Saturday , December 7 2019
Home / ବିଶେଷ / ମହାକାଳପଡା ଥାନା ମୁଷା ପାଇଟାଳ ହାଜତ ମୃତୁ୍ୟ ମାମଲା: ଜିଲ୍ଲାଜଜଙ୍କ କୋର୍ଟରେ  ଆଇ.ଆଇ.ସି.ଶ୍ୟାମଘନ ବେହେରାଙ୍କ ଆତ୍ମସମର୍ପଣ

ମହାକାଳପଡା ଥାନା ମୁଷା ପାଇଟାଳ ହାଜତ ମୃତୁ୍ୟ ମାମଲା: ଜିଲ୍ଲାଜଜଙ୍କ କୋର୍ଟରେ  ଆଇ.ଆଇ.ସି.ଶ୍ୟାମଘନ ବେହେରାଙ୍କ ଆତ୍ମସମର୍ପଣ

ଜାମିନ ଆବେଦନ ନାମଞ୍ଜୁର ବାରିମୂଳ ଜେଲ ଗଲେ ଶ୍ୟାମଘନ

କେନ୍ଦ୍ରାପଡା ୦୩/୧୨/୨୦୧୯(ଓଡ଼ିଶା ସମାଚାର)-ମୁଷା ଓରଫ ଅବିନାଶ ପାଇଟାଳ ହାଜତ ମୃତୁ୍ୟ  ଘଟଣାର ଫେରାର ଥିବା  ମୁଖ୍ୟ ଅଭିଯୁକ୍ତ ମହାକାଳପଡା ଥାନାର ତତକାଳୀନ ଭାରପ୍ରାପ୍ତ ଇନିସପେକ୍ଟର ଶ୍ୟାମଘନ ବେହେରା ଘଟଣାର ପ୍ରାୟ ୧ବର୍ଷ ୩ମାସ ପରେ   ମଙ୍ଗଳବାର ପୂର୍ବାହ୍ନରେ  କେନ୍ଦ୍ରାପଡା  ଜିଲ୍ଲାଜଜଙ୍କ କୋର୍ଟରେ ଆତ୍ମ ସମର୍ପଣ  କରିଛନ୍ତି ।  ଅଭିଯୁକ୍ତ ଶ୍ୟାମଘନଙ୍କ  ଜାମିନ ଆବେଦନ ପ୍ରଥମେ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଦିଗବିଜୟ ଦାସଙ୍କ କୋର୍ଟରେ କରାଯାଇଥିଲା । ସେଠାରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହୋଇଥିଲା । ପରେ  ଜିଲ୍ଲାଜଜ ବାସୁଦେବ ପଣ୍ଡାଙ୍କ କୋର୍ଟରେ ଅପରାହ୍ନରେ ଜାମିନ ଆବେଦନ କରାଯାଇଥିଲା । ଜିଲ୍ଲାଜଜଙ୍କ କୋର୍ଟରେ ମଧ୍ୟ ଅଭିଯୁକ୍ତ ଶ୍ୟାମଘନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ  ତାଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଗତ ୨୦୧୮ ମସିହା ଅଗଷ୍ଟମାସ ୨୬ ତାରିଖରେ ମୁଷା ଓରଫ ଅବିନାଶ ପାଇଟାଳର ମହାକାଳପଡା ଥାନା ହାଜତରେ ମୃତୁ୍ୟ ହୋଇଯାଇଥିଲା । ମୁଷା ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ  ଥିବାର ଦେଖାଯାଇଥିଲା । ମୁଷାର ପରିବାରର ଅଭିଯୋଗକୁ ଭିତିକରି ମହାକାଳପଡା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ସେହି ହତ୍ୟା ମାମଲାରେ ମହାକାଳପଡା ଥାନା ଅଧିକାରୀ ଶ୍ୟାମଘନ ବେହେରା ମୁଖ୍ୟ ଅଭିଯୁକ୍ତ ଥିଲେ । କିନ୍ତୁ ସେ ଫେରାର ହୋଇଯାଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ସାଧାରଣରେ ପୋଲିସର ନିରପେକ୍ଷ ଭୂମିକା ପ୍ରତି ଗଭୀର ପ୍ରଶ୍ନବାଚୀ ସୃଷ୍ଟି  କରିଥିଲା  । ଏହି ଜଘନ୍ୟ ହତ୍ୟା ଘଟଣାକୁ  ଜିଲ୍ଲା ପୋଲିସ ଏବଂ ପ୍ରଶାସନ ଆତ୍ମହତ୍ୟାର ରୂପ ଦେଇ ଅଭିଯୁକ୍ତ ପୋଲିସ ଇନିସପେକ୍ଟରଙ୍କ ଦ୍ୱାରା ଅର୍ଥ ଲୋଭ ଦେଖାଇ ମୃତକ ପରିବାରକୁ ଚୁପ କରାଇବାକୁ  ଉଦ୍ୟମ  କରିଥିଲେ ମଧ୍ୟ  ତାହା ସଫଳ ନହେବାରୁ  ବିଭିନ୍ନ ଆଳରେ ଅଭିଯୁକ୍ତକୁ ଗିରଫ କରାନଯାଇ ସମୟ ଗଡାଇ ଚାଲଥିଲା ।    ପରେ ମାମଲାର ଗୁରୁତ୍ୱକୁ ନେଇ  ଏହି ମାମଲା କ୍ରାଇମବ୍ରାଂଚ ପୋଲିସକୁ ହସ୍ତାନ୍ତର କରାଯାଇଥିଲା  । ପ୍ରଶାସନ ଏବଂ ପୋଲିସ ପାଖରୁ ଉପଯୁକ୍ତ ନ୍ୟାୟ ନମିଳିବାରୁ ମୃତ ଅବିନାଶର ପତ୍ନୀ ଏକମାତ୍ର  କୁନି ନିଷ୍ପାପ ଶିଶୁଟିକୁ ସାଙ୍ଗରେ ଧରି ବୃଦ୍ଧ ଶଶୁର ଓ ଶାଶୁଙ୍କ ସହିତ ଥଣ୍ଡା,କାକର,ବର୍ଷାରେ ଖୋଲା ଆକାଶ ତଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିରହିଥିଲା ତା’ର ମୃତ ସ୍ୱାମୀ ଅବିନାଶ ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ମିଳିବା ଆଶାରେ  ।  ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମହାକାଳପଡା ଥାନାର ତତକାଳୀନ ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ବେହେରାଙ୍କୁ ଗିରଫ କରାଯିବା,ମୃତକ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତି ପୁରଣ ପ୍ରଦାନ ସହିତ ଏହି ହତ୍ୟାକାଣ୍ଡର ତଦନ୍ତ ସି.ବି.ଆଇ. ଦ୍ୱାରା କରାଯିବାକୁ ଦାବିକରି  ଓଡିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଶାଖା ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ କରାଯାଇଥିଲା  ଆମରଣ ଅନଶନ  ।  ଜିଲ୍ଲା ପୋଲିସ ଓ କ୍ରାଇମ ବ୍ରାଂଚ ଏହି ଅମାନୁଷିକ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ମୁଷାକୁ ଅମାନୁଷିକ ଭାବରେ ମାଡ ମାରି ମାରିଦେବା ପରେ ତାର ଶବକୁ ଥାନା ନିକଟରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ଏକ କୋଠାଘରର ସିଡି ଘରେ ଝୁଲାଇ ଦେଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା   । କିନ୍ତୁ ସେହି ଅପଚେଷ୍ଟାକୁ  ଲୋକମାନେ ବୁଝି ପାରିବାରୁ ଏଭଳି ଅମାନୁସିକ ହତ୍ୟା ଘଟଣାର ଘୋର ବିରୋଧ କରି ଦୋଷୀକୁ ରୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ  ।  ଦୋଷୀ ପୋଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବା,କ୍ରାଇମବ୍ରାଂଚ ତଦନ୍ତ ବଦଳରେ ସି.ବି.ଆଇ.ଦ୍ୱାରା ମୁଷା ହତ୍ୟା ଘଟଣାର ତଦନ୍ତ କରାଯିବା,ଏହି ହତ୍ୟା ଘଟଣାର ପୃଷ୍ଟ ପୋଷକ ତଥା ପ୍ରଛଦ ପଟରେ ଥିବା କୁଜି ନେତା ଓ ଖଳନାୟକ ଏବଂ ଦଲାଲମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପ୍ରଭୃତି ଦାବି ନେଇ ସୂଚନା ଅଧିକାର ଅଭିଯାନ ପକ୍ଷରୁ  ଜିଲ୍ଲାପାଳଙ୍କ କାର୍ଯୟାଳୟ ସମ୍ମୁଖରେ ଅନଶନ କରାଯାଇଥିଲା   । ଆଜି    ସେହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ୟାମଘନ ବେହେରା ଜିଲ୍ଲାଜଜଙ୍କ କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ତାଙ୍କର ଜାମିନ ଆବେଦନ ପ୍ରଥମେ ଏସଡିଜେଏମ ଓ ପରେ ଜିଲ୍ଲାଜଜଙ୍କ କୋର୍ଟରେ ନାମଞ୍ଜୁର ହେବା ପରେ ଅଭିଯୁକ୍ତଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *