Sunday , December 8 2019
Breaking News
Home / ତାଜା ଖବର / ରବି ପ୍ରଧାନ ଅପହରଣ ଓ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କ ଆତ୍ମସମର୍ପଣ

ରବି ପ୍ରଧାନ ଅପହରଣ ଓ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କ ଆତ୍ମସମର୍ପଣ

ନୟାଗଡ଼, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ରବି ପ୍ରଧାନଙ୍କୁ ଅପହରଣ ଓ ହତ୍ୟା ପରେ ଶବକୁ ପୋଡିଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ହେଲେ ଗୋତିସାହି ପଂଚାୟତର ସରପଂଚଙ୍କ ପୁଅ ଜ୍ୟୋର୍ତିମୟ ମହାନ୍ତି ଓରଫ କାଳୁ । ପୂର୍ବରୁ ଏହି ଘଟଣାରେ ପୋଲିସ ବାଳକୃଷ୍ଣ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଗତ ଜୁନ୍ ୧୪ ତାରିଖରେ ହଠାତ୍ ରବି ନିଖୋଜ ହୋଇଯାଇଥିଲେ । ୧୫ ତାରିଖରେ ରବିଙ୍କ ମାଆ ଏନେଇ ଶରଣକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରାଜନୈତିକ ଆକ୍ରୋଶ ରଖି ତାଙ୍କ ପୁଅକୁ ଅପହରଣ କରାଯାଇଥିବା ସେ ଏତଲାରେ ଦର୍ଶାଇଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାମଲାରେ ଗତ ଜୁଲାଇ ୪ ତାରିଖରେ ଜାମୁଝୋଲା ଗ୍ରାମର ବାଳକୃଷ୍ଣକୁ ପୋଲିସ ଗିରଫ କରିଥିଲା । ପୋଲିସ ତାକୁ ଏନେଇ ପଚରା ଉଚୁରା କରିବା ବେଳେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ରବିଙ୍କୁ ଅପହରଣ ପରେ ହତ୍ୟା କରି ଜଙ୍ଗଲରେ ପୋଡି ଦିଆଯାଇଥିବା ସେ ପୋଲିସ ନିକଟରେ ବୟାନ ଦେଇଥିଲା । ତା’ର ବୟାନ ଆଧାରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଂଚଳରୁ ରବିଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା । ଏହାକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ରବିଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଥିଲା । ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *