Saturday , February 29 2020
Breaking News
Home / ରାଜନୀତି / ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଖୋଲା ଚିଠି : ସିଏଏ ଓ ଏନପିଆର୍ ପ୍ରତ୍ୟାହାର କର

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଖୋଲା ଚିଠି : ସିଏଏ ଓ ଏନପିଆର୍ ପ୍ରତ୍ୟାହାର କର

ଭୁବନେଶ୍ୱର ,୧୯/୦୧/୨୦୨୦ (ଓଡ଼ିଶା ସମାଚାର)-  ନାଗରିକ ସଂଶୋଧନ ଆଇନ୍ (ସିଏଏ) ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟାର (ଏନପିଆର୍‌)କୁ ରାଜ୍ୟ ସରକାର ଦେଇଥିବା ସମର୍ଥନ ପ୍ରତ୍ୟାହାର କରିନେବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆପଣଙ୍କ ଦଳ ବିଜେଡି ସିଏଏ ଓ ଏନପିଆର୍ କୁ ସମର୍ଥନ ଦେଇଛନ୍ତି । ଏନଆରସିର ଅନ୍ୟନାମ ଏନପିଆର୍ । ଆପଣ ଜାଣନ୍ତି ଏହି ଆଇନ ଦେଶର ‘ସମ୍ବିଧାନ’ର ସମ୍ପୂର୍ଣ୍ଣ ବିରୋଧି । ଦେଶର ସବୁ ବର୍ଗର ଲୋକେ ଏହି ଆଇନକୁ ଘୋର ବିରୋଧ କରୁଛନ୍ତି । ବିଶେଷକରି ଯୁବକ-ଛାତ୍ର ଏହାର ପ୍ରତିବାଦରେ ସମଗ୍ର ଦେଶରେ ସବୁଠୁ ଆଗରେ । ଭାରତର ସମ୍ବିଧାନରେ ସ୍ପଷ୍ଟ ଯେ ଧର୍ମକୁ ଭିତିକରି କୌଣସି ଆଇନ ପ୍ରଣୟନ କରାଯାଇ ପାରିବନାହିଁ । ଏହା ଭାରତର ମୂଳ ଭାବନାର ସମ୍ପୂର୍ଣ୍ଣ ପରିପନ୍ଥୀ । ଦେଶର ସ୍ୱାଧିନତା ସଂଗ୍ରାମର ମହାନ ପରମ୍ପରା ହିଁ ସମ୍ବିଧାନ ରଚନାର ଆଧାରଶୀଳା । ସବୁଧର୍ମ, ସବୁବର୍ଣ୍ଣ, ସବୁଭାଷାର ସମନ୍ୱୟରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱରେ ଆମର ଏକ ସ୍ୱତନ୍ତ୍ର ପରିଚୟ । ବିଶ୍ୱ ଭ୍ରାତୃତ୍ୱର କେନ୍ଦ୍ରବିନ୍ଦୁ ହେଉଛି ଭାରତବର୍ଷ । ଆଜି ସେହି ପରମ୍ପରା ଓ ପରିଚୟକୁ ଲିଭାଇବାକୁ ଏକ ଅପଚେଷ୍ଟା ଚାଲିଛି । ଭାରତର ଆତ୍ମା ର ସମାଧି ଦେବାକୁ ଯେଉଁ ଉଦ୍ୟମ ଚାଲିଛି ତା’ବିରୋଧରେ ଆପଣ ଛିଡ଼ାହେବେ ବୋଲି ସେ ଆଶା କରୁଥିବା ଶ୍ରୀକାନ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଭାରତ ଗଡ଼ିବାକୁ ଡ଼.ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ସମ୍ବିଧାନକୁ ଧ୍ୱଂସ କରିବାକୁ ଯେଉଁ ଶକ୍ତି ଆଜି ଲାଗିପଡ଼ିଛନ୍ତି ସେହି ଶକ୍ତିଙ୍କ ନିକଟରେ ଆପଣ କିପରି ମୁଣ୍ଡ ନୁଆଁଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଆପଣଙ୍କ ସରକାର କିପରି ଚାଲିଛି ବା ଚାଲୁଛି ତାହା ଅଲଗାକଥା – କିନ୍ତୁ କି ମାନସିକତା ଓ ବିଚାର ଧାରାରେ ଆପଣ ଚାଲୁଛନ୍ତି ତା’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିଚାରଧାରାକୁ ଆଧାରକରି ଯଦି ଆପଣଙ୍କ ଦଳ ଚାଲୁଥାନ୍ତା ତେବେ ଏହି ସମ୍ୱିଧାନ ବିରୋଧୀ ଆଇନକୁ ଆପଣ ସମର୍ଥନ କରିନଥାନ୍ତେ ବୋଲି ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି । ଏହି ଆଇନ୍ (ସିଏଏ) ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ କେବଳ ଉଦ୍ଦିଷ୍ଟ ନୁହେଁ, ଏହି ଆଇନ୍ ପ୍ରତ୍ୟେକ ନାଗରିକ ବିଶେଷକରି ଦଳିତ-ଆଦିବାସୀ ଓ ଅନ୍ୟ ଗରିବ ଗୁରୁବା ଲୋକଙ୍କୁ ଏକ ଅସ୍ୱାଭାବିକ ପରିସ୍ଥିତିକୁ ଠେଲିଦେବ । କାହାପାଖରେ ନିଜର ଓ ନିଜ ବାପା – ମାଙ୍କର ଜନ୍ମ ସାର୍ଟିଫିକେଟ ଅଛି?  ମୋ ପାଖରେ ତ ମୋର ବାପା-ମାଙ୍କର ଜନ୍ମ ତାରିଖର ସାର୍ଟିଫିକେଟ ନାହିଁ । ସାଧାରଣ ଲୋକେ କେଉଁଠୁ ଆଣିବେ? ଏହାର ଆବଶ୍ୟକତା କ’ଣ? କାହିଁକି ଏହି ନାଟକ ଦେଶରେ ଚାଲିଛି? କେବଳ ଲୋକଙ୍କ ଦୃଷ୍ଟିକୁ ଅନ୍ୟଆଡ଼େ ନେଇ ଅସଲ ସମସ୍ୟା – ବେକାରୀ, ଦରବୃଦ୍ଧି, ଦେଶର ଅର୍ଥନୀତି ଇତ୍ୟାଦିର ସ୍ଥିତି ଏତେ ଖରାପ ଯେ ସେ ପ୍ରଶ୍ନ ଲୋକେ ଉଠାଇବା ପୂର୍ବରୁ ଲୋକଙ୍କୁ ଆଉ ଏକ ସମସ୍ୟା ଭିତରକୁ ଠେଲିଦିଅ ଓ ତା’ରି ଭିତରୁ ସେମାନେ ନ ବାହାରି ପାରନ୍ତୁ । ମୋର ଆପଣଙ୍କୁ ଅନୁରୋଧ ଆପଣ ତୁରନ୍ତ ସିଏଏ ଓ ଏନପିଆର୍‌କୁ ଦେଇଥିବା ସମର୍ଥନକୁ ପ୍ରତ୍ୟାହାର କରିନିଅନ୍ତୁ । ମହାତ୍ମା ଗାନ୍ଧୀ ଓ ଡ଼.ଆମ୍ବେଦକରଙ୍କ ବିଚାର ଧାରାକୁ ସମ୍ନାନ ଦିଅନ୍ତୁ । ସମ୍ବିଧାନକୁ ସମ୍ମାନ ଦିଅନ୍ତୁ । ଆପଣଙ୍କ ପିତା ବିଜୁବାବୁଙ୍କୁ ସମ୍ମାନ ଦିଅନ୍ତୁ । ନଚେତ୍ ଭାବିବଂଶଧର ଆପଣଙ୍କୁ କ୍ଷମା ଦେବେ ନାହିଁ । ମୁଖ୍ୟମନ୍ତ୍ରୀତ୍ୱ ବା କୌଣସି ପଦ ପଦବୀ କାହାପାଇଁ ଚିରସ୍ଥାୟୀ ନୁହେଁ । ମହାତ୍ମା ଗାନ୍ଧୀଙ୍କୁ ୧୯୪୮ରେ ଯେଉଁ ଶକ୍ତି ହତ୍ୟା କରିଥିଲେ ଆଜି ସେହି ଶକ୍ତି ମହାତ୍ମା ଗାନ୍ଧୀଙ୍କ ବିଚାର ଧାରାକୁ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି । ଆପଣ ନିଜକୁ ସେଥିରୁ କ୍ଷାନ୍ତ ରଖିବେ ବୋଲି ଆଶା କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମ ପଂଚାୟତର ବିଜେଡି ସଭାପତି ଭାବେ ଯୁବନେତା ଅଶୋକ କୁମାର …

Leave a Reply

Your email address will not be published. Required fields are marked *