Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ବ୍ୟବସାୟୀଙ୍କ ପ୍ରତି ବ୍ୟାଙ୍କ ସଦୟ ହେବା ଦରକାର: କେନ୍ଦ୍ର ଏମଏସଏମଇ ମନ୍ତ୍ରୀ

ବ୍ୟବସାୟୀଙ୍କ ପ୍ରତି ବ୍ୟାଙ୍କ ସଦୟ ହେବା ଦରକାର: କେନ୍ଦ୍ର ଏମଏସଏମଇ ମନ୍ତ୍ରୀ

ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମଏସଏମଇ) ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇ ବ୍ୟବସାୟୀଙ୍କ ପ୍ରତି ସଦୟ ହେବାକୁ କହିଛନ୍ତି । ଭୁବନେଶ୍ୱରର ଇଡକଲ ଅଡିଟୋରିୟମ୍ ଠାରେ ଓଡ଼ିଶା ଆସୋସିଏସନ୍ ଅଫ୍ ଏସଏମଇ (ଓସମି) ପକ୍ଷରୁ ଆୟୋଜନ କରାଯାଇଥିବା ଓଡ଼ିଶା ଏମଏସଏମଇ ମିଟ୍ ୨୦୧୯ରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।ସେ କହିଲେ, ରୋଜଗାର ଓ ନିଯୁକ୍ତି ସୃଷ୍ଟି କରିବାରେ ସରକାରଙ୍କ ଉଦ୍ୟମକୁ ବ୍ୟବସାୟ ଜଗତ ହାଲୁକା କରିଥାଏ । ସେମାନେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଲୋକଙ୍କୁ ଜୀବିକା ପ୍ରଦାନ କରୁଛନ୍ତି । ସବୁ ବ୍ୟବସାୟୀ ନିରବ ମୋଦୀ କିମ୍ବା ବିଜୟ ମାଲ୍ୟା ନୁହନ୍ତି । ସମସ୍ତେ ବ୍ୟାଙ୍କ ଟଙ୍କା ଠକି ବିଦେଶ ପଳାଇବେ ନାହିଁ । କିଛି ବ୍ୟବସାୟୀଙ୍କୁ ଋଣ ପରିଶୋଧ କରିବା ଲାଗି ସମୟର ଆବଶ୍ୟକତା ରହିଛି । ଯେଉଁମାନେ ନିଜ ଋଣର ବଡ଼ ଭାଗ ପରିଶୋଧ କରିସାରିଛନ୍ତି, ସେମାନଙ୍କ ପ୍ରତି ବ୍ୟାଙ୍କଗୁଡ଼ିକୁ ସଦୟ ମନୋଭାବ ପୋଷଣ କରିବାକୁ ହେବ । ବଳକା ଋଣ ପରିଶୋଧ ନିମନ୍ତେ ଆବଶ୍ୟକ ସମୟ ପ୍ରଦାନ କରିବା ଲାଗି ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି । ଅର୍ଥନୀତି ପ୍ରତି ଏମଏସଏମଇ କ୍ଷେତ୍ରର ରହିଥିବା ଗୁରୁତ୍ୱ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ, ଦେଶର ମାନୁଫାକ୍ଚିଂ କ୍ଷେତ୍ର ପ୍ରତି ଏମଏସଏମଇ କ୍ଷେତ୍ରର ଅବଦାନ ୪୫% ଥିବା ବେଳେ ରପ୍ତାନିକୁ ୨୦% ଏବଂ ଦେଶର ଜିଡିପିକୁ ୨୮% ରହିଛି । ନିଯୁକ୍ତି ସୃଷ୍ଟି କରିବାରେ କୃଷି କ୍ଷେତ୍ର ପଛକୁ ଏହା ହେଉଛି ଦେଶର ଦ୍ୱିତୀୟ ବଡ଼ କ୍ଷେତ୍ର । ଯଦି ଏମଏସଏମଇ କ୍ଷେତ୍ର ରୁଗ୍ଣ ହୋଇଯିବ ତେବେ ଦେଶର ଅର୍ଥନୀତି ପ୍ରଭାବିତ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ସେ ଓସମିକୁ ଆହ୍ୱାନ ଦେଇ ଗ୍ରାମାଂଚଳ ଓ ରାଜ୍ୟର କୋଣ ଅନୁକୋଣରେ କାର୍ଯ୍ୟକ୍ରମ ଆୟୋଜନ କରି ଯୁବକଯୁବତୀମାନଙ୍କ ଉଦ୍ୟୋଗୀ ହେବା ସ୍ୱପ୍ନକୁ ପୂରଣ କରିବା ଲାଗି ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, “ଏସଏମଇ ଶିଳ୍ପର ବିକାଶ ଲାଗି ଖୁବଶୀଘ୍ର ପଶ୍ଚିମ ଓଡ଼ିଶାର କେସିମାରେ ସ୍ୱତନ୍ତ୍ର ଏସଏମଇ କ୍ଲଷ୍ଟର ସ୍ଥାପନ କରାଯିବ । ରାଜ୍ୟରେ ଏଭଳି ଦୁଇଟି କ୍ଲଷ୍ଟର୍ ସ୍ଥାପନ କରିବାକୁ ଯୋଜନା ରହିଛି । ଖୁବଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଓ ଏମଏସଏମଇ ସଚିବଙ୍କୁ ଆହ୍ୱାନ ଦେଇ ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହୋଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ କହିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଶିଳ୍ପାୟନ ଯୋଗୁ ପରିବେଶର ହେଉଥିବା କ୍ଷତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶିଳ୍ପ ଜଗତରେ ମଣିଷ ଓ ପରିବେଶ ବଂଚି ରହିବା ନିହାତି ଜରୁରୀ । ଆମ ଗ୍ରହକୁ ପରିବେଶ ବିପଦ ଏବଂ ଜୈବ ଅସମାନତା ଠାରୁ ବଂଚାଇବାର ସମୟ ଆସିଛି ବୋଲି ସେ କହିଛନ୍ତି । ଓଡ଼ିଶା ଏମଏସଏମଇ ମିଟ୍ ୨୦୧୯ ଅବସରରେ ଓସମି ଏହାର ପ୍ରତିଷ୍ଠା ଦିବସକୁ ମଧ୍ୟ ପାଳନ କରୁଛି । ଏହି ଅବସରରେ ବିଭିନ୍ନ ବିଷୟ ଉପରେ ସେମିନାର ଆୟୋଜନ କରାଯାଉଛି । ଏହି ଅବସରରେ ଓସମିର ଅଧ୍ୟକ୍ଷ ଗୌରୀ ଶଙ୍କର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଓସମିର ସାଧାରଣ ସମ୍ପାଦକ ସାତ୍ୱିକ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିବା ସହ ଏସଏମଇ ଶିଳ୍ପ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ କ’ଣ ଆଶା କରୁଛି ସେହି ଦାବି ଉପସ୍ଥାପନ କରିଥିଲେ । ସରକାରଙ୍କ ଦ୍ୱାରା ଏସଏମଇ ସାମଗ୍ରୀ କ୍ରୟ କରିବା ପାଇଁ ଭାରତ ସରକାରଙ୍କ ଢ଼ାଂଚାରେ ଏକ ସ୍ୱତନ୍ତ୍ର ଜେଇଏମ୍ ପୋର୍ଟାଲ ବିକଶିତ କରିବାକୁ ସେ ଦାବି କରିଥିଲେ । ଏସଏଚଜିଗୁଡ଼ିକର ଉତ୍ପାଦକୁ ସିଧାସଳଖ ସେମାନଙ୍କ ଠାରୁ କିଣିବାକୁ ବ୍ୟବସ୍ଥା କରିବା ଲାଗି ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ଓସମି ସ୍ମରଣିକାକୁ ଉନ୍ମୋଚନ କରାଯାଇଥିଲା ଏବଂ ଏସଏମଇ କ୍ଷେତ୍ରର ସଫଳ ଉଦ୍ୟୋଗୀ ଓ ଶିଳ୍ପ ସଂସ୍ଥା, ଶିଳ୍ପ ଉନ୍ନୟନ ଅଧିକାରୀ ଓ ମଦର ପ୍ଲାଂଟ ଗୁଡ଼ିକୁ ଓସମି ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି । ଏହି ଅବସରରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଏମଏସଏମଇ ବିଭାଗର ସଚିବ ଅରୁଣ ପଣ୍ଡା ଓ ନାଲକୋର ସିଏମଡି ଡକ୍ଟର ତପନ କୁମାର ଚାନ୍ଦ, ସାରା ରାଜ୍ୟର ଏମଏସଏମଇ ସଂସ୍ଥା, ଷ୍ଟାର୍ଟ ଅପ୍ ସଂସ୍ଥା, ଇନୋଭେଟର, ଷ୍ଟାଣ୍ଡ ଅପ୍ ସଂସ୍ଥା, ଫୁଡ୍ ପ୍ରୋସେସିଂ ୟୁନିଟ୍ ଏବଂ ରପ୍ତାନିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *