Friday , February 28 2020
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ମକର ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ – ବ୍ୟାପକ ପୋଲିସ ବନ୍ଦୋବସ୍ତ ସତ୍ୱେ ଛିନତାଇ ଅଭିଯୋଗ

ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ମକର ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ – ବ୍ୟାପକ ପୋଲିସ ବନ୍ଦୋବସ୍ତ ସତ୍ୱେ ଛିନତାଇ ଅଭିଯୋଗ

କେନ୍ଦ୍ରାପଡା ୧୫/୦୧/୨୦୨୦ (ଓଡ଼ିଶା ସମାଚାର)-ପବିତ୍ର ମକର ସଂକ୍ରାନ୍ତି ଓ ନବାଙ୍ଗ ବେଢା ପରିକ୍ରମା ଉତ୍ସବ ପାଇଁ ସୋମବାର ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ଉତ୍ସବମୁଖର ହୋଇଉଠିଛି । ମନ୍ଦିରରେ ଦିନତମାମ୍ ଶ୍ରଦ୍ଧାଳୁଙ୍କର ନାହିଁନଥିବା ଭିଡ ପରିଲିଖିତ ହୋଇଛି । ରବିବାର ରାତିରେ ଆରମ୍ଭ ହୋଇଥିବା ନବାଙ୍ଗ ବେଢା ପରିକ୍ରମା ଉତ୍ସବ ସୋମବାର ସଂଧ୍ୟାରେ ଶେଷ ହୋଇଛି । ମକର ସଂକ୍ରାନ୍ତି ଉତ୍ସବ ନିମନ୍ତେ ଆଜି ସକାଳ ସାଢେ ୫ଟା ସମୟରେ ମନ୍ଦିରର ପହୁଡ ଫିଟାଯାଇ ମଙ୍ଗଳ ଆରତୀ କରାଯାଇଥିଲା । ସକାଳ ସାଢେ ୬ଟା ସୁଦ୍ଧା ନୀତିସ୍ନାନ କରାଯାଇ ସାଢେ ୭ଟା ବେଳେ ଶ୍ରୀଜୀଉମାନଙ୍କୁ ଗୋପାଳ ବଲ୍ଲଭ ଧୂପ ଅର୍ପଣ କରାଯିବା ବେଳକୁ ମନ୍ଦିର ବେଢାରେ ଭିଡ ଜମି ଯାଇଥିଲା । ଅପରାହ୍ନ ସାଢେ ୩ଟା ସମୟରେ ମକର ବେଢା ପରିକ୍ରମାର ଆରମ୍ଭ ହୋଇଥିଲା । ମନ୍ଦିର ଦେବୋତ୍ତର ବିଭାଗ ପକ୍ଷରୁ ପ୍ରସ୍ତୃତ କରାଯାଇଥିବା ୮୪ ମକର ଭୋଗକୁ ମହାଲକ୍ଷ୍ମୀଙ୍କ ଭଣ୍ଡାର ଘରକୁ ନିଆଯାଇଥିଲା । ଏହାପରେ ବଡପଣ୍ଡା ସାହି , ଚର୍ଚେଇତ ସାହି, କରସାହି ଓ ସୁଆର ସାହିର ୪ ସେବାୟତ ୪ଟି ରୂପା ଥାଳିରେ ୮୪ ପ୍ରକାରର ବ୍ୟଞ୍ଜନ ନେଇ ମହାପ୍ରଭୁଙ୍କ ଶ୍ରୀଚରଣକୁ ଯାଇଥିଲେ । ସେଠାରେ ଆଜ୍ଞାମାଳ ପ୍ରାପ୍ତ କରିବାପରେ ଏକ ସୁସଜ୍ଜିତ ପଟୁଆରରେ ବ୍ୟଞ୍ଜନ ଥାଳିଗୁଡିକୁ ମୁଣ୍ଡରେ ଧରି ସେବାୟତମାନେ ବେଢା ପରିକ୍ରମା ଆରମ୍ଭ କରିଥିଲେ । ବେଢା ଭିତରେ ଥିବା କୀର୍ତନ ଦଳ ଗୁଡିକ ଏହି ପଟୁଆରକୁ ପାଛୋଟି ନେଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ପଟୁଆର ପଛରେ ବେଢା ପରିକ୍ରମା କରିଥିଲେ । ନବାଙ୍ଗ ବେଢା ପରିକ୍ରମା ଭିତରୁ ଗତକାଲି ୫ଥର ବେଢା ପରିକ୍ରମା କରାଯାଇଥିବାରୁ ଆଜି ଆଉ ୪ଥର ବେଢା ପରିକ୍ରମା କରାଯାଇଥିଲା । ଏହା ପରେ ୮୪ ବ୍ୟଞ୍ଜନକୁ ଶ୍ରୀଜୀଉମାନଙ୍କୁ ଲାଗି କରାଯାଇଥିଲା । ବ୍ୟଞ୍ଜନ ଅର୍ପଣ ପରେ ମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଲାଗିରହିଥିଲା । ରାତି ପ୍ରାୟ ୧୧ଟାବେଳେ ଶ୍ରୀଜୀଉମାନଙ୍କୁ ବଡ ସିଂହାର ବେଶ କରାଯାଇ ପହୁଡ ପକାଯାଇଥିଲା । ଆଜି ଦିନତମାମ ମନ୍ଦିରକୁ ଆସିଥିବା ଭକ୍ତମାନଙ୍କ ସଂଖ୍ୟା ଲକ୍ଷାଧିକ ଥିବାର ଦେଖାଯାଇଛି । ଏଠାରେ ସୂଚନା ଯୋଗ୍ୟଯେ ବାପଘର ଲୋକଙ୍କ ସହ ପୁଷମାସ ଟିଏ ବିତାଇବା ପରେ ଦେବୀ ମହାଲକ୍ଷ୍ମୀ ମକର ସଂକ୍ରାନ୍ତିର ପୂର୍ବ ସଂଧ୍ୟାରେ ଶ୍ରୀମନ୍ଦିରକୁ ଫେରିଥାଆନ୍ତି । ଏଇ ମାସଟି ଯାକ ମହାପ୍ରଭୁ ଦେବୀ ଲକ୍ଷ୍ମୀଙ୍କ ସେବାରୁ ବଂଚିତ ହେଉଥିବାରୁ ପୁଷମାସରେ ମହାପ୍ରଭୁଙ୍କ ମାଉସୀ ଶ୍ରୀଜୀଉମାନଙ୍କୁ ପ୍ରତିଦିନ ଶାଗ, ମିଷ୍ଟାନ୍ନ ଓ ପୋଡପିଠା ତିଆରି କରି ଖୁଆଇ ଥାଆନ୍ତି । ଶ୍ରୀବଳଦେବଜୀଉ ମନ୍ଦିରର ଏହି ଅବସରରେ ପୋଡପିଠା, ଖିରି, ପୁରୀ ପ୍ରଭୃତି ସ୍ୱତନ୍ତ୍ର ପକୁଡି ଭୋଗ କରାଯାଇଥାଏ । ତୁଳସୀ କ୍ଷେତ୍ର ଓ ଏହାର ଆଖପାଖ ଅଂଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ମାସଟିଯାକ ପକୁଡି ଧୂପଭୋଗ ସମୟର ହାଡଭଙ୍ଗା ଶୀତ ସତ୍ୱେ ଶ୍ରୀଜୀଉଙ୍କ ମନ୍ଦିରକୁ ଆସି ମାନସିକ ଭୋଗ ଅର୍ପଣ କରିଥାଆନ୍ତି । ମକରର ପୂର୍ବଦିନ ମହାଲକ୍ଷ୍ମୀ ଫେରିବା ପରେ ବାପଘରୁ ଆଣିଥିବା ୮୪ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ମନ୍ଦିର ବେଢାର ୫ଥର ପ୍ରଦକ୍ଷିଣ କରିଥାଆନ୍ତି । ମକର ସଂକ୍ରାନ୍ତିରେ ପରମ୍ପରା ମୁତାବକ ଦେବୀ ୮୪ ବ୍ୟଞ୍ଜନ ସହ ଆଉ ୪ଥର ବେଢା ପ୍ରଦକ୍ଷିଣ କରିବାପରେ ନବାଙ୍କ ବେଢା ପ୍ରଦକ୍ଷଣ ଉତ୍ସବ ଶେଷ ହୋଇଥାଏ । ପ୍ରବାଦ ଅଛି ଯେ ନବାଙ୍ଗ ବେଢା ପରିକ୍ରମା ଉତ୍ସବ ଦେଖିଲେ ପିତୃ ପୁରୁଷମାନଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ମକର ସଂକ୍ରାନ୍ତି ଉପଲକ୍ଷେ ଭିଡକୁ ଲକ୍ଷ୍ୟକରି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ମନ୍ଦିର ବେଢା ମଧ୍ୟରେ ଏତେ ଭିଡ ଥିଲାଯେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କୁ ଘଂଟା ଘଂଟା ଧରି ଧାଡିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିଥିଲା । କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଟାଉନ୍ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୌମ୍ୟରଞ୍ଜନ ଜାଲିଙ୍କ ସମେତ ପ୍ରାୟ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସରରେ ମୃତୟନ ହୋଇଥିଲେ ମଧ୍ୟ ପ୍ରବଳ ଭିଡରେ ସୁନା ଚେନ୍ ଓ ହାର ଛିନତାଇ ହୋଇଥିବାର ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର

About admin

Check Also

୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ

ବାଙ୍କୀ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)-ଶିକ୍ଷାଗତ ପ୍ରମାଣପତ୍ର ଦେବା ପାଇଁ ବାଙ୍କୀ ତୁଳସୀପୁରସ୍ଥିତ ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀ ୨ହଜାର …

Leave a Reply

Your email address will not be published. Required fields are marked *