Tuesday , January 28 2020
Breaking News
Home / ବିଶେଷ / ୫ ଦୁର୍ଦ୍ଧାନ୍ତ ଅପରାଧି ଗିରଫ , ନଗଦ୍ ୧ ଲକ୍ଷ ୮୩ ହଜାର ୫ ଶହ ଟଙ୍କା, ସ୍କର୍ପିଓ କାର, ଆପାଚି ବାଇକ୍ ଓ ସୁନା ଅଳଙ୍କାର ଜବତ

୫ ଦୁର୍ଦ୍ଧାନ୍ତ ଅପରାଧି ଗିରଫ , ନଗଦ୍ ୧ ଲକ୍ଷ ୮୩ ହଜାର ୫ ଶହ ଟଙ୍କା, ସ୍କର୍ପିଓ କାର, ଆପାଚି ବାଇକ୍ ଓ ସୁନା ଅଳଙ୍କାର ଜବତ

ଜଳେଶ୍ୱର, ୦୯/୧୨/୨୦୧୯(ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଂଚଳ ମଧ୍ୟ ଦେଇ ଯାଇଥିବା ୬୦ ନଂ. ଜାତୀୟ ରାଜପଥର ଏକତାଳି ଠାରେ ଗତ ମାସ ୨୮ ତାରିଖ ଗୁରୁବାର ଅପରାହ୍ନ ସମୟରେ ଗୁଳି ଫୁଟାଇ ୬ ଜଣ ଗୋରୁ ବେପାରୀଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ମାତ୍ର ଏକ ସପ୍ତାହ ମଧ୍ୟରେ ବାଲେଶ୍ୱର ସ୍ଥିତ ପୂର୍ବାଂଚଳ ରେଂଜ ଆଇଜି ଦିପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଧେଶମତେ ବାଲେଶ୍ୱର ଏସପି ବି ଯୁଗୋଳ କିଶୋର କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡିଏସପି (କ୍ରାଇମ୍) ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝୀଙ୍କ ସମେତ ଗଠିତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ଭଦ୍ରକ ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉକ୍ତ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଧରିବାପାଇଁ ଚେଷ୍ଟା ଚଳାଇଛି ବୋଲି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ହେଡକ୍ୱାଟର ଡିଏସପି ଉମେଶ କୁମାର ପଣ୍ଡା ଓ ଥାନା ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଗିରଫ ୫ ଜଣ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ମିର୍ଜାପୁର ଗ୍ରାମର ସୁରେଶ ବେହେରା ଓରଫ ସଂଜୟ(୨୬),ଗ୍ରାମାଂଚଳ ଥାନା ରାଜପୁର ତିହିଡ଼ି ଗ୍ରାମର ମାନସ ଦାସ ଓରଫ ବାପୁନ(୩୨),ନାଇକାନଡିହି ଥାନା କରନଜଡ଼ି ଗ୍ରାମର ରତିକାନ୍ତ ତରେଇ ଓରଫ ମୁନା(୨୬),ପୁରୁଣାବଜାର ଥାନା କାଜିମହଲା(ୱାର୍ଡ଼ ନଂ.୨୭)ର ରାଜାଉଲ ହକ୍ ଓରଫ ରାଜା(୪୪) ଓ ଗ୍ରାମାଂଚଳ ଥାନା କୋଦଣ୍ଡପୁର ଗ୍ରାମର ଜିତୁ ଓରଫ ସୁଜାତ ଓରଫ ସୁଜିତ ମଲ୍ଲିକ(୩୧)ଙ୍କୁ ପୋଲିସ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇବା ପରେ ସ୍ଥାନୀୟ ଜେଏମଏଫସି କୋର୍ଟରେ ହାଜର କରାଇଥିଲେ । କୋର୍ଟରେ ସେମାନଙ୍କର ଜାମିନ ନାମଂଜୁର ହେବାରୁ ଜେଲ ଯିବାକୁ ପଡ଼ିଛି । ପୋଲିସର ସୂଚନା ଅନୁଯାୟୀ,ଘଟଣା ଦିନ ଏକ ବୋଲେରୋ ଗାଡ଼ି(ଓଡି୦୪କେ-୧୩୧୯) ଯୋଗେ ପଶ୍ଚିମବଂଗ ରାଜ୍ୟ ବିଶିପୁର ଅଂଚଳର ଗୋରୁ ବେପାରୀଙ୍କ ଠାରୁ ଭଦ୍ରକ,ଚଣ୍ଡିଖୋଲ ଓ ଚୈାଦ୍ୱାର ଅଂଚଳର ୬ ଜଣ ଗୋରୁ ବେପାରୀ ନିଜ ସହିତ ନଗଦ୍ ୮ ଲକ୍ଷ ୮୫ ହଜାର ଟଙ୍କା ନେଇ ନିଜ ଘର ଅଭିମୁଖେ ଫେରୁଥିଲେ । ପୋଲିସ ଦ୍ୱାରା ଜବତ୍ ହୋଇଥିବା ଧଳାରଂଗର ସ୍କୋର୍ପିଓ ଗାଡ଼ି(ଓଡି୦୨ଏସ୍- ୮୮୨୫) ରେ ୬ ଜଣ ଅଜଣା ଯୁବକ ଓ ଏକ ବାଇକ୍ ରେ ୩ ଜଣ ଯୁବକ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲପ୍ଲାଜା ଠାରୁ ଉକ୍ତ ବୋଲେର ଗାଡ଼ିଟିକୁ ପିଛାକରି ଏକତାଳି ଠାରେ ଅଟକାଇ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ନଗଦ୍ ଟଙ୍କା ଗୁଡ଼ିକୁ ନେବାପାଇଁ ଉଦ୍ୟମ କରିଥିଲେ । ଗୋରୁ ବେପାରୀ ମାନେ ପ୍ରତିବାଦ କରିବାରୁ ଅଭିଯୁକ୍ତ ମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ବୋଲେର ଗାଡ଼ିରେ ବାଜିଥିଲା । ବେପାରୀ ମାନଙ୍କୁ ଭୟଭୀତ କରି ସମସ୍ତ ଟଙ୍କା ଲୁଟ୍ କରିନେଇ ପଳାଇ ଯାଇଥିଲେ ଅଭିଯୁକ୍ତ ମାନେ । ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ରାଜା ଜଣେ ଜର୍ଦ୍ଧା ବେପାରୀ ଭାବେ ଉକ୍ତ ପଶ୍ଚିମବଂଗର ବିଶିପୁର ଅଂଚଳକୁ ଯାଇ ଉକ୍ତ ଗୋରୁ ବେପାରୀ ମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖି ଇନଫର୍ମର ଭାବେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଘଟଣା ଦିନ ସୂଚନା ଦେଇଥିଲା । ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ଅଭ୍ୟାସଗତ ଅପରାଧୀ ଭାବେ ବିଭିନ୍ନ ମାମଲାରେ ଅଭିଯୁକ୍ତ ଥିବା ଜିତୁ ସମ୍ପୂର୍ଣ୍ଣ ଘଟଣାର ମାଷ୍ଟରମାଇଣ୍ଡ ବୋଲି ପୋଲିସ ପ୍ରକାଶ କରିଛି । ତେବେ ଅଭିଯୁକ୍ତ ମାନଙ୍କ ଠାରୁ ଲୁଟ୍ ରେ ବ୍ୟବହୃତ ଧଳାରଂଗର ସ୍କର୍ପିଓ,ଏକ ଗ୍ରେ ରଂଗର ଆପାଚି ବାଇକ୍(ଓଡି୨୨ପି-୯୨୯୯),ନଗଦ୍ ୧ ଲକ୍ଷ ୮୩ ହଜାର ୫ ଶହ ଟଙ୍କା,୩୦ ହଜାର ଟଙ୍କା ମୂଲ୍ୟର ସୁନାଚେନ ଓ ମୁଦି ପୋଲିସ ଜବତ୍ କରିଥିବା ସ୍ଥଳେ ଲୁଟ୍ ରେ ବ୍ୟବହୃତ ବନ୍ଧୁକ ପୋଲିସ ହାତରେ ଲାଗିନଥିବା ପୋଲିସ ସୂଚନା ଦେଇଛି । ଓଡ଼ିଶା ସମାଚାର

About admin

Check Also

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ …

Leave a Reply

Your email address will not be published. Required fields are marked *