Wednesday , August 4 2021
Breaking News
Home / ବିଶେଷ / ଓଡ଼ିଶାର ସାମଗ୍ରିକ ଓ ସମତୁଲ ବିକାଶ ପାଇଁ ଆମ ରାଜ୍ୟ ସାମ୍ନାରେ ଅନେକ ଆହ୍ୱାନ..

ଓଡ଼ିଶାର ସାମଗ୍ରିକ ଓ ସମତୁଲ ବିକାଶ ପାଇଁ ଆମ ରାଜ୍ୟ ସାମ୍ନାରେ ଅନେକ ଆହ୍ୱାନ..

ଓଡ଼ିଶାର ସାମଗ୍ରିକ ଓ ସମତୁଲ ବିକାଶ ପାଇଁ ଆମ ରାଜ୍ୟ ସାମ୍ନାରେ ଅନେକ ଆହ୍ୱାନ.. ଓଡ଼ିଶା ବିକାଶର ଦାୟିତ୍ୱ କେବଳ ସରକାରର ନୁହେଁ, ବରଂ ଆମ ସମସ୍ତଙ୍କର… ରାଜ୍ୟ ପାଇଁ ଅଳ୍ପ କିଛି ଗଠନମୂଳକ ପ୍ରସ୍ତାବ ରହିଛି… ସମୟ ମିଳିଲେ ନିଶ୍ଚୟ ସମ୍ପୂର୍ଣ୍ଣ ପଢ଼ିବେ ଆଶା, କିଛି ନିଶ୍ଚିତ ଗ୍ରହଣଯୋଗ୍ୟ ହେବ… ଆଗକୁ ଆହୁରି କିଛି ପ୍ରସ୍ତାବ ରହିବ !

୧) ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅତି ବୃହତ୍ତ, ବୃହତ୍ତ ଓ ମଧ୍ୟମ ଶିଳ୍ପ ସଂସ୍ଥା ଗୁଡ଼ିକରେ ଓଡ଼ିଆ ଯୁବକ ଯୁବତୀ ମାନଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ରହିଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ ! ପ୍ରତ୍ୟକ୍ଷ ଭାବେ ଶିଳ୍ପ ସଂସ୍ଥାରେ ଓଡ଼ିଆଙ୍କୁ ନିଯୁକ୍ତି ପାଇଁ ଶିଳ୍ପମାନେ ଦେଇଥିବା ପ୍ରତିଶୃତି ଓ ପ୍ରକୃତ ନିଯୁକ୍ତିର ତୁରନ୍ତ ସମୀକ୍ଷା କରାଯାଉ| ଆସନ୍ତା କିଛି ବର୍ଷ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରୁଥିବା ଉତ୍ପାଦନ ଓ ସେବା ଭିତ୍ତିକ ଶିଳ୍ପାୟାନକୁ ରାଜ୍ୟର ପ୍ରତ୍ୟେକଟି ଜିଲ୍ଲାରେ ପ୍ରାଥମିକତା ଦିଆଯିବା ଉଚିତ ! ୨) ଓଡ଼ିଶାର କିଛି ବଡ଼ ଜିଲ୍ଳାରେ ପ୍ରଶାସନିକ ସୁପରିଚାଳନା, ସୁଶାସନ ବ୍ୟବସ୍ଥାକୁ ଉତ୍ତମ ତଦାରଖ ଓ ଅଧିକ ଲୋକାଭିମୁଖୀ କରିବା ପାଇଁ ଅଧିକ ଜନସଂଖ୍ୟା ଓ ଆୟତନ ବିଶିଷ୍ଟ କିଛି ଉପଖଣ୍ଡ ବା ସବ-ଡିଭିଜନ କୁ ନୂତନ ଜିଲ୍ଲାରେ ପରିଣତ କରିବାର ନିହାତି ଆବଶ୍ୟକତା ରହିଛି ! ୩) ମେଡ଼ିକାଲ କଲେଜ ଥିବା ବା ନିର୍ମାଣାଧୀନ ଥିବା ସମସ୍ତ ଜିଲ୍ଲାକୁ ଛାଡ଼ି, ଓଡ଼ିଶାର ଅନ୍ୟ ପ୍ରତ୍ୟେକଟି ଜିଲ୍ଳାରେ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଖୋଲାଯିବା ଆବଶ୍ୟକ! ଯେଉଁ ଜିଲ୍ଲାରେ ଡି.ଏମ.ଏଫ (ଜିଲ୍ଳା ଖଣିଜ ପ୍ରତିଷ୍ଠାନ) ପାଣ୍ଠି କିମ୍ବା ସି.ଏସ. ଆର (କର୍ପୋରେଟ ସାମାଜିକ ଦାୟିତ୍ୱବୋଧ) ପାଣ୍ଠି ଅଧିକ ନାହିଁ ବଜେଟରେ ଏହି ସବୁ ଜିଲ୍ଳା ପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ କରାଯାଇ ଏଗୁଡିକ ହେବା ଉଚିତ ! ନିର୍ମାଣ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ଥାନରେ ସହଯୋଗ କରିବେ ତାହା ସହଜସାଧ୍ୟ ହେବ, କିନ୍ତୁ ଯେଉଁଠି କେନ୍ଦ୍ରର ସାହାଯ୍ୟ ମିଳିବ ନାହିଁ ନିଜ ଅର୍ଥରେ ରାଜ୍ୟ ସେ ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ନିର୍ମାଣ କରାଯାଇପାରିବ ! ୪) ରାଜ୍ୟର ପ୍ରତ୍ୟେକଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତି କମରେ ୨ ଜଣ ଏମ.ବି.ବି.ଏସ ଡାକ୍ତର ଓ ପ୍ରତ୍ୟେକଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତି କମରେ ୫ ଜଣ ଏମ.ବି.ବି.ଏସ କିମ୍ବା ସ୍ପେସିଆଲିଷ୍ଟ ଡାକ୍ତର ନିଯୁକ୍ତ ରହିବା ଆବଶ୍ୟକ ! ଦୁଃଖର କଥା ବହୁତ ସାଂଖ୍ୟାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କେବଳ ଜଣେ ଆୟୁଷ ଡାକ୍ତରରେ ଚାଲିଛି, ଏମ.ବି.ବି.ଏସ ବା ସ୍ପେସିଆଲିଷ୍ଟ ଡାକ୍ତର କେଉଁଠି ଡେପୁଟେସନରେ ଜିଲ୍ଳା ଡାକ୍ତରଖାନକୁ ଯାଇଛନ୍ତି ତ କେଉଁଠି ଉଚ୍ଚ ଶିକ୍ଷା କିମ୍ବା ବଡ଼ ସହରରେ ଘରୋଇ ହସ୍ପିଟାଲରେ ଚାକିରି ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଛାଡୁଛନ୍ତି ! ଏହାର ସ୍ଥାୟୀ ସମାଧାନ ପାଇଁ ଅନେକ ବଳିଷ୍ଠ ଓ କଠୋର ନିଷ୍ପତ୍ତି ନେବା ସହ ତୃଣମୂଳ ବା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଓ ଆବଶ୍ୟକୀୟ ମାନବ ସମ୍ବଳ ନିଯୁକ୍ତ କରିବା ଉଚିତ ! ୫) ରାଜ୍ୟରେ କୃଷି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରତି ଜିଲ୍ଲାର ପ୍ରତ୍ୟେକ ବ୍ଲକସ୍ତରରେ ସରକାରୀ-ଘରୋଇ ସହଭାଗିତା ବା ପି.ପି.ପି ଢ଼ାଞ୍ଚାରେ ଶୀତଳ ଭଣ୍ଡାର (କୋଲଡ଼ ଷ୍ଟୋର) ନିତାନ୍ତ ଆବଶ୍ୟକ | ନିର୍ମାଣ, ସୁପରିଚାଳନା, ବ୍ୟବସାୟିକ ଦୃଷ୍ଟିରୁ ସଫଳତା ଓ କୃଷକମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରାଯାଇ, ପୂର୍ବ ସଫଳତା ଓ ବିଫଳତାରୁ ଶିଖି ସମଗ୍ର ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣକୁ ଆନ୍ଦୋଳନ ଭଳି ଆରମ୍ଭ କରିବାକୁ ପଡ଼ିବ ! କିଛି ମାସ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ନଥିବାରୁ, ମୋ ଗାଁରୁ ଶତାଧିକ ବସ୍ତା ଆଳୁ (ମୋ ପରିବାର ଦ୍ୱାର ଚାଷ ହୋଇଥିବା ଆଳୁ ଅନ୍ତର୍ଭୁକ୍ତ) କୁ ଟ୍ରକ ଯୋଗେ ପ୍ରାୟ ୬0 କିମି ଦୂର କଟକ ଜିଲ୍ଳା ଜଗତପୁର ଶୀତଳ ଭଣ୍ଡାରକୁ ପଠାଇବାକୁ ପଡ଼ିଲା ! ଏମିତି ଅବସ୍ଥା ଅନେକ ଅଞ୍ଚଳରେ… ୬) ସଠିକ ଜଳ ସେଚନ ବ୍ୟବସ୍ଥା ବିନା କୌଣସି ରାଜ୍ୟର କୃଷି ଓ କୃଷକଙ୍କର ଉନ୍ନତି ସମ୍ଭବ ନୁହେଁ | ସାରା ରାଜ୍ୟରେ କେନାଲ ଜଳସେଚନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପଡ଼ିବ, ଅନେକ ଅଞ୍ଚଳରେ ନଦୀରେ ପାଣି ଅଛି ମାତ୍ର ନଦୀ ପାର୍ଶ୍ୱସ୍ଥ କେନାଲ ସମ୍ପୂର୍ଣ୍ଣ ଶୁଷ୍କ, ଯାହା ଫଳରେ କୃଷି ଲାଭଜନକ ହୋଇପାରୁନାହିଁ ! ଚାଷ ଜମିରେ ଜଳସେଚନର ସୁପରିଚାଳନା ପାଇଁ ରହିଥିବା ପାଣି ପଞ୍ଚାୟତ ଗୁଡ଼ିକ ପ୍ରକୃତ ଚାଷୀଙ୍କ ବଦଳରେ ଠିକାଦାରମାନଙ୍କ କବଳରେ! ମିଶନ ଶକ୍ତି ଢାଞ୍ଚାରେ ରାଜ୍ୟର ସମସ୍ତ ପାଣି ପଞ୍ଚାୟତ ଗୁଡିକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରିବାକୁ ପଡ଼ିବ! ୭) ସରକାରଙ୍କର ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡିକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ, ଗରିବ ଲୋକଙ୍କର ପ୍ରତ୍ୟେକଟି ପ୍ରାପ୍ୟ ଓ ଅଧିକାରକୁ ସମ୍ପୂର୍ଣ ଭାବେ ପ୍ରଦାନ କରିବା ଓ ଗରିବୀ ସୀମା ରେଖା ତଳେ ଥିବା ପ୍ରତ୍ୟେକ ପରିବାର ଓ ବ୍ୟକ୍ତିର ଶସକ୍ତିକରଣ ପାଇଁ ସରକାରୀ ବ୍ୟବସ୍ଥା ବା ବ୍ୟକ୍ତି ବିଶେଷଙ୍କ ପାଖରୁ ପି.ସି ବ୍ୟବସ୍ଥା ( ପି. ସି. ସିଷ୍ଟମ ) କୁ ଶେଷ କରିବାକୁ ପଡ଼ିବ ! ପି. ସି. ବ୍ୟବସ୍ଥା ବିରୁଦ୍ଧରେ କିଛି ବର୍ଷ ପୂର୍ବେ ଘୋଷଣା ହୋଇଥିବା ଲଢ଼େଇକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଅନେକ ନିଷ୍ଠା, ତ୍ୟାଗ, ପରିଶ୍ରମ, ଇଚ୍ଛା ଶକ୍ତି, ସହଯୋଗ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ! ଏହା ଏକ ବିରାଟ ଆହ୍ୱାନ, ଓଡ଼ିଶାରୁ ଗରିବୀକୁ ହଟାଇବା ପାଇଁ ! ୮) ଓଡ଼ିଶାରେ ଏକ ସୁଦୃଢ଼ ବିକଳ୍ପ ରାଜସ୍ବ ସଂଗ୍ରହ ବ୍ୟବସ୍ଥା ତିଆରି କରି ଓଡ଼ିଶାକୁ ମଦ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯିବା ଉଚିତ ! ଅର୍ଥାତ ସମଗ୍ର ଓଡ଼ିଶାରେ ମଦ ବନ୍ଦ ର ଆବଶ୍ୟକତା ରହିଛି ! ଦୃଢ଼ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି, ସବୁ ସାମାଜିକ ଶ୍ରେଣୀର ଉଦ୍ୟମ ଓ ସହଯୋଗରେ ଏହା ସମ୍ଭବ! ୯) କେନ୍ଦ୍ର ସରକାରଙ୍କ ଉପରେ ଏକ ବିରାଟ ସମ୍ମିଳିତ ଚାପ ସୃଷ୍ଟି କରାଯାଇ କେତୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅନେକ ଗୁଣ ଅଧିକ ବିକାଶ କରିବାକୁ ହେବ – ରାଜ୍ୟର ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ଅଧିକରୁ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ପଡ଼ିବ ! ଛୋଟ ହେଉ ବା ବଡ଼ ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା କିଛି ବର୍ଷରେ ଗୋଟିଏ ଲେଖାଏଁ ବ୍ୟାଙ୍କ ଶାଖା ନିହାତି ଦରକାର ! ମୋବାଇଲ ନେଟୱାର୍କ ରହୁନଥିବା ଓଡ଼ିଶାର ସବୁ ଅଞ୍ଚଳରେ ନୂଆ ମୋବାଇଲ ଟାୱାର ର ଆବଶ୍ୟକତାକୁ ଗୁରୁତ୍ୱର ସହ ବିଚାର କରାଯାଉ! ରାଜ୍ୟର ସବୁ ପଞ୍ଚାୟତ କାର୍ଯ୍ୟାଳୟ, ଗ୍ରାମାଞ୍ଚଳର ସବୁ ସରକାରୀ କାର୍ଯ୍ୟାଳୟ, ସବୁ ବିଦ୍ୟାଳୟକୁ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଯୋଗାଯୋଗକୁ ପ୍ରାଥମିକତ ଦେବାକୁ ପଡ଼ିବ ଓଡ଼ିଶାର ଅତି ଗୁରୁତ୍ୱପୂର୍ଣ୍ଣ ସାମାଜିକ ରେଳ ପ୍ରକଳ୍ପ ଯାହା ବଲାଙ୍ଗିର, ସୋନପୁର, ବୌଦ୍ଧ, ନବରଙ୍ଗପୁର, ମାଳାକାନଗିରି ଭଳି ଜିଲ୍ଲାକୁ ରାଜାଧାନୀ ସହ ଯୋଡିବ ସେଗୁଡିକୁ ଅତି ଶୀଘ୍ର ସାରିବା ପାଇଁ ଆନ୍ତରିକ ଚେଷ୍ଟା ଦରକାର ! ୧0) ରାଜ୍ୟର ସମସ୍ତ ଜିଲ୍ଳାର ଉପଖଣ୍ଡ ବା ସବ ଡ଼ିଭିଜନ ଓ ଜିଲ୍ଳା ସଦର ମହକୁମାକୁ ରାଜ୍ୟ ରାଜାଧାନୀକୁ ଯୋଡୁଥିବା ପ୍ରମୁଖ ରାସ୍ତାଗୁଡ଼ିକୁ ୪ ଥାକିଆ (୪ ଲେନ) ବିଶିଷ୍ଟ କରିବାର ଆବଶ୍ୟକତା ରହିଛି ! ରାଜ୍ୟର ରାଜାଧାନୀ ପୂର୍ବ ଓଡ଼ିଶାରେ ରହିଥିବାରୁ ଦକ୍ଷିଣ-ମଧ୍ୟ-ପଶ୍ଚିମ-ଉତ୍ତର ଓଡ଼ିଶା ରେ ଥିବା ଜିଲ୍ଳାବାସୀ ଙ୍କର ଠିକ ସମୟରେ, ସୁରକ୍ଷିତ ଭାବେ ରାଜ୍ୟ ରାଜାଧାନୀରେ ପହଞ୍ଚିବା ଏକ ସର୍ବନିମ୍ନ ଆବଶ୍ୟକତା! ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଳା ଓ ରାଜାଧାନୀ ମଧ୍ୟରେ ଯାତାୟତ ବା ଗମାନାଗମନ ପାଇଁ ଅନ୍ୟ ଏକ ରାଜ୍ୟ ଆନ୍ଧ୍ର ପ୍ରଦେଶ ମଧ୍ୟ ଦେଇ ଆସିବାକୁ ଅନେକ ପସନ୍ଦ କରୁଛନ୍ତି ! ୧୧) ରାଜ୍ୟରେ ଥିବା ସମସ୍ତ ପୁରୁଣା ଶିଳ୍ପାଞ୍ଚଳ (ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ) ଗୁଡ଼ିକୁ ବ୍ୟାପକ ଭାବେ ପୁନଃରୁଦ୍ଧାର କରିବାର ଆବଶ୍ୟକତା ରହିଛି ! ଭିତ୍ତିଭୂମିଠୁ ଆରମ୍ଭକରି ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ରାଜ୍ୟର ସମସ୍ତ ମଧ୍ୟମ-କ୍ଷୁଦ୍ର-ଲଘୁ ଶିଳ୍ପଦ୍ୟୋଗୀ ସଂଘ ଓ ଉଦ୍ୟୋଗୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ତ ଶିଳ୍ପାଞ୍ଚଳର ନବକଳେବର କରିବା ନିହାତି ଦରକାର | ଏଥି ସହ ଜିଲ୍ଳା, ସବ ଡିଭିଜନ, ପୌରାଞ୍ଚଳ, ବ୍ଲକ ଅଞ୍ଚଳରେ ଯେଉଁଠି ସମ୍ଭବ ନୂତନ ଶିଳ୍ପାଞ୍ଚଳ (ଇଣ୍ଡାଷ୍ଟ୍ରିଆଲ ଇଷ୍ଟେଟ)ର ଆବଶ୍ୟକତା ରହିଛି, ଏହା କେବଳ ଘୋଷଣା ବା ପରିକଳ୍ପନା ମଧ୍ୟରେ ସୀମିତ ନରହି ବାସ୍ତବତାର ରୂପ ନେଉ ! ମଧ୍ୟମ-କ୍ଷୁଦ୍ର-ଲଘୁ ଉଦ୍ୟୋଗ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାରେ ଶହ ଶହ ବେକାର ଯୁବକଯୁବତୀ ଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ମିଳିବ ! ଗତ ଲକଡାଉନ ସମୟରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଶହ ଶହ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବା ସମୟରେ ଗ୍ରାମ ପଞ୍ଚାୟତ ସ୍ତରରୁ ସେମାନଙ୍କର ଦକ୍ଷତା ମ୍ୟାପିଙ୍ଗ (ସ୍କିଲ ମ୍ୟାପିଙ୍ଗ) କରାଯିବା ପାଇଁ ଆମ ତରଫରୁ ପ୍ରସ୍ତାବ ଦିଆଯାଇଥିଲା | ଏହା ଦ୍ୱାରା ଅତି କୁଶଳୀ, କୁଶଳୀ, ଅର୍ଦ୍ଧ କୁଶଳୀ, ଅଣ କୁଶଳୀ ପ୍ରବାସୀ ଶ୍ରମିକ ମାନଙ୍କୁ ଚିହ୍ନଟ କରି ନିଜ ଅଞ୍ଚଳ, ଜିଲ୍ଳା ବା ରାଜ୍ୟ ଭିତରେ ସେମାନଙ୍କୁ ଦକ୍ଷତା ଅନୁଯାୟୀ ନିଯୁକ୍ତି ଦିଆଯାଇ ପାରିବ! ଆବଶ୍ୟକତା ଅନୁସାରେ ରି – ସ୍କିଲିଙ୍ଗ କରାଯାଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ଓଡ଼ିଆ ବେକାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୋଇପାରିବ ! ୧୨) ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଖାଲି ହୋଇ ଚାଲିଥିବା କର୍ମଚାରୀ ମାନଙ୍କର ସ୍ଥାନକୁ ତୁରନ୍ତ ପୂରଣ କରାଯିବା ସହ ସବୁଠି ବ୍ୟାପକ ଭାବେ ଅଧିକ କର୍ମଚାରୀ ନିଯୁକ୍ତିର ଆବଶ୍ୟକତା ରହିଛି ! ଜନସଂଖ୍ୟା ବଢିବା ସହ ନୂତନ ଯୋଜନା ଗୁଡିକର ସଫଳ ରୂପାୟାନ ନିମନ୍ତେ ଅଧିକ ସଂଖ୍ୟକ ଦକ୍ଷ ତଥା ଯୋଗ୍ୟ ମାନବ ସମ୍ବଳର ଆବଶ୍ୟକତା ରହିଛି ! ସରକାରୀ ନିଯୁକ୍ତି ପ୍ରତ୍ୟେକ ବର୍ଷ ହେଉଛି ମାତ୍ର ସେଗୁଡିକର ପରିମାଣ ଆବଶ୍ୟକତାଠୁ ଅନେକ କମ ! ଓଡ଼ିଶାର ବେକାର ଶିକ୍ଷିତ ଯୁବ ବର୍ଗଙ୍କୁ ସଠିକ ପରିମାଣରେ ସରକାରୀ ଓ ବେସରକାରୀ ନିଯୁକ୍ତି ସୁଯୋଗ ମିଳିଲେ, ଓଡ଼ିଶାର ପ୍ରଗତିର ଧାରା ଦ୍ରୁତ ଗତିରେ ଚାଲିବ ଓ ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କ ସହ ଓଡ଼ିଶା ଅନେକ କ୍ଷେତ୍ରରେ ସମକକ୍ଷ ହୋଇପାରିବ! ୧୩) ରାଜ୍ୟର ଗ୍ରାମାଞ୍ଚଳରେ ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣି ଯୋଗାଣ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅନେକ ଅସୁବିଧାକୁ ସୁଧାରିବାକୁ ପଡ଼ିବ ! ଅନେକ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ଓଭର ହେଡ଼ ଟ୍ୟାଙ୍କ ଗୁଡିକ ଅଚଳ ହୋଇ ପଡ଼ିଥିବା ବେଳେ କେବଳ ବୋରିଂ ଯୋଗେ ପାଣି ଯୋଗାଣ ହେଉଛି ! ଫଳ ସ୍ୱରୂପ ଅନେକ ଗାଁକୁ ପାଇପ ବିଛଯାଇଥିବା ବେଳେ ସେଠାକୁ ପାଣି ପହଞ୍ଚୁ ନାହିଁ ! ବିଭିନ୍ନ କାରଣରୁ କିଛି ଗାଁକୁ ପାଣି ଯାଉଥିବା ବେଳେ କିଛି ଗାଁକୁ ଆଦୌ ପାଣି ଯାଉନାହିଁ ଯଦିଓ ପାଇପ ବିଛା ଯାଇଛି ! କିଛି ଗାଁରେ ଅନେକ ପରିବାର ପାଣି ପାଉଛନ୍ତି ତ ଅନେକ ପାଉ ନାହାନ୍ତି ! ଅନେକ ଗାଁରେ କୂଅ, ନଳ କୂଅର ଜଳରେ ଅତ୍ୟଧିକ ଲୌହ, ଫ୍ଲୋରାଇଡ଼ ଇତ୍ୟାଦି ବାହାରୁଥିବାରୁ ସେଗୁଡିକ ଅନେକ ବିରାଟ ସ୍ୱାସ୍ଥ୍ୟ ବିପତ୍ତି ସୃଷ୍ଟି କରୁଛି! ରାଜ୍ୟର ପ୍ରତ୍ୟେକ ଗାଁର ପ୍ରତ୍ୟେକ ପଡ଼ାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପିଇବା ପାଣି ପାଇପ ଯୋଗେ ଯୋଗାଇବା ଆମ ପାଇଁ ବିରାଟ ଆହ୍ୱାନ ! ସେହିଭଳି ପରିମଳ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଅନେକ ସ୍ଥାନରେ ସ୍ଥିତି ଏପରି ଯେ ସରକାରୀ ଶୌଚାଳୟ ନିର୍ମାଣ ହୋଇ କାନ୍ଥରେ ଯୋଜନାର ନାମ ସହ ହିତାଧିକାରୀଙ୍କ ନାମ ଲେଖା ଯାଇଛି, ମାତ୍ର ସେହି ଶୌଚାଳୟ କାର୍ଯ୍ୟକ୍ଷମ ନାହିଁ ! କିଛି ସ୍ଥାନରେ ସରକାରୀ ଅର୍ଥରେ ତିଆରି ଶୌଚାଳୟର ନିମ୍ନ ମାନର ନିର୍ମାଣ ଯୋଗୁଁ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଛି ସେଗୁଡିକ ! ଅନେକ ସ୍ଥାନରେ ସରକାରୀ ଯୋଜନାରେ ଶୌଚାଳୟ ନିର୍ମାଣ ପରେ, ସେଗୁଡିକ ଜାଳେଣି ବା ଅନ୍ୟ ଜିନିଷ ରଖିବା ପାଇଁ କ୍ଷୁଦ୍ର ଗୋଦାମ ଘର ପାଲଟି ଯାଇଛି ! ଏସବୁ ସ୍ଥିତିରେ ରାଜ୍ୟର ଗ୍ରାମାଞ୍ଚଳରେ ପାଇପ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ପ୍ରତ୍ୟେକ ଘରେ ବ୍ୟବହାର ହେଉଥିବା ଶୌଚାଳୟ ରହିବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡ଼ିବ! ୧୪) ଆମ ରାଜ୍ୟର ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାରେ ଅନେକ ପରିବର୍ତ୍ତନ ଆବଶ୍ୟକ! ଶିକ୍ଷିତ ବେକାର ବଦଳରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅମୁଲ୍ୟ ରତ୍ନ ଭାବେ ତିଆରି କଲେ ହିଁ ଓଡ଼ିଶାର ବିକାଶ ହେବ! ସବୁ ସ୍କୁଲରେ ଅତିକମରେ ଜଣେ ଲେଖାଏଁ ପ୍ରଶିକ୍ଷିତ କମ୍ପ୍ୟୁଟର ଶିକ୍ଷକ, କ୍ରୀଡା ଶିକ୍ଷକ, ସଙ୍ଗୀତ ଶିକ୍ଷକ, ପ୍ରତି ବିଦ୍ୟାଳୟ କ୍ଲଷ୍ଟରରେ ଜଣେ ଲେଖାଏଁ ସ୍କୁଲ ପ୍ରଫେଶନାଲ ସୋସିଆଲ ୱାର୍କର ନିହାତି ନିଯୁକ୍ତି ପାଇବା ଦରକାର ! ଜାତୀୟ ଶିକ୍ଷା ନୀତି – ୨0୨0 କୁ ସମ୍ପୂର୍ଣ୍ଣ ପ୍ରଚଳନ କରିବା ସହ ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିତ୍ୱ ବିକାଶ, ଏକ୍ସଟ୍ରା କରିକୁଲାର ଆକଟିଭିଟିଜ, ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଇତ୍ୟାଦିରେ ଆମ ପିଲାମାନଙ୍କୁ ଦକ୍ଷ କରିବାକୁ ପଡ଼ିବ ! ଅଙ୍ଗନବାଡିରେ ମଧ୍ୟ ଅନେକ ଢାଞ୍ଚାଗତ ପରିବର୍ତ୍ତନ କରାଗଲେ ଅନେକ ସୁପ୍ରଭାବ ପଡ଼ିବ ! ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା ଓ ଗବେଷଣାରୁ ପ୍ରାପ୍ତ ତଥ୍ୟର ବ୍ୟବହାର କ୍ଷେତ୍ରରେ ବ୍ୟାପକ ଗୁଣାତ୍ମକ ଉନ୍ନତି ଆବଶ୍ୟକ ! ୧୫)ଭୁବନେଶ୍ୱର-କଟକ-ପୁରୀ-ରାଉରକେଲା- ସମ୍ବଲପୁର-ବ୍ରହ୍ମପୁର ଭଳି ବଡ଼ ସହର ବା ସବୁ ଜିଲ୍ଲାର ସଦର ମହକୁମା ବା ସହରାଞ୍ଚଳର ବିକାଶକୁ ଦେଖି ରାଜ୍ୟର ବିକାଶକୁ ପରଖିବା ଉଚିତ ନୁହେଁ ଆମେ ! ପାହାଡ଼ ପର୍ବତ ଜଙ୍ଗଲ ଘେରା ଦକ୍ଷିଣ-ଉତ୍ତର-ମଧ୍ୟ-ପଶ୍ଚିମ ଓଡ଼ିଶାର ଜିଲ୍ଳାମାନଙ୍କର ପଛୁଆ ଓ ମରୁଡ଼ି ପ୍ରଭାବିତ ଅଞ୍ଚଳ, ଉପକୂଳ ତଥା ପୂର୍ବ ଓଡ଼ିଶାର ସର୍ବଦା ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ଥ ଅଞ୍ଚଳର ବିକାଶ ହିଁ ହେଉଛି ପ୍ରକୃତ ଓଡ଼ିଶାର ଚିତ୍ର ! ନାଗଡା଼ ବା କୋଇଡ଼ା ଭଳି ଖଣିଜ ସମ୍ପଦ ଭରା ଅଞ୍ଚଳ ଯାହା ରାଜ୍ୟ ଓ ଦେଶକୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଛି, ସେଠାର ଶିଶୁ ଖାଦ୍ୟ ଓ ପୋଷଣ ଅଭାବରୁ ଅପପୁଷ୍ଟିର ଶିକାର ! ଶହ ଶହ କୋଟି ଟଙ୍କାର ସି.ଏସ.ଆର ଓ ଡି.ଏମ.ଏଫ ଖର୍ଚ୍ଚ ହେଲା ପରେ ମଧ୍ୟ ଗ୍ରାମୀଣ କେନ୍ଦୁଝର, ଯାଜପୁର, କୋରାପୁଟ, ସମ୍ୱଲପୁର, ଝାରସୁଗୁଡା, ଢେଙ୍କାନାଳ, ଅନୁଗୁଳ ଇତ୍ୟାଦି ଶିଳ୍ପ ସମୃଦ୍ଧ ଜିଲ୍ଲାର ପଛୁଆ ବର୍ଗ ଓ ପଛୁଆ ଅଞ୍ଚଳର ବିକାଶ ଦେଖିବାକୁ ପଡ଼ିବ, ଦେଖିବାକୁ ପଡ଼ିବ ମାଲକାନଗିରି, ନବରଙ୍ଗପୁର, ରାୟାଗଡା, ଗଜପତି, କାନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ଦେବଗଡ଼, ମୟୁରଭଞ୍ଜ ଇତ୍ୟାଦି ଜିଲ୍ଳାର ଗ୍ରାମାଞ୍ଚଳରେ ସାଧାରଣ ଲୋକର ସ୍ଥିତି…. ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ପ୍ରଚେଷ୍ଟାରେ ଆମେ ସମସ୍ତେ ସାମିଲ ହେବା !

ବନ୍ଦେ ଉତ୍କଳ ଜନନୀ

କ୍ରମଶଃ…..

                                   -0-

 ତେଜେଶ୍ୱର ପରିଡ଼ା ଅଧ୍ୟକ୍ଷ,

ସେଣ୍ଟର ଫର ପଲିସି, ଗଭରନାନ୍ସ ଏଣ୍ଡ ଆଡ଼ଭୋକେସି (ସିପିଜିଏ)

ଅଧ୍ୟକ୍ଷ, ଯୁବ ଓଡ଼ିଶା

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *