Sunday , June 20 2021
Home / ବିଶେଷ / ଏସସି, ଏସଟି, ଓବିସି ଏଣ୍ଡ ମାଇନରିଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ଦଳିତ ଆଦିବାସୀବର୍ଗଙ୍କ ‘ସ୍ୱାଭିମାନ ସମାବେଶ’

ଏସସି, ଏସଟି, ଓବିସି ଏଣ୍ଡ ମାଇନରିଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ଦଳିତ ଆଦିବାସୀବର୍ଗଙ୍କ ‘ସ୍ୱାଭିମାନ ସମାବେଶ’

ଭୁବନେଶ୍ୱର,୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟର ପ୍ରାୟ ୨କୋଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ବ୍ୟକ୍ତିମାନଙ୍କର ତ୍ୱରିତ ଉନ୍ନତି, ନିର୍ଯ୍ୟାତନା ଓ ଭେଦଭାବମୁକ୍ତ ସମାଜ ଗଠନ କରିବା ଦାବି ରେ ରାଜ୍ୟ ବିଧାନସଭା ସମ୍ମୁଖରେ ସ୍ୱାଭିମାନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏସସି, ଏସଟି, ଓବିସି ଏଣ୍ଡ ମାଇନରିଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ଆୟୋଜିତ ଏହି ସମାବେଶରେ ବିଭିନ୍ନ ଜିଲ୍ଲାରୁ ବହୁସଂଖ୍ୟାରେ ଯୁବଛାତ୍ର, ମହିଳା ପୁରୁଷ ଯୋଗଦାନ କରିଥିଲେ ।

ଲୋୟର ପିଏମଜିଠାରେ ଅନୁଷ୍ଠିତ ଏହି ସମାବେଶରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ, ସେବାନିବୃତ କର୍ମଚାରୀ, ଆଇନଜ୍ଞ ଓ ଶିକ୍ଷାବିତଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଦଳିତ ଆଦିବାସୀବର୍ଗର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଓ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟରେ ବଢି ଚାଲିଥିବା ଜାତିଭିତିକ ନିର୍ଯ୍ୟାତନା ସମ୍ପର୍କରେ ଉଦବେଗ ପ୍ରକାଶ କରି ଏହା ସମ୍ପୂର୍ଣ୍ଣ ବିଲୋପ ନିମନ୍ତେ ଅନୁସୂଚିତ ଜାତି, ଜନଜାତି ନିର୍ଯ୍ୟାତନା ନିବାରଣ ଆଇନକୁ କଡ଼ାକଡ଼ି ଲାଗୁ କରାଯିବାକୁ ଦାବି କରାଯାଇଥିଲା; ବିଶେଷକରି କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ, ନିର୍ଯ୍ୟାତିତ ଓ ସାକ୍ଷୀମାନଙ୍କ ଅଧିକାର ସମୂହର କାର୍ଯ୍ୟକାରିତା, ଯଥା ସମୟରେ ରିଲିଫ ପ୍ରଦାନ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ବର୍ଗର ତ୍ୱରିତ ବିକାଶ ପାଇଁ ଅନୁସୂଚିତ ଜାତି ଉପଯୋଜନା ଓ ଅନୁସୂଚିତ ଜନଜାତି ଉପଯୋଜନାକୁ ଆଇନ ରେ ପରିଣତ କରିବା, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରେ ସଂଖ୍ୟାନୁପାତିକ ସଂରକ୍ଷଣ, ଠିକା ନିଯୁକ୍ତି, ଆଉଟ ସୋର୍ସିଂ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିରେ ସଂରକ୍ଷଣ ବ୍ୟବସ୍ଥା, ଭୂମିହୀନ ପରିବାରଙ୍କୁ ଭୂମି, ବାସହୀନମାନଙ୍କୁ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ମାନର ଗୃହ ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା । ଏହା ବ୍ୟତୀତ ଭେଦଭାବମୁକ୍ତ ଏକକ ଶିକ୍ଷାପ୍ରଣାଳୀ ପ୍ରଣୟନ, ବିପର୍ଯ୍ୟୟ ପରିଚାଳନାରେ ଭେଦାଭବ ଲୋପ କରିବା, ଅଣପାରମ୍ପରିକ ଜଙ୍ଗଲ ଅଧିବାସୀମାନଙ୍କୁ ପଟ୍ଟା ପ୍ରଦାନ, ମହିଳା ଓ ଶିଶୁମାନଙ୍କ ଅତ୍ୟାଚାର ରୋକିବା ପାଇଁ କଡ଼ାକଡ଼ି ବ୍ୟବସ୍ଥା ଆଦି ଦାବି ମଧ୍ୟ ଆଲୋଚନା ହୋଇଥିଲା ।

ଜଏଣ୍ଟ ଆକ୍ସନ କମିଟିର ଦୁଇ ସଂଯୋଜକ ସଂଗ୍ରାମ ମଲିକ ଓ ଅଭିରାମ ମଲ୍ଲିକଙ୍କ ଯୁଗ୍ମ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ସାଂସଦ ମୋହନ ଜେନା, ନୂଆଦିଲ୍ଲୀସ୍ଥ ନ୍ୟାସନାଲ ଦଳିତ ମୁଭମେଂଟଣ୍ଟ ଫର ଜଷ୍ଟିସ ର ସାଧାରଣ ସମ୍ପାଦକ ରମେଶ ନାଥନ ଓ ସହକାରୀ ସୁଶ୍ରୀ ଅବିରାମୀ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଆମ୍ବେଦକର ମହିଳା ମଂଚର ଆଡ଼ଭୋକେଟ ପଦ୍ମିନୀ ନାୟକ, ବସ୍ତିବାସିନ୍ଦା ମଂଚର ଶେଖ ଅବଦୁଲ୍ଲା, ଉକ୍ରଳମଣି ସେବା ସଂଘର ଉମାବତୀ ସାମଲ, ଏକତା ପରିଷଦର ସଭାପତି ବନ୍ଧୁ ସେଠୀ, ବରିଷ୍ଠ ସଂଗଠକ କିସାନ ପଟ୍ଟନାୟକ, ସଞ୍ଜୟ କୁମାର ମଲ୍ଲିକ, ବଟକୃଷ୍ଣ ସାମଲ, ପ୍ରତାପ ସାହୁ, ଆବୁଲ କଲାମ ଆଜାଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂଗ୍ରାମ ମଲିକ, ଯୁଗଳ କିଶୋର ରଣଜିତ, ନୟନା ନାଏକ, ଅନିଲ କୁମାର ମଲ୍ଲିକ, ଲିଙ୍ଗରାଜ ଭୋଇଙ୍କୁ ନେଇ ଏକ ପ୍ରତିନିଧି ଦଳ ସଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବିଷଦ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହା ସହିତ ରାଜସ୍ୱ ସଚିବ ନିକୁଞ୍ଜ ଧଳ ଓ ସାମାଜିକ ସୁରକ୍ଷା ସଚିବ ନୀତିନଚନ୍ଦ୍ରାଙ୍କୁ ଭେଟି ଆଲୋଚନା କରି ଦାବି ଗୁଡ଼ିକ ଉପସ୍ଥାପିତ କରିଥିଲେ । ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରୁ ପ୍ରତିନିଧିମାନେ ଏହି ସମାବେଶରେ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *