Thursday , June 17 2021
Home / ବିଶେଷ / ଅପରାଧମୁକ୍ତ ହେବ ଟ୍ରେନ୍ ଓ ଷ୍ଟେସନ

ଅପରାଧମୁକ୍ତ ହେବ ଟ୍ରେନ୍ ଓ ଷ୍ଟେସନ

 କିନ୍ନରଙ୍କୁ ସଚେତନ ଲାଗି ସ୍ୱତନ୍ତ୍ର ଟିମ୍ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ରେ ସିସିଟିଭି ବ୍ୟବସ୍ଥା
ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଚଳନ୍ତା ଟ୍ରେନ ଓ ରେଳଷ୍ଟେସନରେ ହେଉଥିବା ଚୋରି, ଲୁଟ ଭଳି ଅପରାଧକୁ ରୋକିବା ସହ ଅପରାଧୀଙ୍କ ଉପରେ ନଜର ରଖିବା ଲାଗି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ରେ ସିସିଟିଭି ଲଗାଯିବ । ଏଥିସହିତ ନିଶା କାରବାର ଓ ମାନବ ଚାଲାଣ ରୋକିବା ଏବଂ ଯାତ୍ରୀଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଟ୍ରେନ ଓ ରେଳଷ୍ଟେସନକୁ ଅପରାଧମୁକ୍ତ କରାଯିବ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।
ଭୁବନେଶ୍ୱର କ୍ୟାମ୍ପ ଅଫିସରେ ରେଳସୁରକ୍ଷା ନେଇ ପୁଲିସ ଡିଜି ଡାକ୍ତର ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ରାଜ୍ୟସ୍ତରୀୟ ସୁରକ୍ଷା କମିଟି, ଆରପିଏଫ ଓ ଗୁଇନ୍ଦା ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ରେଳସୁରକ୍ଷା ନେଇ ଆର୍ପିଏଫ୍ ଓ ଓଡ଼ିଶା ପୁଲିସ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଯାତ୍ରୀଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଅନେକ ଟ୍ରେନ୍ରେ ଯାତ୍ରୀମାନେ ଲୁଟେରାଙ୍କ ଶିକାର ହେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଯଥା ରାଜଧାନୀ ଏକ୍ସପ୍ରେସ, ଦୂରନ୍ତ ଏକ୍ସପ୍ରେସ, ପୁରୁଷୋତମ ଏକ୍ସପ୍ରେସ ଓ ପ୍ରଶାନ୍ତି ଏକ୍ସପ୍ରେସ୍ ଭଳି ଟ୍ରେନରେ ସିସିଟିଭି ଲଗାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ନିଶା କାରବାର ଓ ମାନବ ଚାଲାଣ ରୋକିବା ଲାଗି ରେଳବାଇ ଓ ଆର୍ପିଏଫ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ଏହି କମିଟି ରାଉରକେଲା ଓ କଟକ ଏସପିଙ୍କ ଅଧୀନରେ ରହିବ । ସେହିପରି ଆରପିଏଫ ଓ ଜିଆରପି ମଧ୍ୟରେ ସମନ୍ୱୟ ରକ୍ଷା ସହ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଲାଗି ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ ଗ୍ରୁପ କରାଯିବ । ରେଳ ଦୁର୍ଘଟଣା ବେଳେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଯାତ୍ରୀଙ୍କ ସୁରକ୍ଷା ଲାଗି ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ଜିଆରପି, ଆରପିଏଫ, ଓଡ୍ରାଫ, ଅଗ୍ନିଶମ ଓ ସ୍ଥାନୀୟ ପୁଲିସ ଅଧିକାରୀ ରହିଛନ୍ତି । ବିଶେଷ କରି ଚଳନ୍ତା ଟ୍ରେନ୍ରେ କିନ୍ନରଙ୍କ ଉତ୍ପାତ ଓ ସେମାନଙ୍କ ଦ୍ୱାରା ଅନେକ ଅପରାଧ ଘଟୁଛି । ଏହାକୁ ରୋକିବା ଲାଗି ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଜିଆରପି, ଆରପିଏଫ ଓ ସ୍ଥାନୀୟ ପୁଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବ । ଏହି ଟିମ ବିଭିନ୍ନ ବସ୍ତି ଏବଂ ସାହିରେ ରହୁଥିବା କିନ୍ନରଙ୍କ ପାଖକୁ ଯାଇ ସଚେତନ କରିବେ । ସେହିପରି ବିଭିନ୍ନ ଅପରାଧ ସମ୍ପର୍କରେ ଅଭିଯୋଗ ଲାଗି ରେଳଷ୍ଟେସନ ମାନଙ୍କରେ ପୁଲିସ କିଓସ୍କୋ ନିର୍ମାଣ କରାଯାଇଛି । ବିଶେଷ କରି କଟକ, ଭଦ୍ରକ, ବାଳେଶ୍ୱର, ସମ୍ବଲପୁର, ଝାରସୁଗୁଡା, ଟିଟିଲାଗଡ଼ ଓ ରାୟଗଡା ଆଦି ଷ୍ଟେସନରେ କିଓସ୍କୋ ରହିଛି । ଖୁବଶୀଘ୍ର ଅନ୍ୟ ଷ୍ଟେସନରେ ମଧ୍ୟ ପୁଲିସ କିଓସ୍କୋ ନିର୍ମାଣ କରାଯିବ । ସେହିପରି ଟୋଲ ଫ୍ରି ନମ୍ବର ୧୮୨କୁ ରେଳବାଇ ପୁଲିସ କଂଟ୍ରୋଲରୁମକୁ ସଂଯୋଗ କରାଯିବାକୁ ନିଷ୍ପତିି ହୋଇଛି । ଏଥିସହିତ ରେଳବାଇ ପୁଲିସକୁ ଅଧିକ ମାନବସମ୍ବଳ ଯୋଗାଇବା ସହ ରେଳଧାରଣାରୁ ଶବ ଜବତ ଓ ସଂସ୍କାର ଲାଗି ଅଧିକ ଅର୍ଥ ଯୋଗାଇବା ନେଇ ନିଷ୍ପତିି ହୋଇଛି । ଏଥିସହିତ ଗୁଇନ୍ଦା ବ୍ୟବସ୍ଥାକୁ ମଧ୍ୟ ସକ୍ରିୟ କରାଯିବ । ରାଜ୍ୟରେ ମାଓ ଉପଦ୍ରୁତ ଅଂଚଳରେ ଅନେକ ସମୟରେ ମାଓବାଦୀମାନେ ରେଳଲାଇନ ଉଡ଼ାଇ ଦେଉଛନ୍ତି । ଉକ୍ତ ଅଂଚଳରେ ମିଳିତ ପାଟ୍ରୋଲିଂ କରାଯିବ । ଏଥିସହିତ ରେଳରୋକ ଯୋଗୁଁ ସରକାରଙ୍କ ରାଜସ୍ୱହାନି ହେବା ସହ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି । ତେଣୁ ଆନ୍ଦୋଳନକାରୀଙ୍କ ବିରୋଧରେ ଅପରାଧିକ ଓ ରେଳବାଇ ଆଇନ ଅନୁସାରେ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରପିଏଫକୁ ନିର୍ଦ୍ଦେଶ ଦିଆଯାଇଛି । ଚଳନ୍ତା ଟ୍ରେନ ଓ ଷ୍ଟେସନରେ କୌଣସି ଅପରାଧ ଓ ଅପରାଧୀକୁ କ୍ଷମା ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ରେଲୱେ ଅତିରିକ୍ତ ଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ, ଗୁଇନ୍ଦା ଏଡିଜି ଆର୍କେ ଶର୍ମା, ଏସ୍ଆଇବି ଯୁଗ୍ମ ନିର୍ଦ୍ଦେଶକ ଭି. ଶର୍ମା, ଆଇଜି ଆର୍ପିଏଫ (କୋଲକାତା) ଏସସି ପାଢୀ, ଆଇଜି ଆରପିଏଫ (ଭୁବନେଶ୍ୱର) ରାଜା ରାମ, ଡିସିଏସ୍ (ବିଳାସପୁର) ଆରକେ ଶୁକ୍ଲା, ରେଲୱେର ଡେପୁଟି ଚିଫ ଇଞ୍ଜିନିୟର ଏସ୍କେ ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *