Thursday , September 19 2019
Breaking News
Home / କୃଷି / ବନ୍ୟାପାଣି ମାଡ଼ିଯିବାରୁ  ପନିପରିବା ଚାଷ ବ୍ୟାପକ କ୍ଷତି

ବନ୍ୟାପାଣି ମାଡ଼ିଯିବାରୁ  ପନିପରିବା ଚାଷ ବ୍ୟାପକ କ୍ଷତି

ସାଲେପୁର, ୧୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ଗତ ଦୁଇ ସପ୍ତାହ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବା ବେଳେ ମହାନଦୀରେ ପ୍ରଥମ ବନ୍ୟାଜଳ ଆସି ନଦୀ ପଠାକୁ ବୁଡ଼ାଇ ଦେଇଥିବାରୁ ପଠାରେ ଚାଷ କରାଯାଇଥିବା ପରିବା ଫସଲର ବ୍ୟାପକ କ୍ଷତି ହୋଇଛି । ବ୍ୟାଙ୍କରୁ ଲୋନ୍ ଆଣି ଗ୍ରୁପ୍ ଋଣ ଓ  ହାତ ଉଧାରୀ ଋଣ କରି ପରିବା ଚାଷ କରିଥିବା ଚାଷୀମାନେ ଏଭଳି କ୍ଷତି ଯୋଗୁ ହତାଶ ହୋଇପଡ଼ିଛନ୍ତି । ସାଲେପୁର ତହସିଲ ଅଧିନ ବାରଗୋଡ଼ିଆ, ପାଟପୁର ଓ ତେନ୍ତୋଳ ଗ୍ରାମ ନିକଟରେ ପ୍ରବାହିତ ମହାନଦୀର ପଠା ଓ ପଠା ସନ୍ନିକଟ ଶହଶହ ଏକର ଜମିରେ ଚାଷୀମାନେ ଜାହ୍ନି, କାକୁଡ଼ି, କଲରା, ଭେଣ୍ଡି, ଝୁଡ଼ଙ୍ଗ ଓ କଖାରୁ ଚାଷ କରିଥାନ୍ତି । ଏହି ପରିବାକୁ ଅମଳକରି ଚାଷୀମାନେ ସ୍ଥାନୀୟ ବଜାର ହାଟରେ ବିକ୍ରୀ କରିବା ସହ ବାହାର ରାଜ୍ୟରୁ ଆସୁଥିବା ବେପାରୀମାନଙ୍କୁ ବିକ୍ରୀ କରିଥାନ୍ତି । ଏହାଦ୍ୱାରା ପରିବାଚାଷୀମାନେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି । ଏଠାରେ ଚାଷ ହେଉଥିବା ପରିବାକୁ ଦିଲ୍ଲୀ କଲିକତାର ପରିବା ବେପାରୀମାନେ ଏଠାକୁ ଆସି ଚାଷୀଙ୍କ ଠାରୁ କିଣି ନେଇଥାନ୍ତି । ସେଠାରେ ଏଠାରେ ଅମଳ ହେଉଥିବା କଂଚା ପରିବାର ଭଲ ଚାହିଦା ରହିଛି । ମାତ୍ର ଚଳିତ ବର୍ଷ ବର୍ଷା ଓ ବନ୍ୟା ପରିବା ଫସଲକୁ ଉଜାଡ଼ି ଦେଇଛି । ବର୍ଷା ଯୋଗୁ ସପ୍ତାହେ ଧରି ପରିବା ଫସଲ ପାଣିରେ ବୁଡ଼ି ରହିଥିବା ବେଳେ ବନ୍ୟା ପାଣି ଆସି ଆହୁରି କିଛିଦିନ ବୁଡ଼ାଇ ରଖିବାରୁ ଗଛରେ ଫଳିଥିବା  ପରିବା ଜମିରେ ପଚି ନଷ୍ଟ ହୋଇଗଲା । ପାଣି ଛାଡ଼ିଗଲା ପରେ ଗଛ ସବୁ ଝାଉଳି ପଡ଼ି ମାଟିରେ ଲୋଟି ଯାଇଛି । ବିଶେଷ କରି ରାଜ୍ୟ ବାହାରକୁ ବିକ୍ରୀ ପାଇଁ ଯାଉଥିବା କଖାରୁ ଏବର୍ଷ ବିକ୍ରୀରେ ଚାଷୀ ଲାଭ ପରିବର୍ତେ କ୍ଷତିରେ ସମ୍ମୁଖୀନ ହୋଇଛି । ବାହାର ବେପାରୀ କଖାରୁ ଗୋଟାକୁ ୧୦ରୁ ୧୫ ଟଙ୍କାରେ କିଣୁଥିବା ବେଳେ ଚଳିତ ବର୍ଷ ବନ୍ୟା ପାଣିରୁ ବର୍ତି ଯାଇଥିବା କଖାରୁ ଗୋଟାକୁ ବାହାର ରାଜ୍ୟର ବେପାରୀମାନେ ଦୁଇ ଟଙ୍କା ୩ଟଙ୍କାରେ କିଣୁଛନ୍ତି । ଯାହା ଚାଷୀଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି । ଏଭଳି ପରିସ୍ଥିତି ଉପୁଜି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଅଦ୍ୟାବଧି କ୍ଷୟକ୍ଷତିର ଆକଳନ କରାଯାଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରଶାସନିକ ସ୍ଥାଣୁତା ଓ ଉଦ୍ୟାନ କୃଷି ବିଭାଗର ନୀରବଦ୍ରଷ୍ଟା ଯୋଗୁ ପରିବା ଚାଷୀମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ରାଜ୍ୟ ସରକାର କୃଷି ଓ ଉଦ୍ୟାନ କୃଷିର ଉନ୍ନତି ପାଇଁ କୃଷକମାନଙ୍କୁ ସୁବିଧା ସୁଯୋଗ ଦେବାକୁ ଗଦାଗଦା ପ୍ରତିଶ୍ରୃତି ଦେଉଥିଲେ ମଧ୍ୟ ତାହା ସଠିକ୍ କାର୍ଯ୍ୟକାରୀ ହେଉପାରୁନାହିଁ ବୋଲି କୁହାଯାଉଛି । ପରବିା ଚାଷ କରି ଏହି ଅଂଚଳର ଚାଷୀମାନେ ବର୍ଷସାରା ପରିବାର ପ୍ରତିପୋଷଣ କରିଥାନ୍ତି । ଫସଲ ଉଜୁଡ଼ି ଯିବାରୁ କିପରି ପରିବାର ଚଳାଇବେ ତାହା ସେମାନଙ୍କର ଚିନ୍ତାର କାରଣ ହୋଇଛି । ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ  ଦାବି ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ଓମଫେଡ଼ ସଭାପତି ଭାବେ ନିଜକୁ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ

ଜଗତସିଂହପୁର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ସଭା ସମିତି ତଥା ଗଣ ମାଧ୍ୟମରେ ନିଜକୁ ଓମଫେଡ଼ ସଭାପତି ଭାବେ ପରିଚୟ ଦେଉଥିବା ଜନୈକ …

Leave a Reply

Your email address will not be published. Required fields are marked *