Saturday , January 25 2020
Breaking News
Home / ବିଶେଷ / ମାନବ ଚାଲାଣ ରୋକିବାକୁ କଡ଼ା ପଦକ୍ଷେପ : ରେଳଷ୍ଟେସନରେ ଖୋଲିବ ମହିଳା ଓ ଶିଶୁ ଡେସ୍କ

ମାନବ ଚାଲାଣ ରୋକିବାକୁ କଡ଼ା ପଦକ୍ଷେପ : ରେଳଷ୍ଟେସନରେ ଖୋଲିବ ମହିଳା ଓ ଶିଶୁ ଡେସ୍କ

ଭୁବନେଶ୍ୱର,୨୪/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଟ୍ରେନଯୋଗେ ହେଉଥିବା ମାନବ ଚାଲାଣକୁ ରୋକିବା ପାଇଁ ରାଜ୍ୟ ପୁଲିସ ସ୍ୱତନ୍ତ୍ର ରଣକୌଶଳ ଆପଣେଇବାକୁ ଯାଉଛି । ବର୍ତମାନ ସମୟରେ ଟ୍ରେନ ଜରିଆରେ ରାଜ୍ୟ ବାହାରକୁ ମହିଳା ଓ ଶିଶୁ ଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ରାଜ୍ୟର ୯ଟି ପ୍ରମୁଖ ରେଳ ଷ୍ଟେସନରେ ମହିଳା ଓ ଶିଶୁ ଡେସ୍କ ଖୋଲିବାକୁ ନିଷ୍ପତିି ନିଆଯାଇଛି । ମୁଖ୍ୟତଃ ମାନବ ଚାଲାଣ ରୋକିବା ପାଇଁ ଜିଆରପି ଥାନା ଏନେଇ ପଦକ୍ଷେପ ଗ୍ରହଣ କରିବ । ଏହାବାଦ୍ ରେଳ ଷ୍ଟେସନରେ ଦୁଷ୍କର୍ମର ଶିକାର ହେଉଥିବା ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବାରେ ମଧ୍ୟ ଏହା ସହାୟକ ହେବ । ଷ୍ଟେସନରେ ନିଖୋଜ ଶିଶୁଙ୍କୁ ଉଦ୍ଧାର ଓ ଥଇଥାନ କ୍ଷେତ୍ରରେ ମଧ୍ୟ ଏହା ଉଚିତ ମାଧ୍ୟମ ସାଜିବ ବୋଲି ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀମାନେ ଆଶା ବ୍ୟକ୍ତ କରିଛନ୍ତି । ଏହି ୯ଟି କେନ୍ଦ୍ର ଖୋଲିବାକୁ ପ୍ରାୟ ୧କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଜଣାପଡ଼ିଛି । ଅର୍ଥାତ୍ ପ୍ରତ୍ୟେକ ଷ୍ଟେସନ ପାଇଁ ଅନ୍ୟୁନ ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ରୋକିବା ଏବଂ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ପୁଲିସ ବିଭାଗ ଏଭଳି କାର୍ଯ୍ୟପନ୍ଥା ହାତକୁ ନେଇଛି । ୩୩ ପୁଲିସ ଜିଲ୍ଲାର ଥାନାସ୍ତରରେ ମହିଳା ଓ ଶିଶୁ ସହାୟତା କେନ୍ଦ୍ରର ସଫଳତା ପରେ ଆହୁରି ୨ଟି ଜିଲ୍ଲା କଟକ ଏବଂ ରାଉରକେଲା ଅନ୍ତର୍ଗତ ୧୫ଟି ଜିଆରପି ଥାନା ଅନ୍ତର୍ଗତ ରେଳ ଷ୍ଟେସନ ପ୍ଲାଟଫର୍ମରେ ଏହି ସହାୟତା କେନ୍ଦ୍ର ଖୋଲିବାକୁ ନିଷ୍ପତିହୋଇଛି । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ପୁରୀ, ରାଉରକେଲା, ଝାରସୁଗୁଡ଼ା, ରାୟଗଡ଼ା ଏବଂ ସମ୍ବଲପୁର ରେଳ ଷ୍ଟେସନରେ ଏହି କେନ୍ଦ୍ର ଖୋଲାଯାଉଛି । କେନ୍ଦ୍ର ଦାୟିତ୍ୱରେ ଜଣେ ମହିଳା ଏସ୍ଆଇ କିମ୍ବା ଏଏସ୍ଆଇ ରହିବେ । ସେମାନଙ୍କୁ ସହଯୋଗ କରିବା ନିମନ୍ତେ ଜଣେ କନଷ୍ଟେବଳ ମଧ୍ୟ ନିଯୁକ୍ତି କରାଯିବ । ଧର୍ତବ୍ୟ ମାମଲା ଘଟିଲେ ତୁରନ୍ତ ମାମଲା ରୁଜୁ କରି ଏତଲା କପି ଅଭିଯୋଗକାରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ଏକାନ୍ତ ସ୍ଥାନରେ ରଖି ବୟାନ ରେକର୍ଡ କରାଯିବ । ପୀଡ଼ିତା ଭୟଭୀତ ଅବସ୍ଥାରେ ରହିଥିଲେ ତାଙ୍କୁ ମହିଳା ପୁଲିସ କର୍ମଚାରୀ ବନ୍ଧୁତ୍ୱ ସ୍ଥାପନ କରି ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେସ୍କରେ କମ୍ପ୍ୟୁଟର ଇଂଟରନେଟ୍ ସଂଯୋଗ କରାଯିବା ସହ ଅନ୍ଲାଇନରେ ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ପୀଡ଼ିତା ମହିଳାଙ୍କୁ ଉଦ୍ଧାର ପରେ ହେଲପ୍ ଲାଇନକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତିି ନିଆଯାଇଛି ।
ସୂଚନାଯୋଗ୍ୟ ଯେ ଓଡ଼ିଶାରୁ ଟ୍ରେନ୍ ଯୋଗେ ଦଲାଲମାନେ ବେଶ୍ୟା ବୃତିି ପାଇଁ ଓ ବାଲ୍ୟ ବିବାହ କରାଇବା ନିମନ୍ତେ ଉତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶକୁ ମହିଳା ଚାଲାଣ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଦଲାଲଙ୍କ ଉପରେ ପୁଲିସ ଅଧିକ ନଜର ରଖିବା ସହିତ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଏଭଳି ଯୋଜନା ହାତକୁ ନେଇଛି । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *