Tuesday , July 16 2019
Home / କୃଷି / ସଚେତନତାର ଅଭାବ,କୃଷି ପ୍ରତି ଯୁବପିଢି ବିମୂଖ

ସଚେତନତାର ଅଭାବ,କୃଷି ପ୍ରତି ଯୁବପିଢି ବିମୂଖ

ଜଳସେଚନ ଓ ଜଳ ନିଷ୍କାସନ ମୂଖ୍ୟ ସମସ୍ୟା
ପାଟକୁରା ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ଯୋଜନା ପ୍ରଣୟନ କରିବା ସହିତ ପ୍ରତି ଜମିକୁ ଜଳ ସେଚନର ସୁବିଧା ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର କୃଷି ବହୁଳ ପାଟକୁରା ଅଂଚଳରେ ହାରାହାରି ପ୍ରାୟ ୬୦ ଭାଗରୁ ଉଦ୍ଧ୍ୱର୍ ଜମିରେ ଜଳସେଚନର ସୁବିଧା ନ ଥିବାରୁ ଓ ସର୍ବୋପରି ସଚେତନତାର ଅଭାବ ଯୋଗୁଁ ଏହି ଅଂଚଳର ଯୁବ ପିଢି,କୃଷି ପ୍ରତି ବିମୂଖ ହୋଇପଡୁଥିବା କୁହାଯାଉଛି । ଗରଦପୁର ବ୍ଲକ ଅଂଚଳରେ ମୋଟ ୯,୧୨୫ ହେକ୍ଟର ଚାଷ ଜମି ରହିଛି । ସେଥିମଧ୍ୟରୁ କେନାଲ ଜଳସେଚିତ ଚାଷ ଜମି ହେଉଛି ୧ ହଜାର୪୯ ହେକ୍ଟର ବୋଲି ସରକାରି ରେକର୍ଡରେ କୁହାଯାଉଥିଲେ ମଧ୍ୟ ବାସ୍ତବରେ ତାହା ୬୫୦ ହେକ୍ଟର ବୋଲି ଜଣାଯାଇଛି । ସେହିପରି ଉଠା-ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ଏକ ହଜାର ହେକ୍ଟର ଚାଷ ଜମିରେ ଜଳ ସେଚିତ କରାଯାଉଥିବାର ରେକର୍ଡ କରାଯାଇଛି । ଏତଦ୍ ବ୍ୟତିତ ଗାଡିଆ , ଚୂଆ , ପୋଖରୀ , ନାଳ ଆଦି ଅନ୍ୟ ଉପାୟରେ ପ୍ରାୟ ୫୦୦ହେକ୍ଟର ଚାଷ ଜମିରେ ଜଳ ସେଚିତ କରାଯାଉଛି । ଚାଷ ଜମି ରହିଛି ,ମାତ୍ର ଜଳସେଚନର ଯଥେଷ୍ଟ ସୁବିଧା ନ ଥିବାରୁ କେବଳ ବର୍ଷା ଜଳ ଓ ଅଳ୍ପ କେତେକ ଅଳ୍ପ ସ୍ଥାନରେ ଜଳସେଚନର ସୁବିଧା ଥିବା ଯୋଗୁଁ ଚାଷୀ ଜମିରେ ଧାନ, ମୁଗ, ବିରି, କୋଳଥ, ଚିନିବାଦାମ, ସୂର୍ଯ୍ୟମୂଖୀ ଓ ଅନ୍ୟାନ୍ୟ ପନିପରିବା ଆଦି ଚାଷ କରୁଛନ୍ତି । କେତେ ବେଳେ ବର୍ଷାର ଅଭାବ ପାଇଁ ଫସଲର ବ୍ୟପକ ଭାବେ କ୍ଷତି ଘଟିଥାଏ ତ କେତେ ବେଳେ ଅତ୍ୟଧିକ ବର୍ଷା ଏବଂ ବନ୍ୟା ଯୋଗୁଁ ଜଳ ନିଷ୍କାସନ ହୋଇ ନ ପାରି ଫସଲର ପ୍ରଭୃତ କ୍ଷତି ଘଟିଥାଏ । ସେଥିପ୍ରତି କୃଷି ବିଭାଗ ବା ଚାଷ ପାଇଁ ରୁଣ ଦେଉଥିବା ବ୍ୟାଙ୍କ ଗୁଡିକ କେହି ସେମାନଙ୍କର ଦୁଃଖକୁ ବୁଝନ୍ତି ନାହିଁ । ବୋଝ ଉପରେ ନଳିତା ବିଡା ସଦୃଶ ଚାଷୀଙ୍କୁ ଆହୁରି ରୁଣ କରିବା ପାଇଁ ପଡିଥାଏ । ଏହି ଅଂଚଳ ମଧ୍ୟ ଦେଇ ଦୀର୍ଘ ୨୭ କିମି ବ୍ୟାପି ପୁନ୍ଦାଳ ବ୍ରାଂଚ କେନାଲ ଓ ୨୯ କିମି ବ୍ୟାପି କରାଣ୍ଡିଆ ବ୍ରାଂଚ କେନାଲ ଦ୍ୱାରା ଚାଷ ଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା କରାଯାଇଛି । ଏହି କେନାଲରେ ପାଣି ଆସିଲେ ପାଶ୍ୱର୍ବର୍ତୀ ଅଂଚଳ ଗୁଡିକର ଚାଷ ଜମି ଜଳସେଚିତ ହୋଇପାରିବ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି କେନାଲ ଦ୍ୱୟରେ ଘାସ ମାଡିଯିବା,କେନାଲର ମଝିରେ ମଝିରେ ପୋତିହୋଇ ପଡିବା,ଏବଂ କେନାଲର ଆବଶକତା ଅନୁସାରେ ସଫେଇ ଓ ପୁନରୁଦ୍ଧାର କରାଯାଉ ନ ଥିବା ଯୋଗୁଁ କେନାଲର ଶେଷ ମୁଣ୍ଡକୁ ପାଣି ସହଜରେ ଆସିପାରୁ ନାହିଁ । ପ୍ରତିବର୍ଷ ବିଭାଗ ପକ୍ଷରୁ କେନାଲ ଶଯ୍ୟାରୁ ଘାସ ସଫେଇ ନାମରେ ବ୍ୟାପକ ଅର୍ଥ ହରଲୁଟ୍ ହୋଇଥାଏ । ଏହି କେନାଲ ଦ୍ୱୟରେ ପ୍ରାୟ ୧୧ ଜହାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ବିଭାଗୀୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା । ନଦୀ ଏବଂ ଜୋର ଥିବା ସ୍ଥାନମାନଙ୍କର ପାଶ୍ୱର୍ବର୍ତୀ ଅଂଚଳ ଗୁଡିକରେ ଉଠା-ଜଳ ସେଚନର ବ୍ୟବସ୍ଥା କରାଯାଇଥିବା ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଥିବାବେଳେ,ବାସ୍ତବ କ୍ଷେତ୍ରରେ ଯେଉଁ ସବୁ ସେଚ ପ୍ରକଳ୍ପ ଅଧିନରେ ପାଣି ପଂଚାୟତ ଗୁଡିକ ସକ୍ରିୟ ରହିଛନ୍ତି , ସେଠାରେ ଆବଶ୍ୟକତା ଅନୁସାରେ ପ୍ରକଳ୍ପ କାର୍ଯ୍ୟକାରି ହେଉଛି । ଅଧିକାଂଶ ସ୍ଥାନରେ ପାଣି ପଂଚାୟତ ଗୁଡିକ ସକ୍ରିୟ ନ ଥିବାରୁ ,ବାସ୍ତବରେ ବିଭାଗ ଲକ୍ଷ୍ୟ ଧାର୍ଯ୍ୟରେ ପହଂଚି ପାରୁନାହିଁ । ସେହିପରି ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଂଚଳରେ ଥିବା ଅଣ-ଜଳସେଚିତ ଚାଷ ଜମିକୁ ଜଳ ସେଚନର ସୁବିଧା ଯୋଗାଇ ଦେବା ପାଇଁ ଏଡିବି ଆର୍ଥିକ ଅନୁଦାନରେ କେନାଲ ଜଳ ଯୋଗାଣର ଲକ୍ଷ୍ୟ ନେଇ କେନାଲ ଖନନ କାର୍ଯ୍ୟ ଚାଲୁ ରହିଛି । ସମୁଦାୟ ଚାଷ ଜମିର ପ୍ରାୟ ୪୦ ପ୍ରତିଶତ ଜମିରେ ବିଭିନ୍ନ କ୍ଷେତ୍ରରୁ ଜଳ ସେଚନର ସୁବିଧା ରହିଥିବାବେଳେ ଅବଶିଷ୍ଟ ଜମି ସବୁ ଅଣ ଜଳସେଚିତ ଅବସ୍ଥାରେ ପଡିଛି । ସେହିପରି ଏହି ଅଂଚଳରେ ଥିବା ଲୁଣା-ଚିତ୍ରୋତ୍ପଳା ଦ୍ୱୀପାଂଚଳର ‘ଗହଗାପାଟ’ ଜମିରୁ ଉଦ୍ବୃତ ବର୍ଷା ଜଳ ବର୍ଷା ଦିନରେ ନିଷ୍କାସନ ହୋଇ ନ ପାରିବାରୁ ଏହି ପାଟରେ ଥିବା ପ୍ରାୟ ୬ ହଜାର ହେକ୍ଟର ଚାଷ ଜମିରୁ ପ୍ରାୟ ପ୍ରତି ବର୍ଷ ଫସଲ ନଷ୍ଟ ହୋଇଥାଏ । ଏହି ପାଟ ଜମିରେ ମାର୍ଶାଘାଇ ଓ ଗରଦପୁର ବ୍ଲକ ଅଂଚଳର ପ୍ରାୟ ୬ ହଜାରରୁ ଉଦ୍ଧ୍ୱର୍ ଚାଷ ଜମି ରହିଛି । ବର୍ଷାଦିନେ ଏହି ପାଟର ଜଳ ପତନ ଠାରୁ ଚିତ୍ରୋତ୍ପଳା ଓ ଲୁଣା ନଦୀର ଜଳପତନ ଉଚ୍ଚରେ ରହୁଥିବାରୁ ,ପାଟର ଉଦ୍ବୃତ ଜଳ ନଦୀ ମଧ୍ୟକୁ ନିଷ୍କାସନ ହୋଇ ନ ପାରି ଚାଷ ଜମିରେ ପ୍ରତି ବର୍ଷ ଫସଲ ନଷ୍ଠ କରିଥାଏ । ଜଳସେଚନର ସୁବିଧା ନ ଥିବା ଏବଂ ଜଳ ନିଷ୍କାସନ ପାଇଁ ସମସ୍ୟା ଥିବା ଯୋଗୁଁ ଚାଷୀମାନଙ୍କମର ଚାଷ କରିବା କ୍ଷେତ୍ରରେ ମନୋବଳ ଭାଙ୍ଗି ପଡୁୂଛି । ସେହିପରି ତେଣ୍ଡାକୁଡା ଠାରୁ ଏକ ଅଶୃଙ୍ଖଳା ଯୋର ବାହାରି ମହାକାଳପଡା ବ୍ଲକ ଅଧିନସ୍ଥ ଥିବା ଟିକରପଙ୍ଗା ନିକଟରେ ମହାନଦୀରେ ମିଶିଛି । ଏହି ଅଶୃଙ୍ଖଳା ଯୋର ଅଂଚଳର ଦୀର୍ଘ ୪୨ କିମି.ବ୍ୟାପି ରହିଥିବାରୁ ,ଏହି ଯୋର’ର ଉଭୟ ପାଶ୍ୱର୍ରେ ରହିଥିବା ଚାଷ ଜମି ଗୁଡିକୁ ମଧ୍ୟ ମରୁଡି ସମୟରେ ଏହାର ଜଳକୁ ଜଳ ସେଚନ ପାଇଁ ବ୍ୟବହାର କରାଯାଇ ପାରନ୍ତା , ମାତ୍ର ଏହି ଯୋର ଅଧିକାଂଶ ସ୍ଥାନରେ ପଙ୍କ ଓ ଦଳରେ ପୋତି ହୋଇ ଏହାର ଅସ୍ତିତ୍ୱ ହରାଇବାକୁ ବସିଥିବାବେଳେ , ଏହି ଯୋର’ରୁ ଜଳ ସେଚନର ଆଶା ମଉଳି ଯାଇଛି । ଏପରି କ୍ଷେତ୍ରରେ ଅଂଚଳର ଯୁବ ଚାଷୀମାନେ ଚାଷ କାର୍ଯ୍ୟ ପ୍ରତି ଦିନକୁ ଦିନ ବିମୂଖ ହୋଇ ପଡୁଥିବା କୁହାଯାଉଛି । ଏଥି ପ୍ରତି ସରକାରଙ୍କର କୃଷି ବିଭାଗ,ଜଳସେଚନ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଚାଷୀ ପରିବାର ଉପକୃତ ହୋଇ ପାରିବେ ବୋଲି ବରିଷ୍ଠ ଚାଷୀ ମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଖରିଫ ଧାନଚାଷ କାର୍ଯ୍ୟ ଆରମ୍ଭ

ନିଶ୍ଚିନ୍ତକୋଇଲି, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ଗତ କିଛିଦିନ ହେବ ଲଘୁଚାପ ପ୍ରଭାବରେ ବର୍ଷାହେବାରୁ ଖାଲୁଆ ଚାଷ କ୍ଷେତରେ ପାଣି ଜମି …

Leave a Reply

Your email address will not be published. Required fields are marked *