Tuesday , July 16 2019
Home / ପର୍ଯ୍ୟଟନ ଓ ସଂସ୍କୃତି / ରାପିଡ୍ ରେସପନ୍ସ୍ ପକ୍ଷରୁ ଓଡିଶାରେ ଫନୀ ମହାବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ସହାୟତା ନିମନ୍ତେ କଳାମିତ୍ର ଡଲ୍ ନାମକ ଜୀବନଜୀବିକା ପରିଯୋଜନାର ଶୁଭାରମ୍ଭ
????????????????????????????????????

ରାପିଡ୍ ରେସପନ୍ସ୍ ପକ୍ଷରୁ ଓଡିଶାରେ ଫନୀ ମହାବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ସହାୟତା ନିମନ୍ତେ କଳାମିତ୍ର ଡଲ୍ ନାମକ ଜୀବନଜୀବିକା ପରିଯୋଜନାର ଶୁଭାରମ୍ଭ

 

ପୁରୀ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ସାରା ଭାରତ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଦ୍ଦଶାର ସଫଳ ପ୍ରତିକ୍ରିୟା ପ୍ରକାଶ କରୁଥିବା ନାନାଦି ପୁରସ୍କାର ପ୍ରାପ୍ତ ରାପିଡ୍ ରେସପନ୍ସ୍ ପକ୍ଷରୁ ଓଡିଶାରେ ଫନୀ ମହାବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ସହାୟତା ନିମନ୍ତେ କଳାମିତ୍ର ଡଲ୍ ନାମକ ଜୀବନଜୀବିକା ପରିଯୋଜନାର ଶୁଭାରମ୍ଭ ଚଳିତ ମାସ ୧୭ ତାରିଖ ଦିନ ରଘୁରାଜପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ପ୍ରଳୟଙ୍କରୀ ମହାବାତ୍ୟା ଫନୀର କରାଳ ପରେ ରାପିଡ୍ ରେସପନ୍ସ୍ ଦଳ ପକ୍ଷରୁ ଓଡିଶାର ବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ନିୟମିତ ଭାବରେ ରିଲିଫ୍ ଯୋଗାଇ ଦିଆଯାଉଛି ।

ଶ୍ରୀମତୀ ନମ୍ରତା ଚଢା, ରାଜ୍ୟ ଶିଶୁ ସୁରକ୍ଷା ନ୍ୟାୟ ସଦସ୍ୟା ଓ ମହିଳା ସାମାଜିକ କର୍ମୀ ଏବଂ ମିସ୍ ଏଲିନା ଦାସ, ଅଭିନେତ୍ରୀ ଓ ସାମାଜିକ କର୍ମୀଙ୍କ ମହତ୍ୱପୂର୍ଣ୍ଣ ଉପସ୍ଥିତିରେ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ, ଓଡିଶା ସରକାର ଏହି ପରିଯୋଜନାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାପିଡ୍ ରେସପନ୍ସ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମହମଦ୍ ଫାରୁକ୍, ରାପିଡ୍ ରେସପନ୍ସ୍ ର ମୁଖ୍ୟ ସହଯୋଗୀ ମିସ୍ ମହୀକ୍ଷିତା ମିଶ୍ର, ରଘୁରାଜପୁର ଗ୍ରାମର ସରପଂଚ ଓ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ସମ୍ବୋଧନ କରିବା ଅବସରରେ ଶ୍ରୀଯୁକ୍ତ ପାଣିଗ୍ରାହୀ କହିଥିଲେ ଯେ ପର୍ଯ୍ୟଟନ ଓ ସଂସ୍କୃତି ଏକ ମୁଦ୍ରାର ଦୁଇ ପାଶ୍ୱର୍ ସଦୃଶ । ଜଣେ ଅନ୍ୟ ଜଣଙ୍କ ବିନା ଅସ୍ଥିତ୍ୱହୀନ । ପର୍ଯ୍ୟଟନ କୌଣସି ଦେଶ କିମ୍ବା ରାଜ୍ୟର ମୁଖବନ୍ଧ ସଦୃଶ ଅଟେ । ପ୍ରଳୟଙ୍କରୀ ମହାବାତ୍ୟା ଫନୀ ପ୍ରପୀଡିତ ରଘୁରାଜପୁର ଗ୍ରାମବାସୀଙ୍କ ଦୁର୍ଦ୍ଦଶା ନିମନ୍ତେ ସେ ସମବେଦନା ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ମହାବାତ୍ୟା ଫନୀ ପରେ ଏହି ଗ୍ରାମବାସୀମାନେ ବହୁତ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ଗତି କରୁଛନ୍ତି ଏବଂ ରାଜନୈତିକ ବୈଠକ ଦ୍ୱାରା ସେ ଏହି ସମସ୍ୟାର ସମାଧାନ କରିବେ ବୋଲି ମଧ୍ୟ ପ୍ରତିଶୃତି ପ୍ରଦାନ କରିଥିଲେ । ଆହୁରି ମଧ୍ୟ ଗ୍ରାମବାସୀମାନଙ୍କୁ ଏକତ୍ରିତ ହୋଇ ନୂତନ ରଘୁରାଜପୁର ଗ୍ରାମ ଗଠନ କରିବାକୁ ପ୍ରେରଣା ପ୍ରଦାନ କରିଥିଲେ । ବର୍ତମାନ ଓଡିଶା ସରକାର ପର୍ଯ୍ୟଟନ ଓ ସଂସ୍କୃତି ର ବିକାଶ ନିମନ୍ତେ ଏକ ବର୍ଷିଆ ଯୋଜନାମାନ ପ୍ରଣୟନ କରିବାକୁ ଯାଉଛନ୍ତି । ପରିଶେଷରେ ସେ କହିଥିଲେ ପର୍ଯ୍ୟଟନ ଓ ସଂସ୍କୃତି ର ବିକାଶ ପାଇଁ ସେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବେ ।

ନିଜର ସମ୍ଭାଷଣରେ ଶ୍ରୀମତୀ ଚଢା କହିଥିଲେ ଯେ ରଘୁରାଜପୁର ଗ୍ରାମରେ ୧୫୩ ପରିବାର ଓ ଅନୂନ୍ୟ ୮୫୦ ଜଣ କଳାକାର ବସବାସ କରୁଛନ୍ତି । ଏହି ଐତିହ୍ୟ ଗ୍ରାମଟି ଏହାର କଳା ଓ ସଂସ୍କୃତି ପାଇଁ ବିଶ୍ୱବନ୍ଦିତ ଯେଉଁଥିପାଇଁ ଓଡିଆ ବୋଲି ମୁଁ ବହୁତ ଗର୍ବ ଅନୁଭବ କରେ । ସେ ଆହୁରି ମଧ୍ୟ କହିଥିଲେ ଫନୀ ମହାବାତ୍ୟାର ତାଣ୍ଡବ ଅତି ଭୟଙ୍କର କିନ୍ତୁ ଆମକୁ ନିରାଶ ନହୋଇ ଏକତ୍ରିତ ଭାବରେ ଆଗକୁ ବଢିବାକୁ ହେବ ଏବଂ ନୂତନ ଭାବରେ ଗ୍ରାମକୁ ପୁନଃଗଠନ କରିବାକୁ ପଡିବ । ନିଜସ୍ୱ ବୁଦ୍ଧିମତା ଓ କୌଶଳକୁ ପ୍ରୟୋଗ କରି ଏକ ବୃହତ୍ ରାଜସ୍ୱ ହାସଲ ନିମନ୍ତେ ସେ ଗ୍ରାମବାସୀମାନଙ୍କୁ ଆହ୍ୱାନ ଦେଇଥିଲେ । ପରିଶେଷରେ ରାପିଡ୍ ରେସପନ୍ସ୍ ର ଏତାଦୃଶ କାର୍ଯ୍ୟ ନିମନ୍ତେ ସେ ସମ୍ପୂର୍ଣ୍ଣ ଦଳକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହି ଅବସରରେ ମିସ୍ ଦାସ କହିଥିଲେ ଯେ ଏହି ଗ୍ରାମଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛତ୍ରଛାୟା ତଳେ ରହିଛଇ ଏବଂ ପ୍ରଳୟଙ୍କରୀ ମହାବାତ୍ୟା ଫନୀର କରାଳ ପରେ ରାପିଡ୍ ରେସପନ୍ସ୍ ଏକ ଦେବ ଦୂତ ସଦୃଶ ଏହି ଗ୍ରାମରେ କାର୍ଯ୍ୟ କରୁଛି । ଏହି ଗ୍ରାମ ପାଇଁ ଓଡିଶା ଆଜି ବିଶ୍ୱ ଦରବାରରେ ପରିଚିତ । ପ୍ରାକୃତିକ ବିପର୍ଯ୍ୟୟ ଧନ ଜୀବନ ନଷ୍ଟ କରିପାରେ କିନ୍ତୁ ଆମ ଭିତରେ ଥିବା କଳା ଓ ଦକ୍ଷତାକୁ କେହିବି ଆମ ଭିତରୁ କାଢି ନେଇପାରିବ ନାହିଁ । ଆମକୁ ଏହି ଦୁର୍ଦ୍ଦଶାରୁ ମୁକ୍ତ ହୋଇ ଏକତ୍ରିତ ଭାବରେ ଏକ ନୂତନ ରଘୁରାଜପୁର ଗ୍ରାମ ଗଠନ କରିବାକୁ ହେବ । ପରିଶେଷରେ ରାପିଡ୍ ରେସପନ୍ସ୍ ପକ୍ଷରୁ ମିସ୍ ମହୀକ୍ଷିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ମହାବାତ୍ୟା ପରେ ଶିଳ୍ପୀ ଗ୍ରାମ ରଘୁରାଜପୁରକୁ ରିଲିଫ୍ ଏବଂ ଦୀର୍ଘ ସ୍ଥାୟୀ ପୁନରୁଦ୍ଧାର ସହାୟତା ଯୋଗାଇ ଦେବା ପାଇଁ ୨୦୧୯ ମସିହା ମେ ମାସ ୧୯ ତାରିଖ ଦିନ ରାପିଡ୍ ରେସପନ୍ସ୍ ପକ୍ଷରୁ ରଘୁରାଜପୁର ଗ୍ରାମକୁ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯିବା ସହିତ ରଘୁରାଜପୁର ପୁନରୁଦ୍ଧାର ପରିଯୋଜନାର ଶୁଭାରମ୍ଭ କରାଯାଇଥିଲା । ତତ୍ ପର ଠାରୁ ଏହି ଦଳ ୪୦ ରୁ ଅଧିକ ସ୍ଥାନୀୟ ସ୍ୱୟଂ ସେବକମାନଙ୍କୁ ଏକତ୍ରିତ କରିଥିଲା ଏବଂ ଜେନେରେଟର୍, କାଠ କଟା ଯନ୍ତ୍ର, ଗୋଷ୍ଠୀ ରୋଷଶାଳା, ସ୍ୱାସ୍ଥ୍ୟ ଶିବିର, ରିଲିଫ୍ କିଟ୍, ସ୍ୱଚ୍ଛତା କିଟ୍, ଶିକ୍ଷା କିଟ୍, ମନସ୍ତତ୍ୱ ସାମାଜିକ ସହାୟତା ଏବଂ ବୃକ୍ଷରୋପଣ ଅଭିଯାନ ଦ୍ୱାରା ପ୍ରଭାବିତ ଗୋଷ୍ଠୀମାନଙ୍କୁ ସହାୟତା ପ୍ରଦାନ କରିଥିଲା ।

ଦୀର୍ଘକାଳୀନ ଭିତିରେ ପ୍ରଭାବିତ ଏହି ଶିଳ୍ପୀ ସମୁଦାୟଙ୍କୁ ସହଯୋଗ କରିବା ନିମନ୍ତେ ରାପିଡ୍ ରେସପନ୍ସ୍ ପକ୍ଷରୁ କଳାମିତ୍ର ଡଲ୍ ନାମକ ଜୀବନଜୀବିକା ପରିଯୋଜନା ଚଳିତ ମାସ ୧୭ ତାରିଖ ଦିନ ରଘୁରାଜପୁର ଗ୍ରାମରେ ଶୁଭାରମ୍ଭ କରାଯାଇଥିଲା । ଏହା ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଦ୍ଦଶା ପରବର୍ତୀ ଏକ ପୁନର୍ବାସ ଯୋଜନା ଯାହା ଦ୍ୱାରା ଲୋକମାନଙ୍କୁ ବିପର୍ଯ୍ୟୟ ମୁକାବିଲାର ନୂତନ କୌଶଳ ଶିକ୍ଷା ଦିଆଯିବା ସହିତ ସାମାଜିକ ସମ୍ପର୍କକୁ ଦୃଢୀକରଣ କରିବା ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା ଯାହା ଫଳରେ ଦୁର୍ଦ୍ଦଶା ପ୍ରପୀଡିତ ଲୋକମାନେ ସେମାନଙ୍କର ବିଗତ ଦିନର ଦୁଃଖକୁ ଲାଘବ କରିପାରିଥିଲେ । ଆହୁରି ମଧ୍ୟ ଏହି ପରିଯୋଜନା ସ୍ଥାୟୀ ରୋଜଗାର ନିମନ୍ତେ ସହାୟତା ପ୍ରଦାନ କରିଥାଏ ଯାହା ଫଳରେ ଶିଳ୍ପୀ ଗ୍ରାମର ଗ୍ରାମବାସୀମାନେ ମହାବାତ୍ୟା ପରେ ସେମାନଙ୍କର ଜୀବନକୁ ପୁଣି ଥରେ ସଜାଡି ପାରିବେ । ନିୟମିତ ରୋଜଗାର ହାସଲ କରିବା ନିମନ୍ତେ କଳାମିତ୍ର ଡଲ୍ ପରିଯୋଜନା ଶିଳ୍ପୀମାନଙ୍କୁ ବାତ୍ୟା ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ କୁଶଳୀ ହସ୍ତକଳା ନିର୍ମାଣ କରିବାରେ ମଧ୍ୟ ସହାୟତା ପ୍ରଦାନ କରିଥାଏ । ରଘୁରାଜପୁର ଗ୍ରାମ ପରିସରର ଶିଳ୍ପୀମାନଙ୍କୁ ସହଯୋଗ କରିବା ପାଇଁ ଏହି ପରିଯୋଜନା ଆରମ୍ଭ କରାଯାଇଥିଲା । ସଂସ୍କୃତରେ କଳାମିତ୍ରର ଅର୍ଥ ଶିଳ୍ପୀମାନଙ୍କର ମିତ୍ର । ରଘୁରାଜପୁର ଗ୍ରାମ ଭିତରେ କିମ୍ବା ବାହାରେ ଥିବା ଶିଳ୍ପୀମାନଙ୍କ ଦ୍ୱରା କଳାମିତ୍ର ଡଲ୍ ପ୍ରସ୍ତୁତ କରାଯିବ । ଏସବୁ ବିକ୍ରି ପରର ଅର୍ଥ ସିଧାସଳଖ ଫନୀ ପ୍ରଭାବିତ ଲୋକମାନଙ୍କ ନିମନ୍ତେ ବ୍ୟୟ କରାଯିବ ।

ରାପିଡ୍ ରେସପନ୍ସ୍ ଏକ ପଞ୍ଜୀକୃତ ଅଣ ଲାଭପ୍ରଦ ସଂସ୍ଥା ଯାହା ସଙ୍କଟ କିମ୍ବା ଦୁର୍ଦ୍ଦଶା ପରିସ୍ଥିତିରେ ପ୍ରଭାବିତ ସମୁଦାୟକୁ ବିପର୍ଯ୍ୟୟ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ସେବା ଯୋଗାଇ ଦେବା ପାଇଁ ବଦ୍ଧ ପରିକର । ପ୍ରାକୃତିକ ବିପର୍ଯ୍ୟୟରେ ପ୍ରପୀଡିତ ଲୋକମାନଙ୍କୁ ତତ୍କ୍ଷଣାତ୍ ଫଳପ୍ରଦ ଦୀର୍ଘକାଳୀନ ସହାୟତା ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ । ଏକ ସୁରକ୍ଷିତ ଏବଂ ବିପର୍ଯ୍ୟୟ ମୁକ୍ତ ଭାରତ ଗଠନ ନିମନ୍ତେ ଏହି ସଂସ୍ଥା ଦୃଢ ପ୍ରତିଶୃତିବଦ୍ଧ । ରାପିଡ୍ ରେସପନ୍ସ୍ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରପୀଡିତ ଲୋକମାନଙ୍କୁ ତୁରନ୍ତ ଥଇଥାନ ଓ ସ୍ୱାସ୍ଥ୍ୟ ସହାୟତା, ରିଲିଫ୍ (ଖାଦ୍ୟ ବଂଟନ, ରିଲିଫ୍ କିଟ୍, ବେଡ୍ କିଟ୍, ସ୍ୱଚ୍ଛତା ଓ ଶିକ୍ଷା କିଟ୍) ସହାୟତା ଏବଂ ପୁନର୍ବାସ (ସ୍ୱଚ୍ଛତା ଓ ଜୀବନଜୀବିକା ସମ୍ବନ୍ଧୀୟ) ସହାୟତା ପ୍ରଦାନ କରିଥାଏ । ସାମୁଦାୟିକ ପ୍ରବନ୍ଧିତ ବିପର୍ଯ୍ୟୟ କ୍ଷତି ଭରଣା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୁରକ୍ଷିତ ମାଧ୍ୟମିକ ବିଦ୍ୟାଳୟ, ବାର୍ତା ସଂଚାଳିତ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଓ ପ୍ରାକ୍ ଚେତାବନୀ ପ୍ରଣାଳୀ, ଉପକୂଳର ସୁରକ୍ଷା ନିମନ୍ତେ ହେନ୍ତଳ ବଣର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଏବଂ ବିପର୍ଯ୍ୟୟ ମୁକ୍ତ ଗ୍ରାମ ଗଠନ ନିମନ୍ତେ ଗୋଷ୍ଠୀଭିତିକ ପରିଯୋଜନା ପରି କାର୍ଯ୍ୟକ୍ରମ ଦ୍ୱାରା ରାପିଡ୍ ରେସପନ୍ସ୍ ପ୍ରଭାବିତ ହେବାକୁ ଥିବା ଅଂଚଳର ଲୋକମାନଙ୍କୁ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସହାୟତା ପ୍ରଦାନ କରିଥାଏ । ଓଡ଼ିଶା ସମାଚାର

About admin

Check Also

ବର୍ଷାପାଣିର ନିଷ୍କାସନ ବ୍ୟବସ୍ଥା ନଥିବାରୁ ସାଲେପୁର ସହର ବର୍ଷାଦିନେ ଉବୁଟୁବୁ ହେବା ନେଇ ଆଶଙ୍କା!

ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ସାଲେପୁରରେ ଡ୍ରେନେଜ୍ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇନଥିବାରୁ ବର୍ଷାଦିନେ ସାଲେପୁର …

One comment

Leave a Reply

Your email address will not be published. Required fields are marked *