Saturday , February 29 2020
Breaking News
Home / ଶିକ୍ଷା / ‘୫-ଟି’ ପ୍ରହସନ : ବେଲଗାମ ଘରୋଇ ଶିକ୍ଷାନୁଷ୍ଠାନ ଓ ନିଦାବିଷ୍ଣୁ ସରକାର

‘୫-ଟି’ ପ୍ରହସନ : ବେଲଗାମ ଘରୋଇ ଶିକ୍ଷାନୁଷ୍ଠାନ ଓ ନିଦାବିଷ୍ଣୁ ସରକାର

 ବିନା ଅନୁମତିରେ ଚାଲିଛି ହଜାର ହଜାର ଘରୋଇ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର ,୦୭/୦୨/୨୦୨୦ (ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ ସମ୍ମିଳନୀ କକ୍ଷରେ ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟ ଆସୋସିଏସନ୍ ଫୋରମ୍ (ଓପାଫ) ତରଫରୁ ଘରୋଇ ବିଦ୍ୟାଳୟମାନଙ୍କରେ ମନୋମୁଖି କାର୍ଯ୍ୟକଳାପ, ଗଣଶିକ୍ଷା ବିଭାଗର ନିରବତା ଓ ସିବିଏସ୍‌ଇର ସ୍ଥାଣୁତା ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରାଯାଇଛି । ଭାରତ ସମ୍ବିଧାନର ଅନୁଚ୍ଛେଦ-୨୧(ଏ) ଏବଂ ଅନୁଚ୍ଛେଦ-୪୫ ଅନୁସାରେ ଶିକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ଥିବାବେଳେ ଯୁଗୋପଯୋଗୀ ଶିକ୍ଷା ବିପର୍ଯ୍ୟସ୍ତ କାରଣରୁ ଘରୋଇ ଶିକ୍ଷାନୁଷ୍ଠାମାନଙ୍କର ଚାହିଦା ବଢିଛି । ଶିକ୍ଷାନୁଷ୍ଠାନରେ ବ୍ୟବସାୟୀକରଣ କରାଯାଇପାରିବ ନାହିଁ ଏବଂ ଘରୋଇ ଶିକ୍ଷାନୁଷ୍ଠାନକୁ ନିୟନ୍ତ୍ରଣ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ବାରମ୍ବାର ରାୟ ଆସୁଥିଲେ ମଧ୍ୟ ଆମ ସରକାର ନିଦାବିଷ୍ଣୁ ସାଜିଛନ୍ତି ।
ଯୁଗୋପଯୋଗୀ କେନ୍ଦ୍ରୀୟ ପାଠ୍ୟକ୍ରମ ଏବଂ ଇଂରାଜୀ ମାଧ୍ୟମ ରେ ଶିକ୍ଷା ଦେଉଥିବା ଘରୋଇ ସ୍କୁଲ୍‌ର ଚାହିଦା ବଢିବାରୁ ଖୁଲମ୍‌ଖୁଲା ବ୍ୟବସାୟରେ ପରିଣତ କରିଛନ୍ତି ଘରୋଇ ବିଦ୍ୟାଳୟମାନେ । ବିଭିନ୍ନ ଆଳରେ ନୀତିବିହୀନ ଦେୟ ଆଦାୟ କରିଚାଲିଛନ୍ତି, ଖାଲି ସେତିକି ନୁହେଁ, ଆର.ଟି.ଇ. ଆକ୍ଟ ଅନୁସାରେ ପଛୁଆବର୍ଗମାନଙ୍କ ଖର୍ଚ୍ଚର ଭାର ସରକାରଙ୍କର ଉତ୍ତରଦାୟିତ୍ୱ ଥିଲାବେଳେ ସେହି ଖର୍ଚ୍ଚ ସାଧାରଣ ବର୍ଗ ଅଭିଭାବକଙ୍କ ଉପରେ ଲଦି ଦେଉଛନ୍ତି ସ୍କୁଲ୍ କର୍ତୃପକ୍ଷ । ଅଭିଭାବକମାନଙ୍କ ଟଙ୍କାରେ କୋଠା ଉପରେ କୋଠା, ସ୍କୁଲ୍ ଉପରେ ସ୍କୁଲ୍ ନିର୍ମାଣ କରି ନିଜର ବ୍ୟବସାୟ ସମ୍ପ୍ରସାରଣ କରିଚାଲିଛନ୍ତି । ଅଭିଭାବକ ମାନଙ୍କ ଉପରେ ୧୦ ବର୍ଷରେ ହାରାହାରି ମାସିକ ଦେୟ ୧୦ଗୁଣା ବୋଝ ପଡ଼ିଲାଣି । ଏ ନେଇ ଅଭିଭାବକ ସଂଘ (ଓପାଫ) ସ୍ୱର ଉତୋଳନ କରିବା ପରେ ୨୦୧୭ ମସିହାରେ ସରକାର ଏକ ଫି ନିର୍ଦ୍ଧାରଣ କମିଟି (ଏଫ୍‌.ଆର.ସି.) ଗଠନ କଲେ ଏବଂ ୩ ମାସ ମଧ୍ୟରେ କାର୍ଯ୍ୟକାରି କରିବେ ବୋଲି ଗଣମାଧ୍ୟମରେ ଆଶ୍ୱସନା ଦେବାପରେ ସରକାର ନିଦାବିଷ୍ଣୁ ପାଲଟିଗଲେ । ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏଭଳି ଚକ୍‌ମା ଦେଖାଇଥିଲେ ବୋଲି ଆଜି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପ୍ରକାଶଥାଉକି, ଏନ୍‌.ସି.ପି.ସି.ଆର. ଏକ ଫି’ ରେଗୁଲେସନ୍ ଫ୍ରେମୱାର୍କ ମାଧ୍ୟମରେ ତିନି ବର୍ଷକୁ ଥରେ ୧୦% ପର୍ଯ୍ୟନ୍ତ ଫି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାରଙ୍କୁ ଗାଇଡଲାଇନ୍ ଦେଇଛନ୍ତି । ୨୦୧୭ମସିହାରେ ମଧ୍ୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତାଙ୍କ ରାୟ ଦେଇଛନ୍ତି ଯେ, ଥରେ ଫି ଫିକ୍ସେସନ୍ ହେଲେ ତାହା ୩ ବର୍ଷ ପର୍ଯ୍ୟନ୍ତ କାଏମ୍ ରହିବ । କିନ୍ତୁ ସରକାର ଓ ବେସରକାରୀ ବିଦ୍ୟାଳୟ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏହାକୁ ଲାଗୁ କରାଯାଉନାହିଁ । ପ୍ରଥମତଃ ଚକ୍ରବୃଦ୍ଧି ହାରରେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଫି’ ବୃଦ୍ଧି ଚରମସୀମାରେ ପହଂଚିଲାଣି । ସରକାର ଯେତେଦେିନ ପର୍ଯ୍ୟନ୍ତ କିଛି ପଦକ୍ଷେପ ନ ନେଇଛନ୍ତି, ସେ ପର୍ଯ୍ୟନ୍ତ ସ୍କୁଲ୍‌ମାନଙ୍କର ଅଧିକ ଲାଭ ହେଉଥିବ । ଏତିକିରେ ବେସରକାରୀ ବିଦ୍ୟାଳୟଗୁଡ଼ିକର ମନ ଶାନ୍ତି ହେଲାନି ଯେ, ପୁଣି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି ଅଧିକ ପଇସା ଦେଇପାରୁଥିବା ପିଲାଙ୍କୁ ସ୍ୱତନ୍ତ୍ର ବିଭାଗର ମର୍ଯ୍ୟାଦା ଦେଇ ଅନ୍ୟମାନଙ୍କୁ ଉପେକ୍ଷା କରାଯାଉଛି, ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନସିକ ସନ୍ତୁଳନ ହରାଇବା ଭଳି ପରିବେଶ ସୃଷ୍ଟି କରାଯାଉଛି । ଘରୋଇ ବିଦ୍ୟାଳୟ ଗୁଡ଼ିକର ବ୍ୟବସାୟିକ ମନୋବୃତି ଓ ସ୍ୱେଚ୍ଛାଚାରୀ ନୀତି ଯୋଗୁଁ ଶହ ଶହ ସ୍କୁଲ୍ ବସ୍ ଓ ସ୍କୁଲ୍ ଭ୍ୟାନ୍ ସହରର ଏ କୋଣରୁ ସେ କୋଣକୁ ପ୍ରତିଦିନ ଗଡ଼ୁଅଛି, ଯାହା ପରିବେଶ ସନ୍ତୁଳନ ଓ ସଡ଼କ ସୁରକ୍ଷା ନିୟମର ପରିପନ୍ଥୀ, କିନ୍ତୁ ସରକାର ନିରବଦ୍ରଷ୍ଟା ।
‘ଓପାଫ’ ଆର.ଟି.ଆଇ. ମାଧ୍ୟମରେ ଜାଣିବାକୁ ପାଇଛି ଯେ, ଏନ୍‌.ଓ.ସି. ନଥାଇ ଖୋଦ୍ ରାଜଧାନୀରେ ଶହ ଶହ ବିଦ୍ୟାଳୟ ଚାଲୁଅଛି । ଜିଲ୍ଲା ଅଧିକାରୀଙ୍କ ପାଖରେ କେତେ ସ୍କୁଲ୍ ଏନ୍‌.ଓ.ସି. ପାଇନାହାଁନ୍ତି ବା ପାଇଛନ୍ତି କୌଣସି ସଠିକ୍ ତଥ୍ୟ ନାହିଁ । ହାତଗଣତି କେତେକ ସ୍କୁଲ୍ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସି.ଓ.ଆର. ପାଇଛନ୍ତି । କୌଣସି ମୁହୂର୍ତରେ ଏନ୍‌.ଓ.ସି. ନଥିବା ସ୍କୁଲ୍ ଗୁଡ଼ିକୁ ସି.ବି.ଏସ୍‌.ଇ. ରଦ୍ଦ କରିଦେଇପାରେ ବୋଲି ଆଶଙ୍କା ସୃଷ୍ଟି ହେଉଛି । ଏହି ପରିପ୍ରେକ୍ଷୀରେ ଏନ୍‌.ଓ.ସି. ଓ ସି.ଓ.ଆର. ପାଇନଥିବା ବିଦ୍ୟାଳୟଗୁଡ଼ିକରେ ଆସନ୍ତା ଶିକ୍ଷାବର୍ଷଠାରୁ ନୂତନ ଆଡ୍‌ମିସନ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଓପାଫ ପକ୍ଷରୁ ଦାବି କରାଯାଉଛି । ପ୍ରତ୍ୟେକ ବର୍ଷ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରି ଅଭିଭାବକମାନେ ସଠିକ୍ ସ୍କୁଲ୍ ଫି’ ଦେଇପାରୁନାହାଁନ୍ତି, ଫଳତଃ ସ୍କୁଲ୍ କର୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କ ବାର୍ଷିକ ପରୀକ୍ଷା ଫଳକୁ ଆକ୍ରୋଶମୂଳକ ଭାବରେ ସ୍ଥଗିତ ରଖି ଅଭିଭାବକମାନଙ୍କୁ ଶୋଷଣ କରୁଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ‘ଓପାଫ’ ସରକାରଙ୍କୁ ଚେତାଇ ଦେଉଛି ଯେ, ସରକାର ଯଥାଶୀଘ୍ର ଘରୋଇ ବିଦ୍ୟାଳୟଗୁଡ଼ିକୁ ନିୟନ୍ତ୍ରଣ ଆଇନ୍ (ରେଗୁଲେସନ୍ ଆକ୍ଟ) ଆଣି ନିୟନ୍ତ୍ରଣ ନ କଲେ ଏହା ବିରୁଦ୍ଧରେ ଜନସଚେତନ କରିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ । ଆଜିର ସମ୍ମିଳନୀରେ ‘ଓପାଫ’ ତରଫରୁ ସଭାପତି ଡଃ ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ଉପସଭାପତି ମଧୁସୂଦନ ବିଶ୍ୱାଳ, ସମ୍ପାଦକ ମିତାରାଣୀ ସାହୁ, ଅମିତ୍ ସିଂ, ସୁଶାନ୍ତ ସାହୁ, ସତ୍ୟାଶିଷ ସ୍ୱାଇଁ, ସୁମନ୍ତ ସାମନ୍ତରାୟ, ପ୍ରଣବ ସାମଲ, ସତ୍ୟନାରାୟଣ ମହାପାତ୍ର, ଅମରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା କଲେଜରେ ଜିଲ୍ଲା ସ୍ତରୀୟ ଅଧ୍ୟକ୍ଷ ସମ୍ମିଳନୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୨୭/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ  କଲେଜ ଅଧ୍ୟକ୍ଷମାନଙ୍କ ଏକ ସମ୍ମିଳନୀ …

Leave a Reply

Your email address will not be published. Required fields are marked *