Tuesday , July 16 2019
Home / ବିଶେଷ / ସମନ୍ୱିତ ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ

ସମନ୍ୱିତ ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ସରକାରୀ ସୁବିଧାଗୁଡ଼ିକୁ ଅଧିକ ବ୍ୟବସ୍ଥିତ ଭାବରେ ଜନସାଧାରଣଙ୍କୁ ଯୋଗାଇଦେବା କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପସ୍ୱରୂପ ସାମାଜିକ ରେଜେଷ୍ଟ୍ରି ଏବଂ ସମନ୍ୱିତ ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଅନୁଷ୍ଠିତ ଏକ ଜାତୀୟ କର୍ମଶାଳାରେ ବିଶ୍ୱବ୍ୟାଙ୍କର ବିଶେଷଜ୍ଞ, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ସମନ୍ୱିତ ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ସମ୍ବନ୍ଧିତ ନିଜ ନିଜର ଅଭିଜ୍ଞତା ଓ ପ୍ରାମାଣିତ କୌଶଳ ଗୁଡିକ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରି କହିଥିଲେ ଯେ ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ରାଜ୍ୟ ସରକାରଙ୍କ ୫-ଟି ଉପରେ ପର୍ଯ୍ୟବେସିତ ଏବଂ ଏହା ଅଧିକ ଫଳପ୍ରଦ ଭାବେ ନାଗରିକମାନଙ୍କୁ ସେବା ଯୋଗାଇ ଦେବାକୁ ସକ୍ଷମ ହେବ । ଏହି ପ୍ଲାଟ୍ଫର୍ମ ପାଇଁ ଏକ ସାମାଜିକ ପଞ୍ଜିକା (ସୋସିଆଲ୍ ରେଜେଷ୍ଟ୍ରୀ ) ର ଆବଶ୍ୟକ ଅଛି । ଏଥିରେ ସନ୍ନିବଶିତ ନାଗରିକ ମାନଙ୍କର ବ୍ୟକ୍ତିଗତ ତଥ୍ୟାବଳୀର ଉପଯୁକ୍ତ ଓ ମୂଲ୍ୟବୋଧ ଭିତିକ ବ୍ୟବହାର ଉପରେ ଶ୍ରୀ ପାଢ଼ୀ ଗୁରୁତ୍ୱ ଆରୋପ କରିଥିଲେ । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟସରକାର ବହୁ ସାମାଜିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାଗୁଡ଼ିକ ପାଇଁ ସମ୍ପୃକ୍ତ ବିଭାଗମାନେ ନିଜ ନିଜର ଡ଼ାଟାବେସ୍ ଏବଂ ହିତାଧିକାରୀ ପଞ୍ଜିକା ପ୍ରସ୍ତୁତ କରିଛନ୍ତି । ସମନ୍ୱିତ ସାମାଜିକ ରେଜିଷ୍ଟ୍ରୀ ଦ୍ୱାରା ହିତାଧିକାରୀମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ ତଥା ଉତରଦାୟୀ କରାଯାଇପାରିବ । ଏଥି ପାଇଁ ବିଭିନ୍ନ ବିଭାଗ ମାନଙ୍କର ଆବଶ୍ୟକତାର ଆକଳନ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରାମାଣିତ କୌଶଳ ଗୁଡିକ ବିଷୟରେ ଜ୍ଞାନ ଆହରଣ ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଛି ବୋଲି ଶ୍ରୀ ମୀନା କହିଥିଲେ ।ଏହି ଦିନିକିଆ କର୍ମଶାଳାଟି ୨ଟି ଅଧିବେଶନରେ ଆୟୋଜିତ ହୋଇଥିଲା । ଉଦ୍ଘାଟନ ଓ ଉପକ୍ରମଣିକ ଅଧିବେଶନ ଏବଂ ବୈଷୟିକ ଅଧିବେଶନ । ବିଶ୍ୱବ୍ୟାଙ୍କର ବିଶେଷଜ୍ଞ ଶ୍ରୀ ଜନ୍ କ୍ଲାନ୍କ୍ୱେଷ୍ଟେ୍ ବିଶ୍ୱର ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହେଉଥିବା ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ବିଷୟରେ ଆଲୋକପାତ କରିଥିଲେ । କେନ୍ଦ୍ରୀୟ ଡ଼ି.ବି.ଟି. ମିଶନର ଯୁଗ୍ମ ସଚିବ ଶ୍ରୀ ସୌରଭ ତିୱାରୀ ହିତାଧିକାରୀଙ୍କୁ ସିଧାସଳଖ ସୁବିଧା ଯୋଗାଣ ସମ୍ବନ୍ଧିତ ଜାତୀୟ ଲକ୍ଷ୍ୟ ଓ ପଦ୍ଧତି ବିଷୟ ଉପସ୍ଥାପନ କରିଥିଲେ । ତେଲେଙ୍ଗାନା ଏବଂ ରାଜସ୍ଥାନର ବରିଷ୍ଠ ଅଧିକାରୀ ମାନେ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଡ଼ି.ବି.ଟି. ପଦ୍ଧତି ବିଷୟରେ ସୂଚନା ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ଅସୀତ କୁମାର ତ୍ରିପାଠୀ, କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସି.ଜେ ଭେନୁଗୋପାଳ, କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ ସାମାଜିକ ରେଜେଷ୍ଟ୍ରୀ ପାଇଁ ତଥ୍ୟ ସଂଗ୍ରହର ବିଭିନ୍ନ ଉପାୟ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରୋଟାରୀ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)-ମର୍କତ ନଗର ସିଡିଏ ୬ ନମ୍ବର ସେକ୍ଟରରେ ଥିବା କାଠଯୋଡି ବିହାରରେ …

Leave a Reply

Your email address will not be published. Required fields are marked *