଧାନର ସୂତ୍ର ବାହାରିପାରିବ।

ଗ୍ରାମ୍ୟ ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ପାରମ୍ପରିକ ପ୍ରାକୃତିକ କୃଷି ପ୍ରଣାଳୀର ପ୍ରସାରକରିବାକୁ ହେବ। ଏହା କୃଷକମାନଙ୍କ ଉପରେ ଚାଷ କାର୍ଯ୍ୟ ଜଡ଼ିତ ଆର୍ଥିକ ବୋଝକୁ କମ୍‌ କରିପାରିବ। ପ୍ରାକୃତିକ କୃଷି ପାଇଁ ଓଡ଼ିଶାର ଜଳବାୟୁ ଓ ପାଣିପାଗ ସହାୟକ ହେଉଥିବାରୁ ଏହାକୁ ମିଲେଟ୍‌ ମିଶନ ଭଳି ଏକ ମିଶନରେ ପରିଣତ କରି ଆଗକୁ ନେବାକୁ ହେବ। ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନମାନେ ଏହାର ପ୍ରସାର କରିବାରେ ଏବଂ ଗ୍ରାମ୍ୟ ଅର୍ଥନୀତିକୁ ସଜାଡ଼ିବାରେ ସହାୟକ ହୋଇପାରିବେ।

କୋଭିଡ୍‌ କାଳରେ ବଢ଼ିଥିବା ଆର୍ଥିକ ଓ ସାମାଜିକ ଅସମାନତାରେ ମହିଳା ଓ ବାଳିକାମାନେ ବେଶି ଶିକାର ହୋଇଛନ୍ତି।ଏହାକୁ ଦୂର କରିବା ପାଇଁ ସେମାନଙ୍କର ଆବଶ୍ୟକତାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦିଆଯିବା ସହିତ ତୃଣମୂଳ ସ୍ତରରେ ମହିଳାକୈନ୍ଦ୍ରିକ ଉଦ୍ୟୋଗ ପ୍ରସାର କରାଯିବାର ଆବଶ୍ୟକତା ରହିଛି। ବର୍ଧିତ ବାଲ୍ୟବିବାହର ମୁକାବିଲା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାଗୁଡ଼ିକୁ ସକ୍ରିୟ କରିବା ସହିତ ପଞ୍ଚାୟତ ସ୍ତରରେ ଥିବା କମିଟିକୁ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି।

ଆଦିବାସୀ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ବୈଷମ୍ୟ ଦେଖାଯାଉଥିବା ବେଳେ ସେହି ଅଞ୍ଚଳରେ ବିଭିନ୍ନ ପ୍ରକାର ଖଣିଜର ଅସରନ୍ତି ଭଣ୍ଡାର ରହିଛି। ତାହା ସହ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରହିଛି, ଯାହାକୁ ଆର୍ଥନୀତିକ ଓ ସାମାଜିକ ବୈଷମ୍ୟ ଦୂରୀକରଣରେ ବିନିଯୋଗ କରାଯାଇପାରିବ। ମୂଳତଃ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ, ଗ୍ରାମ୍ୟ ଉଦ୍ୟୋଗ ବିକାଶ ଦିଗରେ କାର୍ଯ୍ୟ କରାଗଲେ ଗ୍ରାମୀଣ ଜୀବନ ଜୀବିକା ସୁରକ୍ଷା ଦିଗରେ ସହାୟକ ହୋଇପାରିବ। ସରକାରୀ ସ୍ତରରେ ଏସବୁ ପାଇଁ ହେଉଥିବା କାର୍ଯ୍ୟ ଖସଡ଼ାର ସଫଳ ରୂପାୟନ ପାଇଁ ଗୋଷ୍ଠୀ ସଂପୃକ୍ତି ଓ ପଞ୍ଚାୟତର ସଂପୃକ୍ତି ଯଥା ଉପଯୁକ୍ତ ଯୋଜନା ପ୍ରଣୟନ ଏବଂ ତହିଁର କାର୍ଯ୍ୟକାରିତାର ଆବଶ୍ୟକତା ରହିଛି। ଦୁର୍ଗମ ଅଞ୍ଚଳରେ ସାମାଜିକ ସଂଗଠନମାନେ ଏହି କାର୍ଯ୍ୟକ୍ରମ ରୂପାୟନରେ ସହାୟକ ହୋଇପାରିବେ। ଗୋଷ୍ଠୀ ସ୍ତରରେ ଅସମାନତା ଦୂରୀକରଣ ପାଇଁ ଗୋଷ୍ଠୀ ସଂଗଠନଗୁଡ଼ିକର ଦକ୍ଷତା, ବିଶେଷ କରି ଯୁବକଯୁବତୀମାନଙ୍କର ସାମର୍ଥ୍ୟ ବିକାଶ ଦିଗରେ ସାମାଜିକ ସଂଗଠନମାନେ କାର୍ଯ୍ୟ କରିପାରିବେ।

ଏହି ସମାବେଶରେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକ, ସମାଜସେବୀ ଡକ୍ଟର ଭଗବାନ ପ୍ରକାଶ, ଡକ୍ଟର ରାଜେଶ ଟଣ୍ଡନ ଓ ପ୍ରଫେସର ଅମିତାଭ କୁଂଡୁଙ୍କ  ସମେତ ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *