Thursday , September 19 2019
Breaking News
Home / ତାଜା ଖବର / ୮୦ ଲକ୍ଷ ଟଙ୍କାର ବାଣ ଜବତ, ୩ ଗିରଫ

୮୦ ଲକ୍ଷ ଟଙ୍କାର ବାଣ ଜବତ, ୩ ଗିରଫ

ଆସିକା, ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ବହୁ ବର୍ଷ ଧରି ବିଭିନ୍ନ କିସମର ବାଣ ତିଆରି ହେଉଥିବା ଦକ୍ଷିଣ ଓଡ଼ିଶାର ପେନ୍ଠସ୍ଥଳି ନଳବଂଟା ଗ୍ରାମରୁ ପୁଲିସ ସିନେମା ଢଙ୍ଗରେ ଚଢ଼ଉ କରି ପ୍ରାୟ ୮୦ଲକ୍ଷ ଟଙ୍କାର ୭ ଟ୍ରକ ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ଆସିକା ଥାନା ପୁଲିସ ସନ୍ତୋଷ ପାଢ଼ୀ, ଦିବାନ ସେଠୀ ଓ ବିପ୍ର ସେଠୀଙ୍କୁ ଗିରଫ କରିଥିବା ବେଳେ ୬ ଜଣ ଫେରାର ହୋଇଯାଇଛନ୍ତି । ଏହି ବାଣ ଜବତ ପାଇଁ ପୂର୍ବରୁ ଜିଲ୍ଲା ଏସପିଙ୍କ ନିର୍ଦ୍ଧେଶକ୍ରମେ ଏକ ଦଳ ଗଠନ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ ଆସିକା ପୁଲିସ ସାଧା ପୋଷାକରେ ନଳବଂଟା ଗ୍ରାମର ବିଭିନ୍ନ ସାହିରେ ଥିବା ବାଣ ପ୍ରସ୍ତୁତି କେନ୍ଦ୍ର ଓ ଗୋଦାମକୁ ଯାଇ ବାଣ ନେବା ପାଇଁ ଅଗ୍ରୀମ ଟଙ୍କା ଦେଇ ଫେରିଥିଲେ । ଏହାପରେ ଅପରାହ୍ନ ୩ଟା ବେଳେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ଆଶୁତୋଷ ସୌରଭ କର, ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରମୁଖ ୬୦ରୁ ଅଧିକ ପୁଲିସ ଫୋର୍ସ ନେଇ ନଳବଂଟା ଗ୍ରାମ ଉପରେ ଚଢ଼ଉ କରିଥିଲେ । ଏହି ଚଢ଼ଉ ବେଳେ ପୁଲିସ ବସ୍ତା ବସ୍ତା ତାଳପତ୍ର ବାଣ, କୁମ୍ପିି, ହାବେଳି, ବୋମା, ଲାଇଟର, ବାଣ ତିଆରି ପାଇଁ ଥିବା ଗନ୍ଧକ, କ୍ଷାର, ମଣିଶିଳା, ଅଙ୍ଗାର, ସୁତୁଲି ଆଦି ଜବତ କରିଥିଲେ । ସାତଟି ଟ୍ରକରେ ଏହି ସବୁ ବାଣ ଓ ବାଣ ସାମଗ୍ରୀ ଆସିକା ଥାନାକୁ ଅଣାଯାଇଥିଲା । ବାଣ ଜବତ ବେଳେ ନଳବଂଟା ଗ୍ରାମ ପୁଲିସ ଛାଉଣିରେ ପରିଣତ ହୋଇଥିଲା । ଗଞ୍ଜାମ ଜିଲ୍ଲାରେ ବିପୁଳ ପରିମାଣର ଓ ବହୁ ମୁଲ୍ୟ ବାଣ ଜବତ ହେବାରେ ଏହା ପ୍ରଥମ ଘଟଣା । ଏନେଇ ଆସିକା ଥାନା କେସ ନମ୍ବର- ୩୦୭, ୩୦୮, ୩୦୯, ୩୧୦, ୩୧୧, ୩୧୨, ୩୧୩, ୩୧୪ ଦଫା ୩ ଓ ୪ ବିସ୍ଫୋରକ କ୍ଟରେ ମାମଲା ରୁଜୁ ହୋଇଛି । ପ୍ରତିବର୍ଷ ଦୀପାବଳି ଉପଲକ୍ଷେ ନଳବଂଟା ଗ୍ରାମରେ ବାଣ ପ୍ରସ୍ତୁତ କରାଯାଇ ଗଞ୍ଜାମ ଜିଲ୍ଲାର ସମସ୍ତ ସହର ଓ ଗ୍ରାମାଞ୍ଚଳକୁ ଯୋଗାଣ ହୋଇଥାଏ । ଏହାବ୍ୟତୀତ ଅନ୍ୟ୮ଟି ଜିଲ୍ଲାକୁ ଏହି ବାଣ ଯାଇଥାଏ । ବହୁ ବର୍ଷ ତଳେ କିଛି ହାତଗଣତି ବାଣ କାରଖାନା ମାଲିକ ଜିଲ୍ଲାପାଳଙ୍କ ଠାରୁ ବିନା ଶବ୍ଦର ବାଣ ତିଆରି ପାଇଁ ଲାଇସେନ୍ସ ନେଇଥିଲେ । ଏହା କାଳକ୍ରମେ ଗ୍ରାମରେ କୁଟୀର ଶିଳ୍ପରେ ପରିଣତ ହୋଇଥିଲା । ଏପରିକି ବାଣ ତିଆରିରେ ଏହି ଗ୍ରାମର ମହିଳା, ବୃଦ୍ଧ ଓନାବାଳକ ମଧ୍ୟ ନିୟୋଜିତ ହୋଇଥାନ୍ତି । ଏଠାରେ ବିପୁଳ ପରିମାଣର ବାଣ ତିଆରି କରି ଅନେକ ମୃତାହତ ହେବା ପରେ ବାଣ ତିଆରି ପାଇଁ ଦୀର୍ଘ ବର୍ଷ ହେଲା କାହାରିକୁ ଲାଇସେନ୍ସ ପ୍ରଦାନ କରାଯାଇନାହିଁ । ଅତୀତରେ ବାଣ ତିଆରି କରି ଏହି ଗାଁର ୨୦/୨୨ ଜଣ ପୁରୁଷ ଓ ମହିଳା ମୃତୁ୍ୟବରଣ କରିଛନ୍ତି । ବାଣ ବିସ୍ଫୋରଣରେ ଚାଳଘର, ଛାତ, ଟିଣ ଘର ସମ୍ପୂର୍ଣ୍ଣ ଉଡ଼ିଯିବା ସହ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଛନ୍ତି । ଚୋରାରେ ଆନ୍ଧ୍ର, ରାୟପୁର, କୋଲକତାରୁ ବିସ୍ଫୋରକ ଦ୍ରବ୍ୟ ଆଣି ଏଠାରେ ବିପୁଳ ପରିମାଣରେ ବାଣ ତିଆରି ହୋଇଥାଏ । ପୁଲିସ ପ୍ରତିବର୍ଷ ଚଢ଼ଉ କରିବାଣ ଜବତ କରୁଥିଲେ ମଧ୍ୟ ଏଠାରେ ଅବାଧରେ ବାଣ ତିଆରି ହେଉଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା

ପଟ୍ଟାମୁଣ୍ଡାଇ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା ପ୍ରକାଶ ପାଇଛି । ମିଳିଥିବା ତାଜା …

Leave a Reply

Your email address will not be published. Required fields are marked *