ଗରଦପୁର ୨୦/୧୧/୨୦୧୯ (ଓଡ଼ିଶା ସମାଚାର)- କ୍ରମାଗତ ଭାବରେ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ବୁଲବୁଲ ପ୍ରଭାବରେ ବର୍ଷା ହୋଇଥିବା କାରଣରୁ ପାଟକୁରା ଅଂଚଳର ବିରି ଚାଷୀମାନେ ଚଳିତ ବର୍ଷ ଜମିରୁ ବିରି ବିହନ ପଚିଯିବା କାରଣରୁ ଜମିରେ କ୍ରମାଗତ ଭାବରେ ଦୁଇ ଥର ବିରି ବିହନ ବୁଣିଥିଲେ ମଧ୍ୟ ବିରି ଗଛ ଗୁଡିକର ଅଭିବୃଦ୍ଧି ହେଉ ନ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ପଦ୍ମପୁର,ବେଡାରୀ ଓ ପାଟକୁରା ପଂଚାୟରେ ଥିବା ବିଭିନ୍ନ ଗ୍ରାମମାନଙ୍କରେ ବିରି ଚାଷ କରାଯାଇଥାଏ । ଚଳିତ ବର୍ଷ ଚାଷୀ ମାନେ ଜମିରେ ବିରି ବୁଣିବା ପରେ ପରେ ଲଘୁଚାପ ଜନିତ ବର୍ଷା ହେବା କାରଣରୁ ଜମିରେ ବୁଣାଯାଇଥିବା ବିରି ବିହନ ନଷ୍ଟ ହୋଇ ଯାଇଥିଲା । ପରବର୍ତୀ ସମୟରେ ଚାଷୀମାନେ ବିହନ ସଂଗ୍ରହ କରି ଜମିରେ ବିରି ବୁଣିଥିଲେ ମଧ୍ୟ ତାହା ବାତ୍ୟା ବୁଲବୁଲ ପ୍ରଭାବରେ ଜମିରେ ପାଣି ଜମି ରହିବାରୁ ଉଠି ଥିବା ବିରି ଗଛ ଗୁଡିକ କ୍ଷତି ଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ଜମିରୁ ପାଣି କମିଥିଲେ ମଧ୍ୟ ମାଟି କାଦୁଆ ରହିଥିବାରୁ ବିରି ଗଛଗୁଡିକର ଆବଶ୍ୟକ ପରିମାଣରେ ଦୃଦ୍ଧି ପାଉ ନାହିଁ । ଏପରିସ୍ଥଳେ ଚାଷୀମାନେ ଚିନ୍ତିତ ହୋଇପଡିଥିବା ପ୍ରକାଶ କରିଛନ୍ତି । ପଦ୍ମପୁର ଗ୍ରାମର ମଝିପଡିଆ ଚକ, କାଲବାଟି ଚକ, ଦେବତାବାଡା ଚକ, ମହମ୍ମୁଦା ଗ୍ରାମର ଧରା ଚକ, କିଣିଲୋ ଗ୍ରାମରେ ଥିବା ଚକ ଜମି, ଗୋତ୍ରବିଲ ଗ୍ରାମର ଚକ ଜମି, ଶ୍ରୀଚନ୍ଦପୁର, ଜଗଦ୍ଦଳପୁର, ଯମୁନାବାଦ, ସଙ୍ଗିିଟିଆ, ବେଡାରୀ, ଦଳୁଆଣୀ, ପରକଣା, କୋଡଗାଁପାଟଣା ଆଦି ଗ୍ରାମମାନଙ୍କରେ ବିରି ଚାଷ କରାଯାଇଛି । ଏହି ସବୁ ଗ୍ରାମମାନଙ୍କର ଥିବା ଚାଷ ଜମିରେ ବିରି ବୁଣାଯାଇଥିଲେ ମଧ୍ୟ ବିରି ଗଛ ହୋଇଛି । ମାତ୍ର ଜମିରୁ ଆଜି ସୁଦ୍ଧା କାଦୁଆ ପାଗ ରହିଥିବାରୁ ଅନେକ ସ୍ଥାନରେ ବିରି ଗଛ ଗୁଡିକ ଝାଉଁଳି ପଡି ନାଲି ପଡିଗଲାଣି । ଗଛଗୁଡିକ ଦୁର୍ବଳ ଓ ନାଲି ପଡ଼ୁଥିବାରୁ ଗଛରେ ଆବଶ୍ୟକ ପରିମାଣରେ ଫଳ ହେବ ନାହିଁ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଅନ୍ୟକେତକ ଜମିରେ ବିରି ଗଛର ଅଭିବୃଦ୍ଧି ହେଉ ନାହିଁ । ଏପରିସ୍ଥଳେ ବିରି ଚାଷ କରିଥିବା ଚାଷୀମାନେ ଚିନ୍ତିତ ହୋଇ ପଡିଥିବାବେଳେ, ସରକାରଙ୍କ କୃଷି ବିଭାଗ ପକ୍ଷରୁ ବିରି ଚାଷରେ କ୍ଷତିଗ୍ରସ୍ତ ହୋଇଥିବା ଜମିଗୁଡିକୁ ଆକଳନ କରିବାପାଇଁ ପଦ୍ମପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି, ଜୟ ପ୍ରକାଶ ସାହୁ, ରମେଶ ଚନ୍ଦ୍ର ରାଉତ, ମଧୁସୂଦନ ଦାସ, ଅମର ମଲ୍ଲ, ଅକ୍ଷୟ କୁମାର ମଳିକ, ଧିରେନ୍ଦ୍ର କୁମାର ବେହେରା ଓ ଛବିନ୍ଦ୍ର ବେହେରା ପ୍ରମୁଖ ଦାବି ଜଣାଇଛନ୍ତି ।ଏ ସମ୍ପର୍କରେ ଗରଦପୁର ବ୍ଲକର ଅତିରିକ୍ତ କୃଷି ଅଧିକାରୀ ସୌମେନ୍ଦ୍ର କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ, ବିରି ଫସଲ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ । ଓଡ଼ିଶା ସମାଚାର