କେନ୍ଦ୍ରାପଡା ୨୧/୧୧/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଦାବିନେଇ ଏକ ଶୋଭାଯାତ୍ରା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେମାନଙ୍କ ଦାବିପତ୍ରରେ ଉଲ୍ଲେଖ ରହିଚି ଯେ ଗତ କିଛି ବର୍ଷ ଭିତରେ କେନ୍ଦ୍ରର ଏନ.ଡି.ଏ.ସରକାରର ଅର୍ଥନୀତି ଦିନକୁ ଦିନ ନିମ୍ନଗାମି ହେଉଥିବା ବେଳେ ଦେଶର ଜିଡିପି ହାର ମାତ୍ର ୫ ପ୍ରତିଶତ ହୋଇଛି ଯାହାକି ଗତ ୧୫ବର୍ଷ ମଧ୍ୟରେ ସବୁଠୁ କମ ଥିବାର ଜଣାପଡିଛି । ଋଣ ଭାର ବଢି ଚାଲିଥିବା ବେଳେ ସବୁକ୍ଷେତ୍ରରେ ନିଅଁଟିଆ ପରିସ୍ଥିତ ସୃଷ୍ଟି ହୋଇଛି । ସବୁଠୁ ବିପଦ କଥା ହେଉଛି ଲୋକଙ୍କ କିଣିବା ଶକ୍ତି ହ୍ରାସ ପାଇଥିବା ବେଳେ ବେକାର ସମସ୍ୟା ବଢିବାରେ ଲାଗିଛି । ପିଆଜ,ଟମାଟୋ,ଆଳୁ ଭଳି ସାଧାରଣ ଜନତାଙ୍କ ନିମନ୍ତେ ଅତ୍ୟାବଶକ ଜିନିଷର ମୁଲ୍ୟ ବାରମ୍ବାର ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଛି । ଏଥିସହିତ ତୈଳଦର ମଧ୍ୟ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ଟିକସ ବୃଦ୍ଧି ହେତୁ ତୈଳଦର ଆକାଶ ଛୁଆଁ ହୋଇଛି । ବର୍ତ୍ତମାନ ତୁଳନାରେ ୟୁପିଏ ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଦର ବହୁତ କମ ଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି । କୃଷି କ୍ଷେତ୍ରରେ ମଧ୍ୟ କୃଷକର ଉତ୍ପାଦକର ମୂଲ୍ୟ ମାର୍କେଟ ଅଭାବରୁ ହ୍ରାସ ପାଉଥିବା ବେଳେ କୃଷକଟି ଋଣ ଭାରରେ ବାଧ୍ୟ ହୋଇ ଆତ୍ମହତ୍ୟା କରୁଥିବା ଘଟଣା ବୃଦ୍ଧି ପାଉଛି । ଏତଦଭିନ୍ନ ଏହି ଜିଲ୍ଲାର ଗତ ସେପ୍ଟେମ୍ବର ୨୦୧୮ ବର୍ଷାରେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ୧୯.୪୨ କୋଟିର ସବସିଡି ତୁରନ୍ତ ପ୍ରଦାନ,ଯୁଦ୍ଧକାଳିନ ଭିତିରେ ବୁଲବୁଲ ବାତ୍ୟାର କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ପ୍ରଦାନ,ଜିଲ୍ଲାର ଚାଳଛପର ଘରଥିବା ପ୍ରକୃତ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେବା,ହରିଦାସପୁର – ପାରାଦୀପ ରେଳ ଲାଇନର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରାଯିବା ପ୍ରଭୃତି ସମ୍ପର୍କରେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଷ୍ଟ୍ରପତି ତାଙ୍କ ସାଂବିଧାନିକ କ୍ଷମତା ବଳରେ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା,ଅଂଶୁମାନ ମହାନ୍ତି,ଦେବାଶିଷ ପଟ୍ଟନାୟକ,ଫକିର ଚରଣ ଖଟୁଆ,ପ୍ରଫୁଲ୍ଲ ଦାସ,ସୈାମେନ୍ଦ୍ର ପୃଷ୍ଟି,ମହମ୍ମଦ ଆକବର ଅଲ୍ଲୀ,ସୟଦ ଅବଦୁଲ ସତାର,ସଞ୍ଜୟ ରାଉତ ପ୍ରମୁଖ ସହକାରୀ ଜିଲ୍ଲାପାଳ ସର୍ମିଷ୍ଠା ମାହାଳିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର
