(କୋଣାର୍କ ଉତ୍ସବ-୨୦୧୯ ଉଦଘାଟିତ)
ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ଅର୍କ କ୍ଷେତ୍ର କୋଣାର୍କର ପାଦଦେଶରେ ଥିବା ଭବ୍ୟ ମୁକ୍ତାକାଶ ମଂଚରେ ପର୍ଯ୍ୟଟନ ବିଭାଗ ଓଡିଶା ଆୟୋଜିତ କୋଣାର୍କ ଉତ୍ସବ ରବିବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ୍, ପର୍ଯ୍ୟଟନ ନିର୍ଦ୍ଧେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବ ରେ ଶୁଭାରମ୍ଭ କରିଥିଲେ । ପରେ ପରେ ଶାସ୍ତ୍ରୀୟ ନୃତ୍ୟକୁ ମଚଂସ୍ଥ କରିଥିଲେ ଓଡିଶୀ ଓ କଥକର ଶିଳ୍ପୀ ।
ପ୍ରଥମ ପ୍ରସ୍ତୁତିରେ ସୃଜନର ଶିଳ୍ପୀମାନେ ମଂଚସ୍ଥ କରିଥିଲେ । “ବନ୍ଦେ ସୂର୍ଯ୍ୟମ୍’ । ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନା ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଶିଳ୍ପୀଗଣ ଆଦିତ୍ୟ ନାରାୟଣଙ୍କ ଅର୍ଚ୍ଚନା କରିବା ପରେ ହଂସଧ୍ୱନୀ ପଲ୍ଲବୀ ଶୁଦ୍ଧ ନୃତ୍ୟକୁ ବାଢି ଦେଇଥିଲେ । ଏହାପରେ ଶକ୍ତିଙ୍କ ବିବିଧ ସ୍ୱରୂପକୁ ନେଇ ପ୍ରସ୍ତୁତି ହୋଇଥିଲା ଭଗବତୀ ସ୍ତୋତ୍ରମ । ସୃଜନର ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବଂଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ “ବନ୍ଦେ ମାତରମ୍’ ।
ଦ୍ୱିତୀୟ ଚରଣରେ ସୁପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ସମା ଭଟ୍ଟେ “ସୂର୍ଯ୍ୟ ବନ୍ଦନା’ ପ୍ରସ୍ତୁତ କରିଥିବା ବେଳେ ତାଳ-ରୂପକ ଆଧାରିତ ଶୁଦ୍ଧ ନୃତ୍ୟକୁ ବାଢି ଦେଇଥିଲେ । ପରବର୍ତି ନିବେଦନରେ କାଳୀୟ ମର୍ଦ୍ଧନ କୁ ଉପସ୍ଥାପନ କରିଥିଲେ କଥକ ନୃତ୍ୟାଙ୍ଗନା । ତିନ୍ତାଲ୍ ଆଧାରିତ ଦୃତଲୟ ର ଅଭିନୟ ସହ । ଚତୁରଂଗ ର ଶୁଦ୍ଧରୂପକୁ ନୃତ୍ୟ ଛନ୍ଦରେ ତୋଳି ଧରିଥିଲେ ଶିଳ୍ପୀଗଣ । ଡ. ସାଧନା ଶୀବାସ୍ତବ ଓ ଅଧ୍ୟାପକ ଡ. ମୃତ୍ୟୁଜଂୟ ରଥ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିବା ବେଳେ ଡ. ସଂଗୀତା ଗୋସାଇଁ ଓ ପର୍ଯ୍ୟଟନ ଅଧିକାରୀ ଗଣ ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର