Sunday , June 20 2021
Home / ବିଶେଷ / ଅନଲାଇନ୍ ନେଟୱାର୍କିଂ ସଂସ୍ଥା ଦ୍ୱାରା ଠକେଇ ଅଭିଯୋଗ!- ଅଭିଯୁକ୍ତଙ୍କ ଗିରଫ ଦାବି

ଅନଲାଇନ୍ ନେଟୱାର୍କିଂ ସଂସ୍ଥା ଦ୍ୱାରା ଠକେଇ ଅଭିଯୋଗ!- ଅଭିଯୁକ୍ତଙ୍କ ଗିରଫ ଦାବି

ବାଲେଶ୍ୱର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଚିଟଫଣ୍ଡ ଠକେଇରେ ସର୍ବସ୍ୱାନ୍ତ ହେବା ପରେ ମଧ୍ୟ ବାଲେଶ୍ୱରର ଲୋକଙ୍କ ଚେତା ପଶୁନାହିଁ । ଚିଟଫଣ୍ଡ ଭଳି ‘ଜି-ନେଟ’ ନାମକ ଅନଲାଇନ୍ ନେଟୱାର୍କିଂ ସଂସ୍ଥା ନାମରେ ବାଲେଶ୍ୱରର ୪ ଜଣ ଏଜେଂଟ ସହରର ବିଭିନ୍ନ ଅଂଚଳରୁ ମହିଳାମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର କଚେରୀ ହତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗକାରିଣୀଙ୍କ ସମେତ ଦୁଇ ବରିଷ୍ଠ ଆଇନଜୀବୀ ମହମ୍ମଦ ଇସଲାମ୍ ଓ ପଂଚାନନ ପରିଡ଼ା ଯୋଗଦେଇ ଠକେଇ ସମ୍ପର୍କରେ ସୂଚନା ଦେଇଛନ୍ତି । ସହଦେବଖୁଂଟା ଥାନା ଅନ୍ତର୍ଗତ ଅରଡ଼ବାଜାର ଅଂଚଳର ଶେଖ୍ ମଜିଦ ଙ୍କ ପୁତ୍ର ଶେଖ ମୁକ୍ତାର (୪୮) ଓ ଶେଖ ମୁକ୍ତାରଙ୍କ ପତ୍ନୀ ଲୁସି ବିବ, ଟାଉନ ଥାନା ଅନ୍ତର୍ଗତ ସୁଏଲପୁର ଅଂଚଳର ନୋମାନ୍ ଖାନ ଙ୍କ ପୁତ୍ର ବୁରହାନ ନୋମାନ୍ (୪୦) ଏବଂ ବୁରହାନ୍ ନୋମାନିଙ୍କ ପତ୍ନୀ ନଜିମା ଖାତୁନ୍ ଜି-ନେଟ୍ ନାମକ ସଂସ୍ଥା ନାମରେ ଅଧିକ ଆୟର ଲୋଭ ଦେଖାଇ ସହରର ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନେ ପ୍ରଥମେ ନିଜର ସମ୍ପର୍କୀୟଙ୍କଠାରୁ ୧୨ ହଜାର ଟଙ୍କାର ଡିପୋଜିଟ୍ ନେଇ ଗୋଟିଏ ଗୋଟିଏ ଆଇଡି ଖୋଲିଥିଲେ । ଟଙ୍କାର ନେବାର ଏକ ସପ୍ତାହ ମଧ୍ୟରେ ନୂତନ ସଭ୍ୟଙ୍କ ମୋବାଇଲ କୁ ଆଇଡିର ଏକ କୋଡ୍ ନମ୍ବର ଆସିଥାଏ । ପ୍ରତି ଆଇଡିକୁ ଦୈନିକ ୧୦୦ ଟଙ୍କାର ଲାଭାଂଶ ଆସିବା କଥା ବୋଲି ସେମାନେ କହିଥିଲେ । ଆଇଡି ହୋଲ୍ଡରମାନେ ସେମାନଙ୍କ ଅଧୀନରେ ନୂଆ ଲେଗ୍ ଖୋଲିଲେ ଦୈନିକ ୧୦୦ ଟଙ୍କା ସହ ସେମାନଙ୍କ ଆକାଉଂଟ କୁ ଅଧିକ କମିଶନ ଆସିବ ବୋଲି କୁହାଯାଇଥିଲା । ଏକ ସଙ୍ଗରେ ୩ ଗୋଟି ଆଇଡି ଖୋଲିଲେ ସେମାନଙ୍କୁ ଦୈନିକ ୪୫୦ ଟଙ୍କାର ଅର୍ଥରାଶି ମିଳିବା ସହିତ ବର୍ଷ ଶେଷରେ କମ୍ପାନି ପକ୍ଷରୁ ଭାରତର ଯେ କୌଣସି ପଂଚ ତାରକା ହୋଟେଲରେ ୩ ଦିନ ରହିବାର ସୁଯୋଗ ମିଳିବ ବୋଲି ଅଫର ମଧ୍ୟ ଦିଆଯାଇଥିଲା । ସେହିକ୍ରମରେ ବାଲେଶ୍ୱର ସହରର ବହୁ ମହିଳା ଓ ପୁରୁଷ ଉପରୋକ୍ତ ୪ ଏଜେଂଟଙ୍କ ଜରିଆରେ ଅର୍ଥ ଡିପୋଜିଟ୍ ସହ ଆଇଡି ଖୋଲିଥିଲେ । ବର୍ଷ ଶେଷରେ ସେମାନଙ୍କ ମୋବାଇଲକୁ ମେସେଜ୍ ଆସୁଥିଲେ ବି ଆକାଉଂଟ କୁ ଅର୍ଥ ଆସୁନଥିବା ଦେଖିବା ପରେ ଆଇଡି ହୋଲ୍ଡରମାନେ ଅଭିଯୁକ୍ତ ଏଜେଂଟମାନଙ୍କୁ ପଚାରି ଥିଲେ  । ମାତ୍ର କମ୍ପୁ୍ୟଟର ଖରାପ ଓ ସରବରାହ ଦୁର୍ବଳ ଥିବା ଯୋଗୁଁ ଆକାଉଂଟରେ ଅର୍ଥ ଜମା ହୋଇପାରିନାହିଁ କହି ସେମାନେ ସଫେଇ ଦେଉଥିଲେ ବୋଲି କେତେକ ଅଭିଯୋଗକାରିଣୀ ପ୍ରକାଶ କରିଛନ୍ତି । ଏମିତି ଏହି ନେଟୱାର୍କିଂ ବ୍ୟବସାୟରେ ବାଲେଶ୍ୱରରେ ଏବେ ୫ଶହରୁ ଅଧିକ ସଭ୍ୟ ହୋଇଥିଲେ ବି କାହାରି ଆକାଉଂଟକୁ ଅର୍ଥ ନ ଆସିବା ଯୋଗୁଁ ଲୋକଙ୍କ ମନରେ ସନ୍ଦେହ ଆସିବା ସହ ସେମାନେ ଏଜେଂଟମାନଙ୍କ ପଛରେ ପଡ଼ିଥିଲେ । ମାତ୍ର ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଏବେ ଘର ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିବା ବେଳେ ଅନ୍ୟ ଦୁଇଜଣ ଲୁଚି ରହୁଥିବା ଅଭିଯୋଗକାରିଣୀ କହିଛନ୍ତି । ଠକେଇରେ ଶିକାର ହୋଇଥିବା ଏକାଧିକ ମହିଳା ଟାଉନ ଥାନା ଓ ସହଦେବଖୁଂଟା ଥାନାରେ ଏତଲା ଦେବା ସହ ଘଟଣା ସମ୍ପର୍କରେ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସ ତୁରନ୍ତ ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସେମାନେ ଦାବି କରିଛନ୍ତି ।ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *