Friday , September 20 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ରବୀନ୍ଦ୍ର ମଣ୍ଡପରେ ‘ଆମ ଲୋକକଳା, ଆମ ସଂସ୍କୃତି’

ରବୀନ୍ଦ୍ର ମଣ୍ଡପରେ ‘ଆମ ଲୋକକଳା, ଆମ ସଂସ୍କୃତି’

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପ୍ରତି ମାସରେ ଅନୁଷ୍ଠିତ  ନିୟମିତ କାର୍ଯ୍ୟକ୍ରମ ‘ଆମ ଲୋକକଳା, ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝରର ବିଶ୍ୱପ୍ରସିଦ୍ଧ ‘କଣ୍ଢେଇନାଚ’ ଓ ଭଦ୍ରକର ‘ମୋଗଲ ତାମସା’ ପରିବେଷିତ ହୋଇଥିଲା ।

  ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ଚରଣରେ କେନ୍ଦୁଝରର ବିଶ୍ୱପ୍ରସିଦ୍ଧ କଣ୍ଢେଇନାଚ ପରିବେଷିତ ହୋଇଥିଲା । ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜ, କେନ୍ଦୁଝରର କଳାକାରଙ୍କ ଦ୍ୱାରା ଗୁରୁ ମାଗୁଣୀ ଚରଣ କହଁରଙ୍କ ନିର୍ଦ୍ଦେଶନାରେ ଶିଳ୍ପୀମାନେ ‘ଶ୍ରୀକୃଷ୍ଣ ଜନ୍ମ’ ଉତରେ ନାଟକ ପରିବେଷଣ କରିଥିଲେ । ବଡ଼କଥା ହେଲା ବିଭିନ୍ନ ବାଦ୍ୟଯନ୍ତ୍ରରେ ୧୧ଜଣ ଶିଳ୍ପୀମାନଙ୍କ ସହ ନିଜେ ଗୁରୁ ମାଗୁଣୀ କହଁର ଉପସ୍ଥିତ ରହି କଣ୍ଢେଇ ନାଚ ଦେଖାଇଥିଲେ । ପୁରା ୪୦ରୁ ୪୫ମିନିଟ୍  ଧରି ଏ ନାଚ ହୋଇଥିଲା । ଗୁରୁ ନିଜେ ଏକାକୀ ବିଭିନ୍ନ ସ୍ୱର ବଦଳାଇ ସମସ୍ତ ସ୍ୱର ଦେଇଥିଲେ ।  ବାଜା, ଗୀତର ତାଳେ ତାଳେ ପୌରାଣିକ କଥାବସ୍ତୁ ଉତରେ ଆଧାରିତ ଏ ନାଟକ ଦର୍ଶକଙ୍କୁ ବାନ୍ଧି ରଖିଥିଲା ମଂଚ ସାମ୍ନାରେ ।

  ସେହିପରି କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ଭଦ୍ରକର ଅତି ପୁରାତନ ସାଂସ୍କୃତିକ ନାଟ ତାମସା ‘ମୋଗଲ ତାମସା’ ପରିବେଷଣ କରିଥିଲେ ସଙ୍କେତ ଶିଳ୍ପୀ ବୃନ୍ଦ । ଗୁରୁ ବାଦଲ ସିକଦାର ଓ ୩୦ଜଣିଆ ସାଥୀ ଅତି ନିଖୁଣତାର ସହ ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ସେହି ପ୍ରାଚୀନ ଯୁଗକୁ ଫେରାଇ ନେଇଥିଲେ । ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ରଚିତ ମୂଳ ବିଷୟବସ୍ତୁ ଉତରେ ପରିବେଷଣ କରାଯାଇଥିଲା ‘ମୋଗଲ ତାମସା’ ।

   ଏହି ସୁନ୍ଦର ସାଂସ୍କୃତିକ ସନ୍ଧ୍ୟାକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏଥିରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ସ୍ୱତନ୍ତ୍ର ସଚିବ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଡ. ରାମକୃଷ୍ଣ ସାହୁ, ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ, ରାଜ୍ୟସ୍ତରୀୟ ଲୋକକଳା ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜେଡକେଏସଏସ ପୁରୀର ପୂର୍ବତନ ଉପସଭାପତି ପ୍ରକାଶ କୁମାର ମହାନ୍ତିଙ୍କ ସ୍ମୃତିରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ରାଜନଗର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜନଗର ବ୍ଲକ ହାତିନା ପଂଚାୟତ ପେଣ୍ଠ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କୁ …

Leave a Reply

Your email address will not be published. Required fields are marked *