Tuesday , August 3 2021
Breaking News
Home / ବିଶେଷ / ଆରଟିଓମାନଙ୍କ ସହ ଭିଡିଓ କନଫରେନ୍ସିଂ ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଆରଟିଓମାନଙ୍କ ସହ ଭିଡିଓ କନଫରେନ୍ସିଂ ରେ କଥା ହେଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ଆସନ୍ତା ୧୫ ଦିନ ମଧ୍ୟରେ ଆରଟିଓ ଅଫିସ୍ ଗୁଡିକୁ ସମ୍ପୂର୍ଣ୍ଣ ଦଲାଲ୍ ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି । ଏହାସହ ଟ୍ରାଫିକ୍ ଆଇନର ସଫଳ କାର୍ଯ୍ୟକାରୀତା ଓ ସଡକ ସୁରକ୍ଷା ପାଇଁ ସବୁ ବିଭାଗ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଦ୍ଧେଶରେ କହିଛନ୍ତି । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ , ଏସପି ଓ ଆରଟିଓ ମାନଙ୍କ ସହ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଆଲୋଚନା କରିଥିଲେ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧାପାଇଁ ଅଧିକ କାଉଂଟର ଖୋଲିବା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅପରପକ୍ଷରେ ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କରୁଥିବା , ନିଶା ସେବନ କରି ଗାଡି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ  । ଏଥିପାଇଁ ନିୟମିତ କଡାକଡି ଯାଂଚ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସଡକ ଦୁର୍ଘଟଣା ସମୟରେ ଆହତ ବ୍ୟକ୍ତିମାନଙ୍କର ଆଶୁ ଚିକିତ୍ସା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏଦିଗର ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସଡକ ସୁରକ୍ଷା ତଥା ଟ୍ରାଫିକ୍ ଆଇନ ସମ୍ପର୍କରେ ଜନସଚେତନତା ହିଁ ଦୁର୍ଘଟଣାକୁ ରୋକି ପାରିବ । ତେଣୁ ସ୍କୁଲ , କଲେଜ ଠାରୁ ଆରମ୍ଭ କରି ରାସ୍ତା ମାନଙ୍କରେ ଲୋକଙ୍କୁ ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ  । ଏଥିପାଇଁ ପରିବହନ ବିଭାଗ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ  । ଗାଡିର କାଗଜପତ୍ର , ଡ୍ରାଇଭିଂ ଲାଇସେନ୍ସ ଆଦି ଯେପରି ଲୋକମାନେ ସୁବିଧାରେ କରିପାରିବେ ତାକୁ ଦୃଷ୍ଟିରେ ରଖି ଆରଟିଓ ଅଫିସ୍ ମାନଙ୍କରେ ଅଧିକ କାଉଂଟର ଖୋଲିବା ସହ ଗ୍ର୍ରାମାଂଚଳରେ ଶିବିର ମାନ ଆୟୋଜନ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ଭିଡିଓ କନଫରେନ୍ସି ସମୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପରାମର୍ଶଦାତା ଆର ବାଲା କ୍ରଷ୍ଣନ୍ , ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ , ପୋଲିସ୍ ମହାନିର୍ଦ୍ଧେଶକ ବି କେ ଶର୍ମା , ବିଭାଗୀୟ ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କ ୫-ଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ  । ଓଡ଼ିଶା ସମାଚାର

About admin

Check Also

ବୃଦ୍ଧାଶ୍ରମରେ ସହଯୋଗ ତରଫରୁ ଖାଦ୍ୟ , ମାସ୍କ ବଂଟନ ଓ ସଚେତନତା କାର୍ଯ୍ୟକ୍ରମ

ନିରାକାରପୁର, ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ରବିବାର ସେବାରେ ରାମେଶ୍ୱର ପଂଚାୟତ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରମ …

Leave a Reply

Your email address will not be published. Required fields are marked *