Tuesday , February 25 2020
Breaking News
Home / କୃଷି / ମଣ୍ଡିରେ ଅବ୍ୟବସ୍ଥା –  ଚାଷୀମାନଙ୍କ ମଧ୍ୟରେ ଅସନ୍ତାଷ  

ମଣ୍ଡିରେ ଅବ୍ୟବସ୍ଥା –  ଚାଷୀମାନଙ୍କ ମଧ୍ୟରେ ଅସନ୍ତାଷ  

ଗରଦପୁର, ୧୧/୦୨/୨୦୨୦ (ଓଡ଼ିଶା ସମାଚାର)-ଧାନ ମଣ୍ଡିରେ ବିକ୍ରୟ ପାଇଁ ଯାଇଥିବା ଚାଷୀମାନଙ୍କ ଧାନକୁ ଓଜନରେ  କାଟିବା ,ଦିନ ତମାମ ରାସ୍ତା ଉପରେ ଧାନ ବସ୍ତା  ରଖି ସନ୍ଧ୍ୟା ସମୟରେ ଧାନ ଓଜନ କରାଯିବା ଓ ମୋଟା ଧାନକୁ ମଣ୍ଡି ନ ନେବାରୁ ଚାଷୀମାନେ ଘରକୁ ଫେରାଇ ନେବା ଆଦିକୁ କେନ୍ଦ୍ର କରି ବେଡାରୀ ଧାନ ମଣ୍ଡିରେ ବିକ୍ରୟ କରିବା ପାଇଁ ଉପସ୍ଥିତ ଥିବା ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ, ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ସେବା ସମବାୟ ସମିତିରେ ପ୍ରଶାସନଙ୍କ ପକ୍ଷରୁ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ଧାନ ମଣ୍ଡି ଖୋଲା ଯାଇଛି । ଏହି ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ୪ ଗୋଟି ମିଲର୍‌ମାନଙ୍କୁ ପ୍ରଶାସନଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ବେଡାରୀ ଗ୍ରାମରେ ଥିବା ସେବା ସମବାୟ ସମିତି ଗୃହ ପର୍ଯ୍ୟନ୍ତ ବଡ ବଡ ଟ୍ରକ୍ ଯାତାୟତ କରିବା ପାଇଁ ରାସ୍ତାର ସୁବିଧା ନ ଥିବାରୁ ସମିତି ପକ୍ଷରୁ ହରିଦାସପୁର ଗ୍ରାମର କ୍ଷେତ୍ରପାଳ ଠାକୁରାଣୀଙ୍କ ମନ୍ଦିର ନିକଟସ୍ଥ ରାସ୍ତା ଉପରେ ମିଲର ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ  ଚାଷୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । ସୋମବାର ସକାଳ ପ୍ରାୟ୮ଟା ସମୟରୁ ଚାଷୀମାନେ ଟ୍ରାକ୍ଟରରେ ଧାନ ଆଣି ରାସ୍ତା ପାଶ୍ୱର୍ମାନଙ୍କରେ ରଖିଥିବାବେଳେ,କେତେକ ଚାଷୀମାନେ ରାସ୍ତା ପାଶ୍ୱର୍ରେ ଧାନ ବସ୍ତାଗୁଡିକ ଗଦା କରି ମଣ୍ଡିରେ ବିକ୍ରୟ ଅପେକ୍ଷା କରି ରହିଥିଲେ । ମାତ୍ର ଦିନ ତମାମ ଚାଷୀମାନେ ରାସ୍ତା ଉପରେ ଧାନ ରଖି ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଅପେକ୍ଷାରେ ରହିଥିଲେ । ସମ୍ପୃକ୍ତ ମିଲର ଏଠାକୁ ଆସିବାରେ ବହୁ ବିଳମ୍ବ କାରଣରୁ ଚାଷୀମାନଙ୍କ ଘୋର ଅସନ୍ତୋଷ ଥିବାରୁ ସମିତିର ସଭାପତି ଚିତରଞ୍ଜ ଚୌଧୁରୀଙ୍କ ଉଦ୍ୟମକ୍ରମେ ତତ୍ପରତା କରାଯାଇ ସନ୍ଧ୍ୟା ସମୟରେ ସମିତି ଦାଇତ୍ୱରେ ଥିବା ସମ୍ପାଦକ ଓ ସମ୍ପୃକ୍ତ ମିଲର ସେଠାକୁ ଯାଇ ଚାଷୀମାନଙ୍କ ଠାରୁ ଧାନ ଓଜନ କରିଥିଲେ । ଚାଷୀମାନଙ୍କ ଧାନ ଓଜନ କରାଯିବା ସମୟରେ ବସ୍ତା ପିଛା ବହୁ ପରିମାଣରେ କାଟି ଦିଆଯାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବସ୍ତା ପିଛା ୭ରୁ ୮କିଲୋ ଧାନ ଓଜନରେ ମିଲରମାନେ କାଟି ଦେଉଥିବା ସମ୍ପର୍କରେ ପଦ୍ମପୁର ଗ୍ରାମର ଚାଷୀ ଲବ ସାମଲ ଅଭିଯୋଗ କରିଛନ୍ତି । ସେହିପରି ଦଳୁଆଣି ଗ୍ରାମର ନିରଞ୍ଜନ ଦାସଙ୍କର ମୋଟ ୩୦ କୁଇଂଟାଲ ଧାନ ମଧ୍ୟରୁ ୧କୁଇଂଟାଲ ୩ କିଲୋ ଓଜନ ଧାନ କାଟି ଦେଇଥିବା ଅଭିଯୋଗ ହୋଇଛି । ଶ୍ରୀଚନ୍ଦନପୁର ଗ୍ରାମର ଦୀପକ କୁମାର ନାୟକ ଓ ପ୍ରିୟନାଥ ପାତ୍ରଙ୍କର ମୋଟା ଧାନ ଥିବାରୁ ମିଲର ଧାନ କ୍ରୟ କରି ନ ଥିଲେ । ଏହି ଦୁଇ ଚାଷୀମାନେ ରାସ୍ତାଉପରେ ଧାନ ରଖି ମିଲର ନ ନେବାରୁ ହତାଷ୍ ହୋଇସନ୍ଧ୍ୟାରେ   ବିକ୍ରୟ ପାଇଁ ଆଣିଥିବା ଧାନକୁ ଟ୍ରାକ୍ଟରରେ ବୋଝେଇ କରି ଘରକୁ ଫେରାଇ ନେଇଥିଲେ । ଆଜି ଦଳୁଆଣୀ ଗ୍ରାମର ବିଜୟ ସେନାପତି, ପବନି ବେହେରା,ବେଡାରୀ ଗ୍ରାମର ଜ୍ଞାନେନ୍ଦ୍ର ବେହେରା,ପ୍ରକାଶ ମିଶ୍ର,ନାରାୟଣ ନାୟକ, ଶ୍ରୀଚନ୍ଦନପୁର ଗ୍ରାମର ଦୀପକ ନାୟକ, ପ୍ରିୟନାଥ ପାତ୍ର,ନୂଆପଡା ଗ୍ରାମର ଗୋବିନ୍ଦ ସାହୁ ପ୍ରମୁଖ ଚାଷୀମାନେ ରାସ୍ତା ପାଶ୍ୱର୍ରେ ଧାନ ରଖି ଦିନ ତମାମ ଖରାରେ ମିଲରକୁ ଅପେକ୍ଷା କରି ରହିଥିଲେ । କେତେକ ଚାଷୀମାନଙ୍କ ଧାନ ଟ୍ରାକ୍ଟରରେ ବୋଝେଇ ହୋଇ ରାସ୍ତା ପାଶ୍ୱର୍ରେ ରହିଥିବା ବେଳେ, କେତେକ ଚାଷୀମାନଙ୍କ ଧାନ ରାସ୍ତା ପାଶ୍ୱର୍ରେ ସନ୍ଧ୍ୟା ପର୍ଯ୍ୟନ୍ତ ପଡି ରହିଥିଲା । ଏହି ଘଟଣାକୁ ନେଇ ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ଚାପା ଉତେଜନା ପ୍ରକାଶ ପାଇବା ସହିତ ଜିଲା ଯୋଗାଣ ଅଧିକାରୀଙ୍କୁ ଟେଲିଫୋନ୍ ଯୋଗେ ଉପସ୍ଥିତ ଚାଷୀମାନେ ଅଭିଯୋଗ କରି ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର,୧୭/୦୨/୨୦୨୦(ଓଡ଼ିଶା ସମାଚାର)-ଉତର ବାଲେଶ୍ୱରର ୪ ଟି ବ୍ଲକ ଜଳେଶ୍ୱର,ବସ୍ତା,ବାଲିଆପାଳ ଓ ଭୋଗରାଇ ଅଂଚଳରେ କୃଷି ଉତ୍ପାଦିତ ସାମଗ୍ରୀକୁଉପଯୁକ୍ତ ଭାବେ ସଂରକ୍ଷଣ …

Leave a Reply

Your email address will not be published. Required fields are marked *