Saturday , July 20 2019
Breaking News
Home / ବିଶେଷ / ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ – ଲୋକଙ୍କ ବିଶ୍ୱାସଭାଜନ ହୁଅ

ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ – ଲୋକଙ୍କ ବିଶ୍ୱାସଭାଜନ ହୁଅ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଚିବାଳୟରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ସରକାର ତା’ର ଭଲ କାମ ପାଇଁ ଲୋକଙ୍କ ବିଶ୍ୱାସ ଜିତିଥାଏ । ନିରନ୍ତର ଭାବରେ ଭଲ କାମ ଦ୍ୱାରା ସରକାର ବାରମ୍ବାର ଲୋକଙ୍କ ବିଶ୍ୱାସ ହାସଲ କରିବାରେ ସଫଳ ହୋଇଥାଏ । ବର୍ତମାନ ଆମେ ବିକାଶ ଓ ପ୍ରଶାସନରେ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଂଚି ସାରିଛୁ । ପରବର୍ତୀ ପର୍ଯ୍ୟାୟକୁ ଯିବାପାଇଁ ଆମକୁ କାମ କରିବାକୁ ହେବ । ଲୋକମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ ଆମକୁ ସଫଳ ଭାବରେ ସେବା ଯୋଗାଇ ଦେବାକୁ ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପଂଚମ ପାଳିରେ ରାଜ୍ୟ ସରକାର ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛି । ଆମର ସମ୍ପଦକୁ ସଫଳ ବିନିଯୋଗ କରିବା ଉପରେ ପ୍ରୟାସ ଚାଲିଛି । ଶିଳ୍ପାୟନ ଏବଂ ବିଶ୍ୱସ୍ତରୀୟ ଭିତିଭୂମି, ଏମ୍ଏସ୍ଏମ୍ଇ କ୍ଲଷ୍ଟର, ଷ୍ଟାର୍ଟ ଅଫ୍ ହବ୍ସ ୭ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ପରି ଦେଶମାନଙ୍କ ସମକକ୍ଷ ହେବା ଦିଗରେ ଓଡ଼ିଶା ଅଗ୍ରସର ହେଉଛି । ସରକାରୀ ସେବା ଯୋଗାଇବା କ୍ଷେତ୍ରରେ ଏକ ବଡ଼ ପରିବର୍ତନ ଆଣିବାର ସମୟ ଆସିଛି । ଏଥିପାଇଁ ୫-ଟିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଆବଶ୍ୟକ । ଲୋକଙ୍କ ସନ୍ତୋଷ ପ୍ରଶାସନିକ ସଫଳତାକୁ ବଖାଣେ । ସରକାର ଓ ଲୋକଙ୍କ ମଧ୍ୟରେ ରହିଥିବା ସମ୍ପର୍କ ଅଥବା ଭାବାବେଗ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀତା ଉପରେ ନିର୍ଭର କରିଥାଏ । ସରକାର ଲାଗୁ କରିଥିବା ଯୋଜନାରୁ ଲୋକମାନେ କେତେ ମାତ୍ରରେ ଲାଭାନ୍ୱିତ ଏବଂ ସନ୍ତୋଷ ଲାଭ କରୁଛନ୍ତି ତାହା ସରକାରର ସଫଳତାର ମାନଦଣ୍ଡ ରୂପେ ବିବେଚିତ ହୋଇଥାଏ । ଏଥିରେ ପ୍ରଶାସନର ସର୍ବାଧିକ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ରାଜ୍ୟର ପ୍ରଶାସନିକ ବିଭାଗକୁ ନାଗରିକ କୈନ୍ଦ୍ରୀକ କରିବା ସହ ସାଧାରଣ ଜନତା କିଭଳି ପ୍ରଶାସନ ସହିତ ଅଧିକ ଜଡ଼ିତ ହୋଇପାରିବେ ସେନେଇ ପ୍ରୟାସ କରିବା ଦରକାର । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କ ମତାମତକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅନେକ ପ୍ରଶ୍ନ ପଚାରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ‘ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପ୍ରତିକ୍ରିୟା ସ୍ୱାସ୍ଥ୍ୟ ବିଭାଗ ନେଉଛି କି? ରୋଗୀମାନେ ସନ୍ତୁଷ୍ଟ ଅଛନ୍ତି କି ନାହିଁ? ଯେଉଁ ଯୁବ ବନ୍ଧୁମାନେ ପରିବହନ ବିଭାଗରୁ ଲାଇସେନ୍ସ ନେଉଛନ୍ତି, ସେମାନଙ୍କ ପ୍ରତିକ୍ରିୟା ସମ୍ପର୍କରେ ବିଭାଗ ସଚେତନ କି? ହଜାର ହଜାର ଲୋକ ତହସିଲ ଅଫିସକୁ ଯାଉଛନ୍ତି । ସେମାନଙ୍କ ଅନୁଭୂତି ବିଷୟରେ ଆପଣ ଜାଣନ୍ତି କି? ଆମର ବିଭିନ୍ନ ଉନ୍ନୟନ କର୍ତୃପକ୍ଷଙ୍କ ସମ୍ପର୍କରେ ଜନସାଧାରଣଙ୍କ ଅନୁଭୂତି କିପରି, ତାହା ସେମାନେ ଜାଣନ୍ତି କି? ସରକାରଙ୍କ ସମ୍ପର୍କରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ହିତାଧିକାରୀଙ୍କ ମତାମତ ଆପଣ ଜାଣନ୍ତି କି? ସବ୍ରେଜିଷ୍ଟର ଅଫିସରେ କ’ଣ ଘଟୁଛି ଆପଣ ଜାଣନ୍ତି କି?’ ତେଣୁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନାଗରିକ କୈନ୍ଦ୍ରୀକ ହେବା ସହ ସାଧାରଣ ଜନତାଙ୍କ ପ୍ରତି ଅଧିକ ଦାୟିତ୍ୱ ସମ୍ପୂର୍ଣ୍ଣ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଆପଣମାନଙ୍କର ଦକ୍ଷତା ଆକଳନ ରିପୋର୍ଟ ମାପୁଛି । ଲୋକ ମୋ ଦକ୍ଷତା ଆକଳନ ରିପୋର୍ଟ ମାପୁଛନ୍ତି । ଜନସାଧାରଣଙ୍କ ସମ୍ମୁଖରେ ସମସ୍ତଙ୍କୁ ଉତରଦାୟୀ ରହିବାକୁ ହେବ ବୋଲି ସେ କହିଥିଲେ । ଓଡ଼ିଶା ସମାଚାର

About admin

Check Also

ପାଟକୁରା: ଦିନ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ପାଟକୁରା /ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ …

Leave a Reply

Your email address will not be published. Required fields are marked *