Wednesday , January 29 2020
Home / ବିଶେଷ / ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଭୁବନ ଝଲସୁଛି

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଭୁବନ ଝଲସୁଛି

ମା’ ଙ୍କ ବଡପୂଜାରେ ୧୦ ହଜାର ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁଭକ୍ତ ସାମୁହିକ ପ୍ରସାଦ ସେବନ କଲେ
ଭୁବନ,୧୮/୧୦/୨୦୧୯(ଓଡ଼ିଶା ସମାଚାର)-ଗତ ରବିବାର ରାତିରୁ ଧନଦାତ୍ରୀ,ଅନ୍ନପୂର୍ଣ୍ଣା ମା ଲକ୍ଷ୍ମୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବମୁଖର ହୋଇପଡିଛି । ଚଳିତବର୍ଷ ମଉଡମଣି ପୂଜା ପ୍ରତିଷ୍ଠାନ ବଡହାଟ , ଅରାସାହି, ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ନୂଆବଜାର, ବଉଳଛକ, ଲତାବିଲ(ଟୋଲଙ୍କ ବେରେଣୀ),ଗୋପାଳ ମଣ୍ଡପ, ଲକ୍ଷ୍ମୀଛକ, ବଣିଆସାହି, ବାଜିଛକ, ନୂଆଭୁବନ ପ୍ରଭୃତି ଅଂଚଳରେ ୨୦ ରୁ ଉଦ୍ଧ୍ୱର୍ ପୂଜାମଣ୍ଡପରେ ପୌରାଣିକ କଥାବସ୍ତୁ ଆଧାରରେ ମୂର୍ତି ନିର୍ମାଣ ସମସ୍ତଙ୍କୁ ଆକୃଷ୍ଟ କରିଛି । ସୁଉଚ୍ଚତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ଭୁବନ ଝଲସୁଛି । ସଂଧ୍ୟା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜାମଣ୍ଡପରେ ପ୍ରବଳ ଭିଡ ହେଉଛି ।
ଅରାସାହି – ୧୯୫୨ ମସିହାରେ ସାହିଭାଇଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ୨୦୦୨ ମସିହା ସ୍ୱର୍ଣ୍ଣଜୟନ୍ତୀ ବର୍ଷଠାରୁ ସାହିଭାଇଙ୍କ ଚାନ୍ଦାରେ ପ୍ରତିବର୍ଷ ମା ଙ୍କ ବଡପୂଜାରେ ଆନନ୍ଦ ବଜାରରେ ସାମୁହିକ ପ୍ରସାଦସେବନ କାର୍ଯ୍ୟକ୍ରମ ଅରାସାହିର ଏକ ମହାନ ପରମ୍ପରା ତଥା ଭାଇଚାରାର ପ୍ରତୀକ ପାଲଟିଛି । ଆଜି ଗୁରୁବାର ମା’ ଙ୍କ ବଡପୂଜାରେ ଚଳିତ ବର୍ଷ ୧୮ ତମ ସାମୁହିକ ପ୍ରସାଦ ସେବନର ଆୟୋଜନ ହୋଇଥିଲା । ଆନନ୍ଦବଜାର ରେ ପ୍ରାୟ ୫ ହଜାର ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତ ସାମୁହିକ ପ୍ରସାଦସେବନ କରିଥିଲେ ।
ନୂଆବଜାର-୧୯୬୫ ମସିହାରେ ସ୍ୱର୍ଗତ ଗୌରୀ ଶଙ୍କର ଲାଲ୍ ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ଚଳିତବର୍ଷ ୫୪ ବର୍ଷରେ ପଦାର୍ପଣ କରିଛି । ସୁଉଚ୍ଚ ତୋରଣ,ଲାଇଟଗେଟ ଓ ରଙ୍ଗିନ ଆଲୋକମାଳାରେ ସଂଧ୍ୟା ସମୟରେ ନୂଆବଜାର ଅମରାବତୀର ଭ୍ରମ ସୃଷ୍ଟି କରୁଛି । ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଓ ସଂପାଦକ ପ୍ରଭାସ କୁମାର ସେନାପତି ଙ୍କ ନେତୃତ୍ୱ ଓ ବଣିକସଂଘ କର୍ମକର୍ତା ଅରୁଣ କୁମାର ସାହୁ,ସରୋଜ ବିହାରୀ,ସରୋଜ କୁମାର ପୃଷ୍ଟି, ଗତୀକୃଷ୍ଣ ବିହାରୀ, ରମେଶ ଚନ୍ଦ୍ର ପୃଷ୍ଟି, ନାରାୟଣ ପୋଥାଳ, ରମେଶ ଚନ୍ଦ୍ର ପାତ୍ର, ପ୍ରଭାସ ମେହେଣା, ରମେଶ ଚନ୍ଦ୍ର ସାହୁ, ବିପିନ ବିହାରୀ ଦାସ, ପ୍ରେମାନନ୍ଦ ବେହେରା, ରତିକାନ୍ତ ଗୁରୁ, ଭବାନୀ ଶଙ୍କର ବେହେରା, ଚନ୍ଦନ ଜୈନ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଙ୍କ ସହଯୋଗରେ ପୂଜା ଅନୁଷ୍ଠିତ ହେଉଛି । ପ୍ରତିଦିନ ସମସ୍ତ ବ୍ୟବସାୟୀ ଭାଇମାନେ ପ୍ରସାଦସେବନ କରିବାର ବ୍ୟବସ୍ଥା କରାଯାଉଥିବା ବେଳେ ଆଜି ଗୁରୁବାର ମା’ ଙ୍କ ବଡପୂଜାରେ ସାମୁହିକ ପ୍ରସାଦସେବନରେ ବହୁ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି,ପ୍ରଶାସନିକ ଅଧିକାରୀ,କର୍ମଚାରୀ ,ବିଭିନ୍ନ ବଜାର କମିଟି,ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ । ଆସନ୍ତା ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ସାଂସସ୍କୃତିକ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି ।
ବଡହାଟ- ଦେଶ ସ୍ୱାଧିନତା ପୂର୍ବରୁ ବଡହାଟ ଠାରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିବାରୁ ଏହା ମଉଡମଣି ପୂଜା ପ୍ରତିଷ୍ଠାନର ମାନ୍ୟତା ପାଇଛି । ଚଳିତ ବର୍ଷ ୭୬ ତମ ବାର୍ଷିକ ପୂଜା ପାଳନ ହେଉଛି । ଆଜି ମା’ ଙ୍କ ବଡପୂଜା ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଛି । ଆସନ୍ତା ରବିବାର ପ୍ରାର୍ଥନାମଂଚ ତରଫରୁ ଭଜନସଂଧ୍ୟା ର କାର୍ଯ୍ୟକ୍ରମ ରହିଥିବା ବେଳେ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେବାର ସ୍ଥିର ହୋଇଛି ।
ଟୋଲଙ୍କବେରେଣୀ(ଲତାବିଲ)- ୧୯୯୫ ମସିହାରେ ସାହି ବାସିନ୍ଦା ଙ୍କ ସହଯୋଗରେ ଟୋଲଙ୍କବେରେଣୀ ରେ ପ୍ରଥମେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା । ଆଜି ମା’ ଙ୍କ ବଡପୂଜା ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଛି । ଚଳିତବର୍ଷ ୨୫ ତମ ବାର୍ଷିକ ପୂଜା ଅନୁଷ୍ଠିତ ହେଉଛି । ରୌପ୍ୟଜୟନ୍ତୀ ଉପଲକ୍ଷେ ୩ ଦିନ ସାସଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।
ଲତାବିଲ (ବଉଳଛକ)-୧୯୯୭ ମସିହାରେ ଲତାବିଲ ବଉଳଛକରେ ସାବି ବାସିନ୍ଦା ଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ଚଳିତ ବର୍ଷ ୨୩ ବର୍ଷରେ ପଦାର୍ପଣ କରିଛି । ଆଜି ମା’ ଙ୍କ ବଡପୂଜା ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଛି ।
ଅନ୍ୟ ପୂଜା,ମଣ୍ଡପ ଗୁଡିକରେ ମଧ୍ୟ ଆଜି ମା’ ଙ୍କ ବଡପୂଜା ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ସୋମବାର ଠାରୁ ପର୍ଯ୍ୟାୟ କ୍ରମେ ଭସାଣୀ ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର

About admin

Check Also

ଆରମ୍ଭ ହେଲା କୋଲକାତା-ଝାରସୁଗୁଡ଼ା ବିମାନ ସେବା

ଝାରସୁଗୁଡ଼ା, ୨୯/୦୧/୨୦୨୦ (ଓଡ଼ିଶା ସମାଚାର)- କୋଲକାତା ଓ ଝାରସୁଗୁଡ଼ାର ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଏଣିକି …

Leave a Reply

Your email address will not be published. Required fields are marked *