Thursday , June 17 2021
Breaking News
Home / ବିଶେଷ / ଆକସ୍ମିକ ପାଣ୍ଠି ଭରଣା ପାଇଁ ପ୍ରଥମ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଆକସ୍ମିକ ପାଣ୍ଠି ଭରଣା ପାଇଁ ପ୍ରଥମ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଓଡିଶା ଆକସ୍ମିକ ପାଣ୍ଠିରୁ ଅଗ୍ରିମ ଅର୍ଥ ଭରଣା ନିମିତ ପ୍ରଥମ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ୨୦୧୯-୨୦ ଉପସ୍ଥାପନ କରିଛନ୍ତି । ଗତ ୨୦୧୮- ୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ପାଣ୍ଠିରୁ ୪ଟି ବିଭାଗକୁ ଦିଆଯାଇଥିବା ମୋଟ ୧,୪୪୩.୧୨୪୪ କୋଟି ଟଙ୍କା ଅଗ୍ରୀମ ଭରଣା ହୋଇପାରିନାହିଁ । ଓଡିଶା ଆକସ୍ମିକ ପାଣ୍ଠିର କର୍ପସ୍ ୪୦୦ କୋଟି ଟଙ୍କା କାଳିଆ ଯୋଜନା ଅଧୀନରେ କୃଷକ ମାନଙ୍କୁ ଜରୁରୀ କାଳୀନ ସହାୟତା ରାଶି ପ୍ରଦାନ କରିବାପାଇଁ ଏହାର ପରିମାଣକୁ ଗତ ଜାନୁଆରୀ ୧୧ ତାରିଖରେ ଓଡିଶା ଆକସ୍ମିକ ପାଣ୍ଠି (ସଂଶୋଧନ ଅଧ୍ୟାଦେଶ- ୨୦୧୯) ବଳରେ ୧୨୦୦ କୋଟି ଟଙ୍କା ବୃଦ୍ଧି କରାଯାଇ ମୋଟ୍ ୧୬୦୦ କୋଟିଟଙ୍କା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଓଡିଶା ବଜେଟ୍ ମାନୁଆଲ୍ ନିୟମ ୨୯ ଅନୁସାରେ ବଜେଟ୍ ରେ ଅର୍ଥ ବରାଦ ଓ ଅନୁମୋଦନ ପୂର୍ବରୁ ନୂତନଯୋଜନା ତଥା ସେବା ବାବଦକୁ ଆବଶ୍ୟକୀୟ ଖର୍ଚ୍ଚ ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଆକାରରେ ମେଂଟା ଯିବାର ବ୍ୟବସ୍ଥାରହିଛି । ପରବର୍ତୀ କାଳରେ ବିଧାନସଭାର ପୁର୍ନ ବୈଠକ ୬ ସପ୍ତାହ ବିତି ଯାଇଥିବାରୁ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଉପରୋକ୍ତ ଅଧ୍ୟାଦେଶ ଟିର ଅବଧି ଗତ ମାର୍ଚ୍ଚ ୧୮ ତାରିଖରେ ଶେଷ ହୋଇଛି । ଏହିକ୍ରମରେ ଆକସ୍ମିକ ପାଣ୍ଠିର କର୍ପସ୍ କମିଯାଇ ୪୦୦ କୋଟି ଟଙ୍କା ହୋଇଛି । ବର୍ତମାନ ଯଦି ପାଣ୍ଠିରୁ ମଂଜୁର ହୋଇଥିବା ଅଗ୍ରୀମ ପରିମାଣକୁ ଭରଣା କରାନଯାଏ ତେବେ ସମ୍ପୂର୍ଣ୍ଣ କର୍ପସ୍ ଶେଷ ହୋଇଯାଇଥିବା ହେତୁ ଭବିଷ୍ୟତରେ କୌଣସି ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ ଏହି ପାଣ୍ଠିରୁ ଅଗ୍ରୀମ ଅର୍ଥ ମଂଜୁର କରାଯାଇପାରିବ ନାହିଁ । ତେଣୁ ଆକସ୍ମିକ ପାଣ୍ଠିରୁ ୧,୪୪୩.୧୨୪୪ କୋଟି ଟଙ୍କା ଅଗ୍ରୀମ ଭରଣା ନିମିତି ସ୍ୱତନ୍ତ୍ର ଅତିରିକ୍ତି ବ୍ୟୟ ତାଲିକା ୨୦୧୯-୨୦ ଉପସ୍ଥାପନ କରିବାର ଆବଶ୍ୟକତା ଅନୁଭବ କରାଗଲା ବୋଲି ଅର୍ଥମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି । ଆକସ୍ମିକ ପାଣ୍ଠିରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଅର୍ଥ ଦିଆଯାଇଥିଲା । ରାଜସ୍ୱ ବିଭାଗକୁ ୬.୩୨୮୦କୋଟି ଟଙ୍କା ଦିଆଯାଇଥିବା ବେଳେ , କୃଷି ବିଭାଗକୁ ୧୨୪୪ , ୬୬୦୦ କୋଟି ଟଙ୍କା , ମତ୍ସ୍ୟ ସମ୍ପଦ ବିଭାଗକୁ ୨୨.୭୩୦୦ କୋଟି ଟଙ୍କା ଏବଂ ସାମାଜିକ ସୁରକ୍ଷା ବିଭାଗକୁ ୧୬୯.୪୦୬୪ କୋଟି ଟଙ୍କା ଦିଆଯାଇଥିଲା । ଅନୁକମ୍ପା ସହାୟତା , ଦଙ୍ଗା ପ୍ରପୀଡିତଙ୍କୁ ସହାୟତା ପ୍ରଦାନ , କାଳିଆ ଯୋଜନା , ଦୁଗ୍ଧ ଉତ୍ପାଦନ , ମତ୍ସ୍ୟ ଓ କୁକୁଡା ପାଳନ ପାଇଁ ଇନପୁଟ୍ ସହାୟତା ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଅଧୀନରେ ପେନସନ୍ ପ୍ରଦାନ ପାଇଁ ଏହି ଅର୍ଥ ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *